Unknown

 

 

 

 

 

 

 

 

ଭାରତୀ

ତୃତୀୟ ବର୍ଷ

(୧୦ମ ଓ ୧୧ଶ ଖଣ୍ଡ)

ଅନ୍ଧାରେ ଆଲୁଅ

 

ଶ୍ରୀ ହରିଚରଣ ଗିରି

 

ପ୍ରଥମ ପରିଚ୍ଛେଦ

 

ବୈଶାଖ ପୂର୍ଣ୍ଣିମାର ପୂର୍ଣ୍ଣଚନ୍ଦ୍ର ଦିଗ୍‌ବଳୟର କିଞ୍ଚିତ୍ ଊର୍ଦ୍ଧ୍ୱଦେଶରେ ବସି ଚକଚକ ଚନ୍ଦ୍ରିକାରାଜିକୁ ଧରଣୀବକ୍ଷରେ ଇତସ୍ତତଃ ବୁଣି ଦେଉଅଛନ୍ତି । ଗିରି, ବନ, ନଦୀ ପ୍ରାନ୍ତର ସର୍ବତ୍ର ଯେପରି ଚନ୍ଦ୍ରିକାର ଲହରୀ ଖେଳି ଯାଉଛି । ‘ପୋତେଇ ପୋଖରୀ’ର ଚନ୍ଦ୍ରିକା–ବିରଞ୍ଜିତ ତରଙ୍ଗମାଳ, ସତେ ଯେପରି କୌମୁଦୀ–ବିତାନଖଣ୍ଡ ତଳେ ଖସିପଡ଼ି ପବନରେ ଦୋହଲିଲା ପରି ଜଣା ଯାଉଛି । କ୍ଷୁଦ୍ର କ୍ଷୁଦ୍ର ତରଙ୍ଗମାନ ପଦ୍ମପତ୍ରରେ ବାଧା ପାଇ ଅଶେଷ ଜଳକଣାର ସୃଷ୍ଟି କରି ଶୂନ୍ୟଦେଶକୁ ଅସଂଖ୍ୟ ମଣିମୁକ୍ତାରେ ଛାଇ ଦେଉଛନ୍ତି । ସେହି ସଲିଳକଣାକୁ ଆହାର ଭ୍ରମରେ, ବେଳେବେଳେ ରୋହିତାଦି ମତ୍ସ୍ୟମାନେ ଡ଼େଇଁପଡ଼ି ପଲକରେ ପୁଣି ଅଦୃଶ୍ୟ ହୋଇ ଯାଉଛନ୍ତି । ତୀରସ୍ଥ ବୃକ୍ଷଶାଖାରୁ ଚକ୍ରବାକୀର କରୁଣ ନିଃସ୍ୱନ ଦକ୍ଷିଣା ପବନରେ ବହି ଆସୁଛି । ଟେଣ୍ଟୋଇ ନଭୋମଣ୍ଡଳରେ ଉଡ଼ି ଉଡ଼ି ରଜନୀରାଣୀର ସ୍ୱାଗତ ଗୀତିକା ପାଠ କରୁଛି । ପୁଷ୍କରିଣୀର ତୀରଦେଶରେ କଳା ମୁଗୁନିଶିଳାନିର୍ମିତ ଜରାକୀର୍ଣ୍ଣ ବେଦିକାଟି ଯେପରି କାହାର ଅପେକ୍ଷା କଲା ପରି ନିଶ୍ଚଳ ଭାବରେ ଠିଆ ହୋଇ ରହିଛି ।

 

‘ପୋତେଇ ପୋଖରୀ’ର ସେହି ଅପୂର୍ବ ଶୋଭାସମ୍ପଦ ପ୍ରତି ଦୃକ୍‌ପାତ ସୁଦ୍ଧା ନ କରି, ଜଣେ ଯୁବକ ସେ ବେଦିକା ପୃଷ୍ଠଦେଶରୁ ବାହାରି ପଡ଼ିଲେ; ଦୁଇ ବକ୍ଷସନ୍ଧିରେ ଦୁଇ ହସ୍ତର କରତଳକୁ ଦୃଢ଼ଭାବରେ ସଲଗ୍ନ ରଖି ଊର୍ଦ୍ଧ୍ୱଦୃଷ୍ଟିରେ କିଛିକ୍ଷଣ ଠିଆ ହୋଇ ରହିଲେ । ତାପରେ ସେହିପରି ଉନ୍ନତ ମସ୍ତକରେ ବେଦିକା ଉପରେ ଥପ୍ କରି ବସି ପଡ଼ିଲେ ।

 

‘‘ନବ ଭାଇ !’’

 

ଉଁ ଚୁଁ କିଛି ନାହିଁ । ଆଉ ଥରେ ଶୁଭିଲା–‘‘ନବ ଭାଇ !’’ ପୂର୍ବବତ୍ ସ୍ୱର ଶବ୍ଦ କିଛି ନାହିଁ । କିଏ ଜଣେ ଅଗ୍ରସର ହୋଇ କହିଲା–‘‘କେତେବେଳେ ଯିବ ତମେ ?’’

 

ଯୁବକଙ୍କର ଧ୍ୟାନ ଭାଙ୍ଗିଗଲା । ‘ଉଁ’ କରି ଚମକି ପଡ଼ି ଚାହିଁଦେଲେ, ସମ୍ମୁଖରେ ଗୋଟିଏ ନାରୀ ମୂର୍ତ୍ତି । ‘‘ତୁ କୁଆଡ଼େ ଆସିଲୁ’’ କହି, ସେହି ନବାଗତା କିଶୋରୀର ହାତ ଧରି ପାଖରେ ବସାଇ ଦେଲେ । କିଶୋରୀ ବସୁ ବସୁ କହିଲା–‘‘ତମେ କେତେବେଳେ ଯିବ ?’’

 

‘‘କେଉଁଠାକୁ ? କଲିକତା ? କାଲି ସକାଳେ ଯିବି । କାହିଁକି ?

‘‘ନା, ପଚାରୁଥିଲି .....’’

 

କିଶୋରୀର ପ୍ରସନ୍ନ ବଦନମଣ୍ଡଳରେ ବିଷାଦର ଛାୟା ପଡ଼ିଗଲା; ଉନ୍ନତ ମସ୍ତକ ତାର ଅବନତ ହୋଇ ପଡ଼ିଲା । ନିଜର ଆଣ୍ଠୁ ଉପରେ ଦୃଷ୍ଟି ରଖି ସେ ନିଷ୍ପନ୍ଦ ଭାବରେ ବସି ରହିଲା–ଦୁଃଖରେ, କ୍ଷୋଭରେ, ଅଭିମାନରେ । ଯୁବକ ଆଉ ଥରେ ପଚାରିଲେ, ‘‘ଏ କଣ ? ଚୁପ ହୋଇ ରହିଲୁ ଯେ ! ତୋର କଣ କହିବାର ଅଛି, କହୁନୁ ?’’

 

କିଶୋରୀର କାନରେ ଲେଶମାତ୍ର ସେ କଥା ପ୍ରବେଶ କଲା ନାହିଁ । ତାର ମନକର୍ଣ୍ଣ ଯାଇ ଅନ୍ୟ ଆଡ଼େ, ସେ ଭାବୁଛି ନବ ଭାଇଙ୍କ କଥା–ନବ ଭାଇଙ୍କର ତା ପ୍ରତି ନିଷ୍ଠୁର ବ୍ୟବହାର ବିଷୟ । ଭାବୁଛି ‘‘ଆଜି ନବ ଭାଇଙ୍କର ଏପରି ପରିବର୍ତ୍ତିନ କାହିଁକି ? ପିଲାଦିନର ଧୂଳିଖେଳ ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଦୁଇଜଣ ଏକ ଭାବରେ ବଢ଼ି ଆସିଛୁଁ–ତାଙ୍କର ମନ କଥା ତ ମୁଁ ଭଲ ଭାବରେ ଜାଣେ । ସେ କେତେବେଳେ ହେଲେ କୌଣସି କଥା ମୋତେ ନ ପଚାରି କରନ୍ତି ନାହିଁ କିମ୍ବା କୌଣସି କଥା ମୋତେ ଲୁଚାନ୍ତି ନାହିଁ । କିନ୍ତୁ ଆଜିର କଥା, ଆଜିର ବ୍ୟବହାର ସମ୍ପୂର୍ଣ୍ଣ ନୂତନ ପରି ଜଣାଯାଉଛି । କଲିକତା ଯିବେ କାଲି ଅଥଚ ଏ ପର୍ଯ୍ୟନ୍ତ ସେ ବିଷୟରେ ମୋତେ ପଦେ ହେଲେ କହି ନାହାନ୍ତି । ହଁ, ଖରାବେଳେ ଆମ ଘରକୁ ଯାଇଥିଲେ–ବୋଉ ସାଙ୍ଗରେ କଥାବାର୍ତ୍ତା ହେଲେ । ମୋତେ ତ କିଛି କହିଲେ ନାହିଁ । ମୁଁ ଯେତେବେଳେ ପଚାରିଲି, ‘କଣ ସତରେ ଯିବ ?’ ‘ମିଛରେ ଯିବି’ କହି ଥଟ୍ଟା କଲେ । ଏହାର ଅର୍ଥ କଣ ?’’ ଏହି ସବୁ କଥା ଭାବି ଭାବି ତା ମନରେ ଦୁଃଖ ଯେତିକି ହେଉଛି, ନବକିଶୋର ଉପରେ ରାଗ ମଧ୍ୟ ସେତିକି ହେଉଛି । କିନ୍ତୁ ସେ ସବୁକୁ ମନରେ ମାରି, ସେ ଭାବୁଛି, କିପରି ନବଭାଇଙ୍କୁ ଅଟକାଇ ଦେବ ।’’

 

ନବକିଶୋର ତାଙ୍କ ପ୍ରଶ୍ନର ଉତ୍ତର ନ ପାଇ ଅଧୀର ହୋଇ ଉଠିଲେ । ପୂର୍ବାପେକ୍ଷା ବଡ଼ଗଳାରେ ଡାକିଲେ, ‘‘ଲଳିତା । ତୋତେ କଣ ଶୁଭୁ ନାହିଁ ? ମୋ କଥାର ଉତ୍ତର ଦେଉ ନାହୁଁ–ଚୁପ ରହିଲୁ ଯେ ?’’

 

ଲଳିତା ଶୁଣି ପାରିଲା । କହିଲା–‘‘ବଡ଼ ବୋଉଙ୍କୁ ପରା ଜର ହୋଇଛି–କେମିତି ଯିବ-?’’

 

‘‘ମୁଁ ନ ଗଲେ କଣ ଜର ଛାଡ଼ିଯିବ ?’’

ଲଳିତା ଆଉ ଉତ୍ତର କଲା ନାହିଁ । ସେ ଅଭିମାନରେ ମୁହଁ ବୁଲାଇ ବସିଲା ।

 

ନବକିଶୋର କଲିକତା ଚାଲିଗଲେ ଲଳିତାର ଦିନ ଅସର ହୋଇ ପଡ଼ିବ; ମନ ଖୋଲି କାହା ସହିତ ଦୁଇପଦ କଥା କହିବାକୁ ପାଇବ ନାହିଁ । ଏକୁଟିଆରେ ଘର କଣଟାରେ ପଡ଼ି ରହିବ ସିନା । ପଢ଼ିବାଦ୍ୱାରା ସେ ବର୍ତ୍ତମାନ ଯେଉଁ ଅସୀମ ଆନନ୍ଦ ଉପଭୋଗ କରୁଛି, ସେ ସୁଯୋଗ ଆଉ ମିଳିବ ନାହିଁ । ତାକୁ ପଢ଼ା ଦେବ କିଏ ? ପରୀକ୍ଷା ନେବ କିଏ ? ନିତି ନୂତନ ବହିମାନ ପାଇବ କେଉଁଠୁ ? ନବକିଶୋର ଯଦି କୌଣସି କ୍ରମେ କଲିକତା ନ ଯାଇ ଗ୍ରାମରେ ରହିଯାନ୍ତି, ତାହା ହେଲେ ତାକୁ ଆଉ କିଛି ଅସୁବିଧା ଭୋଗ କରିବାକୁ ହେବ ନାହିଁ । ତେବେ କି ଉପାୟରେ ସେ ତାଙ୍କୁ କଲିକତା ଯିବାରୁ ବଞ୍ଚିତ କରାଇବ ? ଖରାବେଳେ ନବକିଶୋର ଅପାଙ୍କ ଡ଼ାକରେ ଚାଲିଆସିବା ପରଠାରୁ ମନେ ମନେ ସେ ଉପାୟ ଖୋଜି ବୁଲୁଛି । ବହୁତ ଭାବି ଭାବି ଶରଧା ଦେଈଙ୍କୁ ଜର ହୋଇଥିବା କଥା ତାର ମନରେ ପଡ଼ିଲା । ସ୍ଥିର କଲା, ଏହି କଥାଟି ତାଙ୍କର ମନେ ପକାଇ ଦେଲେ ସେ ନିଶ୍ଚୟ ରହିଯିବେ । ବୋଉଙ୍କୁ ଏପରି ରୁଗ୍‌ଣ ଅବସ୍ଥାରେ ଛାଡ଼ିଦେଇ ସତେ କଣ ସେ ଚାଲିଯିବେ ? ନା, ଅନ୍ୟ କାହା ପକ୍ଷେ ସମ୍ଭବ ହୋଇପାରେ ସେ କଥା । ଉପଯୁକ୍ତ ସମୟରେ ଲଳିତା ତାର ବ୍ରହ୍ମାସ୍ତ୍ର ପ୍ରୟୋଗ କଲା; ମାତ୍ର ବିଫଳ ହେବାର ଦେଖି ତାର ସବୁ ଆଶା–ଆକାଙ୍‌କ୍ଷା କେଉଁଆଡ଼େ ଉଭେଇ ଗଲା । ଏପରି ଅବାଧ୍ୟ ନବଭାଇଙ୍କୁ ଚାହିଁବାକୁ ତାର ଆଉ ମନ ବଳିଲା ନାହିଁ ।

 

ନବକିଶୋର ଲଳିତାର ମନୋଭାବ ବୁଝି ପାରିଲେ; ବିଦ୍ୟାର ମୂଲ୍ୟ ଓ ବିଦେଶ ଯିବାର ଉପକାରିତା ବିଷୟରେ ବହୁତ ବୁଝାଇଲେ । ତାହାର ସାରମର୍ମ ଏହି ଯେ, ବିଦ୍ୟାଠାରୁ ଶ୍ରେଷ୍ଠ ଧନ ଜଗତରେ ଆଉ କିଛି ନାହିଁ । ସେହି ଅମୂଲ୍ୟ ଧନ ଉପାର୍ଜନ ଲାଗି ଯାହା କରିବାକୁ ପଡ଼େ ଓ ସହିବାକୁ ହୁଏ, ସେଥିପାଇଁ ଦୁଃଖିତ ହେବା ନିତାନ୍ତ ଅନୁଚିତ । ଅର୍ଥାତ୍, ବିଦ୍ୟାଶିକ୍ଷା ଲାଗି ତାଙ୍କର କଲିକତା ଯିବା ପ୍ରଧାନ ଓ ଶ୍ରେଷ୍ଠ କର୍ତ୍ତବ୍ୟ; ତେଣୁ ସେ ଯିବାକୁ ବାଧ୍ୟ ।

 

ଲଳିତା ଏ ସବୁ କଥାର ଆଉ କିଛି ପ୍ରତିବାଦ ନ କରି ନବକିଶୋରଙ୍କ ମୁହଁକୁ କେବଳ ଚାହିଁ ରହିଲା । ନବକିଶୋର ଲଳିତା ଆଡ଼କୁ ଟିକିଏ ଦୃଷ୍ଟିପାତ କରିଥିଲେ ତା ହୃଦୟର ସବୁକଥା ବୁଝି ପାରିଥାନ୍ତେ । କିନ୍ତୁ ସେ ତତ୍‌ପ୍ରତି ଲକ୍ଷ୍ୟ କରି ନାହାନ୍ତି । ଅନ୍ୟମନସ୍କ ଭାବରେ କଣ ଭାବୁ ଭାବୁ କେତେ କ୍ଷଣପରେ ଡାକିଲେ–‘‘ଲଳିତା !’’ ଲଳିତା ସ୍ଥିର, ନିରୁତ୍ତର । ନବକିଶୋର ମୁଖ ଫେରାଇଲେ । ଦେଖିଲେ, ଲଳିତାର ସେହି ଚିରପରିଚିତ ମଧ୍ୟାହ୍ନକାଳୀନ ପଦ୍ମ ସଦୃଶ ମୁଖମଣ୍ଡଳଟି ସାୟଂକାଳୀନ ସୂର୍ଯ୍ୟମୁଖୀ ପରି ମ୍ଳାନ ବିବର୍ଣ୍ଣ ଦିଶୁଛି । ସେ ଅତ୍ୟନ୍ତ ଆଦର ସହକାରେ ତାକୁ କ୍ରୋଡ଼କୁ ଟାଣି ନେଇ, ସ୍ନେହବୋଳା କଣ୍ଠରେ କହିଲେ–‘‘ଶୁଣୁ ନାହୁଁ କାହିଁକି ଲଳିତା ? କଣ କହିବାର ଅଛି ତ କହ !’’

 

ଲଳିତା ଫୁଲି ଫୁଲି କାନ୍ଦିବାକୁ ଲାଗିଲା । ନବକିଶୋର ନିଜ ଲୁଗାରେ ତାର ଲୋତକ ପୋଛିଦେଇ ଶାନ୍ତ କରିବାକୁ ଚେଷ୍ଟା କଲେ । କ୍ଷଣକପରେ ବାଷ୍ପ–ବିଜଡ଼ିତ କାତର କଣ୍ଠରେ ସେ ପଚାରିଲା–‘‘ତମକୁ ମୋ ରାଣ–ସତ କହ, କଲିକତା ଯିବ ?’’ ନବକିଶୋର ମାତାଙ୍କ କରୁଣ କ୍ରନ୍ଦନରେ ବିଚଳିତ ହୋଇ ପଦାକୁ ବାହାରି ଆସିଥିଲେ ଟିକିଏ ମନ ପରିବର୍ତ୍ତନ କରିବେ ବୋଲି–ଏଠାରେ ମଧ୍ୟ ସେହି ଦଶା । କଣ କରିବେ, କଣ କହିବେ, କିଛି ସ୍ଥିର କରି ପାରିଲେ ନାହିଁ । ସେ ମଧ୍ୟ ନୀରବରେ କାନ୍ଦିବାକୁ ଲାଗିଲେ । ସେହିପରି କେତେ ସମୟ ଅତିବାହିତ ହୋଇଗଲା । ନବକିଶୋର କହିଲେ, ‘‘ଲଳିତା ! ମୁଁ କଲିକତା ଯିବି–ତୋର ଆପତ୍ତି କାହିଁକି ? କାନ୍ଦୁଛୁ କାହିଁକି ? ଛି !’’ ‘‘କି ଜାଣି । ମୋତେ କାହିଁକି ଖାଲି କାନ୍ଦ ମାଡ଼ୁଛି । ତମେ...।’’ କଥା ଶେଷ ହେବା ପୂର୍ବରୁ ନବକିଶୋର କହିଲେ–‘‘ଛି, କଣ ହେଲା ଯେ, ପିଲାଙ୍କ ପରି କାନ୍ଦୁଛୁ !’’

 

‘‘ତମେ ଏଡ଼େ ନିଷ୍ଠୁର ନବଭାଇ ! ମୁଁ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲି, ତମେ–’’

 

ନବକିଶୋର ବାଧା ଦେଇ କହିଲେ–‘‘ଲଳିତା ! ମୁଁ ବୁଝି ପାରୁଛି, ତୋ ମନରେ କେତେ ଦୂର କଷ୍ଟ ହେଉଛି । ମୁଁ ନିଷ୍ଠୁର–ପ୍ରକୃତରେ ମୁଁ ନିଷ୍ଠୁର–ମୋ ଠାରୁ ବଳି ନିଷ୍ଠୁର ବୋଧହୁଏ ଜଗତରେ କେହି ନାହିଁ; କିନ୍ତୁ ତୁ ବୁଝି ପାରିଛୁ କି ଯେଉଁ ନିଷ୍ଠୁରତା ଆଚରଣ ଯୋଗୁଁ ତୋ ପ୍ରାଣରେ ଗୁରୁ ଆଘାତ କରିଛି, ତାହାଠାରୁ ବଳି ଆଘାତ ମୁଁ ନିଜେ ଅନୁଭବ କରୁଛି ? ତୋର ସ୍ନେହ–ବନ୍ଧନ ଛିନ୍ନ କରି କୌଣସି ଦୂରଦେଶକୁ ଚାଲିଯିବି, ସେପରି ଶକ୍ତି ମୋ ହୃଦୟରେ, କି ମୋ ଶରୀରରେ ନାହିଁ । ତଥାପି କର୍ତ୍ତବ୍ୟ–ପ୍ରତ୍ୟେକ ମନୁଷ୍ୟର କିଛି ନା କିଛି ଗୋଟାଏ କର୍ତ୍ତବ୍ୟ ଅଛି । ସେ କର୍ତ୍ତବ୍ୟ ପୁଣି ଏଡ଼େ ନିଷ୍ଠୁର ଯେ, ଯେଉଁ ବ୍ୟକ୍ତି ତାହା ପାଳନ କରିବାକୁ ଯାଏ, ତାର ହୃଦୟ ପାଷାଣଠାରୁ, ବଜ୍ରଠାରୁ ନିଷ୍ଠୁର–ନିର୍ମମ ହୋଇଯାଏ । କର୍ତ୍ତବ୍ୟ ନିକଟରେ ମାୟା, ମମତା, ସ୍ନେହ, ସୌହାର୍ଦ୍ଦ, ପ୍ରେମ–ପ୍ରଣୟ କିଛି ନାହିଁ । ସେ ନିର୍ମମ କର୍ତ୍ତବ୍ୟ ନିକଟରେ ସବୁ ସମାନ । କର୍ତ୍ତବ୍ୟ ପାଳନ କରିବାକୁ ଯାଇ କର୍ଣ୍ଣରାଜା ନିଜ ପୁତ୍ରର ମସ୍ତକ ଛେଦନ କରିବାକୁ ତିଳେ ମାତ୍ର ଦ୍ୱିଧା କରି ନଥିଲେ ପରା ? ସେହି କର୍ତ୍ତବ୍ୟ ପାଳନ କରି ରାମଚନ୍ଦ୍ର ସମସ୍ତ ରାଜୈଶ୍ୱର୍ଯ୍ୟ ତ୍ୟାଗ କରି ବନଗାମୀ ହୋଇଥିଲେ–ପର୍ଶୁରାମ ନିଜ ମାତାର ମସ୍ତକ ପର୍ଯ୍ୟନ୍ତ ଛେଦନ କରିବାକୁ କୁଣ୍ଠିତ ହୋଇ ନଥିଲେ । ଯେତେବେଳେ ଦେଖିଲି, ବିଦ୍ୟାର୍ଜ୍ଜନ ଲାଗି କଲିକତା ଯିବା ମୋର ପ୍ରଧାନ କର୍ତ୍ତବ୍ୟ, ସମସ୍ତ ମାୟାମମତା ତ୍ୟାଗ କରି ଆଗ ସେହି କର୍ତ୍ତବ୍ୟ ସାଧନ କରିବାକୁ ହେବ, ସେତେବେଳେ ମୁଁ ପ୍ରାଣରେ କି ଗୁରୁ ଆଘାତ ଅନୁଭବ କଲି, କଥାରେ ତାହା କଣ କହିବି ଲଳିତା ! ହୃଦୟ ମୋର ପୋଡ଼ି ଜଳି ଯିବାକୁ ଲାଗିଲା; କିନ୍ତୁ ଆଶ୍ଚର୍ଯ୍ୟର ବିଷୟ, ସେ ବିଷୟରେ ଯେତିକି ଚିନ୍ତା କରିବାକୁ ଲାଗିଲି, ହୃଦୟ ମୋର ସେତିକି ନିଷ୍ଠୁର ହେବାକୁ ଲାଗିଲା । ଭାବିଲି, କର୍ତ୍ତବ୍ୟ ସାଧନ ପାଇଁ ନିଶ୍ଚୟ ମୋତେ ସମସ୍ତ ମାୟାମମତା ଛିନ୍ନ କରିବାକୁ ହେବ । ମନରେ ଆଉ ଦୁଃଖ ଆସିଲା ନାହିଁ । ତୋର ଆକର୍ଷଣୀ ରଜ୍ଜୁଟି କେଉଁଆଡ଼େ ଛିନ୍ନଭିନ୍ନ ହୋଇଗଲା । ତୋତେ କିଛି ନ କହି ଚାଲିଯିବାର ସଙ୍କଳ୍ପ କଲି । ସେହିପରି କାର୍ଯ୍ୟ ମଧ୍ୟ କରିଛି । କିନ୍ତୁ ବର୍ତ୍ତମାନ ମୋର ମନ ଭିତରେ କଣ ହେଉଛି, ତୋତେ କିପରି ବୁଝାଇବି ସେ କଥା ? ଯଦି ତୋର ସେପରି ଶକ୍ତି ଥାଆନ୍ତା, ଅକ୍ଳେଶରେ ତୁ ଦେଖି ପାରନ୍ତୁ–ମୋର ହୃଦୟ ଭିତରେ ବର୍ତ୍ତମାନ ଆଗ୍ନେୟଗିରିର ପ୍ରାଣଧ୍ୱଂସୀ ଅଗ୍ନି ଉଦ୍ଗିରଣ ହେଉଛି; ଆଉ ସେହି ଅଗ୍ନିତାପରେ ଛଟପଟ ହେଉଛି ଆତ୍ମା ମୋର । ବର୍ତ୍ତମାନ ମୁଁ ପ୍ରାଣେ ପ୍ରାଣେ ଅନୁଭବ କରୁଛି ତୋର ଅଭାବ–ଆଉ ତୋତେ ଯେଉଁ ଆଘାତ କରିଛି, ସେଥିପାଇଁ ମର୍ମାନ୍ତକ ଯାତନା ଅନୁଭବ କରୁଛି । ଏହି ପୂର୍ବ ମୁହୂର୍ତ୍ତରେ ମୁଁ ଏଠାରେ ବସି କଣ ଚିନ୍ତା କରୁଥିଲି, ତୁ ଜାଣି ପାରିଛୁ କି ଲଳିତା ?’’

 

ଲଳିତା କାନ୍ଦି କାନ୍ଦି କହିଲା–‘‘ତମେ ଯାଅ–ମୁଁ ମନାକରୁ ନାହିଁ; ଆଉ ପୁଣି କେବେ ଆସିବ ?’’

‘‘ଦଶହରାକୁ ସ୍କୁଲ ଛୁଟି ହେବ–ଆସିବି । ଆଉ ତ ଚାରିମାସ ମଝିରେ ।’’

‘‘ଯଦି ନ ଆସ ?’’

‘‘ନିଶ୍ଚୟ ଆସିବି । ତୋ ପାଇଁ ଗୋଟିଏ–’’

 

‘‘ନବ !’’ ଶବ୍ଦ ଆସୁଥିବା ଦିଗକୁ ନବକିଶୋର କାନ ଦେଲେ । ଆଉ ଥରେ ଶୁଭିଲା ‘‘ନବ !’’ ନବକିଶୋର କହିଲେ ‘‘କଣ ଅପା ।’’

 

‘‘ବାପା ବିରକ୍ତ ହେଉଚନ୍ତି ପରା ? ମୁଁ କେତେଆଡ଼େ ଖୋଜି ଆସିଲିଣି, ଚଞ୍ଚଳ ଆ ।’’

‘ଯାଉଛି’ କହି ନବକିଶୋର ଦ୍ରୁତ ପ୍ରସ୍ଥାନ କଲେ ।

 

କଟକ ଜିଲ୍ଲା ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ନିକଟସ୍ଥ ଏକ ଗ୍ରାମରେ ରଙ୍ଗାଧର ମହାନ୍ତିଙ୍କର ନିବାସ । ତାଙ୍କର ପରିବାର ମଧ୍ୟରେ ସେ–ତାଙ୍କର ସ୍ତ୍ରୀ ରାଧିକା ଦେଈ ଏବଂ ଦୁଇଟି କନ୍ୟା–ଲଳିତା ଓ ଚମ୍ପୀ । ରଙ୍ଗାଧରଙ୍କର ଘରକୁ ଦୁଇ ଚାରି ଖଞ୍ଜା ଛାଡ଼ି କୈଳାସଚନ୍ଦ୍ର ପଟ୍ଟନାୟକଙ୍କର ଘର । ନବକିଶୋର ତାଙ୍କର ଏକମାତ୍ର ପୁତ୍ର । ତିନିଗୋଟି କନ୍ୟା ମଧ୍ୟରୁ ଗୋଟିଏ ବିଧବା ସର–ଆଉ ଦୁଇଟି ମୃତା ।

 

ନବକିଶୋର ଆଉ ଲଳିତା ଉଭୟଙ୍କର ପିଲାଦିନରୁ ବେଶ ମନ ମିଳେ । ପରସ୍ପର ପରସ୍ପରକୁ ଭାଇ ଭଉଣୀ ପରି ସ୍ନେହ କରନ୍ତି । ରୂପ ସୌନ୍ଦର୍ଯ୍ୟରେ ଉଭୟେ ଉଭୟଙ୍କର ସମତୁଲ । ସାହିର ଅନ୍ୟାନ୍ୟ ପିଲାମାନଙ୍କ ସହିତ ସେ ଦୁଇଜଣ ମିଶନ୍ତି ନାହିଁ । ତାଙ୍କର ଅଲଗା ଖେଳିବା, ଅଲଗା ବୁଲିବା, ଅଲଗା ବସିବା–ଯାହା କରନ୍ତି ସେ ଦୁଇ ଜଣ–ଆଉ କାହାରି ସାଙ୍ଗସାଥୀ ଲୋଡ଼ନ୍ତି ନାହିଁ । ପିଲାଦିନରୁ ସେ ଦୁହିଁଙ୍କର ଏପରି ଘନିଷ୍ଠତା ଦେଖି, ଗାଁର ପ୍ରାୟ ଅଧିକାଂଶ ଲୋକ ତାଙ୍କୁ ‘ବଗଲା–ବଗଲୀ’ ନାମରେ ଅଭିହିତ କରିଥିଲେ ।

 

ସେ ଦୁଇଜଣ ଏକ ସମୟରେ ଗାଁ ଚାହାଳୀରେ ପାଠ ଆରମ୍ଭ କଲେ; ଶେଷ କଲେ ମଧ୍ୟ ଏକ ସଙ୍ଗରେ । ପ୍ରାଇମେରୀ ଶିକ୍ଷା ଶେଷ କରି ନବକିଶୋର ପଟ୍ଟାମୁଣ୍ଡାଇ ମଧ୍ୟ–ଇଂରାଜୀ ବିଦ୍ୟାଳୟରେ ନାମ ଲେଖାଇଲେ । ଲଳିତା କିନ୍ତୁ ପିତାମାତାଙ୍କର ଅନିଚ୍ଛା ହେତୁ ସେତିକିରେ ବିଦ୍ୟାଶିକ୍ଷା ସାଙ୍ଗ କରିବାକୁ ବାଧ୍ୟ ହେଲା । ହେଲେ, ରହି ପାରୁଛି କେଉଁଠି ? ପିଲାଦିନରୁ ତାର ବିଦ୍ୟାପ୍ରତି ଯଥେଷ୍ଟ ଅନୁରାଗ । ବିଶେଷତଃ ନବଭାଇଙ୍କର ସଙ୍ଗ ପରିତ୍ୟାଗ କରି ରହିପାରିବା ଅତି ଅସମ୍ଭବ ତା ପକ୍ଷରେ । ପାଠ ନ ପଢ଼ିବ ବରଂ ସେ ସ୍ପୃହା ଯିବ, ନବକିଶୋରଙ୍କ ସଙ୍ଗ ସେ କୌଣସିମତେ ଛାଡ଼ି ପାରିବ ନାହିଁ । କଣ କରିବ ? ସେ ବିଚାରୀ ବିଷମ ସଙ୍କଟରେ ପଡ଼ିଲା । ଏକ ପାଖରେ ନବଭାଇଙ୍କର ସ୍ନେହସହାନୁଭୂତି ଓ ସୌହାର୍ଦ୍ଦ–ଅନ୍ୟ ପାଖରେ ବାପାବୋଉଙ୍କର ନିଷେଧ ଆଜ୍ଞା । ଦୁହିଁଙ୍କୁ ଦୁଇ ପାଖରେ ରଖି ମନେ ମନେ ସେ ତୁଳିଲା । ଦେଖିଲା, ନବଭାଇଙ୍କର ସ୍ନେହ, ସହାନୁଭୂତି ଓ ସୌହାର୍ଦ୍ଦର ଓଜନ ବେଶୀ । ସ୍ଥିର କଲା, ପଟ୍ଟାମୁଣ୍ଡାଇରେ ପଢ଼ିବାକୁ ଯିବ ନିଶ୍ଚୟ ଯିବ । କିନ୍ତୁ କିପରି ? କି ଉପାୟ ଅବଲମ୍ବନ କଲେ ପିତାମାତା ଅନୁମତି ଦେବେ ? ରାଧିକା ଦେଈଙ୍କ ନିକଟରେ ସେ ବାରମ୍ବାର ଅଳି କରିବାକୁ ଲାଗିଲା–କେତେ କାକୁତି ମିନତି କଲା; କିନ୍ତୁ ରାଧିକା ଦେଈ କାହିଁରେ ଭୁଲିଲେ ନାହିଁ । ସେ ସେହି ଗୋଟାଏ କଥା ଧରି ବସିଲେ–‘‘ନା, ଆମର ଆଉ ପାଠ ପଢ଼ିବାର ଦରକାର ନାହିଁ ।’’

 

ନବକିଶୋରଙ୍କ ବିଚ୍ଛେଦ ଲଳିତା ପ୍ରାଣରେ ବଡ଼ ଆଘାତ କଲା । ତାର ପୂର୍ବ ପରି କୌଣସି କର୍ମରେ ଉତ୍ସାହ, ସ୍ଫୁର୍ତ୍ତି, କି ସ୍ପୃହା ରହିଲା ନାହିଁ; ଏପରି କି, ଖାଇବା ପିଇବାରେ ମଧ୍ୟ ନିରୁତ୍ସାହ ହୋଇ ପଡ଼ିଲା । ରଙ୍ଗାଧର ଓ ରାଧିକା ଦେଈ କନ୍ୟାର ଏପରି ଆକସ୍ମିକ ପରିବର୍ତ୍ତନର କାରଣ ବୁଝି ପାରିଲେ । ଲଳିତା ପିତାମାତାଙ୍କର ବଡ଼ ଆଦରର ଧନ; ଉଭୟେ ତାକୁ ନିଜର ପ୍ରାଣଠାରୁ ବଳି ଭଲ ପାଆନ୍ତି । ତାର ଏପରି ଦୁଃଖ ଦେଖି ଜନକ ଜନନୀ ବଡ଼ ବିଚଳିତ ହୋଇପଡ଼ିଲେ । ରଙ୍ଗାଧର ଆଉ ଲବମାତ୍ର ବିଳମ୍ବ ନ କରି ଲଳିତାର ଇଚ୍ଛାମତେ ସ୍କୁଲରେ ଛାଡ଼ି ଆସିଲେ ।

 

ଇଂରେଜୀ ପାଠ ଆରମ୍ଭ କଲା ସେ ଅଞ୍ଚଳରେ ଲଳିତା ପ୍ରଥମ । କରଣ କୁଳକୁ ଏଟା ନିହାତି ଅସୁନ୍ଦର କଥା । ସମାଜର ରକ୍ଷଣଶୀଳ ବୃଦ୍ଧମାନେ ରଙ୍ଗାଧରଙ୍କୁ ଭ୍ରୁକୁଟି କରିବାକୁ ଲାଗିଲେ-। ରମଣୀମାନଙ୍କ ମହଲରେ ସମାଲୋଚନା ସମିତି ବସିଗଲା । ବହୁଦିନ ଅନଶନ ପରେ ଗୋଟାଏ ସୁଯୋଗ୍ୟ ଆହାର ଜୁଟିଛି–ସେ ଲୋଭ ସମ୍ବରଣ କରୁଛି କିଏ ? ସମାଲୋଚନା ଆରମ୍ଭ ହେଲା । କିଏ କହିଲା–‘‘ଦିନକୁ ଦିନ ତ ଘୋର କଳିକାଳ ହେଲା, କିଏ କଣ କରିବ ? ମାଇକିନିଆ ଝିଅ କେଉଁ କାଳରେ ଇଙ୍ଗିରିଜି ପାଠ ପଢ଼ୁଥିଲେ ? ଯାହା କାନ ଶୁଣି ନଥିଲା, ତାହା ତ ଆଜି ଆଖି ଦେଖିଲା । ମାନ–ଇଜ୍ଜତକୁ ଟିକିଏ ହେଲେ ଭୟ ଅଛି ?’’ କିଏ କହିଲା–‘‘ମାନ–ଇଜ୍ଜତ୍ କହୁଚୁ କଣ ମ ? କରଣକୁଳର ଢ଼ମ, ଭିତର କଥାଟି କେହି ନ ଜାଣଇ ଉପରଟି କୋଟି କମ । ଆଜିକାଲି କାଳରେ ମାନ–ଇଜ୍ଜତ, ଚକ୍ଷୁଲଜ୍ଜା କିଛି ନାହିଁ ପରା ? ଯେ ଯେତିକି ବେହିଆରେ ମାରି ପାରିଲା, ତାରି ସେତିକି ଗୁଣ ବିକେଇଲା ।’’ କିଏ କହିଲା–‘‘ମୁଖିଆ ଲୋକମାନେ ତ ଟିକିଏ ଲଜ୍ଜା ସରମକୁ ଖାତିର କରୁ ନାହାନ୍ତି !’’

 

ବାସ୍ତବରେ ଏଡ଼େ ବଡ଼ ଲଜ୍ଜାଜନକ କଥାଟାକୁ ରଙ୍ଗାଧର ଆଦୌ ଖାତିରି କଲେ ନାହିଁ । ରାଧିକା ଦେଈ କିନ୍ତୁ ଟିକିଏ ବିଚଳିତ ହୋଇ ପଡ଼ିଲେ । ନାରୀ ହୃଦୟ ତ ପୁରୁଷ ହୃଦୟ ପରି ବଜ୍ରରେ ଗଢ଼ା ନୁହେଁ । ସାଇ ପଡ଼ିଶାଙ୍କ ଭ୍ରୁକୁଟି ଓ ଗଞ୍ଜଣାରେ ତାଙ୍କର କୋମଳହୃଦୟ ବିଦୀର୍ଣ୍ଣ ହେବାର ଉପକ୍ରମ ହେଲା । ସେ କନ୍ୟାକୁ ନ ପଢ଼ାଇବା ଲାଗି ସ୍ୱାମୀଙ୍କୁ ବାରମ୍ବାର ଅନୁରୋଧ କଲେ । ରଙ୍ଗାଧର ଯେତେ ବୁଝାଇଲେ ସୁଦ୍ଧା ଆଦୌ ବୁଝିଲେ ନାହିଁ । ଶେଷରେ ରଙ୍ଗାଧର ପରାସ୍ତ ହୋଇ ସ୍କୁଲରୁ ଲଳିତାର ନାମ କାଟି ଦେବାପାଇଁ ହେଡ଼ମାଷ୍ଟ୍ରଙ୍କୁ ଅନୁରୋଧ କଲେ ।

 

ହେଡ଼ମାଷ୍ଟର ବିଚରା ବଡ଼ ଭଦ୍ରଲୋକ । ସେ ରଙ୍ଗାଧରଙ୍କ ଠାରୁ ସମସ୍ତ ବିଷୟ ଅମୂଳ ଶ୍ରବଣ କରି ଗ୍ରାମର ଲୋକମାନଙ୍କ ଉପରେ ବଡ଼ ଉତ୍ତ୍ୟକ୍ତ ହୋଇ ଉଠିଲେ ଏବଂ ରଙ୍ଗାଧରଙ୍କୁ ଅଭୟ ଦେଇ ଆଉ କିଛି ଦିନ ଅପେକ୍ଷା କରିବାକୁ କହିଲେ । ତାପରେ ଦିନେ ହାଟରେ ସେ ଏକ ବିରାଟ ସଭା କରି ସ୍ତ୍ରୀଶିକ୍ଷା ବିଷୟରେ ଗୋଟାଏ ସୁଦୀର୍ଘ ବକ୍ତୃତା ଦେଲେ । ଶେଷରେ ଲଳିତାର ଉଦାହରଣ ଦେଇ ଅନ୍ୟାନ୍ୟ ବାଳିକାମାନଙ୍କୁ ଶିକ୍ଷା ଦେବାଲାଗି ଜନସାଧାରଣଙ୍କୁ ଅନୁରୋଧ କଲେ-। ସେହିଦିନଠାରୁ ଗ୍ରାମରେ ଆଉ ବିଶେଷ ବାଦପ୍ରତିବାଦ ହେଲା ନାହିଁ । ରାଧିକା ଦେଈ ଟିକିଏ ଆଶ୍ୱସ୍ତା ହେଲେ । ନବକିଶୋର ମଧ୍ୟ ନାନା ଉଦାହରଣ ଦେଇ ତାଙ୍କୁ ସ୍ତ୍ରୀଶିକ୍ଷାର ଉପକାରିତା ବୁଝାଇ ଦେଲେ । ସେହି ଦିବସାବଧି ନବକିଶୋର ରାଧିକା ଦେଈଙ୍କର ପୁତ୍ର ସ୍ଥାନ ଅଧିକାର କରି ତାଙ୍କଠାରୁ ଅତ୍ୟଧିକ ଆଦର ଓ ସ୍ନେହ ପାଇବାକୁ ଲାଗିଲେ ।

 

ଲଳିତା ମଧ୍ୟ–ଇଂରାଜୀ ବିଦ୍ୟାଳୟରେ ପଢ଼ିବାର ତିନିବର୍ଷ ପରେ ରାଧିକା ଦେଈ ସାଂଘାତିକ ଜ୍ୱର ରୋଗରେ ଆକ୍ରାନ୍ତ ହୋଇପଡ଼ିଲେ । ତାଙ୍କର ପରିବାର ମଧ୍ୟରେ ଆଉ କେହି ସ୍ତ୍ରୀ ଲୋକ ନଥିବାରୁ ବୋଉଙ୍କର ସେବା ଶୁଶ୍ରୁଷା ଲାଗି ଲଳିତା ବାଧ୍ୟ ହୋଇ ଗୃହରେ ରହିଲା ।

 

ରାଧିକା ଦେଈ ଜ୍ୱରରେ ପଡ଼ି ସେହି ଯେ ବିଛଣା ଧରି ରହିଲେ, ଚାରିମାସ କାଳ ଆଉ ଉଠି ନାହାନ୍ତି । ଜ୍ୱର ପଛେ ପଛେ, ଅମାଶୟ, କାସ, ସର୍ଦ୍ଦି ପ୍ରଭୃତି ନାନା ଉପସର୍ଗ ବାହାରିଲା । ଚାରିମାସ ପରେ ରାଧିକା ଦେଈ ଯେତେବେଳେ ରୋଗଶଯ୍ୟାରୁ ଉଠିଲେ, ସେ ଲଳିତାକୁ ଆଉ ସ୍କୁଲକୁ ଛାଡ଼ିବାକୁ ରାଜି ହେଲେ ନାହିଁ । ବୋଉଙ୍କର ଏକେ ତ ଭଙ୍ଗା ଦେହ, ତା ଉପରେ ପୁଣି ମନରେ କଷ୍ଟ ଆସିବ ଭାବି ଲଳିତା ଆଉ ଜିଦ୍ କଲା ନାହିଁ । ସେତିକିରେ ତାର ସ୍କୁଲଶିକ୍ଷା ସାଙ୍ଗ ହେଲା । ସ୍କୁଲ ଶିକ୍ଷା ସାଙ୍ଗ ହେଲା ସତ; ବିଦ୍ୟାଶିକ୍ଷା ସାଙ୍ଗ ହେଲା ନାହିଁ, କି ନବଭାଇଙ୍କ ସାଙ୍ଗସୁଖ ସାଙ୍ଗ ହେଲା ନାହିଁ । ନବକିଶୋର ସ୍କୁଲ ଲାଇବ୍ରେରୀରୁ ନୂତନ ନୂତନ ବହିଆଣି ତାକୁ ପଢ଼ିବାକୁ ଦିଅନ୍ତି ଏବଂ ପ୍ରତ୍ୟହ ତା ସହିତ ବିଦ୍ୟାଚର୍ଚ୍ଚା ଓ ଅନ୍ୟାନ୍ୟ ବିଷୟରେ ବାକ୍ୟାଳାପ କରିବାକୁ ଭୁଲନ୍ତି ନାହିଁ ।

 

ନବକିଶୋର ଏମ୍; ଇ: ପାଶ୍ କରିବାର ଦୁଇ ତିନି ମାସ ହୋଇଗଲାଣି । ଏହି କେତେ ଦିନ ହେଲା ସେ ଦୁଇ ଜଣ ପୂର୍ବାପେକ୍ଷା ଆହୁରି ସୁଖରେ ଦିନ କାଟି ଆସୁଥିଲେ; ଆଜି ନବକିଶୋର ବାପାଙ୍କ ସହିତ କଲିକତା ଚାଲିଯିବେ ବୋଲି ଉଭୟଙ୍କ ହୃଦୟରେ ଦୁଃଖ–ପାରାବାର ଗର୍ଜି ଉଠୁଛି ।

 

କୈଳାସଚନ୍ଦ୍ର ପଟ୍ଟନାୟକ କଲିକତାରେ କୌଣସି ଏକ ମୁଦି ଦୋକାନରେ ପନ୍ଦର ଟଙ୍କା ବେତନରେ ଚାକିରୀ କରନ୍ତି । ତାଙ୍କର ଅବସ୍ଥା ସେପରି ସ୍ୱଚ୍ଛଳ ନୁହେଁ, କେନ୍ଦ୍ରାପଡ଼ାରେ ଉଚ୍ଚ ଇଂରାଜୀ ବିଦ୍ୟାଳୟ ଥିଲେ ସୁଦ୍ଧା ସେ ବାଧ୍ୟ ହୋଇ ନବକିଶୋରଙ୍କୁ କଲିକତା ନେଇ ଯାଉଛନ୍ତି, ସେଠାରେ ସେ ପୁତ୍ରର ସ୍କୁଲ ଦରମାଟା ‘ଫ୍ରି’ କରାଇବାର ଯଥେଷ୍ଟ ସୁବିଧା ପାଇବା ଆଶାରେ ।

Image

 

ଦ୍ୱିତୀୟ ପରିଚ୍ଛେଦ

 

ନବକିଶୋର କଲିକତାରେ ପହଞ୍ଚିବାର ଦୁଇ ଦିନ ପରେ ସ୍କୁଲରେ ନାମ ଲେଖାଇ ନିୟମିତ ରୂପେ ପଢ଼ାପଢ଼ି ଆରମ୍ଭ କରିଦେଲେ । ସ୍ଥାନଟା କିନ୍ତୁ ବଡ଼ ଅଡ଼ୁଆ ଅଡ଼ୁଆ ଲାଗିଲା । ସାଙ୍ଗସାଥୀ କେହି ନାହାନ୍ତି, ସମସ୍ତେ ଅପରିଚିତ; ଭାଷାଟା ପୁଣି ନୂତନ–ସେ ଏକ ଅସୁବିଧା । ସ୍କୁଲ ପାଠ୍ୟ ବ୍ୟତୀତ କାହାରି ସହିତ ଦୁଇ ପଦ ଖୁସିଗପ କରିବାର ସୁବିଧା ନାହିଁ । ଯାହା ହେଉ, ଦୁଇ ତିନି ମାସ ମଧ୍ୟରେ ନବକିଶୋର ବଙ୍ଗ ଭାଷାଟାକୁ ବେଶ୍ ଆୟତ୍ତ କରିନେଲେ । କ୍ରମେ ଦୁଇ ତିନି ଜଣ ବନ୍ଧୁ ମଧ୍ୟ ଜୁଟିଗଲେ । ବନ୍ଧୁମାନଙ୍କ ମଧ୍ୟରେ ଅତୁଲ ବାବୁ ତାଙ୍କର ଭାରି ପ୍ରିୟ ଓ ଅନ୍ତରଙ୍ଗ ବନ୍ଧୁ ।

 

ଅତୁଲ ବାବୁ ଜଣେ ଓକିଲଙ୍କର ଏକମାତ୍ର ପୁତ୍ର ସନ୍ତାନ । ନବକିଶୋରଙ୍କର ସହଧ୍ୟାୟୀ ସେ । ତାଙ୍କର ଘରଟା ପଟ୍ଟନାୟକଙ୍କର ଘରଠାରୁ ଅଳ୍ପ ଦୂରରେ । ନବକିଶୋର ଅଧିକାଂଶ ସମୟ ତାଙ୍କରି ଘରେ ପ୍ରାୟ କଟାନ୍ତି । ଦୁଇ ବନ୍ଧୁ ଏକ ସଙ୍ଗରେ ପଢ଼ାପଢ଼ି କରନ୍ତି । ସମୟେ ସମୟେ ଖାଇବାଟା ମଧ୍ୟ ଅତୁଲ ବାବୁଙ୍କ ଘରେ ହୋଇଯାଏ । ମନୋମତ ବନ୍ଧୁଟି ପାଇ ଅତୁଲ ବାବୁ ଭାରି ଆନନ୍ଦିତ । ଓଡ଼ିଆ ବଙ୍ଗାଳୀ ଭେଦ ନ ରଖି ନବକିଶୋରଙ୍କୁ ସେ ନିଜର ଭାଇ ପରି ଦେଖନ୍ତି ।

 

ସେଦିନ ଅତୁଲ ବାବୁଙ୍କୁ ଟିକେ ଜ୍ୱର ହୋଇଗଲା । ନବକିଶୋର ଅଖିଆ ଅପିଆ । ବନ୍ଧୁଙ୍କର ଦାସଦାସୀ ଥିଲେ ସୁଦ୍ଧା ନବକିଶୋର ନିଜେ ଅକୁଣ୍ଠିତ ଭାବରେ ତାଙ୍କର ସମସ୍ତ ପରିଚର୍ଯ୍ୟା କରିବାକୁ ଦ୍ୱିଧା କଲେ ନାହିଁ । ସେହି ଦିନଠାରୁ ଉଭୟଙ୍କର ବନ୍ଧୁତା ପ୍ରଗାଢ଼ତର ହୋଇଆସିଲା । ଅତୁଲ ବାବୁଙ୍କର ସେ ଦିନକ ଜ୍ୱର ଦେବବର ହୋଇ ଉଭୟଙ୍କୁ ଏକପ୍ରାଣ ଏକାତ୍ମା କରି ଦେଇଗଲା ।

 

ସୂର୍ଯ୍ୟଦେବ ସେତେବେଳକୁ ଧରଣୀବକ୍ଷରୁ ତାଙ୍କର ସ୍ୱର୍ଣ୍ଣମୟ ବିରଳାଲୋକ–ଆସ୍ତରଣଟି ଧୀରେ ଧୀରେ ଟାଣି ନେଉଥାନ୍ତି । ଶାନ୍ତି ଶୀତଳ ପବନ ପ୍ରାଣିପ୍ରାଣରେ ଆନନ୍ଦର ସୁଧାଧାରା ଢ଼ାଳି ଦେଉଥାଏ । ନବକିଶୋର ଓ ଅତୁଲବାବୁ ଦୁଇବନ୍ଧୁ ଯେତେବେଳେ ଗଙ୍ଗାତୀରରେ ବସି ସେହି ମଧୁ ସାୟଂ ସମୀରଣର ସୁଖସ୍ପର୍ଶରେ ବିଭୋର, ପଛଆଡ଼ୁ ଶୁଭିଲା ‘‘ଏକଟୁ ଶୁନେ ଯାଓ ଅତୁଲ୍‌ଦା ।’’

 

ଅତୁଲବାବୁ ଚାଲିଗଲେ ।

 

ନବକିଶୋର ଅର୍ଦ୍ଧଘଣ୍ଟା କାଳ ଚାହିଁ ଚାହିଁ ଅତୁଲବାବୁ ଆସିଲେ ନାହିଁ । ସେ ଉଠି ଠିଆହେଲେ–ଚତୁର୍ଦ୍ଦିଗ ଥରେ ଭଲକରି ନିରୀକ୍ଷଣ କଲେ ଯେଉଁ ପର୍ଯ୍ୟନ୍ତ ଦୃଷ୍ଟି ଯାଇପାରେ । କେଉଁ ସ୍ଥାନରେ ଅତୁଲବାବୁଙ୍କୁ ଦେଖିବାକୁ ପାଇଲେ ନାହିଁ, କି ତାଙ୍କର ସ୍ୱର ସୁଦ୍ଧା ଶୁଣାଗଲା ନାହିଁ । ପୁଣି ବସି ପଡ଼ିଲେ ।

 

ସନ୍ଧ୍ୟା ସମାଗମ ପ୍ରାୟ । ଗଙ୍ଗା ବକ୍ଷସ୍ଥିତ ପୋତମାଳାରେ ପୁଞ୍ଜୀକୃତ ବୈଦ୍ୟୁତିକ ଆଲୋକରାଜିର କ୍ରମବିକାଶ ହୋଇ ଉଠିଲା । ରାସ୍ତାମାନଙ୍କରେ ଗ୍ୟାସବତୀ ସବୁ ଲାଗିଗଲା । ନିକଟସ୍ଥ ରେଳଷ୍ଟେସନରେ ନାଲି ନେଳି ଆଲୋକମାଳାର ପ୍ରତିବିମ୍ବ ଗଙ୍ଗାର ପ୍ରଶସ୍ତ ବକ୍ଷରେ ପ୍ରତିଫଳିତ ହୋଇ, ଚନ୍ଦ୍ରଭାଗାରେ ସୂର୍ଯ୍ୟୋଦୟ ଶୋଭାର ସୂଚନା କରିଦେଲା । ଧରଣୀ ସତେ ଯେପରି ଆଲୋକରେ କ୍ଷୌମ ବସ୍ତ୍ରଟି ପିନ୍ଧି ଉଭା ହୋଇଗଲା । ଆଲୋକରାଜି ଦର୍ଶନରେ ଚନ୍ଦ୍ର ନିଜକୁ ହୀନପ୍ରଭ ମନେ କରି ଅପମାନ ଭୟରେ ଦେଖା ନ ଦେଇ ଦ୍ୱିତୀୟାର ଖଣ୍ଡଚନ୍ଦ୍ର ଛଳରେ ଟିକିଏ ଉଁକି ମାରି ଚାହିଁ ଦେଇ କେଉଁଆଡ଼େ ଅଦୃଶ୍ୟ ହୋଇଗଲେ ।

 

ନବକିଶୋର ବସି ଏଣୁ ତେଣୁ କଣ ଭାବୁ ଭାବୁ ସହସା ତାଙ୍କର ‘ପୋତେଇ ପୋଖରୀ’ କୂଳର ସେଦିନ ପୂର୍ଣ୍ଣିମା ଦୃଶ୍ୟଟି ମନେ ପଡ଼ିଗଲା । ତତ୍ ସହିତ ଲଳିତାର ଆଗମନ, କ୍ରନ୍ଦନ, ବିଦାୟ–ସମସ୍ତ ଗୋଟି ଗୋଟି ହୋଇ ଆଖି ଆଗରେ ନାଚିବାକୁ ଲାଗିଲା–ସେହି ଛଳ ଛଳ ଆଖିଦିଓଟି, ତାର ସେହି କରୁଣ ଚାହାଣି । ଆହା, ସେ ଚାହାଣି କି ଗଭୀର ବେଦନାବୋଳା ! ଅନ୍ତରର କେତେ ଗୁପ୍ତ କଥାର ସଙ୍କେତ କରୁଥିଲା ସେ ! କେତେ ଅନୁନୟ, ବିନୟ, ପ୍ରାର୍ଥନା–‘‘ତମେ କଅଣ ଆଉ ଆସିବ ନାହିଁ ?’’

 

ନବକିଶୋର ଆଉ ସେ ବିଷୟରେ ଭାବିପାରିଲେ ନାହିଁ । ତାଙ୍କର ଶ୍ୱାସ ରୁଦ୍ଧ ହୋଇ ଆସିଲା; ଚକ୍ଷୁ ଲୋତକପୂର୍ଣ୍ଣ ହୋଇ ଆସିଲା । ନୀରବରେ ବସି ସେ ଅଶ୍ରୁ ମୋଚନ କରିବାକୁ ଲାଗିଲେ ।

 

ସେ ଘରେ ପହଞ୍ଚିଲା ବେଳକୁ ରାମା ଲ୍ୟାମ୍ପଟି ଜଳାଇ ଦେଇ ଯାଇଥିଲା । ଅତୁଲ ବାବୁ ସେ ପର୍ଯ୍ୟନ୍ତ ଫେରି ନାହାନ୍ତି । ନବକିଶୋର ହସ୍ତପଦ ପ୍ରକ୍ଷାଳନ କରି ପଢ଼ିବାକୁ ବସିଗଲେ । କଅଣ ପଢ଼ିବେ ପ୍ରଥମେ ରୁଟିନ୍ ଉପରେ ଆଖି ପକାଇଲେ; ତା ପରେ କାନ୍ଥ ଆଲମାରିରୁ ବହିଖଣ୍ଡେ ଟାଣିଆଣି ଦୁଇ ଚାରି ପୁଡ଼ାମାତ୍ର ଓଲଟାଇ ସେ ଖଣ୍ଡି ଯଥାସ୍ଥାନରେ ରଖିଦେଲେ । ଆଉ ଖଣ୍ଡେ ବହି ଆଣି କେତେଟା ପୁଡ଼ା ଓଲଟାଇ ଦେଖିଲେ । ସେ ବହି ଖଣ୍ଡ ମଧ୍ୟ ପୂର୍ବବତ୍ ରୁଚିକର ବୋଧ ହେଲା ନାହିଁ । ପୁଣି ଖଣ୍ଡେ ବହି ଆଣିଲେ, ଚାଲିଲା ପୁଡ଼ା ଲେଉଟା । ଏହିପରି କେତେ ମୁହୂର୍ତ୍ତ ଅତିବାହିତ ହେବା ପରେ ବଡ଼ ପାଟିରେ କହିଉଠିଲେ, ‘‘ନା, ଆଜି ପଢ଼ାପଢ଼ି ନାହିଁ, ଚିଠି ଲେଖିବାକୁ ହେବ ।’’ ଚିଠି ଲେଖା ଆରମ୍ଭ ହେଲା ।

 

‘‘ସ୍ନେହର ଲଳିତା–

 

ମୋର ସ୍ନେହାଶୀର୍ବାଦ ଗ୍ରହଣ କରିବୁ । ଘରୁ ଆସିବାର ଏକ ମାସ ପ୍ରାୟ ହେଲାଣି, ପତ୍ର ଦେଇ ନାହିଁ । ରାଗିଥିବୁ ଖୁବ୍; କିନ୍ତୁ ମୁଁ କାହିଁକି ପତ୍ର ଦେଇପାରି ନାହିଁ, ତାର କାରଣ କଣ ଜାଣୁ ? ସେ ଦିନ ‘ପୋତେଇ ପୋଖରୀ’ ଉପରେ ତୋର ସେଇ ବିଦାୟକାଳୀନ ଛବିଟି, ଛନ ଛନ ଚାହାଣି, ଛଳ ଛଳ ଆଖି ଯୋଡ଼ିକ.......’’

 

ଲଳିତାର ସେଦିନ ଛଳ ଛଳ ଆଖି ଦିଓଟି ମନେ ପଡ଼ିଲାକ୍ଷଣି ନିଜର ଆଖି ଦିଓଟି ଛଳ ଛଳ ହୋଇ ଆସିଲା । ପତ୍ର ଲେଖା ସେହିଠାରେ ଇତି । କଲମଟା ଚିଠିକାଗଜ ଉପରେ ପକାଇ ଦେଇ ରୁମାଲରେ ଆଖି ଦୁଇଟାକୁ ଚାପି ଧରିଲେ । ସେଦିନ, ଯେଉଁ ଦିନ ଲଳିତା ଛଳ ଛଳ ନୟନରେ ‘ପୋତେଇ ପୋଖରୀ’ ଉପରେ କେତେ ଅନୁନୟ ବିନୟ ସହ କରୁଣ ପ୍ରାର୍ଥନା କରୁଥିଲା, ନବକିଶୋର ତ ବିଚଳିତ ହୋଇ ନଥିଲେ । ଯଦି ଚ ତାଙ୍କ ଚକ୍ଷୁରୁ ଦୁଇଧାର ଲୋତକ ଗଡ଼ି ପଡ଼ିଥିଲା, ସେ କେବଳ ଲଳିତାର ଲୋତକଭରା ଆଖିକୁ ଚାହିଁ–କ୍ଷଣକାଳ ପାଇଁ । ବର୍ତ୍ତମାନ କିନ୍ତୁ ଠିକ୍ ତାର ଓଲଟା । ଲଳିତାର ଚିନ୍ତାରେ ନବକିଶୋର ଏତେ ଦୂର ବିଭାର ଯେ, ଗଗନରେ, ପବନରେ ପ୍ରକୃତିର ଶୋଭାସଂପଦରେ, ଏ ପରି କି ବିଦ୍ୟାଳୟରେ ସୁଦ୍ଧା ଲଳିତାର ମନୋହାରିଣୀ ମୂର୍ତ୍ତି ଦେଖି ପାରୁଛନ୍ତି । ମୁହୂର୍ତ୍ତମାତ୍ର ନିର୍ଜନରେ ରହିଲେ, ମାନସସୁନ୍ଦରୀ ତାଙ୍କର ଚକ୍ଷୁ ସମ୍ମୁଖରେ ନାଚି ଯାଉଚି । କୌଣସି ପଦାର୍ଥର ଅଭାବ ନ ହେଲେ ତାହାର ମାହାତ୍ମ୍ୟ ବୁଝାଯାଏ ନାହିଁ । ବୋଧ ହୁଏ ଦରିଦ୍ର ଯେପରି ଧନର ମୂଲ୍ୟ ବୁଝେ ଓ ଅଭାବ ବେଦନା ଅନୁଭବ କରେ, ଧନବନ୍ତ ତାହା କିପରି ବୁଝିବ ?

 

ସେଦିନ ଥିଲା ପଟ୍ଟାମୁଣ୍ଡାଇ ହାଟ–ପୁନିଅଁ ପାଳି । ନାଭୀ, ଦୁଲୀ ଦୁଇ ଜଣ କାକୁଡ଼ି ଦିବୋଝ ନେଇ ପହଞ୍ଚିବା ସଙ୍ଗେ ସଙ୍ଗେ ବିକ୍ରି ହୋଇଗଲା । ନାଭୀ କହିଲା ‘‘ମଝିଆଣି, ମୁଁ ବୋଝ ମୁଣ୍ଡକୁ ଉଠାଇଲାବେଳେ ତୋରି ମୁହଁ ଚାହିଁଥିଲି ଏକା ।’’ ଦୁଲୀ କହିଲା, ‘‘ମଲା, ମୁଁ ଘରୁ ବାହାରି ତମରି ମୁହଁ ତ ଚାହିଚି ।’’ ଉଭୟଙ୍କ ମଧ୍ୟରେ ଗୋଟିଏ ହାସ୍ୟରୋଳ ଉଠିଲା । ନାଭୀ କହିଲା, ‘‘ତୁ କଅଣ ନେବୁ ? ମୁଁ ଧୂଆଁପତ୍ର ପଇସାକର ନେବି ।’’

 

‘‘ମୋର ଖାଲି ଚାଉଳ ସେରେ ନବା ଦରକାର, ଆଉ କିଛି ନାହିଁ ।’’

 

‘ନାଭୀ ଅପା, ଶୁଣୁ ଶୁଣୁ’–ପୋଷ୍ଟ ପିଅନ୍ ସେତିକିବେଳେ ଡ଼ାକିଲା । ନାଭୀ ଦୁଲୀ ଦୁଇ ଜଣ ଯାଇ ପିଅନ ପାଖରେ ଠିଆ ହେଲେ ।

 

ପିଅନ ଚିଠି ଖଣ୍ଡେ ଦେଖୁ ଦେଖୁ କହିଲା, ‘‘ଆଲୋ ତମ ଗାଁରେ ଶ୍ରୀମତୀ ଲଳିତା ଦେଈ କିଏ ?’’ ନାଭୀ, ବୋଝଟି ରଖିଦେଇ ବସିପଡ଼ିଲା । କହିଲା–‘‘ଶିରୀମତୀ !’’

 

‘‘ହଁ, ଶ୍ରୀମତୀ ଲଳିତା ଦେଈ ।’’

 

‘‘ଆଲୋ ମଝିଆଣି, ଶିରୀମତୀ କା ନାଁ ? ନାଇଁରେ ଶିରୀମତୀ ତ ଶଙ୍କରା ମା’ ନା–ସେ ମଲାଣି ।’’

‘‘ନାହିଁ ଲୋ, ଶ୍ରୀମତୀ ଲଳିତା ଦେଈ ।’’

 

‘‘ଲଳିତା ଦେଈ ? ଦେଈ ଆଉ କିଏ ? ଦେଈ ତ ମୋ ଝିଅ ନାଁ–ସେ ତା ଶାଶୁ ଘରେ । ନାଇଁରେ ତୁ ଭଲ କରି ଦେଖେ–ଆଉ କା ନାଁ ହୋଇଥିବ ।’’

 

‘‘ହାତ୍, ଦେଈ ଫେଇ ! ମୁଁ କହୁଛି ଲଳିତା ଦେଈ; ସେ କହୁଛି ଦେଈ ମୋ ଝିଅ ନାଁ । ଆଲୋ ଲଳିତା କିଏ ନାହିଁ ?’’

 

ନାଭୀ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇ ମନେ ମନେ ଗାଁର ସମସ୍ତ ସ୍ତ୍ରୀମାନଙ୍କର ନାମ ସ୍ମରଣ କରିବାକୁ ଲାଗିଲା । ନାଭୀର ଚିନ୍ତା ଦେଖି ପିଅନ ଆଉ ଥରେ ସେ ଚିଠି ଉପରେ ନଜର ପକାଇ କହିଲା, ‘ରଙ୍ଗାଧର ମହାନ୍ତିର କଣ ହୁଏ କି ସେ ଲଳିତା ?’ ଦୁଲୀ କହିଲା, ‘‘ହଁ, ହଁ, ତାରି ଝିଅ ତ ନଳିତା ।’’ ନାଭୀ ଚମକି ଉଠିଲା । ଜିଭ କାମୁଡ଼ି ପକାଇ ଶୂନ୍ୟ ଚାହାଁଣିରେ ଟିକିଏ ରହିଗଲା । ତାପରେ ଖୁବ୍ ଗୋଟାଏ ଉଗ୍ର ଓ ଅସ୍ୱାଭାବିକ ହସଟାଏ ହସି କହିଲା, ‘‘ସତେ ମଝିଆଣି, ତୁ ତ କୁରୀ ମାଡ଼ି ବସିଚୁ, ମୁଁ ଗାଁ ଏ ମୁଣ୍ଡରୁ ସେ ମୁଣ୍ଡ ଯାଏ ଖୋଜି ଖୋଜି ଥକିଗଲାଣି ।’’ ପିଅନକୁ ଲକ୍ଷ୍ୟ କରି କହିଲା–‘‘ତାର କଣ ଚିଠି ଆଇଚି କି ରେ ଚିନ୍ତାମଣି ?’’

 

‘‘ହଁ’’

 

‘‘କିଏ ଦେଇଚି ? ଏ ଅଭିଆଡ଼ି ମାଇକିନିଆ ଝିଅଟା ନାଁରେ କିଏ ପୁଣି ଗୋଟା ଚିଠି ଦେଲାମ ?’’

 

‘‘ଦେଇଛି, ନବକିଶୋର ପଟ୍ଟନାୟକ । ସେ କିଏ ଲୋ ଅପା ?’’

‘‘ନବକିଶୋର ଆଉ ପଟ୍ଟନାହାକ ସାଇରେ କିଏ ସେ ? କେଉଁଠୁ ଆଇଚି ଦେଖିଲୁ ।’’

‘‘କଲିକତାରୁ ଆସିଛି ।’’

 

‘‘କଲିକତାରୁ ଆଉ କିଏ ଦେଲା ?’’ କହି ମନେ ମନେ ଚିନ୍ତାକରି ବସିଲା । ଦୁଲୀ କହିଲା–

 

‘‘ଅପା କଇଳାସ ସାଆନ୍ତଙ୍କ ପୁଅ ପରା କଲିକତାରେ ଅଛି ? ସେଇ ଦେଲେ ଦେଇଥିବ-।’’

 

ନାଭୀ ତିନି ଆଙ୍ଗୁଳିର ଜିଭଟା କାମୁଡ଼ି ପକାଇ କପାଳରେ ହାତ ମାରି କହିଲା–‘‘ମାଲୋ ମା, କି ପ୍ରେମ ନାଗିଲା ତାଙ୍କର । ଦେଶରେ ଯିମିତି, ବିଦେଶରେ ବି ସିମିତି । ଦଶ ବାର ବରଷର କିନିଆରୀ ଟୋକୀଟା ନାଁରେ କଲିକତା ରାଇଜରୁ ଚିଠି ଆଇଚି !’’

 

ପିଅନ ଆଉ ଜଣେ ଲୋକ ସଙ୍ଗରେ କଥୋପକଥନ କରୁ କରୁ ଚିଠିଖଣ୍ଡ ନାଭୀ ହାତକୁ ବଢ଼ାଇ ଦେଲା । ନାଭୀ ଚିଠିଖଣ୍ଡ ହାତକୁ ନେଇ ଦୁଇ ତିନିଥର ଓଲଟା ଓଲଟି କରି ଦେଖିଲା । ଦୁଲୀଆଡ଼କୁ ଚାହିଁ କଣ କହିବାକୁ ଯାଉଛି, ସପନା ପଛରୁ କହିଲା ‘‘ନାଭୀ ଅପା, ଗାଁକୁ ଯିବୁ ନା ?’’

 

‘‘ହଁ, ଚାଲେ’’ କହି ନାଭୀ, ଦୁଲୀ ଦୁଇ ଜଣ ଗାଁକୁ ଚାଲିଲେ ।

Image

 

ତୃତୀୟ ପରିଚ୍ଛେଦ

 

ନାଭୀ ଲଳିତାର ଚିଠିଖଣ୍ଡ ଆଣିଲା ବେଳୁ ତାର ଆଉ କୌଣସି କଥାରେ ମନ ପଶୁ ନାହିଁ । ବାଟଯାକ କେବଳ ସେହି ଚିଠି ବିଷୟର ଆଲୋଚନା ଚାଲିଛି । ଚିହ୍ନାଲୋକ ଯାହାକୁ ଦେଖୁଛି, ତାକୁ କହୁଛି–‘‘ଶୁଣିଲଣି ଗୋଟା ନୂଆ ଢ଼ଙ୍ଗ, ଏ ରଙ୍ଗମହାନ୍ତି ଝିଅ ନଳିତା ନାଁରେ ଗୋଟା ଚିଠି ଆଇଚି–କଲିକତାରୁ ନବ ଦେଇଚି । ଛି ଛି, ଏ ଟୋକା ଟୋକୀ ଦିଟା କଅଣ ହେଉଛନ୍ତି ଲୋ ମା ! ନିନ୍ଦା ପରଶଂସାକୁ ତ ଟିକିଏ ଖାତର ନାହିଁ । ସେ ଟୋକା ଯେମିତି ଗଲା ଇସ୍କୁଲକୁ ପଢ଼ି, ଏ ଟୋକୀ ଜିଦ୍ ଧଇଲା–‘ମୁଁ ଯିବି ।’ ସତକୁ ସତ ଯାଇ ଅଣ୍ଡିରାଙ୍କ ସାଙ୍ଗରେ ବସି ପଢ଼ିଲା । ଏବେ ଫେର୍ ଚିଠିପତର ଚାଲିଲାଣି’’–ଇତ୍ୟାଦି ଇତ୍ୟାଦି । ପରନିନ୍ଦା ପରି ସୁସ୍ୱାଦୁ ଖାଦ୍ୟ ବା କାହା ତୁଣ୍ଡକୁ ରୁଚିକର ନୁହେଁ ? ନାଭୀର ନବକିଶୋରଙ୍କ ଚିଠି ବିଷୟକ ସମାଲୋଚନାରେ ହାଟୁଆ–ବାଟୁଆ ସମସ୍ତେ ଯୋଗ ଦେବାକୁ ଲାଗିଲେ । ନାଭୀର ଆନନ୍ଦ ଦେଖେ କିଏ ? ସେ ଦ୍ୱିଗୁଣ ଉତ୍ସାହିତ ହୋଇ ଶୈଶବାବଧି ସେମାନଙ୍କର ଇତିବୃତ୍ତ ଗାଇବାକୁ ଲାଗିଲା ।

 

ନାଭୀ ଯେତେବେଳେ ରଙ୍ଗାଧରଙ୍କ ଦୁଆରେ ପହଞ୍ଚି ଶୁଣିଲା ଲଳିତା ଘରେ ନାହିଁ, ସେ ଆଉ କୌଣସି ଉତ୍ତର ନ ଦେଇ ଯେଉଁଆଡ଼ୁ ଆସିଥିଲା, ସେହି ଆଡ଼କୁ ଏକ ମୁହଁରେ ଚାଲିଲା ।

 

ନବକିଶୋର କଲିକତା ଗଲା ଦିନରୁ ଲଳିତା ଆଉ ସେ ପୂର୍ବର ଲଳିତା ହୋଇ ନାହିଁ । ତାର ପିଲାଦିନରୁ ପାଠ ପଢ଼ିବାର ଯେଉଁ ବଳବତୀ ଇଚ୍ଛା ଥିଲା, ସେ କେଉଁଆଡ଼େ ଉଭେଇ ଯାଇଛି-। ବହି ଦେଖିଲେ ତାର ଆଖିରୁ ପାଣି ବହେ । ପଢ଼ାପଢ଼ି ସେ ଏକବାରେ ଛାଡ଼ି ଦେଇଛି କହିଲେ ଚଳେ । ତାରି ଘରକଣଟିରେ ସେ ସବୁବେଳେ ପଡ଼ି ରହିବାକୁ ଚାହେଁ, ନବକିଶୋରଙ୍କର ସେ ସ୍ମୃତି ଟିକକ ଘେନି ନିଃସଙ୍ଗ ଜୀବନର ଅସର ଦିନଗୁଡ଼ିକ କଟାଇ ଦେବାପାଇଁ; କିନ୍ତୁ ମାଆର ହୃଦୟ କି ଏ ସବୁ ସହିପାରେ ?

 

ପ୍ରାଣାଧିକା କନ୍ୟାର ସେ ବିଷାଦ କଳିମଚ୍ଛନ୍ନ ନୀରସ ମୁହଁଟି ଦେଖି ରାଧିକା ଦେଈ ହୃଦୟରେ ବଡ଼ ବେଦନା ଅନୁଭବ କଲେ । ଯେପରି ଲଲିତାର ମନ ପରିବର୍ତ୍ତନ ହେବ, ସେଥିପାଇଁ ସେ ଯଥାସାଧ୍ୟ ଚେଷ୍ଟା କରିବାକୁ ତ୍ରୁଟି କଲେ ନାହିଁ । ଲଳିତା ମଧ୍ୟ ବୋଉଙ୍କ କଥା ମାନି ଏବେ କେତେ ଦିନ ହେଲା କୈଳାସ ଚନ୍ଦ୍ରଙ୍କ ଘରକୁ ପ୍ରତ୍ୟହ ଯା’ ଆସ କରୁଛି । ସେଠାରେ ଗାଁର କେତେ ବାଳିକା, ପ୍ରୌଢ଼, ଯୁବତୀମାନେ ଆସି ଜୁଟନ୍ତି ଖେଳ ହୁଏ–ଗପ ହୁଏ । କେବେ କେବେ ଲଳିତା, ଚାରୁ, କାଦମ୍ବିନୀ ପ୍ରଭୃତି ରାମାୟଣ, ମହାଭାରତ ଆଦି ଗ୍ରନ୍ଥର ଚର୍ଚ୍ଚା କରନ୍ତି ।

 

ନାଭୀ ଉତ୍ତମ ରୂପେ ଜାଣେ, ଲଳିତା ଯେତେବେଳେ ଘରେ ନାହିଁ, କୈଳାସଚନ୍ଦ୍ରଙ୍କ ଚଉପାଢ଼ୀ ଛଡ଼ା ଆଉ କେଉଁଠି ନ ଥିବ । କିନ୍ତୁ ପ୍ରଥମେ ସେ ସେଠାକୁ ଗଲା ନାହିଁ । ତାର ଉଦ୍ଦେଶ୍ୟ ଭିନ୍ନ ପ୍ରକାର । ସେ କୈଳାସ ଚନ୍ଦ୍ରଙ୍କ ଘର ଛଡ଼ା ଗାଁର ପ୍ରାୟ ପ୍ରତ୍ୟେକ ଘରେ ପଚାରିବାକୁ ଲାଗିଲା ‘‘ଲଳିତା, ରଙ୍ଗ ମହାନ୍ତି ଝୁଅ ତମ ଘରେ ଅଛି କି ?’’ ସତେ ଯେପରି ତା ସହିତ ଗୋଟାଏ ଗୋପନୀୟ ଜରୁରୀ କାମଟାଏ ଅଛି ! ତାର ଏପରି ବ୍ୟସ୍ତ ଭାବରେ ପ୍ରଶ୍ନ କରିବାର ଦେଖି ସମସ୍ତେ କାରଣଟା ଜାଣିବାକୁ ଉଦ୍‌ବିଗ୍ନ ହୋଇପଡ଼ିଲେ । ପ୍ରତ୍ୟୁତ୍ତରରେ ‘ନବ ତା’ ନାଁରେ କଲିକତାରୁ ଚିଠି ଦେଇଚି, ଇତ୍ୟାଦି କହି କହି ସେ ଦ୍ରୁତ ପ୍ରସ୍ଥାନ କରିବାକୁ ଲାଗିଲା । ଏହିପରି ଗାଁଯାକ ନାଗରା ପିଟି ପିଟି ପରିଶେଷରେ କୈଳାସଚନ୍ଦ୍ରଙ୍କ ଦୁଆରେ ପହଞ୍ଚିଲା ଓ ଲଳିତା ନାଁ ଧରି ବଡ଼ ପାଟିରେ ହୁରି କଲା । ସେ ଡ଼ାକ ଯାହା କାନରେ ପଡ଼ିଲା, ସେ ପଡ଼ି ଉଠି ଦୌଡ଼ି ନ ଯିବାକୁ ଚାରା ନାହିଁ । ଲଳିତାର କଥା ଛାଡ଼, ତାସ ଫୋପାଡ଼ି ଦେଇ ଚାରୁ, କାଦମ୍ବିନୀ ମାଧିଆ ମା ଓ କ୍ଷେତୀ–ସମସ୍ତେ ଆସି ଦୁଆର ମୁହଁରେ ରୁଣ୍ଡ ହୋଇଗଲେ । ଶରଧା ଦେଈ ରୋଗଶଯ୍ୟାରୁ ଉଠି ଦୌଡ଼ି ଆସିଲେ । କଥା କ’ଣ ? ନବକିଶୋର ଲଳିତା ନାମରେ ଖଣ୍ଡେ ପତ୍ର ଦେଇଛନ୍ତି । ବୋଲିବା ବାହୁଲ୍ୟ ମାତ୍ର, ଘଟଣା ସ୍ଥଳରେ ଚିଠିବିଷୟକ ସମାଲୋଚନା କରିବାକୁ କେହି ବିସ୍ମୃତ ହୋଇ ନଥିଲେ । ବିଶେଷତଃ ଶନିଆ ମା ଲଳିତାକୁ ବ୍ୟତିବ୍ୟସ୍ତ କରି ପକାଇଲା । ସେ ବୁଢ଼ୀ ହେଲେ କ’ଣ ହେଲା, ସବୁ ଗୁଣରେ ଏକା ଚାରି ପା । ତା’ର ମୁହଁ ଫିଟିଗଲେ ଆଉ ବିରାମ ନାହିଁ; ସାତ ରାତି ସାତଦିନ ବୋଇଲେ ଗପୁଥିବ । ସେଥିପାଇଁ ସେ ତିଳେ ହେଲେ କ୍ଳାନ୍ତି ବୋଧକରେ ନାହିଁ । ସର୍ବଦା ବଜର ବଜର ହେବା ତା’ର ଗୋଟାଏ ଅଭ୍ୟାସ । କୌଣସି ଲୋକକୁ ନ ପାଇଲେ କାନ୍ଥକୁ ବାଡ଼କୁ ଚାହିଁ ସେ ଢ଼ଗ ଛଟାଟାଏ ମେଲିଦିଏ । ପୌରାଣିକ, ଐତିହାସିକ, କାଳ୍ପନିକ ସମସ୍ତ ପ୍ରକାର ଗଳ୍ପମାନ ତା’ର ଜିଭ ଆଗରେ । ସେଥିପାଇଁ ସଞ୍ଜ ବୁଡ଼ିଲାକ୍ଷଣି ସାଇ ପିଲାଯାକ ତା’ ପାଖରେ ରୁଣ୍ଡ ହୁଅନ୍ତି । ଗାଁ ଭିତରେ ଯେତେ ବାଳକ, ବାଳିକା, ଯୁବା, ଯୁବତୀ ସମସ୍ତଙ୍କର ସେ ଆଈ । ସମସ୍ତଙ୍କ ସହିତ ପରିହାସ କରିବାକୁ ତା’ର ସୁବର୍ଣ୍ଣ ସୁଯୋଗ । ବୁଢ଼ୀର ବେଶି ଭାଗ ଆକ୍ରୋଶ ଲଳିତା ଉପରେ । ତାକୁ ପରିହାସ ଛଳରେ ଏପରି କଥାମାନ କହେ ଯେ, ଆଉ କିଏ ହୋଇଥିଲେ ମୁଣ୍ଡ ପିଟି ମରନ୍ତା । ଲଳିତାର ସ୍ୱଭାବ ଭିନ୍ନ ପ୍ରକାର । ସେ ଶୁଣି ନ ଶୁଣିଲା ପରି ହସି ହସି ସବୁ ଉଡ଼ାଇ ଦିଏ । ତା’ର ରୁଚି ଅଲଗା; ସେ ଆବହମାନ କାଳରୁ ଅନୁସୃତ ସେହି ଧରାବନ୍ଧା ଗତଟିକୁ ଆଦୌ ପସନ୍ଦ କରେ ନାହିଁ ! ସେ ଚାହେଁ ମୁକ୍ତ ବାୟୁ, ମୁକ୍ତ ଆଲୋକ; ପୁରାତନକୁ ନେଇ ଚିରଦିନ ପଡ଼ି ରହିବାକୁ ସେ ଚାହେଁ ନାହିଁ । ନୂତନ ଆଶାରେ ଯେପରି ସର୍ବଦା ବ୍ୟାକୁଳ ସେ ! ଏହି କାରଣରୁ ଗାଁରେ କାହାରି ସହିତ ତା’ର କୌଣସି ବିଷୟରେ ଖାପ ଖାଏ ନାହିଁ । ବିଶେଷତଃ ଶନିଆ ମା ଆଖିରେ ତା’ର ହସିବା, ବସିବା ପ୍ରଭୃତି କାର୍ଯ୍ୟକଳାପ କିପରି ନୂଆ ନୂଆ ଦେଖାଯାଏ । ତା’ପରେ ମାଇକିନିଆ ଝିଅଟା ହୋଇ ଇଂରାଜୀ ପାଠ ପଢ଼ିଛି–ଏ ଏକ ଅଭିନବ ସୃଷ୍ଟି ଲଳିତାର ସ୍ତ୍ରୀ ମହଲରେ ।

 

ଶନିଆ ମା କହିଲା–‘‘ଯାହା ହେଉ ପୂର୍ବପୁରୁଷଙ୍କ ପୁଣ୍ୟବଳରୁ ଏ ଗାଁଖଣ୍ଡର ଭାଗ୍ୟ ଏତେ ଦିନରେ ଫେରିଲା । ସାଇବ ସାଇବାଣୀ ଦିଟା ବାହାରିଲେଣି, ଏ ଗାଁ ତ ଏବେ କଟକ ସହର ହୋଇଯିବ । ସବୁ ତ ହେଲା–ଆଉ ଖାଲି ବାକି ରହିଲା ସାଇବ ସାଇବାଣୀ ଦି ଜଣ ହାତ ଧରାଧରି ହୋଇ ହାଟବଜାରରେ ବୁଲିବାକୁ । ସେତେବେଳେ ଏ ବୁଢ଼ୀକି ପଚାରିବୁ, ନା ଟୋକା ସାଇବକୁ ପାଇ ଭୁଲିଯିବୁ ସବୁ ? କି ଲୋ ଟୋକି, କିଛି କହୁ ନାହୁଁ ? ଶାଶୁ ନଣନ୍ଦ ଅଛନ୍ତି ବୋଲି ନାଜ ମାଡ଼ୁଛି କି ?’’ କଥା ଶେଷରେ ବୁଢ଼ୀ ଖୁବ୍ ଗୋଟାଏ ହସ ହସିଲା । କ୍ଷେତୀ, କାଦମ୍ବିନୀ ପ୍ରଭୃତି ବାଳିକାମାନେ ହସଟାକୁ ଚପେଇ ରଖିବା ଉଦ୍ଦେଶ୍ୟରେ, ‘‘ଏ ବୁଢ଼ୀଟା,’’ କହି ପଳାୟନ କଲେ । ବୁଢ଼ୀର କଥା ତ ସବୁଦିନେ ସେହିପରି । ତା’ର ଖାଲି ଢ଼ପ, ମାନ୍ତି ଅମାନ୍ତି କିଛି ଜ୍ଞାନ ରହେ ନାହିଁ । ଶରଧା ଦେଈ ଶନିଆ ମା’ର କଥା ଶୁଣି ମୁହଁଟି ତଳକୁ ପୋତି ଅନ୍ୟଆଡ଼େ ଚାଲିଗଲେ । ସର କେବଳ କାଷ୍ଠ ପିତୁଳାଟି ପରି ଠିଆ ହୋଇ ରହିଲା । ଲଳିତାର କିନ୍ତୁ ବୁଢ଼ୀ କଥା ପ୍ରତି ଆଦୌ ଲକ୍ଷ୍ୟ ନାହିଁ; ସେ ଚିଠି ଖଣ୍ଡି ଧରି ଚାଲିଗଲା ଘରକୁ ।

 

ସେତେବେଳକୁ ଘରେ ଘରେ ସଞ୍ଜବତୀ ଲାଗିଗଲାଣି । ଲଳିତା ତା’ର ଘରେ ପ୍ରଦୀପଟି ଜାଳି ଚିଠି ପଢ଼ିବାକୁ ଆରମ୍ଭ କଲା ।

 

‘‘ସ୍ନେହର ଲଳିତା,

 

ଅନେକ ଦିନ ହେଲା ତୋ ପାଖକୁ ପତ୍ରଖଣ୍ଡେ ଦେଇ ନ ପାରି ମୁଁ ଏକାନ୍ତ ଦୁଃଖିତ ଓ ଲଜ୍ଜିତ । ପତ୍ର ଦେଇପାରି ନାହିଁ ସତ; ମାତ୍ର ଏକ ମୁହୂର୍ତ୍ତ ପାଇଁ ସୁଦ୍ଧା ତୁ ମୋର ମନରୁ ଅନ୍ତର ହୋଇ ନାହୁଁ । ତେବେ, ଏତେ ବିଳମ୍ବର କାରଣ, ବହୁବାର ପତ୍ର ଲେଖିବାକୁ ବସିଛି; ମାତ୍ର ଲେଖି ପାରି ନାହିଁ । ଯେତେ ଭାବିଛି, ଚିନ୍ତା କରିଛି, ପତ୍ର ଲେଖିବାକୁ ଦୃଢ଼ସଂକଳ୍ପ ହୋଇ ବସିଛି; କିନ୍ତୁ ଲେଖିପାରି ନାହିଁ । ଏପରି ମଧ୍ୟ କେତେ ଥର ଘଟିଛି, ପତ୍ର ଲେଖି ପୁଣି ସେହି ଅସମ୍ପୂର୍ଣ୍ଣ ପତ୍ରକୁ ନିଜ ହାତରେ ଚିରି ଫୋପାଡ଼ି ଦେବାକୁ ବାଧ୍ୟ ହୋଇଛି । କାହିଁକି ଏପରି ଘଟିଛି, ତାହାର କାରଣ ମୁଁ ମଧ୍ୟ ଏ ପର୍ଯ୍ୟନ୍ତ ଭାବି ସ୍ଥିର କରିପାରୁ ନାହିଁ । ତୋର ବିଶ୍ୱାସ ହେବ କି ନାହିଁ କହିପାରୁ ନାହିଁ; କିନ୍ତୁ ତୁ ମୋତେ ପିଲାଦିନରୁ ଦେଖି ଆସୁଛୁ–ବିଶେଷତଃ ମୋ ହୃଦୟ ଭିତରେ ଏପରି କୌଣସି ଗୁପ୍ତସ୍ଥାନ ନାହିଁ, ଯାହା କି ତୋର ଅଗୋଚର । ପ୍ରକୃତରେ ତୁ ଯଦି ମୋତେ ଭୁଲି ଯାଇ ନ ଥାଉ, ତେବେ ମୋର ଏ ପତ୍ରର ଗୋଟାଏ ବର୍ଣ୍ଣ ସୁଦ୍ଧା ଅବିଶ୍ୱାସ ବୋଧ ହେବ ନାହିଁ । ସତ କହୁଛି ଲଳିତା, ଅନେକ ଥର ଚିଠି ଲେଖିବାକୁ ବସିଛି–ଦୁଇ ଧାଡ଼ି ଲେଖିଲା ପରେ ତୋର ସେଦିନର ‘ପୋତେଇ ପୋଖରୀ’ ଉପରେ ବିଦାୟ ବେଳର ଜୀବନ୍ତ ଛବିଟି ମୋ ଆଖି ଆଗରେ ନାଚି ଉଠେ । ପ୍ରାଣରେ କି ଏକ ଅପୂର୍ବ ସ୍ପନ୍ଦନ ମୁଁ ଅନୁଭବ କରେ, କି ଏକ ନୂତନ ଆବେଶରେ ତନ୍ମୟ ହୋଇଯାଏ–ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ଶିଥିଳ ହୋଇପଡ଼େ; କିନ୍ତୁ ଦୁଃଖରେ କି ସୁଖରେ, କିଛି ବୁଝିପାରେ ନାହିଁ । ଶେଷରେ ମୂକ, ବଧିର, ପଙ୍ଗୁ ଏବଂ ଅନ୍ଧ ହୋଇ ବସେ । ଏହିପରି କେତେ ବାର ଘଟିଛି, ସଂଖ୍ୟାଟା ଠିକ୍ ମନେ ହେଉ ନାହିଁ; ତେବେ ବହୁବାର ଘଟିଥିବାର ମନେ ଅଛି । ଆଜି ମଧ୍ୟ ସେହି ଦଶା ଘଟିଛି । ପ୍ରାୟ ଦୁଇ ଘଣ୍ଟାକାଳ ଭାବି ଚିନ୍ତି, ମନରେ ଯଥେଷ୍ଟ ବଳ ଓ ହୃଦୟରେ ଦମ୍ଭ ସଞ୍ଚୟ କରି ଲେଖିବାକୁ ଆରମ୍ଭ କରୁଛି । ଲେଖି ବସିଛି ସିନା–ସମ୍ପୂର୍ଣ୍ଣ ବିଶ୍ୱାସ କରିପାରୁ ନାହିଁ, କୃତକାର୍ଯ୍ୟ ହେବି ବୋଲି । ପତ୍ର ଦେବାରେ ବିଳମ୍ବ ଘଟିଲା କାହିଁକି, ଏବେ ତ ବୁଝି ପାରିଲୁ–ସେଥିପାଇଁ ମୁଁ ଯେଉଁ ଦୋଷ କରିଛି, କ୍ଷମା ଦେବୁ, ତୋର ନବ ଭାଇର ଶତ ଅନୁରୋଧ, କ୍ଷମା କରିବୁ ।’’

 

ଲଳିତାର ଚକ୍ଷୁ ଛଳ ଛଳ ହୋଇ ଆସିଲା । ପଣନ୍ତରେ ଅଶ୍ରୁମୋଚନ କରି ପୁଣି ସେ ପଢ଼ିବାକୁ ଆରମ୍ଭ କଲା:–

 

‘‘ଲଳିତା, ଆସିବା ସମୟରେ ତୋ ସହିତ ଦେଖା ହୋଇ ପାରିଲା ନାହିଁ । ଭାବିଥିଲି, ଥରେ ଯାଇ ଖୁଡ଼ୀ ଓ ତୋତେ କହିପୋଛି ବିଦାୟ ନେଇ ଆସିଥାନ୍ତି; କିନ୍ତୁ ବାପା ତର ତର ଲଗାଇଲେ–ସମୟ ହେଲା ନାହିଁ । ବିଦାୟବେଳେ ତୋତେ ଦେଖିବାକୁ ନ ପାଇ, କିପରି ଅନୁତପ୍ତ ହେଉଛି ବର୍ତ୍ତମାନ, କି ଯାତନା ଭୋଗ କରୁଛି, ମୋର ପ୍ରାଣ ଭିତରଟା କଣ ଯେ ହେଉଛି, ସେ କଥା ମୁଁ କୌଣସିମତେ ତୋତେ ବୁଝାଇ ପାରିବି ନାହିଁ, ବୁଝାଇଲେ ମଧ୍ୟ ତୁ ବୁଝିପାରିବା ସହଜ ନୁହେଁ । ବୁଝି ପାରିବୁ, ଯଦି ତୁ ଲଳିତା ନ ହୋଇ, ନବଭାଇ ହେଉ; ଆଉ କଳ୍ପିତ ଲଳିତାଟିକୁ ଗାଁରେ ଛାଡ଼ି କଲିକତାରେ ମୋ ପରି ଅବସ୍ଥାରେ ରହୁ । ଯାହା ହେଉ, ମୁଁ ଦେଖା କରି ଆସି ନାହିଁ, ସେଥିପାଇଁ କ୍ଷମା ପ୍ରାର୍ଥନା କରୁଛି–କ୍ଷମା କରିବୁ ।

 

‘‘ଆଜି ପୂର୍ଣ୍ଣିମା । ଘରୁ ଆସିବାର ଠିକ୍ ଏକମାସ ହେଲା । ସେହି ‘ପୋତେଇ ପୋଖରୀ’ ହୁଡ଼ାରେ ଯେଉଁ ଦିନ ବସିଥିଲେ, ଆଜି ସେହି ଦିନ । ସେହି ଚନ୍ଦ୍ର ସେହିପରି ଭାବରେ ଆଜି ଧରଣୀକୁ ବିଭୂଷିତ କରୁଅଛନ୍ତି–ଜ୍ୟୋତ୍ସ୍ନାକାଳ ଢ଼ାଳି ଦେଉଛନ୍ତି । ପବନ ସେହିପରି ଧୀରେ ଧୀରେ ବହୁଛି; କିନ୍ତୁ ମୋର ହୃଦୟାକାଶ ଘୋର ଅନ୍ଧକାରାଚ୍ଛନ୍ନ ! ମୋ ପ୍ରାଣରେ ପବନର ସଞ୍ଚାର ନାହିଁ–ସେହି ମୁଗୁନି ପଥରଖଣ୍ଡ ପରି ଜଡ଼ ଭାବରେ ପଡ଼ି ରହିଛି ।’’

 

ଲଳିତା ଦେଖିଲା, ତା’ର ନବ ଭାଇ ଯେପରି ଅତି ନିକଟରେ ସମ୍ମୁଖରେ ବସି ଏ ସମସ୍ତ କଥା କହିଯାଉଛନ୍ତି । ସେ ବିହ୍ୱଳ ଦୃଷ୍ଟିରେ କିଛିକ୍ଷଣ ସମ୍ମୁଖକୁ ଚାହିଁ ରହିଲା । ଦେଖିଲା, ନବଭାଇ–ପ୍ରକୃତରେ ନବ ଭାଇ ତା’ର ନିକଟରେ ବସିଛନ୍ତି । ତାଙ୍କର ପୂର୍ବର ସେ ହସହସ ମୁହଁଟି ଶୁଖି ଯାଇଛି; ନୀରସ, ଠିକ୍ କଳା ବଉଦ ଖଣ୍ଡ ଭିତରେ ଚନ୍ଦ୍ରର ଛାଇ ପରି ନୀରସ ଦିଶୁଛି ! ତା’ର ଚକ୍ଷୁରେ ଆଉ ଲୋତକ ରହିଲା ନାହିଁ । କହିଲା–‘‘ଆହା ! ନବଭାଇ, ତମର ଏହିପରି ମୁହଁଟି ଦେଖିବା ପାଇଁ କ’ଣ ଚାହିଁ ରହିଥିଲି ?’’ ଅଶ୍ରୁମୋଚନ କରି ପଢ଼ିବାକୁ ଆରମ୍ଭ କଲା । ‘‘ମୁଁ ଆଜି ‘ପୋତେଇ ପୋଖରୀ’ ପରି ଆଉ ଏକ ପୋଖରୀ ହୁଡ଼ାରେ ପଥର–ବେଦିକାରେ ବସିଛି । ସେଦିନ ଯେପରି ଭାବରେ ବସି ଦୁଇ ଜଣ କାନ୍ଦୁଥିଲେ, କାନ୍ଦୁଛି ମଧ୍ୟ; କିନ୍ତୁ ଲଳିତା, ତୁ ପାଖରେ ନାହୁଁ କାନ୍ଦିବାକୁ–କନ୍ଦାଇବାକୁ । ଏକା ଏକା ବସି କାନ୍ଦୁଛି । ତୋ ଲାଗି ମଧ୍ୟ କାନ୍ଦୁଛି । ସେଦିନ ତୋ ଆଖିରୁ ଲୁହ ପୋଛି ଦେଉଥିଲି; ଆଜି କିନ୍ତୁ ନିଜ ଆଖିରୁ ଲୁହ ପୋଛି ଦେଇ ଠିକ୍ ସେହି ସୁଖ ଅନୁଭବ କରୁଛି ।’’

 

ଲଳିତା ଧୈର୍ଯ୍ୟ ଧରି ସମୁଦାୟ ଚିଠିଟି ପଢ଼ିବାକୁ ଅବସର ପାଇଲା ନାହିଁ । ଚିଠି ଉପରୁ ମୁହଁ ଫେରାଇ ନେଇ କଇଁ କଇଁ ହୋଇ କାନ୍ଦିଉଠିଲା, ଯେପରି ପର୍ବତ ଶିଖରରୁ ଝର ଫିଟିଗଲେ, ତା’ର ଗତିରୋଧ ହୁଏ ନାହିଁ, ଲଳିତାର ବହୁଦିନ ସଞ୍ଚିତ ଦୁଃଖରାଶି ଆଜି ଲୋତକ–ଝରଣା ରୂପେ ପ୍ରବାହିତ ହେବାକୁ ଲାଗିଲା । ସେ ଭାବିଲା–‘‘ନବ ଭାଇ, ସତେ ତମେ ମୋ ଲାଗି କାନ୍ଦୁଛ ? ସତେ କଣ ତମ ମନରେ ଏତେ ଦୂର କଷ୍ଟ ଜାତ ହେଉଛି ? ତେବେ ଯିବାବେଳେ ମୁଁ ତ ନାହିଁ କରୁଥିଲି–କଥା ନ ମାନି ଚାଲିଗଲ କାହିଁକି ? ହଁ, ତମେ କର୍ତ୍ତବ୍ୟ ଅନୁରୋଧରେ ପିତାଙ୍କ ଆଦେଶ ପାଳନ କରିବାକୁ ଇଚ୍ଛା ବିରୁଦ୍ଧରେ ଯାଇଛ–ବୁଝିଲି ।’’ ନବଭାଇର ବିଚ୍ଛେଦରେ ତା’ର ଯେଉଁ କଷ୍ଟ ହେଉଛି, ସେଥିପାଇଁ ଯେତେ ନୁହେଁ, ନବଭାଇଙ୍କ ମନରେ କଷ୍ଟ ଜାତ ହୋଇଛି, ସେ କାନ୍ଦୁଛନ୍ତି–ଏହି କଥା ଭାବି ସେ ଅତ୍ୟନ୍ତ କାତର ହୋଇ ପଡ଼ିଲା । କିଛି କ୍ଷଣ ବସି କାନ୍ଦିବାରୁ ଅନେକ ପରିମାଣରେ ଆଶ୍ୱସ୍ତି ବୋଧ କଲା । ପୁଣି ପଢ଼ି ବସିଲା:–

 

‘‘ସେଦିନ ତୋତେ କେତେ ବୁଝାଉଥିଲି ତୁ କାନ୍ଦୁଥିଲୁ ବୋଲି, କିନ୍ତୁ ଆଜି ନିଜକୁ ନିଜେ ବୁଝାଉଛି । ଯେତେ ବୁଝାଇଲେ ମଧ୍ୟ ତିଳେ ହେଲେ ସାନ୍ତ୍ୱନା ପାଉ ନାହିଁ । ଜାଣେ ନା, ତୋଲାଗି ମୋର ପ୍ରାଣ ଏଡ଼େ ବ୍ୟାକୁଳ କାହିଁକି ! ତୋତେ ଥରେ ଦେଖିବାକୁ ବଡ଼ ଇଚ୍ଛା ହେଉଛି; କିନ୍ତୁ ଉପାୟ ନାହିଁ–ଶକ୍ତି ମଧ୍ୟ ନାହିଁ । ସେଦିନ ତୋର ଏତେ କାତର କ୍ରନ୍ଦନ ମୋର ମନକୁ କ୍ଷଣକ ପାଇଁ ସୁଦ୍ଧା ଏପରି ବିଚଳିତ କରିପାରି ନଥିଲା । ଆଜି ମୁଁ ପ୍ରାଣରେ ଯେଉଁ ବ୍ୟଥା ଅନୁଭବ କରୁଛି, କିପରି ଜଣାଇବି ତୋତେ ?

 

‘‘ମୁଁ ଏଠାରେ ନିର୍ବିଘ୍ନରେ ପହଞ୍ଚି ସ୍କୁଲରେ ନାମ ଲେଖାଇଅଛି । ଏ ସ୍ଥାନଟା ପ୍ରଥମେ ପ୍ରଥମେ ଭଲ ଲାଗୁ ନଥିଲା; କିନ୍ତୁ ଏବେ ଦେହସୁହା ହୋଇଗଲାଣି । ବାପା ଭଲ ଅଛନ୍ତି । ଦଶହରା ଛୁଟିରେ ଘରକୁ ଯିବି ନିଶ୍ଚୟ । ତୁ ଆଉ ମୋ କଥା ମନେ ପକାଇ ଦୁଃଖ କରିବୁ ନାହିଁ । ମୁଁ ଯେଉଁ ବହି ସବୁ ଦେଇ ଆସିଛି, ମନଦେଇ ପଢ଼ୁଥିବୁ । ମୋ ପାଖରେ ପରୀକ୍ଷା ଦେବାକୁ ହେବ ପାସ୍ କରି ନ ପାରିଲେ ଦଣ୍ଡଭୋଗ କରିବାକୁ ହେବ ନିଶ୍ଚୟ ଜାଣିଥା ।’’

 

ଲଳିତାର ମନ ବଦଳିଗଲା । ଫିସ୍ କରି ହସିଦେଇ ମନେ ମନେ ସେ କହିଲା–‘‘ଇଃ, ଭାରି ପରୀକ୍ଷା କଲାବାଲା । ଭାରି ଦଣ୍ଡ ଦେଲାବାଲା !’’

 

ପୁଣି ପଢ଼ିଲା:–

 

‘‘ଖୁଡ଼ି କିମ୍ବା ଦାଦାଙ୍କ ମନରେ କଷ୍ଟ ଜାତ ହେବାଭଳି କୌଣସି କାର୍ଯ୍ୟ କରିବୁ ନାହିଁ । ତାଙ୍କର ଉପଦେଶାନୁସାରେ ଚଳୁଥିବୁ । ଦଶହରାକୁ ଗ୍ରାମକୁ ଗଲେ, ତୋଲାଗି କଣ ନେବି, ଲେଖିବୁ । କି ଜିନିଷଟି ନେଲେ ତୋ ମନକୁ ପାଇବ ଭାବି ସ୍ଥିର କରିପାରୁ ନାହିଁ । ବିଶେଷତଃ ତୋ ଜିନିଷ ତୋର ଠିକ୍ କରିବା ଉଚିତ । ଶୀଘ୍ର ପତ୍ର ଦେବୁ–ବିଳମ୍ବ କରିବୁ ନାହିଁ । ତୋର ଏବଂ ଗ୍ରାମର ସମସ୍ତ ଖବର ବିଶେଷ ଭାବରେ ଲେଖିବୁ । ବିଦାୟ ନେଉଛି ।

 

ତୋର ଶୁଭାକାଙ୍କ୍ଷୀ

ନବ ଭାଇ’’

Image

 

ଚତୁର୍ଥ ପରିଚ୍ଛେଦ

 

ଲଳିତା ସେହି କ୍ଷୁଦ୍ର ପ୍ରକୋଷ୍ଠ ମଧ୍ୟରେ ଦେଖିବାକୁ ପାଇଲା, ନବ ଭାଇ ତାର ଅତି ନିକଟରେ ବସି ସତେ ଯେପରି କଥାଗୁଡ଼ାଏ କହି ଯାଉଛନ୍ତି । ଆନନ୍ଦାତିଶଯ୍ୟରେ ତା’ର ସର୍ବାଙ୍ଗ କଣ୍ଟକିତ ହୋଇଉଠିଲା । ଆଖି ଦି’ଟା ମନକୁ ବୁଜି ହୋଇଗଲା । କ୍ଷଣକ ପରେ ସେ ସ୍ୱପ୍ନପୁରୀରୁ ଫେରି ଆସି ପ୍ରତ୍ୟୁତ୍ତର ଲେଖିବାକୁ ଆରମ୍ଭ କଲା ।

 

‘‘ନବ ଭାଇ,

 

ମୋର ପ୍ରଣାମ ଗ୍ରହଣ କରିବ । ତମର ପତ୍ରଖଣ୍ଡିକ ଆଜି ସନ୍ଧ୍ୟାରେ ପାଇଲି । ପାଠ କଲି; କିନ୍ତୁ ପତ୍ର ପାଠ କରି ମୁଁ ଯେଉଁ ବେଦନା ଅନୁଭବ କରୁଛି, ତାହା ଏ ଲେଖନୀରେ ପ୍ରକାଶ କରିହେବ ନାହିଁ, କି ପ୍ରକାଶ କରି ପାରିବା ଭଳି ଶକ୍ତି ମୋର ନାହିଁ । ମୋ ଲାଗି ବ୍ୟସ୍ତ ହେଉଚ ? ଛି, ତୁମେ ପରା ମୋତେ ବୁଝାଉଥିଲ ? ତୁମର ପୁଣି ଏ ଦୁର୍ବଳତା କାହିଁକି ? ମୁଁ ଏଠାରେ ବେଶ୍ ଭଲ ଅଛି । ବାପା ଓ ବୋଉ ଭଲ ଅଛନ୍ତି । ଚମ୍ପୀ ସବୁଦିନ ତମ କଥା ମନେ ପକାଇ ମୋତେ ବଡ଼ କଷ୍ଟ ଦେଉଛି, କାହାରିକୁ ମାନୁ ନାହିଁ; ତମେ ଆସିଲେ ତା’ କଥା ବୁଝିବ, ତାକୁ ଦଣ୍ଡ ଦେବ । ଗ୍ରାମର ଅନ୍ୟାନ୍ୟ ସମସ୍ତ ମଙ୍ଗଳ । ବଡ଼ ବୋଉଙ୍କର ଜ୍ୱର କିନ୍ତୁ ଏ ପର୍ଯ୍ୟନ୍ତ ଭଲ ହୋଇ ନାହିଁ; ବରଂ ଦିନକୁ ଦିନ ବୃଦ୍ଧି ହେଉଛି । ତମେ ଦଶହରାକୁ ନିଶ୍ଚୟ ଆସିବ–ତମକୁ ମୋ ରାଣ ।

 

‘‘ତମେ ଦେଇ ଯାଇଥିବା ବହି ସବୁ ମନ ଦେଇ ପଢ଼ୁଛି । ଆସିଲେ ମୋ ଠାରୁ ପରୀକ୍ଷା ନେବ ବୋଲି ଲେଖିଛ ପରା ? କିନ୍ତୁ ମୋ ନିକଟରେ ତମର ଏକ ପ୍ରଧାନ ପରୀକ୍ଷା–‘ଦଶହରା ଛୁଟିରେ ଗ୍ରାମକୁ ଆସିବା ।’ ତମେ ନିଜେ ପରୀକ୍ଷାରେ ପାସ୍ କଲେ ସିନା ମୋଠାରୁ ପରୀକ୍ଷା ନେବ-?

 

‘‘ମୋ ଲାଗି କୌଣସି ଜିନିଷ ଆଣିବା ଦରକାର ନାହିଁ । ମୋର କୌଣସି ପଦାର୍ଥର ଆବଶ୍ୟକ ନାହିଁ–ଆବଶ୍ୟକ କେବଳ ତମର ଦର୍ଶନ ମାତ୍ର । ମୋଠାରେ ଯଦି ପ୍ରକୃତରେ ତମର ସ୍ନେହ ଥାଏ, ତେବେ ଦଶହରାକୁ ସେହି ଦର୍ଶନରୂପ ଉପହାରଟି ଦେଇ ସନ୍ତୁଷ୍ଟ କରାଇବାକୁ ବିସ୍ମୃତ ହେବ ନାହିଁ ।

 

‘‘ପତ୍ର ଅପେକ୍ଷାରେ ରହିଲି । ବିଳମ୍ବ କରିବ ନାହିଁ । ଶୀଘ୍ର ତମର ଶାରୀରିକ କୁଶଳାଦି ଲେଖି ସନ୍ତପ୍ତ ପ୍ରାଣକୁ ଶୀତଳ କରାଇବ । ମୋ ରାଣ ତମକୁ, ମୋ ବିଷୟ ଭାବି କଷ୍ଟ ପାଇବ ନାହିଁ-। ମୁଁ ଏଠାରେ ଖୁବ୍ ଭଲ ଅଛି । ଇତି ।

 

ତମର

ସ୍ନେହାଧୀନା

ଲଳିତା’’

 

ଲଳିତା ପତ୍ରଖଣ୍ଡିକ ବନ୍ଦ କରି ହାତବାକ୍ସ ଭିତରେ ରଖିଦେଇ ଯେତେବେଳେ ପଦାକୁ ଆସିଲା, ଦେଖିଲା ଚୁଲି ଜଳୁ ନାହିଁ । ନିଜ ମନକୁ କହି ଉଠିଲା–‘‘କଣ ? ରୋଷେଇ ସରିଲାଣି ? ଏତେ ରାତି କେତେବେଳେ ହୋଇଗଲା ?’’

 

ସେହି ସମୟରେ ରାଧିକା ଦେଈ ଘର ଭିତରୁ ପଦାକୁ ବାହାରି ପଡ଼ିଲେ । ଲଳିତା ବୋଉଙ୍କ ଆଡ଼କୁ ଟିକିଏ ଅଗ୍ରସର ହୋଇ କହିଲା–‘‘ବୋଉ, ନବ ଭାଇ ଆଜି ଖଣ୍ଡେ ଚିଠି ଦେଇଛନ୍ତି ।’’ କେବଳ ‘ପୋତେଇ ପୋଖରୀ’ ହୁଡ଼ାର ଘଟଣାଟି ଭିନ୍ନ, ନବକିଶୋର ଯାହା ଯାହା ପତ୍ରରେ ଲେଖିଥିଲେ, ସମସ୍ତ ଗୋଟି ଗୋଟି କରି ରାଧିକା ଦେଈଙ୍କ ପାଖରେ କହିଗଲା । ରାଧିକା ଦେଈ ସେ ସମସ୍ତ ଶୁଣି ବଡ଼ ଆନନ୍ଦିତ ହେଲେ ଏବଂ ସେହି ମୁହୂର୍ତ୍ତରେ ରଙ୍ଗାଧରଙ୍କ କର୍ଣ୍ଣଗୋଚର କରିବାକୁ ଭୁଲିଲେ ନାହିଁ ।

 

ରଙ୍ଗାଧର ଘରକୁ ଆସିଲାବେଳେ ଗ୍ରାମରୁ ନାନା ପ୍ରକାର ବିଦ୍ରୁପ କଥା ଶୁଣି ଯେଉଁ ସନ୍ଦେହ କରିଥିଲେ, ଏତେବେଳେ ତାଙ୍କର ସେ ସନ୍ଦେହ ଦୂର ହେଲା । ସେ ମଧ୍ୟ ଏ ବିଷୟରେ ବଡ଼ ଆନନ୍ଦ ଅନୁଭବ କଲେ । ମାତ୍ର ସେ ଆନନ୍ଦଟିକ ସଲିଳପୂର୍ଣ୍ଣ ପାତ୍ରରେ କ୍ଷୁଦ୍ର ଲବଣ ଖଣ୍ଡବତ୍ ସେହିକ୍ଷଣି ମିଳାଇଗଲା । ଜଣେ ପ୍ରକୃତ ଋଷି ହୋଇଥାଉ, ପାଞ୍ଚ ଜଣ ଯଦି ଚୋର କହନ୍ତି, ତେବେ ସେ ଚୋର ବୋଲି ପ୍ରମାଣିତ ହେବ ସିନା ।

 

ସ୍ୱାମୀ, ସ୍ତ୍ରୀ ଦୁଇ ଜଣ କେତେ ସମୟ ପରାମର୍ଶ କଲାପରେ ରଙ୍ଗାଧର ଦାଣ୍ଡ ଆଡ଼କୁ ଚାଲିଗଲେ । ରାଧିକା ଦେଈ ଲଳିତାକୁ ପାଖକୁ ଡ଼ାକି କହିଲେ, ‘‘ଆଜି ବାପା ତୋର ବିଲରୁ ଆସିଲାବେଳେ ଗାଁରୁ ବାର ପ୍ରକାର କଥା ଶୁଣିଲେ । ସମସ୍ତେ ଛି ଛା କରୁଛନ୍ତି । କିଏ କହୁଚି, ସେ ଅମୁକେଇ ପଟ୍ଟନାୟକ ଝିଅଟା ଖରାପ ହୋଇଗଲା । କିଏ କହୁଚି, ପିଲାଦିନରୁ ଜଣା ଅଛି, ଇସ୍କୁଲରେ ଯାଇ ଇଂରେଜୀ ପାଠ ପଢ଼ୁଥିଲା । ଯେଉଁ କଥା କାନରେ ଶୁଣା ନଥିଲା, ଏବେ ଆଖିରେ ଦେଖାଗଲା । ଅଭିଆଡ଼ି ଝିଅଟା ନାଁ ରେ କଲିକତା ପୃଥ୍ୱୀରୁ ଚିଠି ଆସୁଚି । ଆହୁରି ତ କେତେ କଥା–କହି ବସିଲେ ରାତି ଅଣ୍ଟିବ ନାହିଁ । ତୋ ବାପା ପରା ଏହିକ୍ଷଣି ସେହି କଥାସବୁ କହୁଥିଲେ । ତାଙ୍କୁ ଏକଥା ସବୁ ଭାରି ବାଧୁଛି । ଯାହା ହେଉ, ନବ କଲିକତାରେ ଭଲରେ ଥାଉ । ମା କାଳୀ ତାକୁ ଶୁଭରେ ରଖିଥାନ୍ତୁ । ସେ ଗାଁକୁ ଆସିଲେ ଯାହା କଥାବାର୍ତ୍ତା ହେବ । ତୁ କାଲି ଖଣ୍ଡେ ଚିଠି ଲେଖିଦେ । ସେ ଯେପରି ଆଉ ତୋ’ ପାଖକୁ ଚିଠିପତ୍ର ନ ଦିଏ ।’’

 

ଏକ ମାସ ବିଚ୍ଛେଦ ପରେ ଆଜି ପତ୍ର ଖଣ୍ଡିଏ ପାଇ ଲଳିତା ଯେଉଁ ଅପାର ଆନନ୍ଦ ଅନୁଭବ କରୁଥିଲା, ମାତାଙ୍କର ଏହି ଶେଷୋକ୍ତ ଆଦେଶଟିରେ ତା’ର ସମସ୍ତ ଆନନ୍ଦ ଓ ଆଶା ପଲକରେ ଚୂର୍ଣ୍ଣୀଭୂତ ହୋଇଗଲା । ତା’ର ଚଞ୍ଚଳ ହୃଦୟ ସ୍ଥିର ହୋଇଗଲା; ଦଶଦିଗ ତାକୁ ଅନ୍ଧାର ଦିଶିଲା । ତା’ ମୁଣ୍ଡରେ ସତେ ଯେପରି ବଜ୍ରପାତ ହୋଇଗଲା । ସେ ନୀରବରେ ତା’ର ବିଛଣାରେ ବସି ଭାବିବାକୁ ଲାଗିଲା–‘‘ସ୍କୁଲରେ ପଢ଼ିବାବେଳେ ମୁଁ ତ କେତେ ବାର ଦେଖିଛି, ବିପିନ୍ ବାବୁଙ୍କ ପାଖକୁ ତାଙ୍କ ସ୍ତ୍ରୀ ଚିଠି ଦିଅନ୍ତି । ବିପିନ୍ ବାବୁ ମଧ୍ୟ ତାଙ୍କ ଝିଅ ଓ ସ୍ତ୍ରୀଙ୍କ ପାଖକୁ ବରାବର ଚିଠି ଦିଅନ୍ତି । ସ୍ତ୍ରୀ ନାଁରେ ଚିଠି ଆସିଲେ କ’ଣ ପାପ ଅଛି ? ତାହା ହେଲେ ସେ ଶିକ୍ଷିତ ହୋଇ ନିଜ ସ୍ତ୍ରୀ ନାଁରେ ଚିଠି ଦେଉଥିଲେ କିପରି ? ମୁଁ କିନ୍ତୁ ନବ ଭାଇଙ୍କର ନିଜର କେହି ନୁହେଁ । ନିଜର ଲୋକ ନ ହେଲେ କଅଣ ପାପ ହେବ ? କାହିଁକି, ବନ୍ଧୁ କ’ଣ ବନ୍ଧୁ ପାଖକୁ ପତ୍ର ଦିଏ ନାହିଁ ? ନବ ଭାଇ ମୋର ସାଙ୍ଗ, ବନ୍ଧୁ । ପତ୍ର ଦେଲେ ଦୋଷ କଅଣ ? ପତ୍ରଖଣ୍ଡେ ଦେବାଦ୍ୱାରା ଯଦି ସମ୍ମାନ ନଷ୍ଟ ହୁଏ, ତେବେ ବଢ଼େ କାହିଁରେ ? ଦୁଇ ପଦ କଥାବାର୍ତ୍ତାରେ ଯଦି ଗୋଟାଏ ଅପ୍ରାପ୍ତବୟସ୍କା ବାଳିକାର କଳଙ୍କ ରଚନା ହୁଏ, ତେବେ ସତୀ ସାଧ୍ୱୀ ହେବେ କଅଣ ବୋଝ ମୁଣ୍ଡାଇ ହାଟବାଟରେ ବୁଲିଲେ ? ଯେଉଁମାନେ ବୋଝ ମୁଣ୍ଡାଇ ଦାଣ୍ଡବଜାରରେ ବୁଲି ବ୍ୟବସାୟ କରୁଛନ୍ତି, ସେମାନେ ଜଣେ ବାଳିକାକୁ ସମାଲୋଚନା କରିବାରେ ଶତଜିହ୍ୱ; ତହିଁରେ ପୁଣି ଆବାଳବୃଦ୍ଧବନିତା ସମସ୍ତେ ଏକମତ । ହାୟ ! ଭଗବାନ, କି କୁ ପ୍ରଥା !’’

 

ଭାବି ଭାବି ଲଳିତା କ୍ଳାନ୍ତି ହୋଇ ପଡ଼ିଲା, ତା’ପରେ ନବକିଶୋରଙ୍କ ପାଖକୁ ଲେଖିଥିବା ପତ୍ର ଖଣ୍ଡି ବାହାର କଲା ଚିରିଦେବ ବୋଲି । ପତ୍ରଖଣ୍ଡି ହାତରେ ଧରି ଭାବିଲା–‘‘ସେ ପତ୍ର ଖଣ୍ଡେ ଦେଇ କେଡ଼େ ଆଶାରେ ମୋର ପ୍ରତ୍ୟୁତ୍ତରକୁ ଚାହିଁ ରହିଥିବେ । ମୁଁ କିପରି ପତ୍ର ଦେବାକୁ ନିଷେଧ କରି ଲେଖିବି ? ମୋର ଏ ପତ୍ର ପାଇଲେ ସେ ତ ଆଉ ପତ୍ର ଦେବେ ନାହିଁ । ତାଙ୍କଠାରୁ ପତ୍ର ନ ପାଇଲେ ମୁଁ ଯେ ରହିପାରିବି ନାହିଁ । କ’ଣ କରିବି ପ୍ରଭୁ ? ବୁଦ୍ଧି ଦିଅ–ବଳ ଦିଅ-।’’ ଟିକିଏ ଚିନ୍ତା କରି ବଡ଼ ପାଟିରେ ସେ କହି ଉଠିଲା–‘‘ନା, ଏ ପତ୍ରଖଣ୍ଡ ଦେବି–ଆଉ କିଛି ଦିନ ଗଲେ ପଛେ ପତ୍ର ଦେବାକୁ ନିଷେଧ କରି ଲେଖିବି ।’’

 

ଗତକାଲି ପଞ୍ଚମୀ ପୂଜା ଚାଲିଗଲା । ସନ୍ଧ୍ୟା ପର୍ଯ୍ୟନ୍ତ ଚାହିଁ ଚାହିଁ ନବକିଶୋର ଆସିଲେ ନାହିଁ । ନାନା ପ୍ରକାର ଦୁଶ୍ଚିନ୍ତା ଲଳିତାର ହୃଦୟକୁ ମନ୍ଥି ପକାଇଲା । ନବଭାଇ ସର ଅପା ପାଖକୁ ଚିଠି ଦେଇଥିଲେ, ପଞ୍ଚମୀ ପୂଜା ଦିନ ଘରେ ପହଞ୍ଚିବାକୁ–ନ ଆସିଲେ କାହିଁକି ? ପଥରେ କଣ କୌଣସି ପ୍ରକାର ବାଧାବିଘ୍ନ ଘଟିଲା ? ନା, ତାଙ୍କର ଦେହ ଭଲ ନାହିଁ ? କିମ୍ବା କଲିକତାରେ ଦୁର୍ଗାପୂଜା ଦେଖିବା ଉଦ୍ଦେଶ୍ୟରେ ରହିଗଲେ ? ଲଳିତା କୌଣସି ସ୍ଥିର ସିଦ୍ଧାନ୍ତରେ ଉପସ୍ଥିତ ହୋଇପାରିଲା ନାହିଁ । ତାର ଅନ୍ତରାତ୍ମା ହା ହା କରିବାକୁ ଲାଗିଲା । ମୁଣ୍ଡ ବିନ୍ଧୁଛି କହି ସେ ରାତିରେ ନ ଖାଇ ନ ପିଇ ବିଛଣାରେ ପଡ଼ି ରହିଲା । ହେଲେ, ନିଦ କଣ ହେଉଛି ? କିପରି ବା ନିଦ ହେବ-? ସୁଦୀର୍ଘ ପାଞ୍ଚ ମାସ କାଳ ଧରି ଯାହାର ଅଦର୍ଶନରେ ଅଭାବନୀୟ ବିଚ୍ଛେଦ ଯନ୍ତ୍ରଣା ଅନୁଭବ କରୁଥିଲା, ସେ ଆଜି ନିରୁଦ୍ଦେଶ୍ୟ–କେଉଁ ହୃଦୟହୀନ ବ୍ୟକ୍ତି ଭଲା କହିବ, ଲଳିତା ଆଜି ନିଶ୍ଚିନ୍ତରେ ନିଦ୍ରା ଯାଇପାରେ ?

 

ଲଳିତା ଜୀବନ୍ମୃତ ପରି ବିଛଣାରେ ପଡ଼ି ନବକିଶୋରଙ୍କ ବିଷୟରେ କେତେ କଣ ଭାବୁଛି । ନିମେଷ ମାତ୍ର ଚକ୍ଷୁ ମୁଦ୍ରିତ ହେଲାକ୍ଷଣି, କି ଏକ ଅଜ୍ଞାତ ଆଶାଙ୍କାରେ ଚମକି ଉଠୁଛି । ଉତ୍କର୍ଣ୍ଣ ହୋଇ ଦ୍ୱାର ଆଡ଼େ ଚାହିଁ ରହୁଛି । ସୁପ୍ତ ବିହଙ୍ଗମମାନଙ୍କର ପକ୍ଷ ଫଡ଼ ଫଡ଼ ଶବ୍ଦ ଶୁଣି ଭାବୁଛି, ‘ନବଭାଇ ଆସି କବାଟରେ ହାତ ମାରି ଡ଼ାକୁଛନ୍ତି ପରା ।’ ତରବରରେ ଉଠିଆସି କବାଟ ଖୋଲି ବାହାରକୁ ଚାହୁଁଛି । ଏ କଣ ? ଚତୁର୍ଦ୍ଦିଗରେ ବିଶ୍ୱଗ୍ରାସୀ ଘନ ଅନ୍ଧକାର ଭିନ୍ନ କିଛି ନାହିଁ । ଦୀର୍ଘନିଃଶ୍ୱାସ ତ୍ୟାଗ କରି ପୁଣି ଯଥାସ୍ଥାନକୁ ଫେରି ଯାଉଛି । କେବେ କେବେ କୁକୁରମାନଙ୍କର ଶବ୍ଦ ଶୁଣି ଭାବୁଛି, ‘ନବଭାଇ ଆସିବାର ଦେଖି କୁକୁରମାନେ ଶବ୍ଦ କରୁଛନ୍ତି ବୋଧହୁଏ ।’ ଏହିପରି ନାନା ଦୁଶ୍ଚିନ୍ତାରେ ତାର ଅନ୍ତସ୍ଥଳ ଦଗ୍ଧ ହେବାକୁ ଲାଗିଲା ହାୟ ! ଯେଉଁ ଖଳ ଲୋକମାନେ ତା’ ନାମରେ ବୃଥା କଳଙ୍କ ରଚନା କରିବାକୁ କୁଣ୍ଠାବୋଧ କରୁ ନାହାନ୍ତି, ସେମାନେ ବର୍ତ୍ତମାନ ତାର ହୃଦୟକୁ ଦେଖନ୍ତେ କି–ଜାଣନ୍ତେ, ସେ କିପରି ପବିତ୍ର ଦୃଷ୍ଟିରେ ନବକିଶୋରଙ୍କୁ ଦେଖେ–କି ସ୍ୱର୍ଗୀୟ ସମ୍ପଦରେ ତାର ହୃଦୟ ପରିପୂର୍ଣ୍ଣ ।

 

ସାରା ରାତ୍ରିଟାଯାକ ଅନିଦ୍ରା; ତା ଉପରେ ପୁଣି ମାନସିକ ଅଶାନ୍ତି । ମୁଣ୍ଡ ଏକବାରେ ଗରମ ହୋଇଯାଇଛି । ସକାଳୁ ଟିକିଏ ଜ୍ୱର ଜ୍ୱର ମାଲୁମ ହେବାରୁ, ସେ ସେହି ବାସି ବିଛଣାରେ ଶୋଇ ରହିଛି । ରାଧିକା ଦେଈ ଆସି କପାଳରେ ହାତ ମାରି ପରୀକ୍ଷା କଲେ । ପ୍ରକୃତରେ ଜ୍ୱର ହୋଇଛି । ‘ଶୋଇଥା’ କହି ସେ ଗୃହକାର୍ଯ୍ୟରେ ମନ ଦେଲେ ।

Image

 

ପଞ୍ଚମ ପରିଚ୍ଛେଦ

 

ବେଳ ପ୍ରାୟ ୯ଟା ହେବ । ନବକିଶୋର ଗ୍ରାମସୀମାରେ ପହଞ୍ଚିଲେ, ଧୂଳିଘର ଖେଳ ଛାଡ଼ି ଅଛୁତି ଉଠିପଡ଼ି କହିଲା–‘‘ହେଇଟି ନବଭାଇ ଆଇଲାଣି ।’’ ଫକୀରା ଓ ଜଗା ସ୍ୱାଇଁ ପୁଅ ଶ୍ରୀରାମ ଦୁଇ ଜଣଯାକ ଉଠିପଡ଼ି କହିଲେ–‘‘ସତେ ତ, ନବ ମାମୁଁ ଆଇଲାଣି ।’’ ପିଲା ତିନିଜଣ ନବକିଶୋରଙ୍କ ଆଗେ ଆଗେ ଗାଁଯାକ ହୁରି କରି କରି ଦୌଡ଼ିଲେ । ସେମାନଙ୍କର ଆନନ୍ଦ ହୃଦୟରେ ଧରୁ ନାହିଁ । କିଏ ତାର ସାଙ୍ଗର ନାମ ଧରି ଡ଼ାକି କହୁଛି ‘‘ଦୌଡ଼ିଆ, ନବ ଭାଇ ଆଇଚି-।’’ କିଏ କହୁଛି–‘‘ନବ ଦାଦା ଘରକୁ ଯିବା ଆରେ !’’ ଏହିପରି କେତେ କଣ କହି କହି, ଏକ ନିଃଶ୍ୱାସରେ ଦୌଡ଼ିବାକୁ ଲାଗିଲେ । ପିଲାମାନଙ୍କର ନବକିଶୋରଙ୍କୁ ଦେଖିବା ଲାଗି ଏତେ ଆଗ୍ରହର କାରଣ, ସେ ଗାଉଁଲି ଅନ୍ୟାନ୍ୟ ଲୋକମାନଙ୍କ ପରି ଦିଶୁ ନାହାନ୍ତି–ତାଙ୍କର ପୋଷାକ ପରିଚ୍ଛଦ ଅଲଗା ଓ ପରିଷ୍କାର ପରିଚ୍ଛନ୍ନ । ଗୋଡ଼ରେ ଚଢ଼ଉ ଜୋତା, ହାତରେ ଚମଡ଼ାର ବ୍ୟାଗଟି–ଏ ସମସ୍ତ ସେମାନଙ୍କୁ ନୂତନ ବୋଧ ହେଉଛି । ବିଶେଷତଃ, ସେ କଲିକତା ଯାଇଥିଲେ ପଢ଼ିବାକୁ । ପାଠ ପଢ଼ିଲେ ବାବୁ ବୋଲି ପରିଚିତ ହୁଅନ୍ତି, ଏ କଥା ସେମାନଙ୍କୁ ଅବିଦିତ ନ ଥିଲା । ସେମାନେ ଅନେକ ସମୟରେ ନିଜର ପିତାମାତାଙ୍କଠାରୁ ଶୁଣିବାକୁ ପାଇଛନ୍ତି, ‘ନବକିଶୋର ପାଠ ପଢ଼ି ବାବୁ ହେବ ।’ ତେଣୁ ନବକିଶୋରଙ୍କୁ ଦେଖିବାକୁ ସେମାନଙ୍କର ଏକା କାହିଁକି, ଗ୍ରାମର ସ୍ତ୍ରୀପୁରୁଷ ସମସ୍ତଙ୍କର ବଡ଼ ଇଚ୍ଛା । ପିଲାମାନଙ୍କର ତୁଣ୍ଡ–ଡ଼ିଣ୍ଡିମ ଯାହା କାନରେ ପଡ଼ିଲା, ସେମାନେ ଦୌଡ଼ିଲେ ନବକିଶୋରଙ୍କୁ ଦେଖିବାକୁ ।

ଶରଧା ଦେଈ ଦଣ୍ଡେ ହେଲା ବିଛଣାରୁ ଉଠି ପୋଖରୀକୁ ଯାଇଛନ୍ତି । ସର ବାରିଆଡ଼େ ଗୋଟାଏ କଖାରୁ ଗଛକୁ ରଞ୍ଜା ବାନ୍ଧୁଛି । ନବକିଶୋର ହାତ–ବ୍ୟାଗଟି ତଳେ ଥୋଇ ଦେଇ ପିଣ୍ଡା ଉପରେ ବସିଗଲେ । ଅଛୁତି ଫକୀରା ପ୍ରଭୃତି ପିଲାମାନେ ଧଇଁ ସଇଁ ହୋଇ ତାଙ୍କ ପାଖରେ ଠିଆ ହୋଇଗଲେ । ଶନିଆ ମା, ଦୁଲୀ, ନାଭୀ, ସୁବନ ଓ ଶଙ୍କରୀ ମା ପ୍ରଭୃତି ଦଶ ବାର ଜଣ ସରିକି ମାଇପେ ଆସି ବେଢ଼ିଗଲେ । ଶନିଆ ମା ଆଗ କହିଲା, ‘‘ତୁ ଆସିଲା ବେଳକୁ ବାପା କଣ କରୁଥିଲେ ରେ ନବ ।” ନବକିଶୋର ଉତ୍ତର ଦେବାକୁ ଉଦ୍ୟତ ହେଲାବେଳକୁ ସୁବନ କହିଲା–‘‘ତୁ କେଉଁ ବାଟେ ଅଇଲୁ ? ଜାହାଜରେ ନାଁ ରେଳରେ ?” ସୁବନର କଥା ନ ସରୁଣୁ ନାଭୀ କହିଲା–‘‘କାଲି ପଞ୍ଚମୀରେ ଆସିବାକୁ ନେଖିଥେଲ ପରା ଆସିଲ ନାହଁ କାହଁକି ?” କେତେ ପ୍ରକାର ଯେ ପ୍ରଶ୍ନ ଉଠିଲା, ତାର ସଂଖ୍ୟା ନାହିଁ । ଜଣେ ପ୍ରଶ୍ନ କରିଛି, ତାର ଉତ୍ତର ମିଳି ନାହିଁ–ସେଥିପାଇଁ କେହି ଅପେକ୍ଷା କରୁ ନାହାନ୍ତି । ପ୍ରତ୍ୟେକ ବିଭିନ୍ନ ପ୍ରକାର ପ୍ରଶ୍ନ କରିବାରେ ବ୍ୟସ୍ତ । ଆଗନ୍ତୁକ ବିଚରା ଏବେ କାହା ପ୍ରଶ୍ନର ଉତ୍ତର ଦେବ ? ଉତ୍ତର ଦେବା ପାଇଁ ତାର ବା ଅବସର କାହିଁ ?

ଏମାନଙ୍କର ଏପରି ବ୍ୟସ୍ତତା ଦେଖି ନବକିଶୋର କାହାର ପ୍ରଶ୍ନର ଉତ୍ତର ନ ଦେଇ, କେବଳ ମୁରୁକି ହସରେ ସମସ୍ତଙ୍କୁ, ସନ୍ତୁଷ୍ଟ କରିବାର ଚେଷ୍ଟା କଲେ । କିଛି କ୍ଷଣ ଏହିପରି ଅତିବାହିତ ହେବା ପରେ, ସର ଓ ଶରଧା ଦେଈ ଉଭୟେ ଆସି ପହଞ୍ଚିଗଲେ । ନବକିଶୋରଙ୍କୁ ଦେଖିବା ମାତ୍ରେ ଶରଧା ଦେଈଙ୍କର ରୋଗଯନ୍ତ୍ରଣା ତିରୋହିତ ହୋଇଗଲା । ବୁକୁଭରା ଆନନ୍ଦରେ ସେ ନାଚି ଉଠିଲେ । ନବକିଶୋର ମୁଣ୍ଡ ନୁଆଇଁ ଚରଣ ବନ୍ଦନା କରନ୍ତେ, ସେ ପଣନ୍ତ କାନିରେ ତାଙ୍କୁ ଝାଡ଼ି ଝୁଡ଼ି ଦେଇ ଦୀର୍ଘାୟୁ କାମନା କଲେ । ତାପରେ ସର, ପିତାଙ୍କର ଏବଂ ନବକଶୋରଙ୍କର କୁଶଳ ପ୍ରଶ୍ନ ଜିଜ୍ଞାସା କରିବାକୁ ଲାଗିଲା । କିନ୍ତୁ ନବକିଶୋର ଗୋଟାଏ ଯୋଡ଼ାଏ ପ୍ରଶ୍ନର ଉତ୍ତର ଦେଇ ଚୁପ୍ ରହିଲେ । କଣ ଉତ୍ତର ଦେବେ, କାହା ପ୍ରଶ୍ନର ଉତ୍ତର ଦେବେ, କିଛି ଭାବି ପାରିଲେ ନାହିଁ । କାରଣ ଜନତା କ୍ରମେ ବଢ଼ୁଛି । ସେହି ଅନୁପାତରେ ପ୍ରଶ୍ନର ସଂଖ୍ୟା ମଧ୍ୟ ବଢ଼ିବାକୁ ଲାଗିଲା । ସେ ‘‘ସବୁଠାରୁ ଚୁପ୍ ଭଲ’’ ନୀତିରେ ନୀରବରେ ବସି ରହିବାକୁ ମନସ୍ଥ କଲେ; କିନ୍ତୁ କାର୍ଯ୍ୟକ୍ଷେତ୍ରରେ ପାଳନ କରି ପାରିଲେ ନାହିଁ । କି ଉପାୟରେ ସେମାନଙ୍କଠାରୁ ଅବ୍ୟାହତି ଲାଭ କରିବେ, ଏହି ବିଷୟ ଚିନ୍ତା କରି ବଡ଼ ଉଦ୍ଦିଗ୍ନ ହୋଇଉଠିଲେ । ତାଙ୍କୁ ଏ ସବୁ ଆଦୌ ରୁଚିକର ହେଉ ନାହିଁ । ବିଶେଷତଃ ସେ ଦୁଇଦିନ ହେଲା ଅନ୍ନ ସହିତ ସାକ୍ଷାତ୍‌ କରି ନାହାନ୍ତି । ଜଳଖିଆରେ ଦେହଟା ଶୁଷ୍କ ଜଣାଯାଉଛି । ତା ପରେ ୩ ମାଇଲ ବାଟ ଚାଲି ଆସିବାକୁ ପଡ଼ିଛି । ସେଥିରେ ଟିକିଏ ଦୁର୍ବଳ ବୋଧ କରୁଛନ୍ତି । ସେ ବର୍ହିଦେଶ ବାହାନାରେ ଖସିଯିବାକୁ ବାହାରିଲେ । ଠିକ୍ ସେତିକିବେଳେ ଲଳିତା, ସମସ୍ତଙ୍କୁ ପଛ କରି ତାଙ୍କ ସମ୍ମୁଖରେ ଉପସ୍ଥିତ ହେଲା-। ତାର ଆଉ ସେ ସକାଳର ଜ୍ୱର ନାହିଁ ସେ ବିଷାଦ–କାଳିମାବୋଳା ନୀରସ ନିଶ୍ଚେଷ୍ଟ ଚେହେରା ନାହିଁ । ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ରୋଗମୁକ୍ତ ଶରତ୍ ଆକାଶର ପୂର୍ଣ୍ଣଚନ୍ଦ୍ରଟିଏ । ତା ଅଧରରେ ବିମଳ ହାସ୍ୟରେଖା, ସଦ୍ୟ ପ୍ରସ୍ଫୁଟିତ ସୂର୍ଯ୍ୟମୁଖୀ ସମ ଉଜ୍ଜ୍ୱଳ ମୁହଁଟି–ନେତ୍ରପ୍ରାନ୍ତରେ ତରଳ ଚାହାଣି, ଠିକ୍ କଳାମେଘରେ ବିଦ୍ୟୁତ ପରି ଚଞ୍ଚଳ ଓ ସରସ–ସୁନ୍ଦର । ନବକିଶୋର ଚାହିଁ ଦେଇ ଉତ୍କଣ୍ଠିତ ଭାବରେ କହିଲେ–‘‘କି ଲଳିତା ! କଣ ଭଲଅଛୁ ? ତୁ–।’’ ଆଉ କଣ କହିବାକୁ ଯାଉଥିଲେ, କହି ପାରିଲେ ନାହିଁ । ପଛରୁ ସତେ ଯେପରି କିଏ ତାଙ୍କର ଗଳା ଚିପି ଧରିଲା । କେବଳ ଜିଜ୍ଞାସୁ ନୟନରେ ଲଳିତା ପ୍ରତି ଚାହିଁ ରହିଲେ । ଲଳିତା ମଧ୍ୟ କିଛି ଉତ୍ତର ନ ଦେଇ, ମୁଣ୍ଡଟି ତଳକୁ ନୁଆଁଇ ନିସ୍ତେଜ ଭାବରେ ଠିଆ ହୋଇ ରହିଲା ।

ବର୍ତ୍ତମାନ ଲଳିତା ପୂର୍ବରୁ ସେ ବିଷର୍ଣ୍ଣବଦନା ବିଚ୍ଛେଦ–ବିଧୁରା, ଚିନ୍ତାକୁଳିତା, ସଜଳନେତ୍ରା ଲଳିତା ନୁହେଁ । ସେ ପ୍ରଫୁଲ୍ଲ ଲୀଳାରବିନ୍ଦବଦନା, ପ୍ରତ୍ୟକ୍ଷ ଲକ୍ଷ୍ମୀରୂପିଣୀ ଲାବଣ୍ୟ ପ୍ରତିମା । ତାର ମନରେ ନବୀନ ଆନନ୍ଦ–ହୃଦୟରେ ନବୀନ ଉଚ୍ଛ୍ୱାସ–ପ୍ରାଣରେ, ନବୀନ ଉନ୍ମାଦନା-। ପୂର୍ବେ ସେ ଦିନେ ଦୁଃଖରେ, ନୈରାଶ୍ୟରେ, ଯାତନାରେ କାତର । ହୋଇ ପଡ଼ିଥିଲା–ତାର ପ୍ରାଣ ପ୍ରାଣ ପରି ନ ଥିଲା, ହୃଦୟ ହୃଦୟ ପରି ନଥିଲା, ମନ ମନ ପରି ନ ଥିଲା, ଏ କଥା ସେ ଚିନ୍ତା କରିବାକୁ ଅବସର ସୁଦ୍ଧା ପାଉନାହିଁ । ସେ ବର୍ତ୍ତମାନ ଆନନ୍ଦର ଚରମ ସୀମାରେ–ଆଶାର କଳ୍ପନାତୀତ ରାଜ୍ୟରେ–ସ୍ଵର୍ଗର ନନ୍ଦନ–କାନନରେ ବିଚରଣ କରୁଛି । ଦିନରାତି କେତେବେଳେ ହେଉଛି, କେତେବେଳେ ଯାଉଛି, ତା ସେ ଜାଣିପାରୁ ନାହିଁ । କେବଳ ଉପଭୋଗ କରୁଛି ଆଶାତୀତ ଆନନ୍ଦ ।

ସୁଖ ବା ଦୁଃଖ ଏକାଦିକ୍ରମେ ଅନୁଭୂତି କରିବା କାହାରି ଭାଗ୍ୟରେ ଘଟେନାହିଁ । ଶଗଡ଼ ଚକ ଘୁରିଲା ପରି, ସୁଖ ପରେ ଦୁଃଖ, ଦୁଃଖ ପରେ ସୁଖ ସର୍ବଦା ଲାଗି ରହିଛି । ଷଷ୍ଠୀ ଦିନଠାରୁ ଲଳିତା ଦୁଃଖ ବା ବିଷାଦ କିପରି ଜାଣେ ନାହିଁ । ମାତ୍ର ସେ ସୁଖର ଦିନଗୁଡ଼ିକ ଅତି ଅଳ୍ପକାଳ ମଧ୍ୟରେ ଏକ ପରେ ଏକ ଗଡ଼ି ଚାଲିଗଲା । ନବକିଶୋର ଗୃହକୁ ଆସିବାର ଅଠର ଦିନ ହୋଇଗଲାଣି । ଆଉ ଦୁଇଦିନ ପରେ ସେ କଲିକତା ଯାତ୍ରା କରିବେ ।

ମେଘ ଅନ୍ଧାର; ମୁହଁକୁ ମୁହଁ ଦିଶୁ ନାହିଁ –ବର୍ଷା ଟୋପା ଟୋପା ପଡ଼ୁଛି । କବାଟ ଦରଆଉଜା କରି ଲଳିତା, ଚମ୍ପୀ ଓ ରାଧିକା ଦେଈ ତିନି ଜଣ ଘର ଭିତରେ ବସି ରଙ୍ଗାଧରଙ୍କର ଅପେକ୍ଷା କରୁଛନ୍ତି । ରାଧିକା ଦେଈ ଗୋଟିଏ କ୍ଷୁଦ୍ର ନିଃଶ୍ୱାସ ତ୍ୟାଗ କରି କହିଲେ–‘‘କଣ କରିବି ? କେତେବେଳେ ଆସିବେ, ରାତି ଆସି ତିନିଘଡ଼ି ହେଲାଣି–ଏ ମେଘ ଅନ୍ଧାର । ଗୋବିନ୍ଦ ଦାଶ ଘରୁ ଏତେବେଳଯାଏ ଆସିଲେ ନାହିଁ–ତେଣେ ଭାଗବତ–’’

କଥା ଶେଷ ହେବା ପୂର୍ବରୁ ଦାଣ୍ଡ କବାଟରେ ଶୁଭିଲା ‘ଠକ୍ ।’ ରାଧିକା ଦେଈ କଥାଟା ସେତିକିରେ ବନ୍ଦ କରି ଚମକି ପଡ଼ି କହିଲେ ‘‘ତୋ ବାପା ଆସିଲେ ପରା–ଯା, କବାଟ ଫିଟାଇ ଦେଇ ଆସିବୁ ଚମ୍ପୀ, ମୋ ମା’ଟା ପରା !’’ ‘‘ନାଇଁ ମୋତେ ଡର ମାଡ଼ିବ’’ କହି ଚମ୍ପୀ ତାଙ୍କର କୋଳରେ ଅଜାଡ଼ି ହୋଇପଡ଼ିଲା । ରାଧିକା ଦେଈ ଆଉ କିଛି ନ କହି, ଚମ୍ପୀକୁ ଆଦରରେ ଯାକି ଧରିଲେ । ‘‘ମୁଁ ଯାଉଛି’’ କହି, ଲଳିତା ଆଲୁଅ ହସ୍ତରେ ଉଠିଗଲା ।

ଘର ଭିତରେ ଗୋଡ଼ ଦେଉ ଦେଉ ନବକିଶୋର କହିଲେ, ‘‘ମୁଁ କାଲି ଯାଉଛି ଲଳିତା ।’’ କଥା ସଙ୍ଗେ ସଙ୍ଗେ ଭିତର ଅଗଣାକୁ ପଶି ଆସିଲେ । ଲଳିତା ତରବର ହୋଇ କିଳିଣିଟା ବନ୍ଦ କରି ଦେଇ ଦ୍ରୁତ ପଦରେ ପଛରୁ ତାଙ୍କର ଗାମୁଛା ଖଣ୍ଡ ଟାଣି ପକାଇଲା । ନବକିଶୋର ଫେରି ପଡ଼ିଲେ-। ଲଳିତା କହିଲା, ‘‘ମୋ’ ରାଣ, ସତେ କାଲି ଯିବ ? ପଅରି ଦିନ ଯିବ ବୋଲି କହୁଥିଲ-?’’

‘‘ତୋର ମୋ ରାଣଟା ବଡ଼ ଅଭ୍ୟାସ । ଆ, ଆ’’ କହି ନବକିଶୋର ଭିତରକୁ ଚାଲିଗଲେ ।

ରାଧିକା ଦେଈ ନବକିଶୋରଙ୍କୁ ଦୂରରୁ ଦେଖି କହିଲେ ‘‘ରାତିଟା–ମେଘ ଅନ୍ଧାରରେ ମୁହଁକୁ ମୁହଁ ଦିଶୁ ନାହିଁ–ଓଦା ସର ସର ହୋଇ ଏ କଣ ? ଏମିତି କି ଜରୁରୀ କାମ ?’’

‘‘ମୁଁ କାଲି ଯାଉଛି ।’’

‘‘କାଲି ଯିବୁ ?’’

‘‘ହଁ’’

ରାଧିକା ଦେଈ ଦଣ୍ଡେ କାଳ ନିସ୍ତବ୍‌ଧ ହୋଇଗଲେ । ଦୁଃଖ ପ୍ରକାଶ କରି ଗମ୍ଭୀର ଭାବରେ କହିଲେ, ‘‘ହଁ, ପଢ଼ା କରିବାକୁ ତ ଯାଉଚୁ–’’ ଆଉ ଅଧେ କଥା ପେଟ ଭିତରେ ରହିଗଲା-। ନିର୍ବାକ ନିଷ୍ପନ୍ଦ ଭାବରେ ସମସ୍ତେ ବସି ରହିଲେ । ଲଳିତା ଆଲୁଅଟି ଧରି ସେହିପରି କାନ୍ଥଭରା ଦେଇ ଠିଆ ହୋଇଛି । କେତେ କ୍ଷଣ ପରେ ଚମ୍ପୀ କହିଲା, ‘‘ଅପା, ବସୁନାଉଁ–ନାଜ କରୁଚୁ କି ?’’ ଚମ୍ପୀ ପିଲା ଲୋକ । ତାର କଣ କିଛି ଜ୍ଞାନ ଅଛି ? କାଳେ ଆଉ କଣ କହି ପକାଏ, ଲଳିତା ଲାଜରେ ସଢ଼ିଯାଇ ବସିପଡ଼ିଲା । ନବକିଶୋର କହିଲେ–‘‘ଖୁଡ଼ି ! ଦାଦା କୁଆଡ଼େ ଯାଇଛନ୍ତି କି ?’’

‘‘ସେ ତ ଗୋବିନ୍ଦ ଦାଶ ଘରକୁ ଯାଇଚନ୍ତି ।’’

‘‘କେତେବେଳେ ଆସିବେ ?’’

‘‘କେଜାଣି କେତେବେଳେ ଆସୁଛନ୍ତି । ଭାଗବତ ସାହୁଘର କଣ କଳିଗୋଳ ଲଗେଇଚନ୍ତି, ସିଠିକି ଫେର ଯିବେ ନିଶାପ କରି ।’’

ନବକିଶୋର କଣ କହିବାକୁ ଯାଉଥିଲେ, ରାଧିକା ଦେଈ ବାଧାଦେଇ କହିଲେ, ‘‘ତାଙ୍କର କଣ, ରାତି ଅଧକୁ ଆସିବେ କି ତିନିପହରକୁ ଆସିବେ । ତୁ ଯା, ଗଣ୍ଡେ ଖାଇ ଦେଇ ଟିକିଏ ଆସକତ ନେବୁ । କାଲି କେତେଗୁରା ବାଟ ଚାଲିବୁ । ରାତି ଅନିଦ୍ରା ହୋଇ ଅନେଇ ବସିବୁ କଣ, ଯା ।’’

‘‘ହଉ, ମୁଁ ତେବେ ଯାଉଛି ଖୁଡ଼ି !’’

ନବକିଶୋର ଉଠି ବସିଲେ । ରାଧିକା ଦେଈ କହିଲେ, ‘‘ରହ ବାପ, ପାନ ଖଣ୍ଡେ ଖାଇଯା ।’ ଲଳିତାକୁ ଲକ୍ଷ୍ୟ କରି କହିଲେ, ‘‘ଠିଆ ହୋଇଚୁ କାହିଁକି ? ଦେଉନାହୁଁ ପାନ ଖଣ୍ଡେ ।’’

ଲଳିତା ପାନ ଭାଙ୍ଗି ବସିଲା । ନବକିଶୋର ପାନ ଅପେକ୍ଷାରେ ପୁଣି ବସିପଡ଼ିଲେ । ଚମ୍ପୀକୁ କହିଲେ, ‘‘ମୁଁ ଯାଉଛି ଚମ୍ପୀ ! ତୁ ଗାଳି ଦେବୁ ନାହିଁ ।’’ ଚମ୍ପୀ ଅପା ମୁହଁକୁ ଚାହିଁ କହିଲା, ‘‘କିଇ’’

ପାନଭଙ୍ଗା ଶେଷ ହେଲା । ଲଳିତା ନବକିଶୋରଙ୍କ ହାତକୁ ପାନ ଖଣ୍ଡେ ବଢ଼ାଇ ଦେଲା-। ତାର ମୁହଁଟି ତଳକୁ ଥିବାରୁ ରାଧିକା ଦେଈ ଦେଖି ପାରିଲେ ନାହିଁ–ଦି ଆଖିରୁ ଦିଟୋପା ଲୋତକ ଗଡ଼ି ପଡ଼ିଲା । କିନ୍ତୁ ସେ ଲୋତକ ଦେଖି ପାରିଲେ ଏକା ଚତୁର ନବକିଶୋର । ସେ ପାନ ଖଣ୍ଡି ହାତରେ ଧରି କହିଲେ, ‘‘ଯାଉଛି ଲଳିତା ! ତୋତେ ଯେଉଁ ବହିସବୁ ଦେଇ ଯାଇଛି, ମନ ଦେଇ ରୀତିମତ ପଢ଼ୁଥିବୁ । ମୁଁ କଲିକତାରେ ପହଞ୍ଚିଲାକ୍ଷଣି ପତ୍ର ଦେବି । ତୁ ବରାବର ପତ୍ର ଦେଉଥିବୁ । କାହାରି କଥା କାନକୁ ନେବୁ ନାହିଁ । ଖୁଡ଼ି, ତମେ ମଧ୍ୟ ସେ ସବୁ କଥା କିଛି ଶୁଣିବ ନାହିଁ । ଯେ ଯାହା କହୁ, ସେଥିରେ ତମର ଯାଏ କେତେ, ଆସେ କେତେ ? ନିଜେ ଯାହା ଭଲ ବୁଝିବ, ସେଇଟା କରିଯିବ । ଦାଦାଙ୍କୁ ସବୁକଥା ବୁଝାଇ ଦେଇଛି । ତମେ ବ୍ୟସ୍ତ ହେବ ନାହିଁ ପରକଥାରେ-।’’

ଲଳିତାକୁ ଲକ୍ଷ୍ୟ କରି କହିଲେ–‘‘ଆମ ଘରର ହାଲଚାଲ ସବୁ ଅପାଠାରୁ ବୁଝି ଲେଖିବୁ–ବୁଝିଲୁ ?’’

ଲଳିତା ସେହିପରି ତଳକୁ ମୁହଁ ପୋତି କହିଲା, ‘‘ତମେ ଗ୍ରୀଷ୍ମଛୁଟିରେ ନିଶ୍ଚୟ ଆସିବ-।’’ ‘ହଁ ନିଶ୍ଚୟ ଆସିବି’ କହି, ନବକିଶୋର ବର୍ଷାର ନିବିଡ଼ ଅନ୍ଧକାର ମଧ୍ୟରେ ଅନ୍ତର୍ହିତ ହୋଇଗଲେ-

Image

 

ଷଷ୍ଠ ପରିଚ୍ଛେଦ

 

ସେଦିନ ଖରାବେଳେ ନବକିଶୋର ତାଙ୍କର ବୈଠକଖାନାରେ ଖଣ୍ଡିଏ ଜୀର୍ଣ୍ଣ ଚଉକି ଉପରେ ବସି, ଭିତ୍ତି–ସଂଲଗ୍ନ ଥାକରେ ଥୁଆ ହୋଇଥିବା ବହିଗୁଡ଼ିକ ଓଲଟାଉଛନ୍ତି । ଶରଧା ଦେଈ ନିଦ୍ରାଭିଭୂତା । ସର ତ ଛ’ଦିନ ହେବ ମାମୁଘରକୁ ଯାଇଛି । ଘର ଭିତରେ ଆଉ କେହି ନାହାନ୍ତି । ଏକା ଝୁମୁରୀ ନବକିଶୋରଙ୍କ ଗୋଡ଼ ପାଖରେ ମ୍ୟାଉଁ ମ୍ୟାଉଁ ଶବ୍ଦ କରି ଏଣେ ତେଣେ ବିଚରଣ କରି ବୁଲୁଛି । ବେଳେବେଳେ ଊର୍ଦ୍ଧ୍ୱକୁ ଲାଞ୍ଜ ଟେକିଦେଇ ଆହ୍ଲାଦରେ ତାଙ୍କ ଗୋଡ଼ରେ ଘଷି ହୋଇ ଯାଉଛି; କିନ୍ତୁ ନବକିଶୋରଙ୍କର ସେଥିପ୍ରତି ଲକ୍ଷ୍ୟ ନାହିଁ କି ବହି ଓଲଟା ଓଲଟିରେ ମଧ୍ୟ ମନ ନାହିଁ-। ସେ ଭାବୁଛନ୍ତି, ମାଟ୍ରିକୁଲେଶନ ତ ପାସ୍ କଲେ, ଏଣିକି ଉପାୟ କଣ । ସାଧାରଣ ଶିକ୍ଷା ବିଭାଗକୁ ଯିବେ, କି ଅନ୍ୟ କୌଣସି ବିଭାଗକୁ ଯିବେ, କିଛି ସ୍ଥିର କରିପାରୁ ନାହାନ୍ତି । ଯଦିବା ସାଧାରଣ ଶିକ୍ଷା ବିଭାଗ ଛାଡ଼ି ଅନ୍ୟ କୌଣସି ବିଭାଗକୁ ଯାନ୍ତି, ତେବେ କେଉଁ ବିଭାଗଟି ତାଙ୍କ ପକ୍ଷରେ ସୁବିଧାଜନକ । ଡାକ୍ତରୀ ପଢ଼ିବେ, କି ଓଭରସିଅର ପଢ଼ିବେ ? ନା ରେଲ୍‌ୱେରେ ଚାକିରୀ କରିବାର ଚେଷ୍ଟା କରିବେ ? ଯଦିଚ ରେଲ୍‌ୱେ ଚାକିରୀଟା ଲାଭଜନକ, ମିଳିବା ତ ସହଜସାଧ୍ୟ ନୁହେଁ; ତେଲଙ୍ଗା ଓ ବଙ୍ଗାଳୀମାନଙ୍କ ଦାଉରେ ଓଡ଼ିଆଙ୍କର ସ୍ଥାନ କାହିଁ ? ଗଲା ବର୍ଷ ବେଙ୍ଗଲ ନାଗପୁର ରେଲ୍‌ୱେରେ କୋଡ଼ିଏଟା କାମ ଖାଲିଥିଲା ଯେ, ବହୁ କଷ୍ଟରେ ଜଣେ ମାତ୍ର ଓଡ଼ିଆ ଭର୍ତ୍ତି ହେଲେ । ନବକିଶୋର କଣ ସତେ ରେଲ୍‌ୱେରେ ଭର୍ତ୍ତି ହୋଇପାରିବେ ? ଆହୁରି ଏକ ପ୍ରଧାନ ଅସୁବିଧା–ସେଥିରେ ବାର ହାକିମ । ସମସ୍ତଙ୍କୁ ସନ୍ତୁଷ୍ଟ କରିବା ପ୍ରଧାନ ଓ ପ୍ରଥମ କର୍ତ୍ତବ୍ୟ । ଯେକୌଣସି ବିଭାଗରେ ଚାକିରୀ ଖୋଜିଲେ, ପ୍ରଥମେ ଗୋଟାଏ ବଡ଼ ରକମର ପୂଜା ଦରକାର । ଏ ରୋଗ ତ ଆଜିକାଲି ଦୁନିଆ ବ୍ୟାପିଗଲାଣି । ନବକିଶୋର ଟଙ୍କାପଇସା ପାଇବେ କେଉଁଠୁ ? ପୂଜା ବା କରିବେ କିପରି ? ପଢ଼ିବାକୁ ହେଲେ ମଧ୍ୟ ଅର୍ଥ ଲୋଡ଼ା । ଏହିପରି ନାନା ଚିନ୍ତାରେ ମଗ୍ନ ହୋଇ, ଅନ୍ୟମନସ୍କ ଭାବରେ ନବକିଶୋର ବହିପତ୍ର ସଜାଡ଼ିବାରେ ବ୍ୟସ୍ତ । ହଠାତ୍ ପୃଷ୍ଠଦେଶରୁ ‘ଝୁମ୍, ଝୁମ୍’ ଶବ୍ଦ ହେଲା । ନବକିଶୋର ମୁହଁ ଫେରାଇ ଚାହିଁଲେ, ଲଳିତା ଧୀର ଭାବରେ ଠିଆ ହୋଇଛି । ନବକିଶୋରଙ୍କର ଚମକ ଦେଖି ଲଳିତା ଟିକିଏ ହସିଦେଲା; ନବକିଶୋର ମଧ୍ୟ ଟିକିଏ ହସିଦେଇ ମୁଣ୍ଡ ହଲାଇ ପ୍ରଶ୍ନ କଲେ, ‘‘କଣ ?’’ ଲଳିତା ନିଜର ଅଙ୍ଗପ୍ରତ୍ୟଙ୍ଗକୁ ଉତ୍ତମରୂପେ ନିରୀକ୍ଷଣ କରି, ସବିସ୍ମୟେ ଉତ୍ତର ଦେଲା–‘କାହିଁ ?’ ନବକିଶୋର ଖୁବ୍ ଗୋଟାଏ ଦୀର୍ଘ ହାସ୍ୟରେ ପ୍ରକୋଷ୍ଠ ପ୍ରକମ୍ପିତ କରି କହିଲେ–’’ କୁଆଡ଼େ ଆସିଲୁ ?’’ ଲଳିତା ସେହିପରି ହରଷ ମୁଖଭଙ୍ଗୀରେ କହିଲା, ‘‘ଦୁଇ ପହରେ କଣ ଗୋଟାଏ ଟେଲିଗ୍ରାମ୍ ଆସିଥିଲା ?’’

 

‘‘ହଁ’’

‘‘କଣ ସେ ଟେଲିଗ୍ରାମ ?’’

‘‘କାହିଁକି ?’’

‘‘ନ କୁହ, ମୁଁ ଜାଣେ ଯେ–ତମେ ପାସ୍ କରିଚ ।’’

‘‘ବେଶ କଥା । ପାସ୍ କଲି ତ ହେଲା କଣ ?’’

‘‘ହେବ ଆଉ କଣ–ପୁରସ୍କାର ବଣ୍ଟା ହେବ ।’’

‘‘ପୁରସ୍କାର ? କାହାକୁ ମ ?’’

‘‘ଆମକୁ ସବୁ, ଆଉ କାହାକୁ ?’’

‘‘ତମକୁ–ଏ କଥାଟିର ଅର୍ଥ ବୁଝିଲି । ଆଉ ଫେର ‘ସବୁ’ କଣ ?’’

 

ନବକିଶୋର ହସି ଉଠିଲେ । ଲଳିତା ମଧ୍ୟ ହସିଦେଲା । ମାତ୍ର ଉଭୟେ ନୀରବ । ମୁହୂର୍ତ୍ତକ ପରେ ନବକିଶୋର ହସି ହସି କହିଲେ, ‘‘ଆଚ୍ଛା କାହିଁକି ? ତମେ ସବୁ କଣ ପାସ୍ କରାଇଦେଲ ?’’ ଉତ୍ତର ଅପେକ୍ଷାରେ ଲଳିତାର ପ୍ରଫୁଲ୍ଲିତ ବଦନ–ସରୋଜକୁ ଟିକିଏ ଚାହିଁଲେ । ମାତ୍ର ପ୍ରଶ୍ନର କୌଣସି ଉତ୍ତର ନ ପାଇ ପୂର୍ବବତ୍ ବହି ସଜାଡ଼ିବାରେ ମନ ଦେଲେ । କିଛିକ୍ଷଣ ଠିଆ ହେବା ପରେ ‘‘ହଉ, ନ ଦେଲ ନାହିଁ, ମୁଁ ଯାଉଛି ’’ କହି ଲଳିତା ପ୍ରସ୍ଥାନ କଲା । ନବକିଶୋର ଚାହିଁଲେ ନାହିଁ–କେବଳ କଥାଟା ଶୁଣିବାକୁ ପାଇଲେ ଓ ଭୂଷଣର ଧ୍ୱନିରୁ ଜାଣିପାରିଲେ, ଲଳିତା ଚାଲିଗଲା । ବହି ଉପରେ ମୁହଁ ରଖି ଡାକିଲେ, ‘‘ଲଳିତା, ଶୁଣିଯା ।’’

 

ଲଳିତା ଫେରି ଆସି ପୂର୍ବବତ୍ ତାଙ୍କ ପଛଆଡ଼େ ଠିଆ ହେଲା । ସଜାଡ଼ୁଥିବା ବହିତାଡ଼ାଟା ଥାକ ଉପରେ ଥପ୍ କରି ଥୋଇ ଦେଇ, ନବକିଶୋର ପଛକୁ ମୁହଁ ଫେରାଇ କହିଲେ–‘‘ଆଚ୍ଛା, ତୁ ପୁରସ୍କାର ନେବୁ ଯେ, କିପରି ପୁରସ୍କାର ଚାହୁଁ ? କଣ ନବୁ ?’’ ଲଳିତା ଈଷତ୍ ହାସ୍ୟ କରି କହିଲା, ‘‘ସତରେ ଦବ ନା ସେମିତି ଖାଲି କହୁଚ ?’’

 

‘‘ସତରେ ଦେବି, ତୁ ଆଗ କହିଲୁ, କି ପୁରସ୍କାର ଚାହୁଁ ?’’

‘‘ମୁଁ ସେହି ପାସ୍‌କୁ ଚାହେଁ, ଦବ ? ତମ’’–

କଥାଟା ଶେଷ ନ ହେଉଣୁ ଜିଭ କାମୁଡ଼ି ପକାଇ ତୁନି ହୋଇଗଲା ।

 

‘‘ସେହି ପାସ୍‌କୁ ପୁରସ୍କାର ଚାହୁଁ ? ଆଚ୍ଛା ଆଜିଠାରୁ ମୋ ପାସ୍‌କୁ ତୋତେ ପୁରସ୍କାର ଦେଲି ।’’

 

ଲଳିତା ହଉ ବୋଲି କହି ହସି ହସି ଚାଲିଗଲା ।

 

ଲଳିତା ସେଠାରୁ ଚାଲିଗଲା ସିନା, କି ଜଡ଼ି ଲଗାଇ ଦେଇ ଗଲା ଯେ, ନବକିଶୋରଙ୍କର ମନ ଅତ୍ୟନ୍ତ ଚଞ୍ଚଳ ହୋଇଉଠିଲା । ଅହିଫେନସେବୀ ବୃଦ୍ଧ ସେବନ ସମୟକୁ ଶୂନ୍ୟ କରାଟ ଦେଖିଲେ ତାର ମନ ଯେପରି ହୁଏ, ସମସ୍ତ କର୍ମ ପ୍ରତି ବୈରାଗ୍ୟ ଭାବ ଆସେ, ନବକିଶୋରଙ୍କର ବର୍ତ୍ତମାନ ସେହି ଦଶା । ବହି ସଜଡ଼ାରେ ଆଦୌ ମନ ଲାଗୁ ନାହିଁ । କେଉଁଠି କଣ ଛାଡ଼ି ଆସିଲା ପରି ଲାଗୁଛି । ବହିପତ୍ର ଯେତେ ସଜାଡ଼ିଲେ ମଧ୍ୟ ଅଡ଼ୁଆ ଅଡ଼ୁଆ ଦେଖାଯାଉଛି । ପୁଣି ଭାଙ୍ଗି ପୁଣି ସଜାଡ଼ୁଛନ୍ତି । ମାତ୍ର ରୁଚି ଅନୁସାରେ ହୋଇପାରୁ ନାହିଁ । ଅତ୍ୟନ୍ତ ବିରକ୍ତି ସହକାରେ ସେ ବହିସବୁ ଫୋପାଡ଼ି ଦେଇ, ଊର୍ଦ୍ଧ୍ୱଦୃଷ୍ଟିରେ ଚଉକି ଉପରେ ଚିତ୍ ହୋଇ ପଡ଼ିଗଲେ । ଭାବିଲେ, ‘‘ଲଳିତା କାହିଁକି ଆସିଥିଲା, କିଛି ତ କହିଲା ନାହିଁ ! ଖାଲି କଣ ପାସ୍ ଖବରଟା ଶୁଣି ଆନନ୍ଦିତା ହୋଇଛି ବୋଲି ଜଣାଇ ଦେବାକୁ ଆସିଥିଲା ? ଟେଲିଗ୍ରାମ ଆଉ ପାସ୍ ଖବର ଛଡ଼ା ତ ଆଉ କିଛି କହି ନାହିଁ !’’ ଆଉ ଟିକିଏ ଭାବିଲେ, ‘‘ଶେଷରେ ଯାହା କହିଗଲା, ତାର ଅର୍ଥ କଣ ? ପାସ୍‌ଟାକୁ କଣ ପୁରସ୍କାର ନେବ ? କିପରି ବା ନେବ ? ଏପରି କାହିଁକି କହିଲା ? ‘ଆଜିଠାରୁ ପାସ୍‌ଟାକୁ ପୁରସ୍କାର ଦେଲି’ ମୁଁ ବା କହିଲି କାହିଁକି ? ପାସ୍‌କୁ କିପରି ପୁରସ୍କାର ଦେବି-?’’ ଏସବୁ କଥାର ଗୁଢ଼ ରହସ୍ୟ କଣ, ବୁଝିବା ପାଇଁ ନବକିଶୋର ବଡ଼ ଉତ୍କଣ୍ଠିତ ହୋଇପଡ଼ିଲେ । ବାରମ୍ବାର ସେହି ବିଷୟ ଚିନ୍ତା କରିବାକୁ ଲାଗିଲେ । ଜନ୍ମାବଧି ଲଳିତା ସହିତ ତାଙ୍କର ଯେପରି ସଦ୍ଭାବ, ସୌହାର୍ଦ୍ଦ ଓ କଥାବାର୍ତ୍ତା, ସମସ୍ତ ଆମୂଳ ଆଲୋଚନା କରି ବସିଲେ । ଭାବିଲେ, ‘‘ସେ ଦିନେ ହେଲେ ତ ଏପରି ଅର୍ଥଶୂନ୍ୟ ପରିହାସ ବାଣୀ କହି ନାହିଁ । ଆଜି ଏପରି କାହିଁକି କହିଲା । ଏ କଣ ପରିହାସ ନା ପ୍ରକୃତରେ ପୁରସ୍କାର ଚାହୁଁଥିଲା ? ଯଦି ପ୍ରକୃତରେ ପୁରସ୍କାର ଚାହୁଁଥିଲା, ତେବେ–ନା, ନା, ପାସ୍‌କୁ ପୁରସ୍କାର ଚାହୁଁଥିଲା । ନିଶ୍ଚୟ ତାହାର କିଛି ଅର୍ଥ ଅଛି ।’’ ନବକିଶୋର ସେହିସବୁ ଆଲୋଚନାରେ ଏତେ ମଜ୍ଜିଗଲେ ଯେ, ଶରଧା ଦେଈ ନିଦ୍ରାରୁ ଉଠି ଦୁଇ ଥର ଡାକିଲେଣି, ବଜାରକୁ ଯିବାଲାଗି–ତାହା ସେ ଶୁଣି ପାରିଲେ ନାହିଁ ।

 

‘‘ନିଅ ତମ ଶକୁନ୍ତଳା ନାଟକ, ମୋର କାଲି ଦେବାକୁ ମନେପଡ଼ିଲା ନାହିଁ’’ କହି ଥାକ ଉପରେ ବହି ଖଣ୍ଡ କଚାଡ଼ି ଦେଲା ଲଳିତା । ବହିଟା ପଡ଼ିବା ଶବ୍ଦରେ ନବକିଶୋରଙ୍କର ଧ୍ୟାନ ଭାଙ୍ଗିଗଲା । ପଛକୁ ଚାହିଁଦେଲେ, ଲଳିତା ଚାଲି ଯାଉଛି । ଧଡ଼ କରି ଉଠିପଡ଼ି ତାକୁ ଦୁଇ ହାତରେ ଧରି ନିଜ କୋଳକୁ ଟାଣି ଆଣିଲେ । ସ୍ନେହ ସିଗ୍‌ଧ କଣ୍ଠରେ କହିଲେ–‘‘ଲଳିତେ ! ତୁମ କଥାର ଅର୍ଥ ମୁଁ ବୁଝିପାରି ନଥିଲି, ବର୍ତ୍ତମାନ ବୁଝୁଛି । ତୁମେ ଯେଉଁ ଉଦ୍ଦେଶ୍ୟରେ କହିଥାଅ; କିନ୍ତୁ ତାହା ଅନ୍ୟଥା ହୋଇ ନ ପାରେ । ପରିହାସ ଛଳରେ ହେଉ, ଅଥବା ଭ୍ରମବଶତଃ ହେଉ, ଗତ ମୁହୂର୍ତ୍ତରେ ଯାହା ଘଟିଯାଇଛି, ତାହା ଅସ୍ୱୀକାର କରିବା ଶକ୍ତି ତୁମର ନାହିଁ କି ମୋର ମଧ୍ୟ ନାହିଁ । ପ୍ରକୃତରେ ତୁମେ ଆଜିଠାରୁ ମୋର ସେହି ପାସ୍‌ର ଅଧିକାରିଣୀ ହେଲ ।’’

 

‘‘ଏ କଣ ? ନବ ଭାଇ, ଏ କଣ ଗୁଡ଼ା କହିଗଲେ ? ଆଜି ଏ ନୂଆ କଥା, ‘ତୁମେ’ ସମ୍ବୋଧନ କାହିଁକି ?’’ ଲଳିତାର ସର୍ବାଙ୍ଗ କମ୍ପିଉଠିଲା । ଯେପରି ଗୋଟାଏ ପ୍ରବଳ ଝଞ୍ଜା ତାର ପ୍ରତି ଶିରାପ୍ରଶିରାରେ ବହିଗଲା; ଦଶ ଦିଗ ଅନ୍ଧକାର ଦିଶିଲା । କଣ କରିବି, କଣ କହିବି, ଭାବିବାକୁ ଅବସର ପାଇଲା ନାହିଁ; ଝଟିକା–ପୀଡ଼ିତ ବଲ୍ଲରୀବତ୍ ନବଭାଇ ବକ୍ଷକୁ ଆଉଜି ପଡ଼ିଲା-

 

ନବକିଶୋର ! ତମେ ବୁଝିପାରିଲ ନାହିଁ । ସେ କଣ ଏହି ଉଦ୍ଦେଶ୍ୟରେ ତୁମ୍ଭଙ୍କୁ ପୁରସ୍କାର ମାଗୁଥିଲା ? ସେ କେବଳ ଆନନ୍ଦାତିଶଯ୍ୟାରେ ପୁରସ୍କାର ନେବ ବୋଲି କହିଦେଇଥିଲା-। କିନ୍ତୁ ତୁମ୍ଭେ ଯେତେବେଳେ ପଚାରିଲ–‘କି ପୁରସ୍କାର ଚାହୁଁ ?’ ସେ ଉତ୍ତର ଖୋଜି ପାଇଲା ନାହିଁ-। ତୁମ୍ଭଠାରୁ ନେବାର ଜିନିଷ ତାର କଣ ଥିଲା ? ତୁମ୍ଭେ କଣ ଆବାଲ୍ୟରୁ ତାର ହୃଦୟ କଳି ନାହିଁ ? କୌଣସି ଦିନ ତୁମ୍ଭଙ୍କୁ ସେ ଅଳିକରି କିଛି ମାଗିଥିଲା ? ତୁମ୍ଭଙ୍କୁ ଦେଖିଲେ ସ୍ୱର୍ଗଶିରୀ ତା ପାଖରେ ତୁଚ୍ଛ ବୋଧ ହୁଏ । ପାସ୍‌ଟାକୁ କାହିଁକି ପୁରସ୍କାର ମାଗିଲା, ନାନା ଚିନ୍ତାରେ ବ୍ୟସ୍ତ ଥିବାରୁ ତୁମ୍ଭେ ବୁଝି ପାରିଲ ନାହିଁ । ସେ ଭାବିଲା, ପୁରସ୍କାର କିଛି ନେବି ନାହିଁ କି ବାସ୍ତବରେ ତ ମୁଁ କିଛି ଚାହୁଁ ନାହିଁ; ତେବେ ନବଭାଇ ଯେତେବେଳେ ଦେବେ ବୋଲି କହୁଛନ୍ତି, ସେହି ପାସ୍‌କୁ ମାଗିଲେ ସେ ଆଉ କିଛି କହିପାରିବେ ନାହିଁ । କାରଣ ପାସ୍‌ଟା ଏପରି ବସ୍ତୁ ନୁହେଁ, ଯାହା କି ଅନ୍ୟ ଜଣକ ହସ୍ତରେ ଅର୍ପଣ କରାଯାଇପାରେ; କିନ୍ତୁ ତୁମ୍ଭେ ତାକୁ ଏପରି ଅର୍ଥରେ ନେଲ–ସେ ତ ଏ କଥା ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲା ।

 

ନବକିଶୋର ଲଳିତାର ଅବନତ ମସ୍ତକଟି ଉତ୍ତୋଳନ କରି କମ୍ପିତ ଓଷ୍ଠାଧରରେ ସୁମଧୁର ଚୁମ୍ବନଟି ଦେଇ କ୍ରୋଡ଼ରେ ଚାପି ଧରିଲେ । ଉଭୟେ ନିର୍ବାକ । କାହାରି ମୁଖରେ ହାସ୍ୟ ନାହିଁ, ବିଷାଦ ନାହିଁ । ଏହିପରି କେତେ ମୁହୂର୍ତ୍ତ ଅତିବାହିତ ହୋଇଗଲା । ଲଳିତା ଧୀରେ ଅତି ଧୀରେ ଆଖି ମେଲି ଚାହିଁଲା । ନବକିଶୋର କହିଲେ–‘‘ଲଳିତେ !’’ ଲଳିତା ତୁଣ୍ଡରେ କଥା ନାହିଁ । ସେ କେବଳ ତନ୍ମୟଦୃଷ୍ଟିରେ ତାଙ୍କର ମୁଖମଣ୍ଡଳକୁ ଚାହିଁ ରହିଲା । ନବକିଶୋର ତାର ଲାଜପାଟଳିତ ସୁକୋମଳ ଗଣ୍ଡଦେଶରେ ଆଉ ଗୋଟିଏ ଚୁମ୍ବନରେଖା ଅଙ୍କନ କରି କହିଲେ–‘‘ଲଳିତେ, ଯାଅ । କିନ୍ତୁ ନବର ଏ ନବ ପୁରସ୍କାର ଗ୍ରହଣ କରିଛ ତ ? ଯଦି ଆପତ୍ତି–।’’ ତାଙ୍କର କଥା ଶେଷ ନ ହେଉଣୁ ଲଳିତା ତାର ମୃଣାଳ କୋମଳ ବାହୁଦ୍ୱୟରେ ତାଙ୍କର ଗଳଦେଶ ବେଷ୍ଟନ କଲା । ନବକିଶୋର ଆଉ କହିପାରିଲେ ନାହିଁ । ଦେଖିଲେ, ଲଳିତାର ନୀଳାବ୍ଜ–ଲୋଚନଯୁଗରୁ ଦୁଇଟି ମୁକ୍ତାଫଳନିନ୍ଦୀ ଅଶ୍ରୁବିନ୍ଦୁ ଝରି ପଡ଼ିଲା । ସେ ନିଜର–କୁଞ୍ଚା ବସନ ଫିଟାଇ ମୋଚନ କରିଦେଲେ ।

Image

 

ସପ୍ତମ ପରିଚ୍ଛେଦ

 

ନବକିଶୋର ଯେତେବେଳେ କଲିକତାକୁ ଫେରିଗଲେ, କଣ କରିବେ ବୋଲି ପିତାପୁତ୍ରଙ୍କ ମଧ୍ୟରେ ସର୍ବଦା ଆଲୋଚନା ଚାଲିଲା । ନବକିଶୋରଙ୍କର ଇଚ୍ଛା, ଆଉ କିଛି ଅଧ୍ୟୟନ କରିବାକୁ । କୈଳାସଚନ୍ଦ୍ର କିନ୍ତୁ ସେଥିରେ ଏକମତ ନୁହନ୍ତି । ପୁତ୍ରକୁ ଉଚ୍ଚଶିକ୍ଷା ଦେବା ନିମନ୍ତେ ସେ କୌଣସି ମତେ ଅର୍ଥ ଯୋଗାଇ ପାରିବେ ନାହିଁ । ତେଣୁ ତାଙ୍କର ଏକାନ୍ତ ଇଚ୍ଛା, କୌଣସି କଳ କାରଖାନାରେ କିମ୍ବା କାହାର ଗୋଦାମରେ ନବକୁ ଭର୍ତ୍ତି କରାଇଦେଲେ ତ୍ରାହି ପାଇଯାନ୍ତେ । ପିତାଙ୍କର ଏକାନ୍ତ ଇଚ୍ଛାକୁ ପୁତ୍ରଙ୍କର ଏକାନ୍ତ ଅନିଚ୍ଛା; କୌଣସି ସିଦ୍ଧାନ୍ତ ହୋଇ ପାରିଲା ନାହିଁ । କେବଳ ଯୁକ୍ତିତର୍କରେ ଦିନ କାଟିବାକୁ ଲାଗିଲା । ଯୁକ୍ତିତର୍କରୁ ସମୟେ ସମୟେ ପିତାପୁତ୍ରଙ୍କର ମଧ୍ୟ ମନାନ୍ତର ହେବାକୁ ବାକି ରହିଲା ନାହିଁ ।

 

କିଛି ଦିନ ପରେ ନବକିଶୋରଙ୍କର ଭାଗ୍ୟ ବିଧାତା ପ୍ରସନ୍ନ ହେଲେ । ତାଙ୍କର ଅନ୍ତରଙ୍ଗ ବନ୍ଧୁ ଅତୁଲ ବାବୁ ଗଲେ ଡାକ୍ତରୀ ପଢ଼ିବାକୁ । ନବକିଶୋରଙ୍କର ଇଚ୍ଛା, ବନ୍ଧୁଙ୍କ ସହିତ ମେଡ଼ିକାଲରେ ପଢ଼ିବେ । ଅତୁଲ ବାବୁଙ୍କର ମଧ୍ୟ ସେହି ଇଚ୍ଛା । ନବକିଶୋରଙ୍କ ପରି ବନ୍ଧୁଙ୍କୁ ଛାଡ଼ି ସେ ଏକୁଟିଆ ବା କିପରି କେଉଁଆଡ଼େ ଯିବେ ? ସେ ବିଷୟରେ ସେ ନବକିଶୋରଙ୍କୁ ଅନୁରୋଧ କଲେ । ନବକିଶୋର ଉତ୍ତରରେ ତାଙ୍କର ପୂର୍ଣ୍ଣ ଇଚ୍ଛା ଥିବାର ବ୍ୟକ୍ତ କଲେ ଏବଂ ଯେଉଁ କାରଣରୁ ପଢ଼ିବାରୁ ବିରତ ହେଉଛନ୍ତି, ତାହା ମଧ୍ୟ ଜଣାଇଲେ । ଅତୁଲ ବାବୁ ବନ୍ଧୁଙ୍କର ଦୁଃଖର କାହାଣୀ ଶୁଣି ତାଙ୍କ ଦୁଃଖରେ ସମବେଦନା ଅନୁଭବ କରି ଅତ୍ୟନ୍ତ ବ୍ୟଥିତ ହେଲେ ଏବଂ କିପରି ବନ୍ଧୁଙ୍କର ପଠନେଚ୍ଛା ପୂର୍ଣ୍ଣ ହେବ, ତାର ଉପାୟ ଖୋଜି ବୁଲିଲେ ।

 

ଦିନେ ତାଙ୍କର ପିତା ସନ୍ଧ୍ୟାପାଠ ପରେ ଜଳଯୋଗ କରୁଥିବା ସମୟରେ ସେ ନବକିଶୋରଙ୍କର ସମସ୍ତ ଇତିହାସ ଆମୂଳ ବର୍ଣ୍ଣନା କରିଗଲେ । ତା’ପରେ ସୁଯୋଗ ବୁଝି ପିତାଙ୍କୁ ଅନୁରୋଧ କଲେ–ଯେକୌଣସି ଉପାୟରେ ତାଙ୍କର ବନ୍ଧୁଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଇ ଦେବାକୁ ହେବ । ଅତୁଲ ବାବୁଙ୍କର ପିତା ଯେପରି ଅତୁଳ ଧନର ଅଧୀଶ୍ୱର, ସେହିପରି ଅତୁଳ ଗୁଣର ମଧ୍ୟ ଅଧୀଶ୍ୱର । ନବକିଶୋରଙ୍କର ଦୁଃଖକୁ ସେ ପୁତ୍ରଠାରୁ ବଳି ଅନୁଭବ କଲେ । ତାଙ୍କର ହୃଦୟ ବ୍ୟଥିତ ହୋଇ ଉଠିଲା, କିପରି ସେ ପଠନେଚ୍ଛୁ ନିର୍ଦ୍ଧନ ବାଳକଟିର ସୁବନ୍ଦୋବସ୍ତ କରାଇବେ । ଟିକିଏ ଚିନ୍ତା କରି କହିଲେ, ‘‘ଆଚ୍ଛା, ମୁଁ ଚେଷ୍ଟା କରିବି ତାର ଦରମାଟା ଛାଡ଼ କରାଇ ଦେବାକୁ, ନ ହେଲେ ମୁଁ ଦେବି । ଖାଇବାର ବୋଧହୁଏ ଅସୁବିଧା ହେବ ନାହିଁ । ସେ ପୂର୍ବରେ ଯେପରି ତାର ବାପ ପାଖରେ ଖାଉଥିଲା, ସେହିପରି ବାପ ପାଖରେ ରହିବ ତ ?’’ ଅତୁଲ ବାବୁ କହିଲେ–‘‘ହଁ । ଖାଇବାର କିଛି ଅସୁବିଧା ହେବ ନାହିଁ । ତେବେ ଆଉ ଏକ ପ୍ରଧାନ କଥା ହେଉଛି ବହିପତ୍ର । ଡାକ୍ତରୀ ବହିଗୁଡ଼ାକ ବହୁତ ଦାମ୍ ।’’ ‘‘ସେଥିପାଇଁ ଚିନ୍ତା ନାହିଁ । ତୋର ବହି ସଙ୍ଗରେ ତାର ମଧ୍ୟ ବହି କିଣି ଆଣିବୁ । ଆଉ ତାକୁ କହିଦେବୁ, ମୁଁ ସବୁ ସୁବିଧା କରାଇ ଦେବି, ଆଡ଼ମିସନ୍ ନେବାକୁ ମଧ୍ୟ କିଛି କଷ୍ଟ ହେବ ନାହିଁ ।’’

 

ଅତୁଲ ବାବୁ ମନେ ମନେ ଈଶ୍ୱରଙ୍କୁ ଧନ୍ୟବାଦ ଦେଇ ଚାଲିଗଲେ ।

 

ପରମେଶ୍ୱରଙ୍କ କୃପାରୁ ଏବଂ ଅତୁଲ ବାବୁଙ୍କ ପିତାଙ୍କର ଚେଷ୍ଟାରୁ ନବକିଶୋରଙ୍କର ସମସ୍ତ ସୁବିଧା ହୋଇଗଲା । ଦୁଇ ବନ୍ଧୁ ପୂର୍ବବତ୍ ଏକ ସଙ୍ଗରେ ମେଡ଼ିକାଲରେ ଅଧ୍ୟୟନ କରିବାକୁ ଲାଗିଲେ । କୈଳାସ ଚନ୍ଦ୍ର ଆଶ୍ୱସ୍ତିର ଦୀର୍ଘନିଃଶ୍ୱାସ ତ୍ୟାଗ କରି ମନେ ମନେ ଅତୁଲ ବାବୁଙ୍କୁ ଅନେକ ଆଶୀର୍ବାଦ କଲେ ।

 

ନବକିଶୋର ଓ ସର ଦୁଇଜଣଙ୍କୁ ବାଦ ଦେଲେ କୈଳାସଚନ୍ଦ୍ରଙ୍କ ପରିବାର ମଧ୍ୟରେ ଆଉ ଜଣେ ମଧ୍ୟ ଲଳିତାକୁ ଭଲ ପାଆନ୍ତି । ସେ ଜଣକ ନବକିଶୋରଙ୍କର ଜନନୀ ଶରଧା ଦେଈ । ସେ ପିଲାଦିନରୁ ଲଳିତାକୁ ନିଜର କନ୍ୟା ପରି ଦେଖି ଆସିଛନ୍ତି । ଲଳିତା ରୂପରେ ଯେପରି, ଗୁଣରେ ମଧ୍ୟ ସେହିପରି । ଶରଧା ଦେଈ ତାର ରୂପ ଅପେକ୍ଷା ଗୁଣର ବଡ଼ ପ୍ରଶଂସା କରନ୍ତି ।

 

ପିଲାଦିନରୁ ନବକିଶୋରଙ୍କ ସହିତ ତାର ସୌହାର୍ଦ୍ଦ ଥିବାରୁ ସେ ବହୁଦିନରୁ ଭାବୁଛନ୍ତି ଲଳିତାକୁ କୌଣସି ମତେ ପୁତ୍ରବଧୂ ରୂପେ ଗୃହକୁ ଆଣି ପାରିଲେ ତାଙ୍କର ଗୃହ ହସି ଉଠନ୍ତା । ଚନ୍ଦ୍ର ରୋହିଣୀ ପରି ଦୁଇଜଣ ସାଜନ୍ତେ ମଧ୍ୟ ବେଶ । ମନକଥା କିନ୍ତୁ କାହାରି ପାଖରେ ପ୍ରକାଶ କରି ନ ଥିଲେ । ନବକିଶୋର ଯେତେବେଳେ ମାଟ୍ରିକୁଲେସନ୍ ପାସ୍ କରି ପୁଣି କଲିକତାକୁ ଚାଲିଗଲେ, ଲଳିତାର ସେତେବେଳେ ଭରା ଯୌବନ । ପନ୍ଦର ବର୍ଷ ବୟସ । ତାର ରୂପଲାବଣ୍ୟ ସୁନ୍ଦରରୁ ସୁନ୍ଦରତର ହୋଇଉଠିଛି । ଶରଧା ଦେଈ ଆଉ ସମ୍ଭାଳି ରହି ପାରିଲେ ନାହିଁ । ଭାବିଲେ, ‘‘ପୁଅ ତ ମୋର ପାସ୍ କଲାଣି–ମୋର ଆଉ କେତେ ଦିନ ଯେ–ଏଥର ତାକୁ ହାତକୁ ଦିହାତ କରିଦେବି ।

 

ବେଳ ବୁଡ଼ି ଆସୁଛି । ରାଧିକା ଦେଈ ବସି ସନ୍ଧ୍ୟାବତୀ ବଳୁଛନ୍ତି । ରଙ୍ଗାଧର ଘର ଭିତରେ କଣ କାର୍ଯ୍ୟବ୍ୟସ୍ତ ଅଛନ୍ତି । ଲଳିତା ଓ ଚମ୍ପୀ ଦୁଇ ଜଣ ନବକିଶୋରଙ୍କ ଘରଆଡ଼େ ବୁଲି ଯାଇଛନ୍ତି । ଶରଧା ଦେଈ ଏହି ସମୟରେ ଦାଣ୍ଡ ଦୁଆରୁ ‘ସାନ ବୋହୂ ! ସାନ ବୋହୂ !’ ଡ଼ାକି ପଶି ଆସିଲେ । ରାଧିକା ଦେଈ ଧଡ଼ପଡ଼ ହୋଇ ଉଠି ପଡ଼ି ଗୋଟାଏ ମଶିଣା ଆଣି ପକାଇ ଦେଲେ । ଶରଧା ଦେଈ ବସୁ ବସୁ କହିଲେ–‘‘ଚମ୍ପୀ–ବାପା ଘରେ ନାହାନ୍ତି କି ?’’ ରଙ୍ଗାଧର ଘର ଭିତରେ ଥାଇ କହିଲେ, ‘‘ମୁଁ ଏଣେ ଗୋଟାଏ କାମରେ ଲାଗିଛି । ଏତେବେଳେ କୁଆଡ଼େ ଆସିଲ ?’’

 

‘‘ନାଇଁ, ଟିକିଏ ବୁଲି ଚାଲି ଆସିଲି–ସଦାବେଳେ ଘରଟା ଭିତରେ ବସି ବସି ଶୋଇ ଶୋଇ ଭଲ ଲାଗୁ ନାହିଁ ।"

 

ରଙ୍ଗାଧର ପିଣ୍ଡାରେ ଆସି ବସିଲେ । ରାଧିକା ଦେଈ ସନ୍ଧ୍ୟାବତୀ ଗୁଡ଼ିକ ଯଥାସ୍ଥାନରେ ଥୋଇ ଦେଇ ପାନ ଭାଙ୍ଗିବାକୁ ଗଲେ । ଦିଅର ଭାଉଜ ଦୁଇ ଜଣଙ୍କର ବହୁତ ଦୁଃଖସୁଖ ପଡ଼ିଲା । ନବକିଶୋର ଓ ଲଲିତା ଉଭୟଙ୍କର ପିଲାଦିନର ପାଠପଢ଼ାଠାରୁ ଆରମ୍ଭ କରି ବାହାଘର ପର୍ଯ୍ୟନ୍ତ କଥା ମଧ୍ୟ ପଡ଼ିଲା । ସୁଯୋଗ ଖୋଜି ଶରଧା ଦେଈ ଯେତେବେଳେ ଅସଲ କଥାଟି କହି ବସିଲେ, ରଙ୍ଗାଧର ଓ ରାଧିକା ଦେଈ ଉଭୟେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଗଲେ । ସେ ଦୁଇ ଜଣ ପୂର୍ବରୁ ଏ ବିଷୟ ନେଇ ଅନେକ ଥର କଥାବାର୍ତ୍ତା ହୋଇଛନ୍ତି । ତାଙ୍କର ଷୋଳପଣ ଇଚ୍ଛା, ନବ ସହିତ ଲଳିତାର ହାତଗଣ୍ଠି ପକାଇ ଦେବାକୁ । କିନ୍ତୁ ସେ ଦୁଇ ପରିବାର ମଧ୍ୟରେ ସମାଜଗତ ଯେ ଗୋଟିଏ ପ୍ରତିବନ୍ଧକ ଅଛି, ସେ କଥା ଭାବି ସେମାନେ ନୀରବ ହୋଇଯାନ୍ତି–ମନର ବାସନା ମନେ ମନେ ମରିଯ।ଏ । ରଙ୍ଗାଧର ଓ କୈଳାସଚନ୍ଦ୍ର ଉଭୟେ କରଣ ହେଲେ ହେଁ, ସାମାନ୍ୟ ତଫାତ୍ ଅଛି-। ରଙ୍ଗାଧରଙ୍କଠାରୁ କୈଳାସଚନ୍ଦ୍ର, ଟିକିଏ ଉଚ୍ଚଦରର କରଣ । ପୂର୍ବପୁରୁଷରୁ ଏମାନଙ୍କ ସହିତ କିମ୍ବା ଏହି ଦରର କରଣମାନଙ୍କ ସହିତ ତାଙ୍କର ବନ୍ଧୁ ବାନ୍ଧବ ସମ୍ବନ୍ଧ ନାହିଁ । ବିଶେଷତଃ, ଯେଉଁ ବଂଶ–ମର୍ଯ୍ୟାଦା ନେଇ କୈଳାସଚନ୍ଦ୍ର ଗର୍ବ ଅନୁଭବ କରନ୍ତି, ସେ ଏଡ଼େ ସହଜରେ ବା କାହିଁକି । ସେତକ ହରାଇ ବସିବେ ?

 

ଶରଧା ଦେଈଙ୍କଠାରୁ ଅପ୍ରତ୍ୟାଶିତ ଭାବରେ ଏପରି କଥା ଶୁଣିବେ ବୋଲି ରଙ୍ଗାଧର କିମ୍ବା ତାଙ୍କର ପତ୍ନୀ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲେ । ପ୍ରଥମେ ତାଙ୍କର ବିଶ୍ୱାସ ହେଲା ନାହିଁ । ଶରଧା ଦେଈ ପୁଣି ଯେତେବେଳେ କହିଲେ, “ମୁଁ ଅନେକ ଦିନରୁ ମନେ ମନେ ସତ୍ୟ କରିଛି–ତମେ କଣ ସତ୍ୟଭଗ୍ନ କରିବ ?’’ ସେତେବେଳେ ରଙ୍ଗାଧରଙ୍କର ଅନ୍ତର ଆନନ୍ଦରେ ନାଚି ଉଠିଲା; କୃତଜ୍ଞତାରେ ଶରଧା ଦେଈଙ୍କ ପଦତଳେ ତାଙ୍କର ମସ୍ତକ ନଇଁ ପଡ଼ିଲା । ସଙ୍ଗେ ସଙ୍ଗେ ରାଧିକା ଦେଈ ତାଙ୍କ ହୃଦୟର କଥା କହି ପକାଇଲେ । ସେହି ମୁହୂର୍ତ୍ତରେ ସମସ୍ତ କଥା ସ୍ଥିର ହୋଇଗଲା । କେବଳ କୈଳାସଚନ୍ଦ୍ରଙ୍କର ମତ ଜାଣିବାକୁ ବାକି ରହିଲା ।

 

ଏହି ଘଟଣାର ପ୍ରାୟ ପନ୍ଦର ଦିନ ପରେ କୈଳାସଚନ୍ଦ୍ର ସାତ ଦିନ ଛୁଟିରେ ଗ୍ରାମକୁ ଆସିଲେ । ଦିନେ ସନ୍ଧ୍ୟା ସମୟରେ ସେ ରଙ୍ଗାଧରଙ୍କ ସହିତ ଦାଣ୍ଡ ଦୁଆରେ ବସି କଥାବାର୍ତ୍ତା ହେଉଛନ୍ତି । ଶରଧା ଦେଈ ପାନ ଦୁଇ ଖଣ୍ଡି ଦୁହିଙ୍କ ହାତକୁ ବଢ଼ାଇ ଦେଇ ସେଠାରେ ଠିଆ ହୋଇଗଲେ ଏବଂ କିଛି ସମୟ ପରେ ସୁଯୋଗ ବୁଝି କୈଳାସଚନ୍ଦ୍ରଙ୍କୁ ଲକ୍ଷ୍ୟ କରି କହିଲେ, ସେପରି ଚିଠି ଲେଖିଥିଲି ବୋଲି ତମେ ପରା ବିରକ୍ତ ହେଉଚ ଆସି । ଜାଣିନ, ମୁଁ କାହିଁକି ମିଛ ଲେଖି ତମକୁ ଅଣେଇଚି ?’’କୈଳାସଚନ୍ଦ୍ର ବିସ୍ମୟାବିଷ୍ଟ ଭାବରେ ଶରଧା ଦେଈଙ୍କ ମୁହଁକୁ ଚାହିଁ କହିଲେ–‘‘କଣ ?’’

 

ଶରଧା ଦେଈ ଗଳାଟା ସଫା କରିନେଇ କହିଲେ, “କଣ କି, ନବ ଆମର ପାସ୍ କଲାଣି-। ଆମର ବା ଆଉ କେତେ ଦିନ ! ମୁଁ କହୁଥିଲି କି ୟାରି ଭିତରେ ତା ଅଡ଼ୁଆଟା ଛିଣ୍ଡାଇ ଦେଇଥିଲେ ଭଲ ହୁଅନ୍ତା ନାହିଁ ?” କୈଳାସଚନ୍ଦ୍ର ପତ୍ନୀଙ୍କ ମନୋଗତ ଭାବ ବୁଝି ପାରିଲେ; ଈଷତ୍ ହାସ୍ୟ କରି କହିଲେ–‘‘ହଁ, ମୋର ମଧ୍ୟ–’’

 

ଶରଧା ଦେଈ ବାଧା ଦେଇ କଲେ–‘‘ତମକୁ ଆଉ କିଛି ପରିଶ୍ରମ କରିବାକୁ ହେବ ନାହିଁ-। ଭଗବାନ ସବୁ ଯୋଗାଡ଼ କରି ଦେଇଚନ୍ତି । ତମେ ତ ଆମର ରଙ୍ଗ ଝିଅକୁ ଦେଖିଚ–ସେ ପିଲାଦିନରୁ ନବ ସାଙ୍ଗରେ ପଢ଼ୁଥିଲା । ଇଙ୍ଗ୍‍ରିଜି ପଢ଼ିଚି । ଯେମିତି ଗୁଣ, ସେମିତି ରୂପ । ଲକ୍ଷ୍ମୀଟି ତ, ବେଶ୍ ମାନିବ ଆମ ଘରକୁ ଏକା । ଆମେ ଦି ଭଉଣୀ ଆମର ସତ୍ୟ କରିଚୁ –ଏବେ ତମେ ଦି ଭାଇ କିପରି କାମଟି ଉଠେଇ ନେଲେ ହେଲା ।”

 

କୈଳାସଚନ୍ଦ୍ର ଆଶା କରି ନ ଥିଲେ, ନବର ବିବାହ ବିଷୟରେ ପତ୍ନୀଙ୍କ ମୁଖରୁ ଏପରି ସାମାନ୍ୟ ପ୍ରସ୍ତାବଟାଏ ଶୁଣିବେ ବୋଲି । ନବକିଶୋର କଲିକତାରେ ପଢ଼ିବା ଦିନରୁ ସେ ମନେ ମନେ କେତେ କଣ ଭାବିଥିଲେ; ପୁତ୍ର ବିବାହର କି ସୁନ୍ଦର ରଙ୍ଗିନ ଛବି ‘ସେ ମନ ମଧ୍ୟରେ ଆଙ୍କି ରଖିଥିଲେ । ସେ ଭାବିଥିଲେ, ନବ ପରି ଇଂରାଜୀ–ପଢ଼ୁଆ ବାବୁଙ୍କୁ କଣ ପାତ୍ରୀ ଅଭାବ ହେବେ ? ଶିକ୍ଷିତ ଜ୍ୱାଇଁଟିଏ ପାଇବା ଆଶାରେ କେତେ ବଡ଼ ଲୋକ ଆସି ତାଙ୍କର ଅନୁଗ୍ରହ ପ୍ରାର୍ଥନା କରିବେ-। ସେ ସେହି ସୁଯୋଗରେ ଟିକିଏ ଗୋଡ଼ ଲମ୍ବାଇ ବସିବେ । ପ୍ରଥମେ ପାତ୍ରୀଟି ସୁନ୍ଦରୀ ଏବଂ ଶିକ୍ଷିତା କି ନା, ଦେଖିବେ । ତାପରେ ନବ୍ୟ ପ୍ରଚଳିତ ବିବାହର ସଭ୍ୟତାନୁମୋଦିତ ସମସ୍ତ ଦାବୀ କରିବେ । ବାଟଖର୍ଚ୍ଚ ପାଇଁ ନଗଦ ଟଙ୍କା ଦୁଇ ତିନି ହଜାର –ଆଉ ଯଦି ଭୂସମ୍ପତ୍ତି କିଛି ମିଳେ, ସେ ତ ଆହୁରି ଭଲ । ପ୍ରକୃତପକ୍ଷେ ତାଙ୍କର ଏ ସବୁ କଳ୍ପନାକୁ ନାପସନ୍ଦ କରି ହସି ଉଡ଼ାଇ ଦେବା କୌଣସି ମତେ ଯୁକ୍ତିଯୁକ୍ତ ନୁହେଁ । ସେ ଯଦିଚ ଓଡ଼ିଆ-ଓଡ଼ିଶାରେ ଜନ୍ମ–ପିଲା ଦିନରୁ କିନ୍ତୁ ବଙ୍ଗଦେଶରେ ବଢ଼ି ଆସିଛନ୍ତି । ବଙ୍ଗବାସୀମାନଙ୍କର ଚାଲିଚଳଣ, ରୀତିନୀତିରେ ନିଜକୁ ଗଢ଼ିଆସିଛନ୍ତି ମଧ୍ୟ । ଆଜି ବଙ୍ଗବାସୀଙ୍କର ବିବାହରେ ବାଟଖର୍ଚ୍ଚ ପ୍ରଭୃତି ଦାବୀ ଯେପରି ଗୋଟାଏ ଧରାବନ୍ଧା ନିୟମ ହୋଇଗଲାଣି, ସେସବୁ ଦେଖି ଦେଖି ସେ ନିଜ ପୁତ୍ରର ବିବାହ ପାଇଁ ଅନ୍ୟାୟ କଳ୍ପନା କରି ନାହାନ୍ତି । କେହି କେହି କହିପାରନ୍ତି, ଉତ୍କଳୀୟ ପକ୍ଷରେ ବଙ୍ଗନୀତି ଅନୁକରଣ କରିବା ନିଶ୍ଚୟ ହାସ୍ୟୋଦୀପକ । କିନ୍ତୁ ସେ ଦୋଷଟା କୈଳାସଚନ୍ଦ୍ରଙ୍କର, ନୁହେଁ–ଉତ୍କଳର । ଉତ୍କଳ ଚିରଦିନ ଅନୁକରଣ ପ୍ରିୟ । ସେ ବିଦ୍ୟାରେ ପଟୁ ମଧ୍ୟ । କେତେ ଜଣ ମରହଟ୍ଟୀ ବୁଢ଼ାମାନଙ୍କୁ ଛାଡ଼ିଦେଲେ ବର୍ତ୍ତମାନ ନବ୍ୟଶିକ୍ଷିତ ଉତ୍କଳୀୟମାନେ ନିଶ୍ଚୟ ନିଶ୍ଚୟ କହିବେ, “ବଲିହାରୀ କୈଳାସଚନ୍ଦ୍ରଙ୍କର ସୁମଧୁର କଳ୍ପନା !” କାରଣ ବିବାହରେ ‘ଦାବୀ’ ରୋଗଟା ଉତ୍କଳର ଅସ୍ଥିମଜ୍ଜାଗତ ହେବାକୁ ଆଉ ବେଶି ବିଳମ୍ବ ନାହିଁ ବୋଧହୁଏ ।

 

ପତ୍ନୀଙ୍କଠାରୁ ଏପରି ଅସଂଗତ ବିବାହ ପ୍ରସ୍ତାବଟା ଶୁଣି କୈଳାସଚନ୍ଦ୍ରବଡ଼ ବିରକ୍ତ ହୋଇଉଠିଲେ । କାହିଁ କଲିକତାରେ ପାସ୍‌କରା କୈଳାସ ଚନ୍ଦ୍ର ପଟ୍ଟନାୟକଙ୍କ ପୁତ୍ର ନବକିଶୋର ପଟ୍ଟନାୟକ, କାହିଁ ଗୋଟାଏ ମଫସଲର ରଙ୍ଗ ମହାନ୍ତି ଝିଅ ଲଳିତା । ଛି ଛି, ନିତାନ୍ତ ଅସଂଗତ ଏ ପ୍ରସ୍ତାବ ! ଘର ପାଖରେ, ପାତ୍ରୀ ଖୋଜିବାକୁ ପଡ଼ିବ ନାହିଁ – ସମ୍ୱଦ୍ଧଟା କରି ନିଅନ୍ତେ ଅବା, ଏଥିରେ ତାଙ୍କୁ ମିଳିବ କଣ ? ରଙ୍ଗାଧରଙ୍କର ବାର ମାଣ ଚାଷଜମି—ସେଥିରେ ସେ ବର୍ଷଯାକ ଯାହା ସୁଖେଦୁଃଖେ ଚଳନ୍ତି । ତାହା ଛଡ଼ା ତ ଆଉ କିଛି ରୋଜଗାର ତାଙ୍କର ନାହିଁ । ସେ ନା ଘଡ଼ି ଚେନ, ନା ସାଇକେଲ, ନା ବାଟଖର୍ଚ୍ଚ, ନା ଭୂସମ୍ପତ୍ତି କେଉଁଟି ଭଲା ଦେଇ ପାରିବେ ? ଝିଅକୁ ଦୁଇ ଚିଜ ଅଳଙ୍କାର, ଶ୍ୱଶୁରଘର ମନ ମୁତାବକ ଦେଇ ପାରିବେ କି ନାହିଁ ସନ୍ଦେହ । କି ଆଶାରେ ଶରଧା ଦେଈ ଏ ପ୍ରସ୍ତାବଟାଏ । କରିପକାଇଲେ । କଣ ଲଳିତାର ସୁନ୍ଦର ରୂପ ଦେଖି ? ଲଳିତା ଏପରି କି ସୁନ୍ଦରୀ ଯେ । ନବକିଶୋରଙ୍କ ପରି ବରକୁ ତାଠାରୁ ଆହୁରି ସୁନ୍ଦରୀ କନ୍ୟା ମିଳିବେ । ପାଠ ? ପାଠ ଭିତରେ ସେ ତ ମାଇନର ଖଣ୍ଡେ ପାସ୍ ବି କରି ନାହିଁ ।

 

ନା, କୈଳାସଚନ୍ଦ୍ର ଏପରି ବିବାହରେ କୌଣସି ମତେ ରାଜି ହେବେ ନାହିଁ । ରଙ୍ଗାଧର ତାଙ୍କର ଇଚ୍ଛାମତ ସମସ୍ତ ଜିନିଷ ଦେଲେ ସୁଦ୍ଧା ସେ ଏ ବିବାହରେ ମତ ଦେବେନାହିଁ । ରଙ୍ଗାଧର ଯେ ଜାତିରେ ନିକୃଷ୍ଟ । ନୀଚଘରୁ କନ୍ୟାଟାଏ ଆଣି ଏପରି ଗୁଣବନ୍ତ ପୁତ୍ରର ବେକରେ ବାନ୍ଧି ଦେବେ ? ଚିରଦିନ ପାଇଁ ସେ କଳଙ୍କଟା ରହିଯିବ ସିନା । ବିବାହ ତ ଦିନକର କଥା ନୁହେଁ । ତାପରେ ପଟ୍ଟନାୟକ ଘର ତ ଆଜିର ଘର ନୁହେଁ–ସାତ ପୁରୁଷର ଘର । ବିନା ସ୍ୱାର୍ଥରେ ଏତେ ବଡ଼ କୁଳରେ କଣ ସେ କାଳି ଲଗାଇ ଦେବେ ? ନା–କସ୍ମିନ କାଳେ ତାହା ହୋଇପାରିବ ନାହିଁ । ଶରଧା ଦେଈ କଣ, ନିଜେ ଇନ୍ଦ୍ରଦେବ ଯଦି ଆସି –ଅନୁରୋଧ କରନ୍ତି, ତଥାପି ନୁହେଁ ।

 

ସ୍ୱାମୀଙ୍କୁ ନିରୁତ୍ତର ଦେଖି ଶରଧା ଦେଈ କହିଲେ–“ଆଉ ଭାବୁଛ କଣ ? ରଙ୍ଗର ମତ କଣ, ସେହି କଥା ଭାବୁଚ ପରା ? ତମେ ଆମେ ଯେଉଁଠି ହଁ ଭରିବା, ସେ କଣ ନାହିଁ କରିବ ? ସେ ସେମିତି ଧରଣର ଲୋକ ନୁହେଁ । ତାର–’’ କୈଳାସ ଚନ୍ଦ୍ର, ବାଧାଦେଇ କହିଲେ–‘‘ଆହେ ତମେ ବୁଝି ପାରୁନା । ଏଇ ଯେଉଁ ତମର କଥା, ମୋତେ ବଡ଼ ବିରକ୍ତ ଲାଗେ । ମୁଁ କଣ ଭାବୁଛି, କଣ ଚିନ୍ତୁଛି, କିଛି ନ ବୁଝି ନ ସୁଝି ମନକୁ ଗୋଟାଏ କଥା କହିବସ ? ମୁଁ କଣ ରଙ୍ଗର ମତ ଅମତ ବିଷୟ ଭାବୁଛି ?” ଶରଧା ଦେଈ ସ୍ୱାମୀଙ୍କର ରକ୍ତ ଚକ୍ଷୁ, ବିକୃତ ମୁଖଭଙ୍ଗୀ ଦେଖି ଟିକିଏ ଶଙ୍କିଗଲେ । ଭୟବିନମ୍ର ସ୍ୱରରେ କହିଲେ, “ହଉ କଣ କହୁଛ କୁହ ।”

 

‘‘ଆଉ କହିବି କଣ ? ତମେ ପରା ସବୁ ଠିକ୍ କରି ସାରିଛ ? ମୁଁ ଆଉ କଣ କହିବି ?’’ ଟିକିଏ ରହିଯାଇ ପୁଣି କହିଲେ–“ହେଲା, ବାହାଘରକରିବ ଯେ–ଖାଲି ତ ତୁଣ୍ଡେ ତୁଣ୍ଡେ ଏତେ ବଡ଼ କାମଟା ହୋଇଯିବ ନାହିଁ । ଦୁଇ ତରଫର ସୁବିଧା ଅସୁବିଧା ପୁଣି ଦେଖିବାକୁ ହେବ ।‘‘ଆରେ ମଉସା, ମୂଳ ପଇସା ।’ ବିନା ପଇସାରେ ତ ପିତୃଶ୍ରାଦ୍ଧଟିଏ ହୋଇପାରୁ ନାହିଁ । ହେବ ତ ହେବ–ଝିଅ ପୁଅଙ୍କର କଣ ବୟସ ପଲାଇ ଯାଉଛି ?’’

 

ଶରଧା ଦେଈ ଆଉ ପ୍ରତିବାଦ କରିବାକୁ ସାହସ କଲେ ନାହିଁ ।

Image

 

ଅଷ୍ଟମ ପରିଚ୍ଛେଦ

 

ଯଥାସମୟରେ ଡାକ୍ତର ବାବୁଙ୍କୁ ଘେନି ନବକିଶୋର ପହଞ୍ଚିଲେ । ବକ୍ଷ–ପରୀଷା ଯନ୍ତ୍ର ସାହାଯ୍ୟରେ ରୋଗୀକୁ ପରୀକ୍ଷା କରି, ଡାକ୍ତର ବାବୁ କହିଲେ–‘‘ଡବଲ ନିମୋନିଆ ହୋଇଛି ସତ; ତଥାପି ଭୟର କିଛି କାରଣ ନାହିଁ । ତିନି ଚାରିଦିନ ପରେ ଜ୍ୱର ଛାଡ଼ିଯିବ ।’’ ରୋଗିଣୀ ତିନି ଦିନ ହେଲା ବହିର୍ଭୂମି ଯାଇ ନଥିଲେ । ପିଚକାରୀଦ୍ୱାରା ପୁରୀଷ ନିଷ୍କାସନ କରାଇ ଦେଲା ପରେ ଡାକ୍ତର ବାବୁ କହିଲେ–‘‘ମୋ ସଙ୍ଗରେ ଜଣେ ଲୋକ ପଠାନ୍ତୁ ନବ ବାବୁ, ସେ ଔଷଧ ଘେନି ଆସିବ । ପ୍ରତି ଦୁଇ ଘଣ୍ଟାରେ ସେ ଔଷଧଟା ଖାଇବାକୁ ଦେବେ । ଆଉ ଗୋଟାଏ ଟିଣ ଡ଼ିବା ଦେବି, ସେ ଔଷଧ ଛାତିରେ ବାନ୍ଧିବାକୁ ହେବ । ପ୍ରଥମେ ସେ ଟିଣ ଡବାଟି ।’’ ନବକିଶୋର କହିଲେ–“କଣ ଆଣ୍ଟିଫ୍ଲୋଜିସ୍ ଟିନ (Antiflogis tin) ଦେବେ କି ?”

‘‘ହଁ, Antiflogis tin ଦେବି । ଆପଣ ତାର ବ୍ୟବହାର ଜାଣନ୍ତି ବୋଧହୁଏ ?”

‘‘ହଁ, ଜାଣେ । ଆପଣ ପଠାଇ ଦେଲେ ମୁଁ ବାନ୍ଧି ଦେବି ।’’

ପଥ୍ୟାପଥ୍ୟର ବ୍ୟବସ୍ଥା ଦେଇ ଯିବା ସମୟରେ ଡାକ୍ତର ବାବୁ କହିଲେ–‘‘ଆସୁଛି ନବ ବାବୁ !’’ କାଲି ସକାଳୁ ଯେପରି ଖବର ପଠାଇବାକୁ ଭୁଲିବେ ନାହିଁ ।”

“ଖବର ପଠାଇବି କାହିଁକି–ଆପଣ ଅନୁଗ୍ରହ କରି କାଲି ସକାଳୁ ଆଉ ଥରେ ଆସିବେ; ବର୍ତ୍ତମାନ ଆପଣଙ୍କର ଫିସ୍‌ଟା ନିଅନ୍ତୁ । ମୁଁ ଏକୁଟିଆ,ଲୋକ । କାଲି ବୋଧହୁଏ କାହାକୁ ପଠାଇ ପାରିବି ନାହିଁ । ନିଶ୍ଚୟ ଆସିବେ; ଭୁଲିବେ ନାହିଁ । ପାଞ୍ଚଟଙ୍କିଆ ନୋଟଖଣ୍ଡ ହାତରେ ଧରୁ ଧରୁ ଡାକ୍ତର ବାବୁ ହସି ହସି ଉତ୍ତର କଲେ–‘‘ଆଚ୍ଛା, ମୁଁ ଆସିବି; ଆପଣ ନିଶ୍ଚିନ୍ତରେ ରହନ୍ତୁ ।’’

ଚାକର ମୂଲିଆଙ୍କର ବ୍ୟବସ୍ଥା, ନବକିଶୋରଙ୍କର ଖାଇବା ପିଇବା, ଗୋରୁଙ୍କ ପାଇଁ କୁଳୁଚି ରନ୍ଧା ପ୍ରଭୃତିରେ ସରର ସମୟ ଅଣ୍ଟୁ ନାହିଁ । ନବକିଶୋର ପୁରୁଷ ଲୋକ–ରୋଗିଣୀକୁ ବସାଉଠା କରିବା, ଗୋଡ଼ ହାତ ଟିକିଏ ଆଉଁଷି ଦେବା, ପଥ୍ୟ ପାଚନ ଦେବା, ଏ ସମସ୍ତ ବୁଝିବା ପାଇଁ ଲଳିତା ଭିନ୍ନ ଆଉ କେହି ନାହାନ୍ତି । ରଙ୍ଗାଧର ସନ୍ଧ୍ୟାବେଳେ ଶରଧା ଦେଈଙ୍କୁ ଦେଖିବାକୁ ଆସି ଏ ସମସ୍ତ ଅସୁବିଧା ବୁଝି ପାରିଲେ । ଯିବାବେଳେ ଲଳିତାକୁ କହିଗଲେ, “ତୋର ଘରେ ତ କିଛି କାମ ନାହିଁ । ତୁ ଆଜି ଏହିଠାରେ ରହ-ଆଜି କାହିଁକି, ଭାଉଜଙ୍କର ଦେହ ଭଲ ହେବା ଯାଏ ତୁ ଏହିଠାରେ ଥା ।’’ ନବକିଶୋରଙ୍କର ହୃଦୟ ଆନନ୍ଦରେ ନାଚି ଉଠିଲା । ସେ ମନେ ମନେ କହିଲେ, ‘‘ଯାହାହେଉ, ବଞ୍ଚିଗଲା ମନୁଷ୍ୟ ।’’

ଲଳିତା ନିଜର ଖାଇବା ପିଇବା ଭୁଲି ମନପ୍ରାଣ ଢ଼ାଳି ଦେଇ ଶରଧା ଦେଈଙ୍କର ସେବାଶୁଶ୍ରୁଷାରେ ଲାଗିଗଲା । ଏତେ ସେବାଯତ୍ନ ସତ୍ତ୍ୱେ ରୋଗିଣୀଙ୍କର ଅବସ୍ଥା ଦିନକୁ ଦିନ ଖରାପ ହେବାକୁ ଲାଗିଲା । ଡାକ୍ତର ବାବୁ ପ୍ରଥମେ ଯେଉଁ ଦିନ ଆସିଥିଲେ,ତାର ଠିକ୍ ତିନି ଦିନ ପରେ ଅବସ୍ଥା ବଡ଼ ସାଙ୍ଘାତିକ ହୋଇଉଠିଲା । ରୋରିଣୀ ଘନ ଘନ ସଂଜ୍ଞାହୀନା ହେବାକୁ ଲାଗିଲେ । ସେଦିନ ଡାକ୍ତର ବାବୁ ଦୁଇ ଥର ଆସି ଇନ୍‌ଜେକ୍‌ସନ୍ ଔଷଧ ଦେଇଗଲେ । କହିଗଲେ, ‘‘ଆଜି ରାତିଟା ଟିକିଏ ଜଗିବାକୁ ପଡ଼ିବ; ଏ ରାତିଟା କଟି ଗଲେ କାଲିକି ଆଉ କିଛି ଭୟ ନାହିଁ ।’’

ନିମୋନିଆ ନାଁ ଶୁଣି ଲଳିତା ପୂର୍ବରୁ ବଡ଼ ଭୟ କରିଥିଲା । ଆଜି ଡାକ୍ତର ବାବୁଙ୍କର ଏପରି କଥା ଶୁଣି ତାର ବକ୍ଷ–ପିଞ୍ଜରା ଥରି ଉଠିଲା । ମନେ ମନେ କହିଲା, “ହେ ଭଗବାନ ! ଦୁଃଖୀ ଦୁଃଖ ହର, ଆଜି ରାତିଟା କିପରି ଭଲରେ କଟି ଯାଉ । ତୁମେ ସହାୟ ହୁଅ ପ୍ରଭୁ ! ବଡ଼ ବୋଉକୁ ମୋର ଶୀଘ୍ର ରୋଗମୁକ୍ତ କରିଦିଅ ।”

ରାତି ବାରଟା ହେବ । ସର ରୋଷେଇ ଘରୁ ଡ଼ାକିଲା, ‘‘ଆରେ ନବ, ତୁ ଗଣ୍ଡେ ଖାଇ ଦେଇ ଯା । ତୁ ଖାଇ ସାରିଲେ, ଲଳିତା ଖାଇବ ପରା ? ସେ ଆଜି ବଡ଼ କଷ୍ଟ ପାଇଲାଣି ବିଚାରୀ ! ‘ଭୋକ ହେଉ ନାହିଁ, ବୋଲି କହି ସକାଳେ ତ କିଛି ଖାଇ ନାହିଁ । ରାତି ଅଧ ହେଲାଣି–ଭୋକରେ ତାକୁ ଝୋଲା ମାରିଯିବଣି । ଆ, ତୁ ଚଞ୍ଚଳ ଗଣ୍ଡେ ଖାଇଦେଇ ଯା ।’’

‘‘ମୋର ତ ଭୋକ ହେଉ ନାହିଁ ଅପା ! ମୁଁ ଖାଇବି ନାହିଁ, ତୁମେ ଦୁହେଁ ଖାଇ ନିଅ–’’ ଘର ଭିତରୁ ନବକିଶୋର ଉତ୍ତର ଦେଲେ । ସର କହିଲା, ‘‘କିରେ ମୋର ପରା ଆଜି ଏକାଦଶୀ । ତୁ ଆଗ ଦିଟା ଖାଇ ଯା, ତୁ ନ ଖାଇଲେ ସେ କଣ ଖାଇବ କି ? କାଲି ତ କହି କହି ଥକିଗଲି, ହେଲା ନାହିଁ–ତୁ ଖାଇ ସାରିଲା ପରେ ଅଢ଼େଇ ପହରରେ ଯାଇ ଖାଇଲା ’ ନବକିଶୋର ନୀରବରେ ଉଠିଗଲେ ।

ସର ହାତ ଧୋଉ ଧୋଉ ଲଳିତାକୁ ଲକ୍ଷ୍ୟ କରି କହିଲା, ‘‘ମୁଁ ବାଢ଼ି ଦେଇ ଆସିଚି, ନବ ଖାଇ ସାରିଲେ ତୁ ଖାଇବୁ । ମୋ ମୁଣ୍ଡଟା କାହିଁକି ଭାରି ବିନ୍ଧୁଚି, ମୁଁ ଆଉ–।’’ ଲଳିତା କହିଲା, ‘‘ଯା ଅପା, ତମେ ଟିକିଏ ଶୋଇପଡ଼ିବ । ମୋତେ ନିଦ ମାଡ଼ିଲେ ତମକୁ ଉଠାଇ ଦେବି । ରାତିଟା ଯାକ କଣ ସମସ୍ତେ ଉଜାଗର ହେବା ?’’ ସର ସେହି ଘରର ଗୋଟାଏ କଣରେ ସପଟାରେ ପଡ଼ିଗଲା ।

ନବକିଶୋର ଖାଇ ସାରିଲା ବେଳକୁ ଶରଧା ଦେଈଙ୍କ ଦେହରୁ ଝାଳ ପାଣି ପରି ବୋହୁଛି–ଶେଯ ମାଣ୍ଡି ସବୁ ଭିଜିଗଲାଣି । ଲଳିତା ଗୋଟାଏ ପଲମରେ ନିଆଁ କରୁ କରୁ କହିଲା, ‘‘ତମେ ସେ ଚାଦର ଖଣ୍ଡ ଆଣି ବୋଉଙ୍କୁ ଆଗ ପୋଛି ଦେବଟି । ନିଆଁ ହୋଇଗଲା ଆସି–ଲୁଣ କେଉଁଠି ଅଛି ଆଣିଲ, ପୁଡ଼ା କରି ସେକିବାକୁ ହେବ ।’’ ନବକିଶୋର ବୋଉଙ୍କ ଦେହରୁ ଝାଳ ପୋଛି ଦେଇ କହିଲେ, ‘‘ତୁ ଖାଇବୁ ଯା । ମୁଁ ଅପାକୁ ଡ଼ାକି ଦେଉଛି । ସେ–।’’

‘‘ନା, ନା, ଅପାକୁ ଡ଼ାକ ନାହିଁ । ସାରା ଦିନଯାକ ହାଡ଼ଭଙ୍ଗା ପରିଶ୍ରମ–ସେଥିରେ ପୁଣି ଏକାଦଶୀ ଉପବାସ । ତାଙ୍କର ମୁଣ୍ଡ ବିନ୍ଧୁଛି–ତାଙ୍କୁ ଉଠାଅ ନାହିଁ, ତମେ ନ ପାଇବ ତ ମୁଁ ଲୁଣ ଖୋଜି ଆଣୁଛି ।’’

‘‘ଲୁଣ କଥା କହୁ ନାହିଁ ମ । ତୁ ତ ଫେର ଗଣ୍ଡାଏ ଖାଇବୁ ?’’

ଲଳିତା ଆଉ ଟିକିଏ ବିରକ୍ତ ହୋଇ କହିଲା, ‘‘ଦିନକ ଭିତରେ ଖାଇବା ବିନା କେହି ମରିଯାଏ ନାହିଁ । ତମେ ଆଉ କିଛି କହନା–ମୋ କଥା ମାନ, ଅପାଙ୍କୁ ଆଦୌ ଉଠାଅ ନାହିଁ । ତମକୁ କଷ୍ଟ ହେଉଛି ତ ସେହିଠାରେ ଶୋଇପଡ଼ ।’’ ଲଳିତାର ଏପରି ଟାଣ ଟାଣ କଥା ଶୁଣି ନବକିଶୋର ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଗଲେ । ଏ କଣ ? ସେ ତ ଲଳିତା ମୁହଁରୁ ଏପରି କଥା କେବେ ଶୁଣି ନାହାନ୍ତି । ସର୍ବଦା ଲଳିତଭାଷିଣୀ ଲଳିତା ମୁହଁରେ, ବିଶେଷତଃ ନବକିଶୋରଙ୍କ ପ୍ରତି ଏପରି କଡ଼ା କଥା କାହିଁକି ? ଅନାହାର, ଅତ୍ୟଧିକ ପରିଶ୍ରମ, ତାପରେ ପୁଣି ଅନିଦ୍ରା, ଏହି ସବୁ କାରଣରୁ ବୋଧହୁଏ ମୁଣ୍ଡ ଗରମ ହୋଇ ଯାଇଛି । ଯାହା ହେଉ, ସେ ବିଷୟ ଭାବିବାକୁ ନବକିଶୋରଙ୍କର ଅବସର କାହିଁ ? ସେ ତତ୍‌କ୍ଷଣାତ୍ ଉଠି ଯାଇ ଲୁଣଗିନାଟା ଘେନି ଆସିଲେ । ଲଳିତାର ନିଆଁ ପ୍ରସ୍ତୁତ ହୋଇ ସାରିଥିଲା । ସେ ଲୁଣପୁଡ଼ା କରି ସେକିବାକୁ ଆରମ୍ଭ କଲା । ନବକିଶୋର ନିଜ ହାତ ନିଆଁକୁ ଦେଖାଇ ବୋଉଙ୍କ ପାଦ ଆଉଁଷିବାକୁ ଲାଗିଲେ ।

ଠିକ୍ ରାତି ଦୁଇଟାବେଳେ ଶରଧା ଦେଈଙ୍କର ଝାଳ ବନ୍ଦ ହେଲା । ସେ ଆଖି ମେଲି ଚାହିଁଲେ । ନବକିଶୋର ଡାକିଲେ ‘‘ବୋଉ ! ବୋଉ !’’ ଶରଧା ଦେଈ ହସ୍ତ ପ୍ରସାରଣ କରି କହିଲେ ‘‘ନବ, ଆ ମୋ’ ପାଖକୁ ଟିକିଏ ଆ ।’’ ନବକିଶୋର ମୁଣ୍ଡ ପାଖକୁ ଗଲେ । ଶରଧା ଦେଈ କହିଲେ ‘‘ତୁ ଖାଇଲୁଣି ?’’

‘‘ହଁ ।’’

ଶରଧା ଦେଈ ନବକିଶୋରଙ୍କ ମୁହଁକୁ ନିର୍ବାକ୍ ନିଷ୍ପନ୍ଦ ଭାବରେ କିଛିକ୍ଷଣ ଚାହିଁ ରହିଲେ-। ପୁଣି ପଚାରିଲେ–‘‘ବୋହୂ ଖାଇଲାଣି ?’’ ନବକିଶୋର ଆଶ୍ଚର୍ଯ୍ୟାନ୍ୱିତ ଭାବରେ ଥରେ ବୋଉଙ୍କ ମୁହଁକୁ, ଥରେ ଲଳିତା ମୁହଁକୁ ଚାହିଁବାକୁ ଲାଗିଲେ । ଶରଧା ଦେଈଙ୍କର ଏପରି ପ୍ରଶ୍ନରେ ଲଳିତା ମଧ୍ୟ କମ ଆଶ୍ଚର୍ଯ୍ୟ ହୋଇ ନାହିଁ । ବୋହୂ କିଏ ? ସେ କିଛି ସ୍ଥିର କରି ନ ପାରି ନବକିଶୋରଙ୍କ ମୁହଁକୁ ଜିଜ୍ଞାସୁ ନୟନରେ ଚାହିଁ ରହିଲା । ନବକିଶୋର ଭାବିଲେ, ଏ ନିଶ୍ଚୟ ପ୍ରଳାପ ଭିନ୍ନ ଆଉ କିଛି ନୁହେଁ । ଶରଧା ଦେଈ ଆଉ ଥରେ ପଚାରିଲେ, ‘‘କିରେ କହୁ ନାହୁଁ କିଛି ? ବୋହୂ ଖାଇ ନାହିଁ-?’’ ନବକିଶୋର କହିଲେ, ‘‘ହଁ, ତୋର ଦେହ ବର୍ତ୍ତମାନ କିପରି ଲାଗୁଛି ?’’ ଶରଧା ଦେଈ କିଛି ଉତ୍ତର ନ ଦେଇ ବିପରୀତ ଦିଗକୁ ମୁହଁ କରି ଶୋଇଲେ । ଲଳିତା ବହୁତ ଚେଷ୍ଟା କରି ଔଷଧ ପାନେ ପିଆଇ ଦେଲା । କିଛିକ୍ଷଣ ପରେ ଶରଧା ଦେଈ ନିଦରେ ଶୋଇଗଲେ-। ଲଳିତା ଅଗଣାକୁ ଉଠିଗଲା ନିଆଁ ପାଖରେ ବସି ବସି ବଡ଼ ଗରମ ବୋଧ ହେବାରୁ-। କିଛି ସମୟ ପରେ ନବକିଶୋର ଅଗଣାକୁ ଗଲେ; କହିଲେ ‘‘ଲଳିତା ! ତୁ ଯା ଗଣ୍ଡେ ଖାଇନେବୁ-। ଦିନ ତମାମ ଉପବାସରେ ବଡ଼ କଷ୍ଟ ହେଉଥିବ ।’’ କିଛି ଉତ୍ତର ପାଇଲେ ନାହିଁ । ପୁଣି ଡାକିଲେ, ‘‘ଲଳିତା !’’ ଲଳିତା ନିରୁତ୍ତର । ଏ କଣ ? ନବକିଶୋର ତା ପାଖରେ ବସିଯାଇ ତା ସୁକୋମଳ ଚିବୁକ ଧରି ଟେକିଦେଲେ । ଚନ୍ଦ୍ରକିରଣରେ ଜକ୍ ଜକ୍ ଦିଶିଲା ନେତ୍ରକୋଣରେ ମୁକ୍ତାହାର ନିଦୀ ଦୁଇଧାର ଅଶ୍ରୁ-। ନବକିଶୋର ଚମକି ଉଠିଲେ । ତାଙ୍କର ହୃଦୟ ଯେ କିପରି ବେଦନାରେ ଆଲୋଡ଼ିତ, ଆନ୍ଦୋଳିତ ହୋଇଉଠିଲା, ତାହା କଳ୍ପନାରେ ଅନୁଭବ୍ୟ କେବଳ ! ସେତେବେଳେ ସେ ଯେପରି ବିକଳ ହୋଇ ଉଠିଲେ, ମୁମୁର୍ଷୁ ମାତାଙ୍କୁ ମରଣର ଦୁଆରେ ଉଭା ହେବାର ଦେଖି ସୁଦ୍ଧା ତାଙ୍କର ସେପରି ଦୁଃଖଯନ୍ତ୍ରଣା ହୋଇ ନଥିଲା । ଲଳିତା ଲାଗି ସିନା ତାଙ୍କର ବୋଉ ଆଜିଯାଏ ବଞ୍ଚି ରହିଛନ୍ତି ! ଲଳିତା କଣ ନ କରିଛି ? ତାରି ଅକ୍ଳାନ୍ତି ପରିଶ୍ରମ ଓ ଅହର୍ନିଶ ସେବା ଶୁଶ୍ରୁଷା ଯୋଗୁଁ ସିନା ସେ ବୋଉଙ୍କୁ ଦେଖିବାକୁ ପାଉଛନ୍ତି । ଲଳିତା ଯେ ଶରଧା ଦେଈଙ୍କର ଜୀବନଦାତ୍ରୀ । ସେ କଣ ଏପରି କଠୋର, ନିର୍ମମ, ପାଷାଣ ଯେ, ଜନନୀର ଜୀବନଦାତ୍ରୀ ପ୍ରତି କୃତଜ୍ଞତା ପ୍ରଦର୍ଶନ କରିବେ ନାହିଁ ? ତାର ନେତ୍ରରେ ଅଶ୍ରୁବିନ୍ଦୁ ଦେଖି ତାଙ୍କର ଅନ୍ତର୍ଦାହ ଉପସ୍ଥିତ ହେବ ନାହିଁ ? ନବକିଶୋରଙ୍କର ଚକ୍ଷୁ ସ୍ଥିର ହୋଇଗଲା । ନିର୍ବାକ ନିଷ୍ପନ୍ଦ ଭାବରେ ସେ ରହିଗଲେ-

କ୍ଷଣକ ପରେ ଚେତନା ଆସିଲା । ଲଳିତାକୁ କ୍ରୋଡ଼କୁ ଟାଣି ଆଣି ତାର ମସ୍ତକରେ ହସ୍ତ ସଞ୍ଚାଳନ କରୁ କରୁ କହିଲେ–‘‘ଲଳିତା । କହ ତୋର ଦୁଃଖ କାହିଁକି ? ବୋଉର ସେବାଶୁଶ୍ରୁଷାରେ ରହି ତୋର ଖବର କିଛି ବୁଝି ପାରି ନାହିଁ । ଆଜି ଦିନ ତମାମ ତୁ କିଛି ଖାଇ ନାହୁଁ । ସେତେବେଳେ...।’’ ଲଳିତା ତାଙ୍କର ଗଳାରେ ବାହୁଦ୍ୱୟ ବେଷ୍ଟନ କରି ଉଚ୍ଚସ୍ୱରରେ କାନ୍ଦିବାକୁ ଲାଗିଲା । ସେ ଆଉ କିଛି କହିପାରିଲେ ନାହିଁ । ଶତ ଚେଷ୍ଟା କରି ଲଳିତାର କ୍ରନ୍ଦନ ବନ୍ଦ କରିପାରିଲେ ନାହିଁ ମଧ୍ୟ । ତାଙ୍କର ହୃଦୟ ଶତଧା ବିଦୀର୍ଣ୍ଣ ହେବାକୁ ଲାଗିଲା । ସେ ଧୈର୍ଯ୍ୟ ଧରି ନ ପାରି ଲଳିତାକୁ ଆଉ ଟିକିଏ କୋଳକୁ ଟାଣି ଆଣି ହୃଦୟରେ ଭିଡ଼ି ଧରିଲେ ଏବଂ ଶିଶୁଟି ପରି କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲେ । ଏହିପରି କେତେ ସମୟ ଅତିବାହିତ ହୋଇଗଲା, ଜଣା ନାହିଁ । କ୍ରମେ ଲୋତକର ବେଗ କମିଆସିଲା । ହୃଦୟର ଆବେଗ, ଅସ୍ଥିରତା, ଅଧୀରତା କମି ଆସିଲା । ନବକିଶୋର କହିଲେ, ‘‘ମୋ ରାଣ ଲଳିତା, ସତ କହ–ତୋର...।’’ ଲଳିତା ତାର କୁସୁମପଲ୍ଲବ କମନୀୟ କର–ପଲ୍ଲବରେ ନବକିଶୋରଙ୍କର ମୁଖ ଚାପି ଧରିଲା । ‘‘ଛି, ପିଲାଙ୍କ ପରି ଗୋଟାଏ ରାଣଫାଣ କଣ ?’’ ନବକିଶୋର ଲଳିତାର ହସ୍ତ ଦୁଇଟି ଭିଡ଼ି ଧରି କହିଲେ–‘‘ତେବେ କହ ତୋର କି ଦୁଃଖ ।’’ ଲଳିତା ପଣନ୍ତ କାନିରେ ଅଶ୍ରୁମୋଚନ କରି କହିଲା, ‘‘ତମ ପାଖରେ ଥିଲେ ମୋର ଆଉ ଦୁଃଖ କ’ଣ ? ତମେ କଣ ଜାଣନା, ତମକୁ ଦେଖିଲେ ମୋର ସବୁ ଦୁଃଖ ଦୂର ହୋଇଯାଏ ?’’

‘‘ମିଛ କଥା । ନିତାନ୍ତ ମିଛ କଥା ଏ । ଦୁଃଖ ନ ହେଲେ ଆଖିରୁ କେବେ କାହାରି ପାଣି ବାହାରେ ନାହିଁ ।’’

ଲଳିତା ଆଉ କିଛି କହିଲା ନାହିଁ । ତାର ବା ଆଉ କ’ଣ କହିବାକୁ ଥିଲା ? ମିଛ ତ କହିଛି । ନବକିଶୋରଙ୍କ ବକ୍ଷରେ ମୁହଁ ଲୁଚାଇ ନିଷ୍ପନ୍ଦ ଭାବରେ ପଡ଼ି ରହିଲା । ନବକିଶୋର ତାର ସୁନୀଳ କୁନ୍ତଳଦାମରେ କର ସଂଚାଳନ କରୁ କରୁ କହିଲେ–‘‘ତେବେ ତୁ ଏ ପର୍ଯ୍ୟନ୍ତ ମୋତେ ବିଶ୍ୱାସ କରିପାରୁ ନାହୁଁ ?’’

ବହୁକ୍ଷଣ ଅତିବାହିତ ହୋଇଗଲା । କାହାରି ତୁଣ୍ଡରେ କଥା ନାହିଁ । ଲଳିତା ବୁଝିପାରିଲା, ନବକିଶୋର ଆଉ କିଛି କହିବେ ନାହିଁ–ଅଭିମାନରେ ରହିଲେଣି । ସେ ନବକିଶୋରଙ୍କଠାରୁ ବଳି ଆଘାତ ଅନୁଭବ କରୁଥିଲେ ସୁଦ୍ଧା, ସେ ସମସ୍ତ ଗୋପନ ରଖି କହିଲା, ‘‘ତମେ ମୋତେ ଅବିଶ୍ୱାସ କରୁଛ ?’’ ନବକିଶୋର ଅନ୍ୟମନସ୍କ ଭାବରେ କହିଲେ–‘‘ଅବିଶ୍ୱାସ କରୁ ନାହିଁ । ତେବେ–’’

‘‘ବଡ଼ ବୋଉଙ୍କର କଥା ଭାବି ମନଟା ବଡ଼ ବ୍ୟସ୍ତ ହୋଇପଡ଼ିଲା; ସେଥିପାଇଁ ବାହାରକୁ ପଳାଇ ଆସିଥିଲି । ତା ପରେ..... ।’’

‘‘ଲଳିତା, ସତ କହ–ମୋତେ ଚାହିଁ ସତ କହ ।’’

ଲଳିତାର ପଦ୍ମପଳାଶ ନୟନଯୁଗଳରୁ ଦରଦର ଧାରରେ ଲୋତକ ବହି ପଡ଼ିଲା । ନବକିଶୋରଙ୍କ ଅଲକ୍ଷ୍ୟରେ ଅଶ୍ରୁମୋଚନ କରି ସେ କହିଲା,–‘‘ଆମେ ସବୁ ପାଖରେ ଥିଲେ ବୋଲି ସିନା । ବଡ଼ ବୋଉର ଆଜି ଯେପରି ହେଲା.....।’’ ଏହି ପର୍ଯ୍ୟନ୍ତ; ଆଉ ସେ ଅଗ୍ରସର ହୋଇପାରିଲା ନାହିଁ । ବିସ୍ଫାରିତ ନୟନରେ ତାର ଦୁଃଖକାଳମାଚ୍ଛନ୍ନ ପାଣ୍ଡୁର ମୁଖମଣ୍ଡଳକୁ ନବକିଶୋର ଚାହିଁ ରହିଲେ କେବଳ । ଟିକିଏ ପରେ ଲଳିତା ପୁଣି କହିଲା–‘‘କେତେବେଳେ କାହାର କଣ.....ଟିକିଏ ଦେଖିବାକୁ.... ।’’ ତାର ଧୈର୍ଯ୍ୟବନ୍ଧ ଆଉ ସମ୍ଭାଳିଲା ନାହିଁ । ଦୁଃଖ–ତରଙ୍ଗାଘାତରେ କେଉଁ ଆଡ଼େ ଭାସି ଚାଲିଗଲା । ସେ ନବକିଶୋରଙ୍କର କଟିଦେଶକୁ ନିଜର ବାହୁବେଷ୍ଟନୀ ମଧ୍ୟରେ ରଖି ବିକଳରେ କାନ୍ଦିବାକୁ ଲାଗିଲା । ଏତେବେଳେ ବୁଝିପାରିଲେ ନବକିଶୋର, ଲଳିତାର ଦୁଃଖ କାହିଁକି ? ଲଳିତା ତାଙ୍କରି ଭବିଷ୍ୟତ୍ ଭାବନାରେ ଏପରି ଦୁଃଖିତା, ବ୍ୟଥିତା ଏବଂ ମ୍ରିୟମାଣା । ନବକିଶୋରଙ୍କର ଆଖି ଓଦା ହୋଇଆସିଲା । ସେ ଆଦର କରି ତାର ନବନୀତ–କୋମଳ ଶରୀରରେ ହସ୍ତ ସଞ୍ଚାଳନ କରି ସାନ୍ତ୍ୱନା ଦେବାକୁ ଲାଗିଲେ ।

Image

 

ନବମ ପରିଚ୍ଛେଦ

 

ସୂର୍ଯ୍ୟ ଅସ୍ତ ହୋଇଗଲେଣି । ଧରଣୀବକ୍ଷରୁ ତାଙ୍କର ଶେଷ ରକ୍ତିମ ଛବିର ସ୍ମୃତିଟିକ ସଂପୂର୍ଣ୍ଣ ଲିଭି ଯାଇ ନାହିଁ । ଆଉ ଅଳ୍ପ ସମୟ ପରେ ଅନ୍ଧକାର ମାଡ଼ି ଆସିବ ବୋଲି ମନୁଷ୍ୟ, ପଶୁପକ୍ଷୀ ସମସ୍ତେ କାର୍ଯ୍ୟବ୍ୟସ୍ତ । ସତେ ଯେପରି ନୂତନ ଜୀବନ୍ୟାସ ମନ୍ତ୍ର ପାଇ ଧରଣୀ ବର୍ତ୍ତମାନ ଜାଗି ଉଠିଛି । ଧରଣୀର ସେହି ମହାଜାଗରଣ ସମୟରେ ନବକିଶୋର ଗୋଟିଏ କ୍ଷୁଦ୍ର ପ୍ରକୋଷ୍ଠରେ ନୀରବ ନିଶ୍ଚଳ ଭାବରେ ବସିଛନ୍ତି; ଆଉ ତାଙ୍କ ନିକଟରେ ଲଳିତା ବସି ଅନ୍ୟମନସ୍କ ଭାବରେ ଗୋଟିଏ ପୁସ୍ତକର ପୁଡ଼ା ଓଲଟାଇ ଯାଉଛି । ସଂସାରର ଚଞ୍ଚଳତା, ବ୍ୟଗ୍ରତା ପ୍ରତି କାହାର ଦୃଷ୍ଟି ନାହିଁ, ଭ୍ରୁକ୍ଷେପ ନାହିଁ ମଧ୍ୟ । କେତେ ସମୟ ପରେ ଲଳିତା ପୁସ୍ତକ ଉପରେ ଦୃଷ୍ଟିରଖି କହିଲା–‘‘କାଲି ଯିବାର ତେବେ ନିଶ୍ଚୟ ?’’ ନବକିଶୋର ଦୃଷ୍ଟି ଫେରାଇଲେ । ଧୀର ଏବଂ ମୃଦୁକଣ୍ଠରେ କହିଲେ–’’ ଗ୍ରୀଷ୍ମଛୁଟି ବେଶି ଦିନ ହେଲେ କଅଣ ହେଲା, ପଢ଼ାପଢ଼ି ବହୁତ ଅଛି । ମୁଁ ବାର ଦିନ ପାଇଁ ଆସିଥିଲି, ପନ୍ଦର ଦିନ ହୋଇଗଲାଣି । ଅତୁଲ ବାବୁ ମୋତେ ଚାହିଁ ପଢ଼ାପଢ଼ି ଆରମ୍ଭ କରି ନଥିବେ । ବୋଉର ଦେହ ତ ଭଲ ହୋଇଗଲାଣି; ଖାଲି ଦୁର୍ବଳତା ଅଛି ସିନା । ଏହି ‘ଟନିକ୍’ଟା କିଛି ଦିନ ଖାଇଲେ ଭଲ ହୋଇଯିବ । ମୁଁ ଆଉ ଏଠାରେ ବୃଥାଟାରେ ବସି ପଢ଼ାପଢ଼ି ନଷ୍ଟ କରିବି କାହିଁକି ?’’ ନବକିଶୋର ଏତେଗୁଡ଼ାଏ କଥା କହିଗଲେ । ସେ ସମସ୍ତ ଲଳିତାର କାନକୁ ଗଲା କି ନାହିଁ କେଜାଣି, ସେ ସେହିପରି ପୁସ୍ତକର ପୁଡ଼ା ଓଲଟାଇବାରେ ବ୍ୟସ୍ତ ।

 

ଟିକିଏ ପରେ ନବକିଶୋର କହିଲେ, ‘‘ଏତେ ଭାବୁଛ କ’ଣ ? ଆମ ଦେଶର ତ ଏହି ଦୁର୍ଦ୍ଦଶା । ମୁଁ ଦେଖୁଛି, ଉତ୍କଳ–ରମଣୀମାନଙ୍କର ଆଦୌ କର୍ତ୍ତବ୍ୟ ଜ୍ଞାନ ନାହିଁ । ପୁରାଣ ଇତିହାସରୁ ଜଣାଯାଏ, ଏ ଦେଶର ରମଣୀମାନେ ଦିନେ ସ୍ୱାମୀ, ପୁତ୍ରଙ୍କୁ ଯୋଦ୍ଧା ବେଶରେ ସଜାଇ ସମର ପ୍ରାଙ୍ଗଣକୁ ପଠାଇ ଦେଉଥିଲେ; କିନ୍ତୁ ଆଜି ଆଖିରେ ଦେଖୁଛି, ତା’ର ଠିକ୍ ଓଲଟା ! ଏପରି କି, ଜ୍ଞାନଲାଭ ନିମିତ୍ତ କେହି କାହାରିକୁ ଚକ୍ଷୁର ଅନ୍ତରାଳକୁ ଯିବାକୁ ଦେଉ ନାହାନ୍ତି । ଏ ଦେଶର ଆଉ ମଙ୍ଗଳ ହେବ କ’ଣ ? ଅନ୍ୟ କଥା କ’ଣ କହିବି । ତୁ ପରା ଶିକ୍ଷିତା ? ଭଲ ମନ୍ଦ ବୁଝିବାର ଶକ୍ତି ତୋର ଅଛି !’’ ଲଳିତା ମୁଖ ଫେରାଇଲା । ଈଷତ୍ ହାସ୍ୟ କରି କହିଲା, ‘‘ନା, ଭଲ ମନ୍ଦ ବୁଝିବାର ଶକ୍ତି ଏକା ପୁରୁଷମାନଙ୍କର ଅଛି ।’’ ସେହି ପଦେମାତ୍ର କଥାରେ ପୂର୍ବର ହସଟିକ ଓଷ୍ଠାଧରରେ ମିଳାଇ ଗଲା, ଦାରୁଣ ଦୁଃଖରେ ମସ୍ତକ ନଇଁ ପଡ଼ିଲା । ଲୋତକଧାରାରେ ପୁସ୍ତକର ପୁଡ଼ାସବୁ ଭିଜିବାକୁ ଲାଗିଲା । ନବକିଶୋର ଲଳିତାକୁ ନିକଟକୁ ଟାଣିନେଇ କହିଲେ–‘‘ତମର ନାରୀହୃଦୟ ବଡ଼ ଦୁର୍ବଳ । ସାମାନ୍ୟ କାରଣରେ ବଡ଼ ଅଥୟ ହୋଇଯାଏ । ଛି, ତୁ ବୁଝି ସୁଝି ଏପରି ଅବୁଝା ହେଉଛୁ ।’’ ଲଳିତା ନବକିଶୋରଙ୍କର ମୁହଁକୁ ଚାହିଁଲା ଶିଶିରସ୍ନାତ ନୀଳ–କମଳ–ଆଖି ଯୋଡ଼ିକ ଟେକି । ନବକିଶୋର ପଚାରିଲେ ‘‘ତୋର କିଛି କହିବାର ଅଛି ତ କହ ।’’

 

‘‘ନା, ବିଶେଷ କିଛି କହିବାର ନାହିଁ । ଆଉ ପୁଣି କେବେ ଆସିବ ?’’

‘‘ପୂଜା ଛୁଟିରେ ।’’

‘‘ପହଞ୍ଚିଲାକ୍ଷଣି ପତ୍ର ଦେବ ।’’

‘‘ନିଶ୍ଚୟ ।’’

 

‘‘ତମେ ମୁହଁର କଥାକୁ କାର୍ଯ୍ୟରେ ଦେଖେଇ ପାରନା । ଚିଠି ଦେବାରେ ବଡ଼ ଡ଼େରି କରୁଛ । ପ୍ରତି ଚାରି ଦିନରେ ପତ୍ର ଦେବାକୁ ହେବ ଏଥର ।’’

 

‘‘ହଉ, ସେହି କଥା ହେଲା । ତୁ କିନ୍ତୁ–’’

‘‘ମୋ ମୁଣ୍ଡରେ ହାତ ଦେଇ କହି ଯା ।’’

 

‘‘ଛି, ଲଳିତା ! ସେ ଗୋଟାଏ କ’ଣ ? ମୁଁ କେବେ ମିଛ କହେ ?’’ ଲଳିତା ନୀରବରେ ଅଶ୍ରୁମୋଚନ କରି ଅଞ୍ଚଳରେ ବନ୍ଧାଥିବା ଗ୍ରାମଦେବତୀଙ୍କ ମଥାର ସିନ୍ଦୂର ନେଇ ପ୍ରଣୟୀର ମସ୍ତକରେ ଲଗାଇଦେଲା । କହିଲା–‘‘ଏ ଗ୍ରାମଦେବତୀଙ୍କ ପ୍ରସାଦ–ଦେବୀଙ୍କୁ ମନେ ମନେ ପ୍ରଣାମ କର ।’’ ତା’ପରେ ସେ ଗଳବସ୍ତ୍ର ହୋଇ ଗ୍ରାମଦେବତୀଙ୍କ ଉଦ୍ଦେଶ୍ୟରେ ଦଣ୍ଡ ପ୍ରଣାମ କଲା । ସେହି ସମୟରେ ଅଗଣାରେ ଥାଇ ସର କହିଲା–‘‘ବୋଉକୁ ଔଷଧ ଦେଲୁଣି ନବ ?’’ ‘‘ମୁଁ ଦେଇ ଆସେ’’ କହି ଲଳିତା ଉଠିଗଲା ।

 

ନବକିଶୋରଙ୍କଠାରୁ ଯେତେବେଳେ କୈଳାସଚନ୍ଦ୍ର ଶୁଣିଲେ, ଲଳିତା ଯୋଗୁଁ ଶରଧା ଦେଈ ପ୍ରାଣ ପାଇଛନ୍ତି, ସେ ଆହାର ନିଦ୍ରା ଭୁଲି, ରାତି ରାତି ଉଜାଗର ରହି ସେବାଶୁଶ୍ରୁଷା କରିଛି, ତିନି ଦିନ କାଳ ନିଜ ଘରକୁ ମୁହୂର୍ତ୍ତକ ପାଇଁ ସୁଦ୍ଧା ଯାଇ ନାହିଁ, ଘୃଣାରେ, କ୍ରୋଧରେ, ଅଭିମାନରେ ତାଙ୍କର ମୁଖ ବିକୃତ ହୋଇଗଲା । ରଙ୍ଗାଧରଙ୍କ ପ୍ରତି ତାଙ୍କର ଗୋଟାଏ ନିତାନ୍ତ ଜଘନ୍ୟ ଧାରଣା ଜାତ ହେଲା । ସେ ଭାବିଲେ, ‘‘ଛି, କେଡ଼େ ନୀଚପ୍ରକୃତି ତୋର ରଙ୍ଗାଧର ! ତୁ ଗୋଟାଏ ସାମାନ୍ୟ ପ୍ରଲୋଭନରେ, ଉଚ୍ଚ ବଂଶରେ ବନ୍ଧୁ କରିବୁ–ଏହି ଗୋଟାଏ ନିତାନ୍ତ ହେୟ ଆଶାରେ ଆତ୍ମସମ୍ମାନକୁ ଭୁଲିଗଲୁ ? ନାରୀର ନାରୀତ୍ୱ ପରି ଅମୂଲ୍ୟ ସମ୍ପଦକୁ ପଦରେ ଠେଲି ଦେବାକୁ କୁଣ୍ଠିତ ହେଲୁ ନାହିଁ ? ନବ ପ୍ରଲୋଭନରେ ପଡ଼ି କିପରି ତୋ କନ୍ୟାକୁ ବିବାହ କରିବ, ଏହି ଆଶାରେ ତୁ ନିଶ୍ଚୟ ଲଳିତାକୁ ଏତେ ଉତ୍କଟ ସ୍ୱାଧୀନତା ଦେଇଛୁ । ଯୁବତୀ କନ୍ୟାକୁ ଅପର ଘରେ ତିନି ଦିନ ତିନି ରାତି ରହିବା ଲାଗି ଅନୁମତି ଦେବା ତୋର କି ଦରକାର ଥିଲା ? ଏ ଗୋଟାଏ ତୋର ନୂତନ ରକମର ଫନ୍ଦି ନିଶ୍ଚୟ । ଏହି ନୀଚ ଭାବ ହୃଦୟରେ ପୋଷଣ କରି ବୋଧହୁଏ ତୁ ନବ ସହିତ ଲଳିତାକୁ ପଟାମୁଣ୍ଡାଇରେ ପଢ଼ାଉଥିଲୁ । ସେତେବେଳେ ମୁଁ ଅନୁମାନ କରିପାରି ନ ଥିଲି, ବର୍ତ୍ତମାନ ବୁଝିପାରୁଛି, ତୋର ଦୁରଭିସନ୍ଧି କ’ଣ ଥିଲା । କୌଶଳରେ ଶରଧା ଦେଈଙ୍କୁ ତୁ କରଳରେ ପକାଇ ସାରିଲୁଣି । ନରାଧମ, ଜଣକୁ ଆୟତ୍ତ କରି ସାରି ବର୍ତ୍ତମାନ ଆମ୍ଭ ପିତା ପୁତ୍ର ଦୁଇ ଜଣଙ୍କୁ ଆୟତ୍ତ କରିବାର ଚେଷ୍ଟାରେ ଅଛୁ । କିନ୍ତୁ ମନେ ରଖିଥା, କୈଳାସଚନ୍ଦ୍ର ପଟ୍ଟନାୟକ ତୋର ସେ ମାୟା–ଜାଲରେ ପଡ଼ିବାର ଲୋକ ନୁହେଁ, କି ତୋର ଛଳନା ଚାତୁରୀରେ ଭୁଲିବାର ପାତ୍ର ନୁହେଁ ।’’

 

ପୁଣି ଭାବିଲେ, ‘‘ନବଟା ବୋଧହୁଏ ଲଳିତାର କୁହୁକରେ ମଜ୍ଜି ଯାଇଛି । ତା ନ ହେଲେ, ସେ ମୋ ପାଖରେ ତା’ର ଏତେ ପ୍ରଶଂସା କରେ କାହିଁକି ? ତା’ ପାଖକୁ ଏତେ ଚିଠିପତ୍ର ଦିଏ କାହିଁକି ? ଯେଉଁ ଦିନ ଗାଁରୁ ଚିଠି ଆସିବାର ଶୁଣେ, ‘‘କିଏ ଦେଇଛି ?’’ ପଚାରିଲେ ଉତ୍ତର ପାଏ, ‘‘ଲଳିତା ଦେଇଛି ।’’ ଏହାର କାରଣ କଣ ? ଲଳିତା ସଙ୍ଗରେ ୟାର ଏତେ ପତ୍ରର ଆଦାନପ୍ରଦାନ କାହିଁକି ? ନା ନବକୁ ନିଶ୍ଚୟ ସେମାନେ ଭୁଲାଇ ଦେଲେଣି । କି ଉପାୟରେ ସେ ବଦମାସଙ୍କ କବଳରୁ ନବକୁ ଉଦ୍ଧାର କରିବି ? ନବକୁ ଆଜି ନିଷେଧ କରିଦେବି ଯାଉଛି–ସେ ଯେପରି ଆଉ ଲଳିତା ପାଖକୁ ଚିଠିପତ୍ର ନ ଦିଏ । ହଁ, ଠିକ୍ ହେବ–ତାହେଲେ ଦୁହିଙ୍କର ଆଉ ପୂର୍ବ ପରି ସଦ୍ଭାବ ରହିବ ନାହିଁ । ଏହା ଛଡ଼ା ତ ଆଉ ଉପାୟ ନାହିଁ ।’’ ପୁଣି ଭାବିଲେ, ‘‘ନା, ସେଟା ଉଚିତ ହେବ ନାହିଁ । ନବ ତ ଆଉ ପିଲା ନୁହେଁ–ତା ମନରେ ଦୁଃଖ ହୋଇପାରେ । ସେ ବିରକ୍ତି ହୋଇ ମୋର ଯଦି ଅମର୍ଯ୍ୟାଦା କରେ ? ଆଉ ଗୋଟିଏ କଥା, କି କାରଣ ଦେଖାଇ ନିଷେଧ କରିବି ? ନା, ପ୍ରକୃତ ଘଟଣା ଆଗ ବୁଝିବା ଦରକାର; କେବଳ ସନ୍ଦେହରେ ତ ଚାଲିଲେ ହେବ ନାହିଁ । ତେବେ କି ଉପାୟରେ ପ୍ରକୃତ ଘଟଣା ବୁଝାଯିବ ?’’

 

କୈଳାସଚନ୍ଦ୍ର ଯେତିକି ଭାବିବାକୁ ଲାଗିଲେ, ତାଙ୍କର ମୁଣ୍ଡ ସେତିକି ଗରମ ହୋଇଉଠିଲା । ସେ ଆଉ ବସି ପାରିଲେ ନାହିଁ । ଆଖି ବୁଜି ଶୋଇ ପଡ଼ିଲେ ।

Image

 

ଦଶମ ପରିଚ୍ଛେଦ

 

ଶ୍ୱାସରୋଗଟା ପିଲାଦିନରୁ ଶରଧା ଦେଈଙ୍କର ଅଛି । କେବେ କେବେ ସେଟା ବାହାରି ପଡ଼ିଲେ ଦିନେ ଦୁଇଦିନ ବିଛଣାରେ ପକାଇ ଦିଏ । ଏବେ ଆଠଦିନ ହେବ ସେ ରୋଗଟା ପ୍ରବଳ ହୋଇଉଠିଛି । ତହିଁରେ ପୁଣି ଦୁଇ ଦିନ ହେବ ଜ୍ୱର ହେଉଛି । ଆଠ ଦିନ ହେବ ଆହାର ନାହିଁ; କେବଳ ପାଣି ତାଙ୍କର ଜୀବନ ରଖିଛି । ଜ୍ୱର ସମୟରେ ଏତେ ଶୋଷ ହେଉଛି ଯେ, ଜଣେ ଲୋକ ମୁଣ୍ଡପାଖରେ ବସି ସଦାବେଳେ ଚାମଚରେ ବାର୍ଲି ଟିକିଏ, ପାଣି ଟୋପାଏ ଦେଉଛି । ଶ୍ୱାସରେ ପଡ଼ି ପଡ଼ି ଏକେ ତ କ୍ଷୀଣାଙ୍ଗ; ସେଥିରେ ପୁଣି ଜ୍ୱର ହେବାରୁ ଶରଧା ଦେଈଙ୍କର ଆଉ ଅବସ୍ଥା ନାହିଁ-। ସାଇପଡ଼ିଶା ଯେ ଦେଖୁଛି, ସେ କହୁଛି, ‘‘ସନ୍ନିପାତ ହୋଇଯିବ, ଥଣ୍ଡା ପାଣି ଏତେ ଦିଅନା ପିଇବାକୁ’’; କିନ୍ତୁ ସେ ଥଣ୍ଡା ପାଣି ପିଇବାକୁ ଜିଦ ଧରି ବସିଛନ୍ତି । ବାର୍ଲି ଆଦୌ ତାଙ୍କୁ ଭଲ ଲାଗୁ ନାହିଁ । ସତକୁ ସତ ସେଦିନ ଦୁଇ ପ୍ରହର ସମୟକୁ ସନ୍ନିପାତର ଲକ୍ଷଣ ପ୍ରକାଶ ପାଇଲା । ନିଆଁ କରି ସେକିବାକୁ ଉପଦେଶ ଦେଇ କୈଳାସଚନ୍ଦ୍ର ଦୌଡ଼ିଲେ ବୈଦ୍ୟ ଡାକି ।

ଯଥାସମୟରେ ବୈଦ୍ୟ, ଡାକ୍ତର ଆସି ଚିକିତ୍ସା କଲେ ସତ; କିନ୍ତୁ ଭସ୍ମକୁଣ୍ଡରେ ଘୃତାହୁତି ଦେଇ କି ଲାଭ ? ଅପରାହ୍ନରେ ସମସ୍ତେ ରୋଗିଣୀ ଆଶା ପରିତ୍ୟାଗ କଲେ । କୈଳାସଚନ୍ଦ୍ର ପୂର୍ବରୁ ଦାନର ସମସ୍ତ ଆୟୋଜନ କରିଥିଲେ । ବ୍ରାହ୍ମଣମାନଙ୍କୁ ଡ଼କାଇ ସଙ୍ଗେ ସଙ୍ଗେ ଦାନକାର୍ଯ୍ୟ ଯଥାବିଧି ସମ୍ପାଦିତ କରିନେଲେ । କୈଳାସଚନ୍ଦ୍ର ପତ୍ନୀଙ୍କ ମୁଣ୍ଡପାଖରେ ଯାଇ ବସିଲେ । ସେତେବେଳକୁ ଗାଁଯାକର ଲୋକ ରୁଣ୍ଡ ହୋଇଗଲେଣି । ଲଳିତା ଓ ରଙ୍ଗାଧର ଶରଧା ଦେଈଙ୍କ ବିଛଣା ପାଖରେ ବସି, ଲୋତକ ବର୍ଷଣ କରୁଛନ୍ତି । ଶରଧା ଦେଈ ହସ୍ତ–ସଙ୍କେତଦ୍ୱାରା ରଙ୍ଗାଧର ଓ ଲଳିତା ଉଭୟଙ୍କୁ ନିକଟକୁ ଡାକିଲେ । ସେମାନେ ନିକଟକୁ ଆସିବାରୁ ରଙ୍ଗାଧରଙ୍କ ହସ୍ତ ଉପରେ ଲଳିତାର ହସ୍ତ ସ୍ଥାପନ କରି ଦୁଇ ହସ୍ତକୁ ନିଜର ଦକ୍ଷିଣ ହସ୍ତରେ ଧରିଲେ ଏବଂ ବାମ ହସ୍ତରେ ସ୍ୱାମୀଙ୍କର ହସ୍ତ ଧାରଣ କରି କହିଲେ, ‘‘ମୁଁ ଚାଲିଲି; କିନ୍ତୁ ଏ ଲକ୍ଷ୍ମୀ ଠାକୁରାଣୀଟିକୁ ଘରକୁ ଆଣି ପାରିଲି ନାହିଁ–ବହୁ ଦିନର ଆଶା ପୂର୍ଣ୍ଣ ହୋଇପାରିଲା ନାହିଁ ! ତମକୁ ସେ ଭାର ଦେଇ ଯାଉଚି ।’’ ତା’ପରେ ରଙ୍ଗାଧର ଓ ଲଳିତା ଉଭୟଙ୍କର ହସ୍ତକୁ ସ୍ୱାମୀଙ୍କର ହସ୍ତ ଉପରେ ସ୍ଥାପନ କଲେ । ଅଭିମାନରେ କୈଳାସଚନ୍ଦ୍ରଙ୍କର ସେତେବେଳକୁ ସର୍ବାଙ୍ଗ ଥରି ଉଠିଲାଣି । ସେ ଘୃଣାରେ, ବିରକ୍ତିରେ ମୁଖ ଫେରାଇ ନେଲେ ଅନ୍ୟ ଆଡ଼କୁ । ତାଙ୍କର ସେ ବିରକ୍ତି ବା ଘୃଣାର କାରଣ କେହି ବୁଝିପାରିଲେ ନାହିଁ । ସମସ୍ତେ ଭାବିଲେ, ସ୍ତ୍ରୀଙ୍କର ମୃତ୍ୟୁ ଆସନ୍ନ ଦେଖି ଅତିଶୟ ମର୍ମବ୍ୟଥାରେ ତାଙ୍କର ମୁଖ ଏପରି ବିକୃତ ହୋଇଗଲା ବୋଧ ହୁଏ ।

‘‘ଆଶା ନ ଥିଲା, ଆଜି ମୁଁ ଏପରି ଆନନ୍ଦରେ..... ।’’ ଶରଧା ଦେଈ ଆଉ କହିପାରିଲେ ନାହି; କଣ୍ଠ ରୁଦ୍ଧ ହୋଇଆସିଲା । ସଙ୍ଗେ ସଙ୍ଗେ ଗୋଟିଏ ବଡ଼ ହିକ୍‌କା ଆସିଲା । କୈଳାସଚନ୍ଦ୍ର ଚାହିଁଲେ, ସ୍ତ୍ରୀଙ୍କର ଚକ୍ଷୁ ଦୁଇଟି ମୁଦ୍ରିତ; ସେହି ମୁଦ୍ରିତ ଚକ୍ଷୁରୁ ଦୁଇଧାର ଲୋତକ ଗଣ୍ଡଦେଇ ବହି ଯାଉଛି । ତାଙ୍କର ସେ ରୁକ୍ଷ ଭାବ ପରିବର୍ତ୍ତିତ ହୋଇଗଲା । ମୁଖମଣ୍ଡଳରୁ ଘୃଣା, ବିରକ୍ତି, ଅଭିମାନ ଈର୍ଷା, ସମସ୍ତ ଅପସାରିତ ହୋଇଗଲା । ଘୋଟି ଆସିଲା ଦୁଃଖର, ନୈରାଶ୍ୟର, ବେଦନାର ଘନଘୋର ଅନ୍ଧକାର ! ଛଳ ଛଳ ନେତ୍ରରେ ସେ ସ୍ତ୍ରୀଙ୍କର ସେହି ଯାତନାକ୍ଳିଷ୍ଟ ଶୀର୍ଣ୍ଣ ବଦନକୁ ଚାହିଁ ରହିଲେ । ନିମେଷକ ପରେ ଶରଧା ଦେଈ ଚକ୍ଷୁ ଫିଟାଇଲେ । ସ୍ୱାମୀଙ୍କୁ ଭଲ କରି ଚାହିଁଲେ କିଛିକ୍ଷଣ । କୈଳାସଚନ୍ଦ୍ର କହିଲେ, ‘‘ଏ କଣ ଶେଷ ଦେଖା ?’’ ଶରଧା ଦେଈଙ୍କର ମଳିନ ଶୁଷ୍କବଦନ ଉଜ୍ଜ୍ୱଳ ହୋଇ ଉଠିଲା; ଓଷ୍ଠାଧରରେ ଯେପରି ହାସ୍ୟର ତରଙ୍ଗ ଖେଳିଗଲା । ସେ ଦୁଇ ହସ୍ତ ଊର୍ଦ୍ଧ୍ୱକୁ ଟେକିଲେ–ବୋଧହୁଏ ପ୍ରଣାମ ଉଦ୍ଦେଶ୍ୟରେ । ଉଦ୍ଦେଶ୍ୟ ସିଦ୍ଧ ହୋଇପାରିଲା ନାହିଁ-। ଅବସନ୍ନ କରଦୁଇଟି କିଞ୍ଚିତ ଉପରକୁ ଉଠି ପୁଣି ବିଛଣାରେ ପଡ଼ିଗଲା; ଚକ୍ଷୁ ଦୁଇଟି ଚିରଦିନ ଲାଗି ମୁଦ୍ରିତ ହୋଇଗଲା । କୈଳାସଚନ୍ଦ୍ର ଯେତେ ଡାକିଲେ, ଚିତ୍କାର କଲେ, କିଛି ଉତ୍ତର ପାଇଲେ ନାହିଁ-

ଶରଧା ଦେଈଙ୍କର ମୃତ୍ୟୁ ହେବାର ଆଜିକୁ ୯ଦିନ ହେଲା । ଦିନ ଗୋଟାଏ ସମୟ ହେବ । କୈଳାସଚନ୍ଦ୍ର ସେ ପର୍ଯ୍ୟନ୍ତ ଭୋଜନ କରି ନାହାନ୍ତି । ସେ ବସି ବସି ଭାବୁଛନ୍ତି, ‘‘ନବର ତ ଆଜି ଆସିବାର କଥା–ଏ ପର୍ଯ୍ୟନ୍ତ ନ ଆସିଲା କାହିଁକି ? କି ଏକ ଅଜ୍ଞାତ ଆଶଙ୍କାରେ ତାଙ୍କର ହୃଦୟ ଥରି ଉଠୁଛି । ସର ତିନିଥର ଡ଼ାକି ଗଲାଣି–ସବୁ ଥର ଏକ ଉତ୍ତର ପାଉଛି, ‘‘ଭୋକ ନାହିଁ, ଆଉ ଟିକିଏ ରହ ।’ ଏକେ ତ ମାତୃବିୟୋଗ ଦୁଃଖ, ତା’ପରେ ଘରର ଏତେଗୁଡ଼ାଏ ପାଇଟି ଏକୁଟିଆରେ କରିବାକୁ ପଡ଼ୁଛି–ସେଥିରେ ପୁଣି ଖାଇବାର ଠିକଣା ନାହିଁ । ହବିଷ୍ୟ ତରକାରୀରେ କି ଖାଇବାକୁ ରୁଚେ ? ନ ଖାଇଲେ ନ ଚଳେ ବୋଲି ସିନା ଖାଇବା ପାଇଁ ବସୁଛି–ନ ହେଲେ କି ଖାଇବା ସେ । ସର ଆଉ ବସିପାରିଲା ନାହିଁ । ରୋଷେଇ ଘର ଦୁଆରେ କାନିଟି ବିଛାଇ ପଡ଼ିଗଲା-। କୈଳାସଚନ୍ଦ୍ର ସେହିପରି ଦାଣ୍ଡପିଣ୍ଡାରେ ବସି ନବର ପ୍ରତୀକ୍ଷା କରୁଛନ୍ତି । ନାଭୀ ସେ ବାଟେ ଯାଉ ଯାଉ କହିଲା, ‘‘ବାବୁ, ଯାହା ତ ହେବାର ହୋଇଗଲାଣି–ଦଇବ ଲେଖନକୁ କିଏ ଆନ କରିପାରିବ-? ସଦାବେଳେ ବସି ଭାବି ଭାବି ଦେହ ମୁହଁ ଶୁଖି କଳାକାଠ ହୋଇଗଲାଣି । ଭାବିଲେ ଆଉ ନାଭ କ’ଣ ? ଏଣିକି ନବଟିକୁ କିମିତି ହାତକୁ ଦିହାତ କରିବାର ଯୋଗାଡ଼ କରନ୍ତୁ ।’’ କୈଳାସ ଚନ୍ଦ୍ର ଅନ୍ୟମନସ୍କ ଭାବରେ କହିଲେ, ‘‘ହଁ, ଦେଖି ଚାହିଁ କରିବାକୁ ହେବ ।’’

‘‘ଦେଖିବେ ଚାହିଁବେ ଆଉ କ’ଣ ? ରଙ୍ଗ ମହାନ୍ତିଙ୍କ ଝୁଅ ପରା ଠିକ୍ ହେଇଚି । ସେଦିନ ମୁଁ ତ ଗାଁରେ ନଥିଲି–ଦେଖି ପାରିଲି ନାହିଁ । ଆହା ନବ ବୋଉ କାଳେ..।’’ କୈଳାସଚନ୍ଦ୍ର ଚିତ୍କାର କରି ଉଠିଲେ–‘‘ରଙ୍ଗାଧର ମହାନ୍ତି ଘରେ ମୁଁ ବନ୍ଧୁ କରିବି ? ସେ ନିର୍ଲଜ୍ଜଟାକୁ କ’ଣ ଲାଜ ଅଛି ? ବାମନ ହୋଇ ଚାନ୍ଦ ଧରିବାର ଆଶା କରୁଛି ? ଜାଣେନା ଏ କୈଳାସ ପଟ୍ଟନାୟକ ନୁହେଁ, କୈଳାସ ପର୍ବତ ଏ । ଏ କ’ଣ ସହଜରେ ଟଳିବାର ଜନ୍ତୁ ? କେଉଁ ଗୁଣରେ ଭଲା ମୋର ସମାନ ସେ–ନା ଧନରେ, ନା ମାନରେ, ନା ବଂଶ–ମର୍ଯ୍ୟାଦାରେ ? ସେ କରଣ ବୋଲାଉଛି ପରା ? ତା’ପରି କରଣ ଆଜିକାଲି ଢ଼େର ଅଛନ୍ତି । ସେ କରଣ ହୋଇଥିଲେ ଯୁବତୀ ଝିଅଟାକୁ ପର ଘରେ ତିନି ରାତି ରହିବାକୁ ଦେଇଥାନ୍ତା । ଗୋଲାମାନଙ୍କର ମହାନ୍ତି ଉପାଧି ଅଛି; ସେମାନେ କରଣ ହେବାକୁ ବସିଲେଣି । ଶୁଦ୍ଧମାନେ ମଧ୍ୟ କରଣ ହୋଇଯାଉଛନ୍ତି । ସେ ଏବେ ତାଙ୍କଠାରୁ ଟିକିଏ ବଡ଼ ହେବ, ଏଇ ତ ! ମୋ ସଙ୍ଗରେ ତ ସମାନ ଆସନରେ ବସି ପାରିବ ନାହିଁ । କେଉଁ ଆଶାରେ ସେ ଏତେ ବଡ଼ କାମଟାରେ ହାତ ଦେବାକୁ ଯାଉଛି । ତା’ଠାରୁ ଢ଼େର ସୁନ୍ଦରୀ କନ୍ୟା ମିଳିବେ ।’’ ନାଭୀ ଯେଉଁ ଉଦ୍ଦେଶ୍ୟରେ କଥାଟା ଆରମ୍ଭ କରିଥିଲା, ତା’ର ଉଦ୍ଦେଶ୍ୟ ସାଧିତ ହେଲା । ସେ ପଟ୍ଟନାୟକଙ୍କୁ ଆଉ ଟିକିଏ ଉତ୍ତେଜିତ କରିବା ଅଭିପ୍ରାୟରେ ଟିକିଏ ହସି ଦେଇ କହିଲା, ‘‘ଏ କ’ଣ ବାବୁ, ଲଳିତାକୁ ତମେ ନିନ୍ଦା କରୁଚ ? ତା’ପରି ଭଲା ଏ ଗାଁ ଭିତରେ କିଏ ସେ ଅଛି ? ରୂପରେ ଯେମିତି, ଗୁଣରେ ବି ସେମିତି; ଇଙ୍ଗିରିଜି ପଢ଼ିଛି, ପାସ୍ କରିଛି । ତା’ର...।’’

‘‘ହଁ ହଁ, ଇଂରାଜୀ ପଢ଼ିଛି, ପାସ୍ କରିଛି–ମୁଁ ଭଲକରି ଜାଣେ । ପୁରୁଷମାନଙ୍କ ସାଙ୍ଗରେ ବସିବା ହସିବା, ଏସବୁ ମଧ୍ୟ ବେଶ୍ ଶିଖିଛି । ଯା ଯା, ଆଉ ସେ ସବୁ କଥା ମୋ ପାଖରେ କହ ନା-।’’ ନାଭୀ ଆନନ୍ଦରେ ଫୁଲି ଉଠିଲା । କହିଲା, ‘‘ବାବୁ ! ଲଜ୍ୟାର କଥା କ’ଣ କହିବି–ତମେ କହିବାରୁ ମୁଁ କହୁଛି । ସେ ଯେମିତି ବେନଜ୍ୟା, ତା ବାପ ମା ତ ତହୁଁ ବଳନ୍ତି । ହେଲେ, ତମେ ସିନା ଏମିତି କହୁଛ, ନବଟି ଏକା ଖରାପ ହୋଇଯିବ ତା ସାଙ୍ଗରେ ପଡ଼ି । ତାକୁ ଟିକିଏ ଆକଟ କରନ୍ତୁ । ନ ହେଲେ, ପଛକୁ ଭାବୁଥିବେ । ଆଜିକାଲି ଯୁଗ ଯେପରି, କି ବାପ କି ପୁଅ ? ପୁଅମାନେ ଆଉ କଣ ବାପମାଙ୍କ ବୋଲହାକରେ ଅଛନ୍ତି ?’’ ଟିକିଏ ରହିଯାଇ ପୁଣି ଆରମ୍ଭ କଲା, ‘‘ଏଡ଼େ ବଡ଼ ଝିଅଟାଏ ହେଲାଣି ସେ, ତାର କଣ ଟିକିଏ ଚକ୍ଷୁ–ନଜିଆ ଅଛି ? ନବ ଗାଁକୁ ଆସିଲେ ତା’ର ଭୋକଶୋଷ ବନ୍ଦ ହୋଇଯାଏ । ଘରେ ମୁଠାଏ ଖାଏ ସିନା, କୁଳି କରେ ଆସି ଏଇଠେଇଁ ତମରି ଘରେ ।’’ କୈଳାସଚନ୍ଦ୍ର କହିଲେ–‘‘ହଁ, ମୁଁ ସେ ସବୁ ଆଗରୁ ଶୁଣିଛି । ରଙ୍ଗାଧର ବେହିଆ ଭଡ଼ୁଆ ଏହିସବୁ କାଣ୍ଡ ଲଗେଇଚି । ସେ ଭାବିଛି, ଏହିପରି କରି ନବକୁ ଖାପଚାରେ ପକେଇ ଦେବ । ମୁଁ ସେ ଟୋକାକୁ ଦେଉଛି ଆକଟ କରି । ତୁ ଟିକିଏ ରଙ୍ଗାଧରକୁ କହିଦେବୁଟି, ସେ ତା’ର ରାସ୍ତା ଦେଖୁ-। ମିଛରେ କାହିଁକି ଅପମାନ ପାଇବ । ମୋ ପାଖରେ ସେ ସବୁ ବେହିଆମି ଚଳିବ ନାହିଁ ।’’ ନାଭୀ ଆଉ କ’ଣ କହିବାକୁ ଯାଉଛି, କୈଳାସଚନ୍ଦ୍ର ଉଠିପଡ଼ି କହିଲେ, ‘‘ତୁ ଯା, ମୋ ମୁଣ୍ଡଟା ବିନ୍ଧିଲାଣି ।’’ ‘‘ହଉ, ଯାନ୍ତୁ ଟିକିଏ ଆସନ କରିବେ’’ କହି ନାଭୀ ଚାଲିଗଲା ।

ଅମାବାସ୍ୟା ରଜନୀ, ଘୋର ଅନ୍ଧକାର । ଭୀଷଣ ବୃଷ୍ଟି ରଜନୀର ଭୀଷଣତାକୁ ବଢ଼ାଇ ଦେଉଛି । ଦୂର୍ ଦୂର୍ ବଜ୍ରର ଗର୍ଜନ, ଗୁରୁ ବରଷାର ଧାର ! ବିଜନ କକ୍ଷରେ ପ୍ରଦୀପଟି ଜାଳିଦେଇ ଗବାକ୍ଷ ପଥରେ ବରଷା ଧାରକୁ ଚାହିଁ ବସିଛି ଲଳିତା । ସେ ଦିନ ପଟ୍ଟାମୁଣ୍ଡାଇ ହାଟ । ରଙ୍ଗାଧର ଯାଇଛନ୍ତି ହାଟକୁ, ଚମ୍ପୀଲାଗି ଖଣ୍ଡେ ଲୁଗା ଆଣିବେ ବୋଲି । ଲଳିତା ତାଙ୍କର ପଥ ଚାହିଁ ବସିଛି, ନବକିଶୋରଙ୍କର ସ୍ୱହସ୍ତ ଲିଖିତ ପତ୍ର ଖଣ୍ଡେ ଘେନି ଫେରିବେ ପରା !

ରାତି ଆଠଟା ହେବ, ରଙ୍ଗାଧର ଆସି ପହଞ୍ଚିଲେ । ନୂଆ ଲୁଗା ପିନ୍ଧିବ ବୋଲି ଚମ୍ପୀର ଗୋଡ଼ ତଳେ ଲାଗୁ ନାହିଁ । ସେ ଗଣ୍ଠିରିଟା ଆଗ ଫିଟାଇ ପକାଇ ତା’ର ଲୁଗା ଖଣ୍ଡି ଧରି ଦୌଡ଼ିଲା ଅପା ନିକଟକୁ । କହିଲା, ‘‘ଅପା ! ହେଇ ଦେଖ, ମୋର ନୂଆ ଲୁଗା ।’’ ‘‘କିଲୋ, ବାପା ଆସିଲେଣି କି ?’’ କହି ଲଳିତା ଏକ ନିଃଶ୍ୱାସରେ ବାପାଙ୍କ ପାଖରେ ଉପସ୍ଥିତ । ରଙ୍ଗାଧର ଗଣ୍ଠିରିରୁ ଜିନିଷସବୁ ବାହାର କରି ରଖୁଛନ୍ତି–ବାଇଗଣ, ମାଛ, ପାନଗୁଆ ଇତ୍ୟାଦି । ରଖୁ ରଖୁ ରାଧିକା ଦେଈଙ୍କୁ ଲକ୍ଷ୍ୟ କରିକହିଲେ, ‘‘ମୋତେ ଅସୁବିଧା ହେବାରୁ କଦଳୀ ଫେଣାଏ ନାଭୀ ହାତରେ ଦେଇଥିଲି । ବର୍ଷା ତ ଏପରି, ଥାଉ କାଲି ଆଣିବା ।’’ ଲଳିତା ଆଉ ଠିଆହୋଇ ପାରିଲା ନାହିଁ । ବ୍ୟଥିତ ଆହତପ୍ରାୟ ହୋଇ ଶୂନ୍ୟହୃଦୟରେ ଫେରିଗଲା, ତା’ର ସେହି କ୍ଷୁଦ୍ର ପ୍ରକୋଷ୍ଠକୁ । ବର୍ଷାର ବିରାମ ନାହିଁ । ପବନ ସାଇଁ ସାଇଁ ଗର୍ଜୁଛି । ଘନଘନ ବିଦ୍ୟୁଚ୍ଛଟାରେ ଆଖି ଝଲସି ଯାଉଛି–ବଜ୍ରର ଗୁରୁଗମ୍ଭୀର ଭୀମ ହୁଙ୍କାରରେ ଛାତି ଥରିଉଠୁଛି । ଚତୁର୍ଦ୍ଦିଗରେ ବିଭୀଷିକାର ତାଣ୍ଡବ, ପ୍ରଳୟର ଉଲ୍ଲଙ୍ଗ ଉତ୍କଟ ଲୀଳା । ଲଳିତା ମୁକ୍ତ ବାତାୟନ ପଥରେ ଚାହିଁ ରହିଛି, ଏକ ଦୃଷ୍ଟିରେ ପ୍ରକୃତିର ସେହି ବିଶ୍ୱଗ୍ରାସୀ ବିକଟ ଦୃଶ୍ୟକୁ ଭୟ ନାହିଁ, ଭ୍ରାନ୍ତି ନାହିଁ–ଭ୍ରୁକ୍ଷେପ ମଧ୍ୟ ନାହିଁ । ତା’ର ହୃଦୟ ମଧ୍ୟରେ ଯେଉଁ ତାଣ୍ଡବ ଲାଗିଛି, ବ୍ୟଥା, ବେଦନା, ନୈରାଶ୍ୟର, ସେଥିରେ ସେ ବାହ୍ୟଜ୍ଞାନଶୂନ୍ୟ । ସେ ଭାବୁଛି, ‘‘ଆଜି ରବିବାର । ଏହି ରବିବାର ଦିନ ସେ ତ ଘର ଛାଡ଼ିଛନ୍ତି । ହଁ, ଆଜକୁ ଠିକ୍ ପନ୍ଦର ଦିନ ହେଲା । ଖଣ୍ଡିଏ ସୁଦ୍ଧା ଚିଠି ନାହିଁ । ଏହାର କାରଣ କ’ଣ ? ଏଥର ସେ ଗ୍ରାମକୁ ଆସିଥିଲେ, ମୁଁ ଚାଣ୍ଡାଳୁଣୀ ମନ ଖୋଲି ଦିପଦ କଥା କହିପାରିଲି ନାହିଁ । ‘କିପରି ଅଛ ?’ ବୋଲି ସୁଦ୍ଧା ପଚାରି ପାରିଲି ନାହିଁ-? ସେଥିପାଇଁ କଣ ଅଭିମାନରେ ଚିଠିପତ୍ର ଦେଉ ନାହାନ୍ତି ? ମୁଁ ଏବେ କ’ଣ କରିବି ? ମୁଁ କ’ଣ ଇଚ୍ଛା କରି ତାଙ୍କୁ ଦେଖା କଲି ନାହିଁ ? ସେ ତ ମୋଟେ ଦୁଇ ଦିନ ଛୁଟିରେ ଆସିଲେ । ଦଶାହ ଦିନ ସେବା ଶୌଚ ପରେ ବେଦବିଧି ପାଳୁ ପାଳୁ ଦିନ ଗଲା । ଏକାଦଶରେ ବନ୍ଧୁବାନ୍ଧବ ଚର୍ଚ୍ଚା, ବ୍ରାହ୍ମଣ ଭୋଜନ ଇତ୍ୟାଦି ଯାବତୀୟ କାର୍ଯ୍ୟର ବ୍ୟବସ୍ଥା ବୁଝୁ ବୁଝୁ ରାତି ଅଣ୍ଟିଲା ନାହିଁ । ରାତି ଶେଷ ହେଲାକ୍ଷଣି ଗ୍ରାମସୀମା ପାର ହୋଇଗଲେ । ମୁଁ ଏ ଭିଡ଼ ଭିତରେ କିପରି ବା ତାଙ୍କ ପାଖକୁ ଯାଇଥାନ୍ତି ? ଆଉ ସବୁ ଥର ଗ୍ରାମକୁ ଆସନ୍ତି ଯେ, ଆମ ଘରକୁ ଆସି ଆଗ ମୋ ସାଙ୍ଗରେ ଦିପଦ କଥା ନ କହିଲେ ଅନ୍ନପାଣି ରୁଚେ ନାହିଁ ତାଙ୍କୁ । ଏଥର ଆସିଲେ ଯେ, ଆମ ଦୁଆର ସୁଦ୍ଧା ମାଡ଼ି ନାହାନ୍ତି । ମୋର ତ ଆଦୌ ଅଭିମାନ ଆସୁ ନାହିଁ । ସେ ଚାଲିଯିବା ପରେ ଯାହା ଟିକିଏ କ୍ଷଣକ ପାଇଁ ଅଭିମାନ କରିଥିଲି ସିନା, ତେବେ ସେ କାହିଁକି ଅଭିମାନ କରିବେ ? ତାଙ୍କର ସ୍ୱଭାବ ମୋତେ ବେଶ୍ ଜଣା । ମୁଁ ହେଲେ ଅଭିମାନରେ ଦିନେ ପର୍ଯ୍ୟନ୍ତ ତାଙ୍କୁ କଥା ନ କହି ରହିପାରେ; କିନ୍ତୁ ସେ ତ ମୁହୂର୍ତ୍ତେ ସୁଦ୍ଧା ରହିପାରନ୍ତି ନାହିଁ । ମୋତେ ନୀରବ ଦେଖି ସେ କେତେ ଅନୁନୟ ବିନୟ କରନ୍ତି, ମୋଠାରୁ କଥା ପଦେ ଶୁଣିବା ପାଇଁ । ସେ କ’ଣ ଅଭିମାନରେ ଏତେ ଦିନ ନୀରବ ରହିପାରିବେ ? କିଏ ଜାଣେ, ଆଉ କିଛି..। ତାଙ୍କର ଶରୀର ମା ମଙ୍ଗଳା ସୁସ୍ଥ ରଖିଥାନ୍ତୁ ।’’ କି ଏକ ଅଜ୍ଞାତ ଆଶଙ୍କାରେ ତା’ର ମନ ଚଞ୍ଚଳ ହୋଇଉଠିଲା । ଦୁଇ ହାତ ଯୋଡ଼ି ମଙ୍ଗଳାଙ୍କ ଉଦ୍ଦେଶ୍ୟରେ ସେ ଭକ୍ତିଭରେ ପ୍ରଣାମ କଲା ।

ରାଧିକା ଦେଈ ହାଟ ସଉଦା ସବୁ ସଜାଡ଼ି ରଖୁ ରଖୁ କହିଲେ, ‘‘ନବ ତ କାହିଁକି ଏ ପର୍ଯ୍ୟନ୍ତ ଚିଠିପତ୍ର ଦେଲା ନାହିଁ–ଆଜି କି ପନ୍ଦର ଦିନ ହେଲାଣି ଯେ ଯିବାର ?’’ ରଙ୍ଗାଧର କହିଲେ, ‘‘ହଁ, ପନ୍ଦର ଦିନ ହେବ ନାହିଁ କଣ । କାହିଁକି ଚିଠିପତ୍ର ଦେଉ ନାହିଁ କେଜାଣି ? ମୁଁ ମଧ୍ୟ ହାଟରୁ ଫେରିଲାବେଳେ ସେହି କଥା ଭାବୁଥିଲି ।’’ କଦଳୀ ଫେଣାଟି ଧରି ନାଭୀ ଆସି ସେହି ସମୟରେ ପହଞ୍ଚିଗଲା । ‘‘ରନ୍ଧାବଢ଼ା ସାରିଲଣି କି ବଡ଼ବୋଉ ! ମୁଁ ପରା ଜିନିଷ ପତ୍ର ସେମିତି ଅନ୍ଧାରରେ ଫୋପାଡ଼ି ଦେଇ ଧାଇଁଚି । ଭାବିଲି, ଆହା ! କେଡ଼େ ଶରଧାରେ ସେ କଦଳୀ ଫେଣାଏ ଆଣିଚନ୍ତି, ମୁଁ ଯଦି ନିଜେ ଦେଇ ନ ଆସିବି, ତାଙ୍କର ଆଉ କିଏ ଅଛି ଯେ, ଏ ବରଷାରେ ଆସି ନେଇଯିବ ? ଖାଲି ବାଇଗଣ ତୁଣ କ’ଣ ଖାଇବେ ?’’ ପଖିଆଟା ପିଣ୍ଡା ଉପରେ ଥୋଇଦେଇ କଦଳୀତକ ରାଧିକା ଦେଈଙ୍କ ହାତକୁ ବଢ଼ାଇ ଦେଲା । ରଙ୍ଗାଧର କହିଲେ, ‘‘ଏ ବରଷା ଅନ୍ଧାରରେ ମୁହଁକୁ ମୁହଁ ଦିଶୁ ନାହିଁ, ତୁ କାହିଁକି ଆସିଲୁ ? କଦଳୀ ନ ହେଲେ ଆଜି କ’ଣ ଆମର ଚଳିଯାଇ ନ ଥାନ୍ତା ? ହଉ, ଟିକିଏ ବସି ଯା–ପାଣି କାଦୁଅରେ ପଟ୍ଟାମୁଣ୍ଡାଇରୁ ଦୌଡ଼ି ଦୌଡ଼ି ଆସିଛୁ ।’’ ନାଭୀ ବସୁ ବସୁ କହିଲା, ‘‘ହଁ, କେତେ ଖରା ବରଷା ତ ଏ ଦିହ ସହୁଚି । ଝିଅ କୁଆଡ଼େ ଯାଇଚି କିଲୋ ବଡ଼ବୋଉ ! ଚମ୍ପୀ ତ ଏକୁଟିଆ ବସିଚି ।’’ ‘‘ଏହିକ୍ଷଣି ତ ଏଇଠି ଥିଲା–ଶୋଇବଣି ଯାଇ ।’’ ଏତେ ଦିନ ପରେ ନାଭୀ ଟିକିଏ ଫୁର୍‌ସତ୍ ପାଇଛି ରଙ୍ଗାଧରଙ୍କ ଘରକୁ ଆସିବାକୁ । ସେ ଦିନ କୈଳାସଚନ୍ଦ୍ରଙ୍କ କଥା ତା’ର ମନରେ ପଡ଼ିଗଲା । ପେଟ ତା’ର ଚକଟି ମନ୍ଥି ହେଲା–କିପରି ଉଦ୍‌ଗାର କରି ପକାଇବ ବହୁଦିନର ସେ ଅପରିପାଚିତ କଥାଗୁଡ଼ା । କହିଲା, ‘‘ନବ କ’ଣ ଏବେ ଚିଠିପତର ଦଉ ନାହିଁ କି ? ସେ ଗଲା ଦିନରୁ କାହିଁ ମୁଁ ତ ଚିଠି ଆସିବାର ଦେଖି ନାହିଁ ।’’ ରଙ୍ଗାଧର କହିଲେ, ‘‘ନା, ନବ ଗାଁରୁ ଗଲାଦିନୁ ଚିଠି ଦେଇ ନାହିଁ ।’’ ସୁଯୋଗ ମିଳିଲା ନାଭୀକୁ । ଆରମ୍ଭ କଲା–‘‘ହଁ, ଆଉ କାହିଁକି ଦବ ଚିଠିପତର । ଭାବ–ସିନିହ ତ ଗଲା ।’’ ରାଧିକା ଦେଈ ଆଶ୍ଚର୍ଯ୍ୟାନ୍ୱିତ ଭାବରେ ପ୍ରଶ୍ନ କଲେ, ‘‘ଭାବ ସ୍ନେହ ଗଲା କ’ଣ ? କ’ଣ ହେଲା କି ?’’ ନାଭୀ ମର୍ମାନ୍ତିକ ଦୁଃଖ ଅନୁଭବ କରୁଥିବାର ଭାବ ଭଙ୍ଗୀ ସହକାରେ କହିଲା, ‘‘କ’ଣ କହିବି ସେ କଥା ! ନବ ବାପ ସାଙ୍ଗରେ ଦିନେ ଦୁଃଖ ସୁଖ ହେଉ ହେଉ କେତେଆଡ଼ୁ କେତେ କଥା ପଡ଼ିଲା ।’’ ସେ ଦିନ କୈଳାସଚନ୍ଦ୍ର ଲଳିତାର ବିବାହ ପ୍ରସଙ୍ଗ ନେଇ ଯାହା ଯାହା କହିଥିଲେ, ସେ ସମସ୍ତ ସାଳଙ୍କାରେ ବର୍ଣ୍ଣନା କରିଗଲା । ରଙ୍ଗାଧର, ରାଧିକା ଦେଈ ଜଡ଼ବତ୍ ଶୁଣିଗଲେ କେବଳ; ‘ହୁଁ’ ବୋଲି ପଦେ ହେଲେ କାହାରି ତୁଣ୍ଡରୁ ବାହାରିଲା ନାହିଁ । ଉଭୟଙ୍କର ଶିରାପ୍ରଶିରାରେ କଥାଟା ଭେଦିଯାଇଛି ଦେଖି, ନାଭୀ ସଇତାନର ହସଟାଏ ହସିଦେଇ ଚାଲିଗଲା ।

ପାଖ ଘରେ ଶୋଇ ଲଳିତା ସମସ୍ତ ଶୁଣୁଥିଲା । ନବକିଶୋରଙ୍କ ଚିନ୍ତାରେ ଏକେ ତ ମ୍ରିୟମାଣା, ତା’ ପରେ ତା ନାମରେ ଏହିପରି କଦର୍ଯ୍ୟ କୁତ୍ସିତ ଦୋଷାରୋପ ଶୁଣି ଦୁଃଖରେ, କ୍ଷୋଭରେ, କ୍ରୋଧରେ, ଅଭିମାନରେ, ଅପମାନରେ ତା’ର ବୁକୁ ଫାଟିଯିବାର ଉପକ୍ରମ ହେଲା । କେହି ଯେପରି ସୁତୀକ୍ଷ୍ଣ ଲୌହଶଳାକାରେ ତା’ର ମସ୍ତକ ଉପରେ ଶତସହସ୍ର ଆଘାତ କରିଦେଲା–ସର୍ବାଙ୍ଗ ତାର ଝାଇଁ ଝାଇଁ ହୋଇଉଠିଲା । ସେ ଅଚେତନ ଭାବରେ ପଡ଼ିଗଲା । କାହାରି ବିଷୟରେ କୌଣସି କଥା ଭାବିବାର ଅବସର ପାଇଲା ନାହିଁ ।

Image

 

ଏକାଦଶ ପରିଚ୍ଛେଦ

 

ଶରଧା ଦେଈଙ୍କ ଦଶାହ ଦିନ ନବକିଶୋର ଯେତେବେଳେ ଘରେ ଆସି ଗୋଡ଼ ଦେଲେ, କୈଳାସଚନ୍ଦ୍ର ତାଙ୍କୁ ସଙ୍ଗେ ସଙ୍ଗେ କାର୍ଯ୍ୟରେ ଲଗାଇ ଦେଲେ । ଦୁଇ ଦିନ କାଳ ଏପରି ଭାବରେ କାର୍ଯ୍ୟର ଭାର ତାଙ୍କ ଉପରେ ଲଦିଦେଲେ ଯେ, ସେ ଯେପରି ମୁହୂର୍ତ୍ତେ ସୁଦ୍ଧା ଅବସର ନ ପାଇବେ । କୈଳାସଚନ୍ଦ୍ର ଇଚ୍ଛା କରି ଏପରି କରିଛନ୍ତି ଅବଶ୍ୟ, କେବଳ ଲଳିତା ସହିତ ପୁତ୍ରର ସାକ୍ଷାତ କରାଇ ନ ଦେବା ଉଦ୍ଦେଶ୍ୟରେ ।

 

ତୃତୀୟ ଦିନ ପିତାପୁତ୍ର ଉଭୟେ କଲିକତା ଗମନ କଲେ । କଲିକତାରେ ପହଞ୍ଚିବାର ପରଦିନ କୈଳାସଚନ୍ଦ୍ର ପୁତ୍ରକୁ ପାର୍ଶ୍ୱରେ ବସାଇ ଜଡ଼ିତ କଣ୍ଠରେ କହିଲେ, ‘‘ନବ ! ତୋର ବୋଉ ଚିରଦିନ ଲାଗି ଶୋକଜଳରେ ଆମକୁ ଭସାଇ ଦେଇ ଚାଲିଗଲା । ମୃତ୍ୟୁ ପୂର୍ବରୁ ତୋତେ ବହୁତ ଖୋଜିଥିଲା । କିନ୍ତୁ କ’ଣ ହେବ ? ତା’ ଭାଗ୍ୟରେ ନାହିଁ ପୁତ୍ରମୁଖ ଦେଖି ମରିବାକୁ ।’’ ବୃଦ୍ଧଙ୍କର କଣ୍ଠ ରୁଦ୍ଧ ହୋଇଆସିଲା । ସେ ନୀରବରେ ଅଶ୍ରୁମୋଚନ କରିବାକୁ ଲାଗିଲେ । ସେ ଦିନର ଘଟଣା–ଯେଉଁ ଦିନ ନବକିଶୋର ପ୍ରଥମ କଲିକତା ଆସୁଥିଲେ ମାଟ୍ରିକ୍ୟୁଲେସନ ପଢ଼ିବା ଲାଗି, ନବକିଶୋରଙ୍କର ମନେ ପଡ଼ିଗଲା । ବୋଉଙ୍କର ଛଳଛଳ ଆଖି ଦିଓଟି ତାଙ୍କର ଚକ୍ଷୁ ସମ୍ମୁଖରେ ଝଲସି ଉଠିଲା । ଶରଧା ଦେଈ କହୁଥିଲେ, ‘‘ମୋତେ ମାଟି ମୁଠେ ଦେଇ ତୁ ଯେଣେ ଇଚ୍ଛା ତେଣେ ଯା ।’’ ସେ ଆଉ ଧୈର୍ଯ୍ୟ ଧରି ପାରିଲେ ନାହିଁ । ତାଙ୍କର ମାତୃସ୍ନେହ, ମାତୃଭକ୍ତି ତରଳିତ ହୋଇ ଲୋତକାକାରରେ ବହିଯିବାକୁ ଲାଗିଲା । କୈଳାସଚନ୍ଦ୍ର ପ୍ରକୃତିସ୍ଥ ହୋଇ କହିଲେ, ‘‘ବର୍ତ୍ତମାନ ତୁ ମୋର ଏକମାତ୍ର ଆଶାଭରସା । ତୋତେ ଚାହିଁ ମୁଁ ସମସ୍ତ ଶୋକଦୁଃଖ ଭୁଲି ପାରିବି । ତୋରି ଆଶ୍ୱାସନା, ଆଦର, ସେବା, ଯତ୍ନ ମୋର ଏ ଦଗ୍‌ଧ ପ୍ରାଣକୁ ଶୀତଳ କରିବ ସିନା । କିନ୍ତୁ ତୁ ବାପ ଯଦି– ।’’ ଜିହ୍ୱା ସଙ୍କୁଚିତ ହୋଇଗଲା; ଆଉ ତେଣିକି ଯାହା କହିବାର, କଣ୍ଠ–ଦେଶ ଅତିକ୍ରମ କରିପାରିଲା ନାହିଁ । କୈଳାସଚନ୍ଦ୍ର ‘ଖୁଁ ଖୁଁ’ ହୋଇ କାଶିବାର ଛଳନା କଲେ । କଥାର ଅଭିପ୍ରାୟ କିଛି ବୁଝି ନ ପାରି ଏବଂ ବିଳମ୍ବ ଘଟିବାର ଦେଖି ନବକିଶୋରଙ୍କ ମନ ଚଞ୍ଚଳ ହୋଇଉଠିଲା । ସେ ଉଦ୍‌ବିଗ୍ନ ହୋଇ କହି ଉଠିଲେ, ‘‘କଣ କହନ୍ତୁ–ଖୋଲି କରି କହନ୍ତୁ ।’’ କୈଳାସଚନ୍ଦ୍ର ଅପ୍ରତିଭ ହୋଇଗଲେ । ତା’ପରେ ଗଳାଟା ସଫା କରିନେଇ ଦମ୍ଭ ଧରି ଆରମ୍ଭ କଲେ–‘‘ପୁତ୍ର ଯଦି ପିତାର ଅବାଧ୍ୟ ହୁଏ–ଆଜିକାଲି ସଂସାର ଯେପରି ହେଲାଣି–।’’ ଅସଲ୍ କଥାଟା ଜାଣିବାକୁ ନବକିଶୋର ଅତ୍ୟନ୍ତ ଅଧୀର । ସେଥିରେ ପିତାଙ୍କର ଏ ଦୀର୍ଘ ମୁଖବନ୍ଧ ତାଙ୍କୁ ବଡ଼ ବିରକ୍ତିକର ବୋଧ ହେଲା । ସେ ଅସହିଷ୍ଣୁ ଭାବରେ କହିଲେ, ‘‘ଅସଲ କଥାଟା କ’ଣ କହୁ ନାହାନ୍ତି; ମୁଁ ଯେ କିଛି ବୁଝିପାରୁ ନାହିଁ-।’’ କୈଳାସଚନ୍ଦ୍ର ମନେ ମନେ ବଡ଼ ଲଜ୍ଜିତ ହେଲେ; କିନ୍ତୁ ସେ ଭାବ ଗୋପନ କରି ପୁଣି ସାହସ ବାନ୍ଧି କହିଲେ, ‘‘ଭଗବାନଙ୍କୁ ମୁଁ ଧନ୍ୟବାଦ ଦେଉଛି, ମୋତେ ଅବଶ୍ୟ ସେପରି ପୁତ୍ର ଦେଇ ନାହାନ୍ତି । ତୋ ବିଷୟରେ ମୁଁ କିଛି କହୁ ନାହିଁ ଯେ, ସଂସାର କଥାକୁ କହୁଛି । ତେବେ ମୋ ପାଖରେ ତୋତେ ଆଜି ଗୋଟାଏ ପ୍ରତିଜ୍ଞା କରିବାକୁ ହେବ ।’’ ଏତକ କହିଦେଇ କୈଳାସଚନ୍ଦ୍ର ନବକିଶୋର ମୁହଁକୁ ଚାହିଁ ରହିଲେ । ନବକିଶୋର ନିର୍ବାକ୍ ବିସ୍ମୟରେ ପିତାଙ୍କ ମୁହଁକୁ ମଧ୍ୟ ଚାହିଁ ରହିଲେ କେତେ କ୍ଷଣ । ତା’ପରେ ଦୃଢ଼ସ୍ୱରରେ କହିଲେ–‘‘ପିତାଙ୍କର ମଙ୍ଗଳ ବା ମନୋରଞ୍ଜନ ନିମିତ୍ତ ଯଦି ଏ ପ୍ରାଣ ବିସର୍ଜ୍ଜନ ଦେବାକୁ ହୁଏ, ତହିଁରେ ନବ ଅଣୁମାତ୍ର କୁଣ୍ଠିତ ନୁହେଁ । ଆପଣଙ୍କର ପୁତ୍ର ମୂର୍ଖ, ଅଧମ ନୁହେଁ–ଆଉ ସେ ବିଷୟରେ ବୁଝାଇବାର ଦରକାର ନାହିଁ । ଶୀଘ୍ର କହନ୍ତୁ, ମୋତେ କ’ଣ କରିବାକୁ ହେବ । ଆପଣଙ୍କ ଚରଣକୁ ଚାହିଁ ପ୍ରତିଜ୍ଞା କରୁଛି, ଆପଣଙ୍କର ଯାହା ଆଦେଶ ହେବ, ପ୍ରାଣପଣ ପାଳିବାକୁ କୁଣ୍ଠିତ ହେବି ନାହିଁ ।’’ କୈଳାସଚନ୍ଦ୍ର ପୁତ୍ରକୁ କୋଳକୁ ଟାଣି ନେଇ ମସ୍ତକରେ ହାତ ବୁଲାଇଲେ । କହିଲେ, ‘‘ସେପରି କୌଣସି ଗୁରୁତର କାର୍ଯ୍ୟ କରିବାକୁ ହେବ ନାହିଁ ଅବଶ୍ୟ । କ’ଣ କି, ଏ ରଙ୍ଗାଧର ମହାନ୍ତିର ସାହସ ଦେଖିଲୁ, ସେ ବର୍ତ୍ତମାନ ଆମ ସାଙ୍ଗରେ ଚଳିବାକୁ ବସିଛି । ସେ କ’ଣ କରନ୍ତା–ବିଧାତା ତା ଝିଅକୁ ଟିକିଏ ରୂପ ଦେଇଛି ବୋଲି ତା’ର ଅହଙ୍କାର ବଢ଼ି ଯାଇଛି । ହେଲା ବା–ରୂପଲୋଭରେ କ’ଣ ଜାତି, ଧର୍ମ, କୁଳ, ମାନରେ ଜଳାଞ୍ଜଳି ଦେବାକୁ ହେବ ତୋପରି ଯୋଗ୍ୟପୁତ୍ରର ?’’

 

‘‘କାହିଁକି, ରଙ୍ଗାଧର ମହାନ୍ତି କରଣ ତ ?’’

 

‘‘ହଁ, କରଣ ଯେ–ତୁ ପିଲା ଲୋକ, ସେ ସବୁ ବୁଝି ନାହୁଁ । ପୂର୍ବ ପୁରୁଷରୁ ଆମ ସଙ୍ଗରେ ତାଙ୍କର ବନ୍ଧୁବାନ୍ଧବ ସମ୍ବନ୍ଧ ନାହିଁ । ଆମ ଶ୍ରୀକରଣଙ୍କ ଠାରୁ ସେ– ।’’

 

ପ୍ରକୃତରେ ନବକିଶୋର ଜାଣନ୍ତି ନାହିଁ, ରଙ୍ଗାଧରଙ୍କର ତାଙ୍କର ପ୍ରଭେଦ କ’ଣ । ସେ ଜାଣନ୍ତି ଉଭୟେ କରଣ–ଏକ ଜାତି । ସେ ବାଧା ଦେଇ କହିଲେ, ‘‘କରଣ ତ କରଣ, ଶ୍ରୀକରଣ, ପାଟକରଣ–ଏ ସବୁ ପୁଣି କାହିଁକି ?’’

 

‘‘ତୁ ଆଜି ଦିଅକ୍ଷର ଇଂରାଜୀ ପାଠ ପଢ଼ିଲୁ ବୋଲି କ’ଣ ସେ ସବୁ ଉଠାଇଦେବୁ ? ଯାହା ବାପଅଜା ସାତ ପୁରୁଷରୁ ଚଳି ଆସିଛି କି । ମନୁଷ୍ୟ ତ ସମସ୍ତେ ସମାନ–ବ୍ରାହ୍ମଣ, ଶୂଦ୍ର ପ୍ରଭୃତି ଚାରି ଜାତିରେ ଭାଗ ହୋଇଛନ୍ତି କାହିଁକି ? ଯେ ସେ ଚାରି ଜାତିକୁ ସ୍ୱୀକାର କରେ, ଗୋଟିଏ ଜାତି ପୁଣି ପାଞ୍ଚ ଭାଗରେ ବିଭକ୍ତ–ଏ କଥା କାହିଁକି ସ୍ୱୀକାର ନ କରିବ ? ତୁ ଯଦି ଏଡ଼େ ସମାଜସଂସ୍କାରକ ବୋଲାଉଛୁ, ଗଲୁ ଆଗ ବିନୋଦିଆ ହାଡ଼ି ଘରେ ଖାଇ ଆସିବୁ । ତାହା ହେଲେ ତୋ କଥାକୁ ସମସ୍ତେ ଶିରୋଧାର୍ଯ୍ୟ କରିବେ । ଏ ସାହସ ଅଛି ତ ? ଏ ସାହସ ଯଦି ନାହିଁ, ରଙ୍ଗାଧର ସାଙ୍ଗରେ ବନ୍ଧୁ କରିବାକୁ କିପରି ସାହସ ହେଉଛି ?’’

 

‘‘ମୁଁ ତ ସମାଜ–ସଂସ୍କାର କରିବା ଉଦ୍ଦେଶ୍ୟରେ, କି ରଙ୍ଗାଧର ସହିତ ବନ୍ଧୁ ସମ୍ବନ୍ଧ କରିବା ଉଦ୍ଦେଶ୍ୟରେ କହୁ ନାହିଁ । ଆପଣ ନ ବୁଝି ବୃଥାରେ ବିରକ୍ତ ହେଉଛନ୍ତି କାହିଁକି ? ମୋର କହିବାର ଉଦ୍ଦେଶ୍ୟ, ସେ ତ କରଣ, କରଣଙ୍କ ମଧ୍ୟରେ ପୁଣି ଶ୍ରେଣୀବିଭାଗ କ’ଣ ? କରଣ ତ ଗୋଟାଏ ଜାତି ।’’

 

ନବକିଶୋରଙ୍କ ଯୁକ୍ତିରେ କୈଳାସଚନ୍ଦ୍ର ଭାବିଥିଲେ, ଏ ନିଶ୍ଚୟ ତା’ର ଅଭୀଷ୍ଟ ସିଦ୍ଧି ନିମିତ୍ତ ରଙ୍ଗାଧର ପକ୍ଷ ନେଇ ପ୍ରତିବାଦ କରୁଛି । ସେଥିପାଇଁ ତାଙ୍କର ସମୂହ ବିରକ୍ତି, ଘୃଣା ନବକିଶୋରଙ୍କ ଉପରେ କେନ୍ଦ୍ରୀଭୂତ ହୋଇଯାଇଥିଲା । ବର୍ତ୍ତମାନ ସେ ଭ୍ରମ ସଂଶୋଧିତ ହେଲା । ସହଜ କଣ୍ଠରେ ସେ କହିଲେ, ‘‘ପ୍ରକୃତରେ ବୁଝିବାକୁ ଗଲେ, କରଣ ଗୋଟାଏ ଜାତି । ତେବେ ପୂର୍ବରୁ ଗୋଟାଏ ଚଳି ଆସିଛି ଯେ, ସେ ଆମ ଗୋଷ୍ଠୀରେ ବସନ୍ତି ନାହିଁ । ତାଙ୍କଠାରୁ ଆମର ସମ୍ମାନମର୍ଯ୍ୟାଦା ଟିକିଏ ବେଶି । ତେବେ ଆଜିକାଲି ସଂସାରରେ କ’ଣ ନ ଚଳୁଛି ? ଧନଲୋଭରେ ସମାଜ ରକ୍ଷକମାନେ ମନଇଚ୍ଛା କାର୍ଯ୍ୟ କରି ଚାଲିଯାଉଛନ୍ତି । ‘ଗୋଲା’, ‘ଶୁଦ୍ଧ’ ଏମାନେ ତ କରଣ ବୋଲାଇଲେଣି ! କରଣ ସମାଜ ଦିନକୁ ଦିନ ଯେପରି ବଢ଼ି ଯାଉଛି, ବ୍ରାହ୍ମଣଙ୍କୁ ଯାହା ଶ୍ରେଷ୍ଠ ଆସନ ଦିଆଯାଇଥିଲା, ଜଣାଯାଏ କରଣମାନେ ଏବେ–।’’

 

‘‘ସେସବୁ କଥାରୁ କଣ ମିଳିବ ? ଯାହା ହେବାର ହେଉଛି; ତେବେ ମୋତେ ବର୍ତ୍ତମାନ କଣ କରିବାକୁ ହେବ, କହନ୍ତୁ ।’’

 

‘‘ଯାହା କହୁଛି, ତୋର ମଙ୍ଗଳ ପାଇଁ ଅବଶ୍ୟ କହୁଛି । ବର୍ତ୍ତମାନ ବୁଝି ନ ପାରିଲେ ପରେ ଦିନେ ଅବଶ୍ୟ ବୁଝିବୁ, ପିତା କିପରି ପୁତ୍ରର ମଙ୍ଗଳକାମୀ । ବୃଦ୍ଧ ପିତାର ଆଦେଶ ଏ–ରାମଚନ୍ଦ୍ର ପିତାଙ୍କର ଆଦେଶ ପାଳନ କରିବାବୁ ଯାଇ ରାଜସିଂହାସନ ଛାଡ଼ି ଦୀନହୀନ ବେଶରେ ଚୌଦ ବର୍ଷକାଳ ବନବାସ କଷ୍ଟ ସହିଥିଲେ । ତୁ କ’ଣ ଏ ସାମାନ୍ୟ କଥାଟା ପାରିବୁ ନାହିଁ ?’’ ପିତାଙ୍କର ଏପରି ଅସଂଲଗ୍ନ ଦୀର୍ଘ ଭୂମିକା ଶୁଣି ଶୁଣି ନବକିଶୋର ନିତାନ୍ତ ଅଧୀର ହୋଇପଡ଼ିଲେ-। ବିରକ୍ତି ଭାବ ଦମନ କରି ଟିକିଏ ଟାଣ ଗଳାରେ କରିଲେ–‘‘କ’ଣ କହନ୍ତୁ ।’’

 

‘‘ମୋର ଇଚ୍ଛା, ତୁ ଆଜିଠାରୁ ଆଉ ଲଳିତା ପାଖକୁ ଚିଠିପତ୍ର ଦେ ନା, ବାର ଲୋକେ ବାରପ୍ରକାର କହୁଛନ୍ତି ।’’

 

ଉଃ, କି କଠୋର ଆଦେଶ ! ପିତାଙ୍କର ସେହି ପଦକ କଥାରେ କି ଆଶୀବିଷର ବିଷ ଭରା ଥିଲା କେଜାଣି, ସେ ହୃଦୟରେ ସହସ୍ର ନାଗର ଦଂଶନ ଜ୍ୱାଳା ଅନୁଭବ କଲେ । ଚକ୍ରବତ୍ ତାଙ୍କର ମସ୍ତକ ଘୂରିବାକୁ ଲାଗିଲା । ଶରବିଦ୍ଧ ପକ୍ଷୀ ପରି ପ୍ରତି ଶିରାପ୍ରଶିରାରେ ଭୟଙ୍କର ଯନ୍ତ୍ରଣା ସେ ଅନୁଭବ କରିବାକୁ ଲାଗିଲେ; ମାତ୍ର କେଉଁ ଆଡ଼କୁ ପଳାଇ ପାରିଲେ ନାହିଁ । ଅତ୍ୟଧିକ ଯନ୍ତ୍ରଣାରେ ସେ ଦିଗ୍‌ବିଦିଗ୍ ଜ୍ଞାନଶୂନ୍ୟ ହୋଇଗଲେ । ହାୟ ! ହାୟ ! ପିତା ପୁଣି ପୁତ୍ରପ୍ରତି ଏଡ଼େ ନିର୍ମ୍ମମ ନିର୍ଦ୍ଦୟ ବ୍ୟବହାର କରିପାରେ ? ଏ ଆଦେଶ ଅନଳ, ନା, ଅନଳଠାରୁ ଆହୁରି ନିର୍ମ୍ମମ, ବଜ୍ରଠାରୁ ଆହୁରି ନିଷ୍ଠୁର । ନବକିଶୋରଙ୍କ ରକ୍ତମାଂସ ଶରୀରରେ ସେପରି ଶକ୍ତି ଅଛି କି ଏ ଆଦେଶ ପାଳନ କରିବାକୁ ? ସେ ମୃତ୍ୟୁକୁ ବରଣ କରିବାକୁ କୁଣ୍ଠିତ ନୁହନ୍ତି । ଯଦି ଇଚ୍ଛା ଥିଲା ମୃତ୍ୟୁଠାରୁ ଆହୁରି କଠିନ ଦଣ୍ଡ ଦେବାକୁ–ରାମଚନ୍ଦ୍ରଙ୍କ ପରି ବନବାସୀ କରାଇଥାନ୍ତ, ନଳ ରାଜାଙ୍କ ପରି ଉଦର ଯନ୍ତ୍ରଣାରେ ଭୋଗାଇଥାନ୍ତ । ସେ ବରଂ ଶ୍ରେୟ; କିନ୍ତୁ ଏ ଯେ ଅତ୍ୟନ୍ତ ଅସହ୍ୟ, ହୃଦୟବିହାରକ ! ରାମଚନ୍ଦ୍ର ପିତୃଆଦେଶ ପାଳିଥିବାର ଉଦାହରଣ ଦେଉଥିଲ; କାହିଁ, ସେପରି ଆଦେଶ ତ କଲ ନାହିଁ ? ରାମଚନ୍ଦ୍ର ମାନବ ନୁହନ୍ତି; ମହାମାନବ ସେ । ମନୁଷ୍ୟମାନଙ୍କଠାରୁ ତାଙ୍କର ଶକ୍ତି ଅସୀମ, କ୍ଷମତା ଅଦ୍ଭୁତ, ସାହସ ଅଦମ୍ୟ, ଧୈର୍ଯ୍ୟ ଅତୁଳନୀୟ; ତଥାପି ସେ ସୀତାଙ୍କୁ ସଙ୍ଗରେ ଘେନି ବନବାସୀ ହୋଇଥିଲେ । ନବକିଶୋର ଜଣେ ସାମାନ୍ୟ ମନୁଷ୍ୟ; ଧୈର୍ଯ୍ୟହୀନ, ଶକ୍ତିଶୂନ୍ୟ ! ତାଙ୍କ ପ୍ରତି ଏ ଆଦେଶ, କିପରି ସହିବେ ସେ ?’’

 

କେତେ କ୍ଷଣ ପରେ ନବକିଶୋରଙ୍କର ଚୈତନ୍ୟ ଆସିଲା । ସେ ମନେ ମନେ କହିଲେ, ‘‘ପିତଃ, ଏ ଆଦେଶ ନୁହେଁ–ଅଭିଶାପ । ପୁତ୍ରର ମଙ୍ଗଳ ପାଇଁ ଏ ନୁହେଁ, ସର୍ବନାଶ ପାଇଁ । ପ୍ରାଣ ଦେବାଲାଗି ପ୍ରସ୍ତୁତ ହେଲି, ତଥାପି ତୁମ୍ଭର ଦୟା ହେଲା ନାହିଁ ? ଅଭିଶାପ ଦେବା ପୂର୍ବରୁ ଥରେ ପଚାରିଲ ନାହିଁ ସେ ବିଷୟରେ ? କାହୁଁ ବୁଝିବ ପିତା, ତୁମ୍ଭେ ପୁତ୍ରର ଅନ୍ତର ବେଦନା ! ଯାବଜ୍ଜୀବନ ଅନାହାରର ରହିପାରେ, ଅନିଦ୍ରାରେ ରହିପାରେ; କିନ୍ତୁ ସେହି ହୃଦୟେଶ୍ୱରୀ ଲଳିତାର ମୁହୂର୍ତ୍ତମାତ୍ର ବିଚ୍ଛେଦ ନବର କିପରି ଅସହ୍ୟ, କିପରି ଜାଣିବ ତୁମ୍ଭେ । ବିଚ୍ଛେଦ–ମରୁରେ କ୍ଷୁଦ୍ର ଦ୍ୱୀପଖଣ୍ଡ ତୁଲ୍ୟ ଦଗ୍‌ଧ ପ୍ରାଣର ଏକମାତ୍ର ସାନ୍ତ୍ୱନା ଥିଲା ସେହି ପତ୍ରଖଣ୍ଡିକ । ସେଥିରୁ ପୁଣି ବଞ୍ଚିତ ହେବାକୁ ହେବ-? ପିତା ! ଏହି ନିମେଷରେ ମସ୍ତକ ସ୍କନ୍ଧଚ୍ୟୁତ କର, ହସି ହସି ବରଣ କରିବି; କିନ୍ତୁ ହାୟ...।’’ ଶରାହତ ମୃଗ ପରି ଛୁଟି ପଳାଇ ଯାଇ ତାଙ୍କର ପଢ଼ିବା ଘରେ କୁର୍ଚିଟାଏ ଟାଣିନେଇ ସେ ବସିପଡ଼ିଲେ । ପିତାଙ୍କ ସମ୍ମୁଖରୁ ପଳାଇଗଲେ ‘‘ସିନା, ପିତାଙ୍କର ଆଦେଶରୂପ ଅଭିଶାପରୁ ଅବ୍ୟାହତ ପାଉଛନ୍ତି କେଉଁଠି ? ପୁଣି ଭାବିଲେ, ‘‘ପିତା, ସୁଖ ପାଇଁ ଭୀଷ୍ମ ଆଜୀବନ ବ୍ରହ୍ମଚର୍ଯ୍ୟ ବ୍ରତ ଅବଲମ୍ବନ କରିଥିଲେ । ସେପରି ଆଦେଶ ନ ଦେଲ କାହିଁକି ପିତା ? ପତ୍ର ଖଣ୍ଡେ ଦେବାଦ୍ୱାରା ତ କିଛି ଅନିଷ୍ଟର ଆଶଙ୍କା ନ ଥିଲା ! ଯଦି ତୁମ୍ଭର ଇଚ୍ଛା ନୁହେଁ, ଲଳିତାକୁ ମୁଁ ଗୃହକୁ ଆଣି ନ ଥାନ୍ତି–ଚିର ଜୀବନ ଅବିବାହିତ ରହିଥାନ୍ତି; କିନ୍ତୁ ପତ୍ରଦ୍ୱାରା ଦୁଇପଦ କଥାବାର୍ତ୍ତାରୁ ବଞ୍ଚିତ କରାଇ କି ଲାଭ ତୁମ୍ଭର ପିତା ?’’ ସେ ଯେତିକି ଭାବିବାକୁ ଲାଗିଲେ, ସେହି ପରିମାଣରେ ଅଧୀର ଅସ୍ଥିର ହୋଇ ଉଠିଲେ । ବହୁ ଆଲୋଚନା ବିବେଚନା ପରେ ସିଦ୍ଧାନ୍ତ କଲେ, ତାଙ୍କର ସମସ୍ତ ଗୁପ୍ତ ଇତିବୃତ୍ତ ପିତାଙ୍କ ନିକଟରେ ପ୍ରକାଶ କରିବେ । ପରସ୍ପର ହୃଦୟର ବିନିମୟ ହୋଇଥିବା କଥା ଜାଣି ପାରିଲେ ବା ଚିଠିପତ୍ର ଦେବାକୁ ବାରଣ କରନ୍ତେ ନାହିଁ । କିନ୍ତୁ କିପରି କହିବେ ? ବଡ଼ ଲଜ୍ଜାର କଥା ! କହିଲେ ବା ଲାଭ କ’ଣ ? ସେ ରଙ୍ଗାଧରଙ୍କ ଉପରେ ଯେ ଭୟଙ୍କର ରାଗିଛନ୍ତି, ତାଙ୍କର ସେହି କେତେ ପଦ କଥାରୁ ବେଶ ଜଣାଯାଇଛି । ଏ କଥା ଶୁଣିଲେ ତାଙ୍କର କ୍ରୋଧାଗ୍ନି ଘୃତାହୁତି ପାଇବ ସିନା । ପୁଣି ଭାବିଲେ, ‘‘ନା, ମୁଁ ତ ବାଲ୍ୟକାଳରୁ ପିତାଙ୍କୁ ଦେଖି ଆସିଛି–ସେ କେବେ ହେଲେ ମୋର ଆଦର ଅଳିକୁ ପ୍ରତ୍ୟାଖ୍ୟାନ କରି ନାହାନ୍ତି । ଯାଉଛି, ଅଳି କରି ସେ ଦୋଷଟା ମାଗି ନେବି । ଲଳିତା ସହିତ ମୋର କି ସମ୍ବନ୍ଧ ଜାଣି ପାରିଲେ ସେ ନିଶ୍ଚୟ ଶାନ୍ତ ହୋଇଯିବେ ।’’ ଏହିପରି ନାନା ଭାବନା, ଚିନ୍ତାପରେ ହୃଦୟରେ ସାହସ ବାନ୍ଧି ନବକିଶୋର ପିତାଙ୍କ ନିକଟକୁ ଗଲେ-। ମାତ୍ର ପିତାଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ତାଙ୍କର ଭାବାନ୍ତର ଉପସ୍ଥିତ ହେଲା । ସେ ପୁଣି ଭାବିଲେ, ‘‘ଛି, ମୁଁ କଣ କରିବାକୁ ଯାଉଛି ? ନିଜ ହସ୍ତରେ ନିଜର, ନିଜର ତ ନୁହେଁ, ପୁରୁଷତ୍ୱର ଗଳା ଚିପିବାକୁ ବସିଛି ? ଏଡ଼େ ଦୁର୍ବଳ, ଏଡ଼େ ଭୀରୁ, ଏଡ଼େ ସ୍ୱାର୍ଥପର ମୁଁ ? ଯେଉଁ ଦେଶରେ ସାବିତ୍ରୀ ଅବଳାର ଦୁର୍ବଳ ହୃଦୟରେ ଅସୀମ ବଳ ସଞ୍ଚୟ କରି ଜନ୍ତୁପତିଙ୍କୁ ପରାସ୍ତ କରିବାକୁ ସମର୍ଥ ହୋଇଥିଲେ, ସୀତା ଚିତା ବରଣ କରିବାକୁ ଭୀତ ତ୍ରସ୍ତ ହୋଇ ନ ଥିଲେ, ରାଣୀ ଦୁର୍ଗାବତୀ ଶତ୍ରୁର ଶାଣିତ ଉନ୍ମୁକ୍ତ ତରବାରୀକୁ ନିଜର କୋମଳ ବକ୍ଷରେ ଭାଙ୍ଗି ଖଣ୍ଡ ବିଖଣ୍ଡ କରିବାରେ ଭୀରୁତା ପ୍ରକାଶ କରି ନଥିଲେ, ସେହି ଦେଶରେ ଜନ୍ମ ମୋର–ମୁଁ ପୁଣି ପୁରୁଷ ହୋଇ ଏହି ସାମାନ୍ୟ କଷ୍ଟ ସହି ପାରିବି ନାହିଁ ? ଭୟରେ କାତର ହୋଇ ପିତାଙ୍କୁ ଅନୁରୋଧ କରିବାକୁ ଯିବି ? ସେ ସମ୍ମତି ପ୍ରଦାନ କରିପାରନ୍ତି; କିନ୍ତୁ ମୋ ପକ୍ଷରେ ଏ ଯେ ମହାପାପ । ପିତୃ ଚରଣ ଚାହିଁ ପ୍ରତିଜ୍ଞା କରିଛି, ଲଙ୍ଘନ କରିବି କିପରି ? ଶରୀରଂ ବା ପାତୟେତ୍, କାର୍ଯ୍ୟଂ ବା ସାଧୟେତ୍ ।’’

 

ନବକିଶୋର ପୁସ୍ତକରେ ମନୋନିବେଶ କରି ଲଳିତାର ସ୍ମୃତିକି ଭୁଲି ଯିବାକୁ ଇଚ୍ଛା କଲେ । ପୁସ୍ତକ ଆଲମାରୀ ଖୋଲି ଦେଲାକ୍ଷଣି ତାଙ୍କର ନଜର ପଡ଼ିଲା ଖଣ୍ଡେ ଧଳା କାଗଜ ଉପରେ । ଭାଙ୍ଗ ଖୋଲି ଦେଖିଲେ ତାଙ୍କରି ହାତ ଲେଖା । ପାଠ କଲେ, ‘‘ସ୍ନେହର ଲଳିତା !–’’ ସହସା କୌଣସି ବିପଦ ଦେଖି ପ୍ରାଣୀ ଯେପରି ଭୟରେ ଶିହରି ଉଠେ, ସେ ସେହିପରି ଚମକି ଉଠିଲେ । ସେ କାଗଜ ଉପରୁ ଅନ୍ୟଆଡ଼େ ଦୃଷ୍ଟି ଫେରାଇ ନେଲେ । ହାୟ ! ଆଉ କି ଆଶା ଅଛି-! ସବୁ ଆଶାଆକାଂକ୍ଷା, ସ୍ନେହପ୍ରୀତି, ମାୟାମମତା ଜଳିପୋଡ଼ି ଯାଇଛି ପିତାଙ୍କର ସେହି ଅଭିଶାପ ନିଆଁରେ । ଆସିବା ସମୟରେ ଲଳିତା ସଙ୍ଗରେ ଦେଖା ହୋଇପାରି ନଥିଲା ବୋଲି, କଲିକତାରେ ପହଞ୍ଚିବା ମାତ୍ରେ ଚିଠିଖଣ୍ଡେ ଲେଖିବାକୁ ଆରମ୍ଭ କରିଥିଲେ । କେତେ କାକୁତି ମିନତି, କେତେ ଅନୁନୟ ବିନୟର ଲେଖା, ହୃଦୟର କେତେ ଗୁପ୍ତ କାହାଣୀ ଅଛି ସେଥିରେ । ପ୍ରେମମୟୀ ନିକଟକୁ ପ୍ରେମିକର ପତ୍ର, ପ୍ରଣୟିନୀ ନିକଟକୁ ପ୍ରଣୟୀର ପତ୍ର–ପୁଣି ବିରହ ବେଦନାବୋଳା ବ୍ୟଥିତ ହୃଦୟର ଲେଖା ସେ । ପାହାନ୍ତି ଶିଶିରପାତରେ ପୁଷ୍ପ ସୌରଭ ବିତରିଲା ପରି କେଡ଼େ ସୌରଭମୟ ! ଯାହାର ଉଦ୍ଦେଶ୍ୟରେ ଲେଖା, ଯେ ସେ ଲେଖାର ସଜୀବତା ସରସତା ଉପଲବ୍‌ଧି କରନ୍ତା, ସେ ତ ସେଥିରୁ ବଞ୍ଚିତ ! ନବକିଶୋର ଆଉ ପଢ଼େବେ କଣ ? ଚିଠି ଖଣ୍ଡି ବକ୍ଷରେ ଧରି କିଛିକ୍ଷଣ ନୀରବରେ ଅଶ୍ରୁମୋଚନ କଲେ । ତା’ପରେ ଉଠିପଡ଼ି କହିଲେ, ‘‘ଉଃ–ଅସହ୍ୟ, ଅସହ୍ୟ ! ବୁକୁ ଯେ ଫାଟି ଯାଉଛି ।’’ ଚିଠି ଖଣ୍ଡ ଶତଧା ଛିନ୍ନ କରି ଫିଙ୍ଗି ଦେଲେ ।

Image

 

Unknown

ଦ୍ୱାଦଶ ପରିଚ୍ଛେଦ

 

ଲଳିତା ପତ୍ର ଖଣ୍ଡେ ଦେଇ ଉତ୍ତର ଅପେକ୍ଷାରେ ଚାହିଁ ରହିଲା । ଚାହୁଁ ଚାହୁଁ ସାତଦିନ ବିତି ଗଲା । ପୁଣି ସେହି ରବିବାର–ହାଟ ପାଳି । ବେଳ ବୁଡ଼ିଲା, ସନ୍ଧ୍ୟା ହେଲା । ହାଟରୁ ସମସ୍ତେ ଫେରିଲେ । ରଙ୍ଗାଧର ମଧ୍ୟ ଫେରିଲେ; ମାତ୍ର ଚିଠିର ଦେଖା ନାହିଁ । ଲଳିତାର ଦୁଃଖ–ନଦୀ ବଢ଼ିବାକୁ ଲାଗିଲା ବର୍ଷାର ଦୁଇକୂଳ ଭରା ଖରସ୍ରୋତାଠାରୁ ପ୍ରଖରତର ହୋଇ ସେଦିନ ରାତ୍ରିରେ ସେ ଆଉ ଖଣ୍ଡେ ପତ୍ର ଲେଖିଲା ।

 

ଦିନ ପରେ ଦିନ ବହିଯିବାକୁ ଲାଗିଲା । ଲଳିତା ଚିଠି ପରେ ଚିଠି ପଠାଇବାକୁ ଲାଗିଲା; କିନ୍ତୁ ନବକିଶୋରଙ୍କର କୌଣସି ସମ୍ବାଦ ମିଳିଲା ନାହିଁ ।

 

ସେ ବହୁତ ଭାବିଲା । ଭାବନା–ସିନ୍ଧୁର କୂଳ କିନାରା ପାଇଲା ନାହିଁ ।

 

ସେଦିନ ନାଭୀକଥା ସବୁ ତା’ର ମନେପଡ଼ିଲା । ସେ ସ୍ଥିର କଲା, କୈଳାସଚନ୍ଦ୍ର ନାଭୀ ପାଖରେ ବାପାଙ୍କୁ ଯେପରି ଭାବରେ ଅପମାନିତ କରିଛନ୍ତି ଓ ମୋ ନାମରେ ଯେଉଁ ଅପବାଦ ରଚନା କରିଛନ୍ତି, ସେ ସମସ୍ତ ନିଶ୍ଚୟ ପୁତ୍ରଙ୍କୁ କହିଥିବେ । ସେଥିପାଇଁ ବୋଧହୁଏ ସେ ଚିଠିପତ୍ର ଦେଉ ନାହାନ୍ତି । ମୋ ପ୍ରତି ତାଙ୍କର ଗୋଟାଏ ନିତାନ୍ତ ଖରାପ ଧାରଣା ଜନ୍ମିଛି ନିଶ୍ଚୟ । ତେବେ ମୁଁ ବୃଥାରେ ଏତେ ବ୍ୟାକୁଳ ହେଉଛି କାହିଁକି ? ତାଙ୍କର କଣ ଏତେ ଆତ୍ମାସମ୍ମାନ ଜ୍ଞାନ ଅଛି–ମୋର ସେ ଜ୍ଞାନ ନାହିଁ ? ତାଙ୍କ ମନରେ ମୋ ପ୍ରତି ଯେଉଁ ଜଘନ୍ୟ ଭାବ ଜନ୍ମିଛି, ମୁଁ ଏପରି ଅଧୀରା ହୋଇ ବାରମ୍ବାର ପତ୍ର ଦେବାଦ୍ୱାରା ସେ ଭାବ ତାଙ୍କର ଦୃଢ଼ୀଭୂତ ହେବ ସିନା ! ନା, ଆଉ ପତ୍ର ଦେବି ନାହିଁ; କିନ୍ତୁ ଏହାର ପ୍ରତିଶୋଧ ନେବାକୁ ହେବ । ନିଶ୍ଚୟ ଦିନେ କୈଳାସଚନ୍ଦ୍ରଙ୍କୁ ଏପରି ଶିକ୍ଷା ଦେବି, ଯଦ୍ଦ୍ୱାରା ସେ ନିଜର ଏହି ଅଯଥା ପରନିନ୍ଦାରୂପ ମହାପାପର କଠୋର ପ୍ରାୟଶ୍ଚିତ୍ତ କରିବାକୁ ବାଧ୍ୟ ହେବେ । ଲଳିତା ଏତେଗୁଡ଼ାଏ କଥା ଭାବିଗଲା ସିନା, କାର୍ଯ୍ୟରେ ପରିଣତ କରିପାରିଲା ନାହିଁ । ପର ମୁହୂର୍ତ୍ତରେ ପୁଣି ଅଧୀରା ହୋଇଉଠିଲା ନବକିଶୋରଙ୍କର ସମ୍ବାଦ ପାଇବା ପାଇଁ । ନାଭୀଠାରୁ କୈଳାସଚନ୍ଦ୍ରଙ୍କର ଭର୍ତ୍ସନାବାକ୍ୟସବୁ ଶୁଣିଲା ଦିନରୁ ସେ ବହୁବାର ପ୍ରତିଜ୍ଞା କଲାଣି, ନବକିଶୋରଙ୍କୁ ଆଉ ପତ୍ର ଦେବ ନାହିଁ, କି ତାଙ୍କ ବିଷୟରେ ପଦେ ହେଲେ ଭାବିବ ନାହିଁ । କିନ୍ତୁ ସେ ପ୍ରତିଜ୍ଞା ତାର ସଲିଳ–ରେଖା ପରି ସଙ୍ଗେ ସଙ୍ଗେ ଲିଭିଯାଏ । ସେ ନବକିଶୋରଙ୍କୁ ଭଲକରି ଜାଣେ । ପୃଥିବୀ ସାରା ଯଦି ତାଙ୍କର ବିପକ୍ଷରେ ଠିଆ ହୁଅନ୍ତି, ତଥାପି ସେ ଯାହା ଭଲ ବୋଲି ବିବେଚନା କରିବେ, ତହିଁରୁ କେବେ ବଞ୍ଚିତ ହେବେ ନାହିଁ । ନବକିଶୋର ତାକୁ ଭୁଲି ରହି ପାରିବେ, ଏହା ସେ ଆଦୌ ବିଶ୍ୱାସ କରିପାରୁ ନାହିଁ । ଅନ୍ୟ କୌଣସି କାରଣରୁ ବୋଧହୁଏ ପତ୍ର ଦେଇପାରୁ ନାହାନ୍ତି । ଆଉ ଗୋଟିଏ କଥା ତା’ର ମନେପଡ଼ିଲା । ସେ ଭାବିଲା, ‘‘ଅପମାନ କି ଅଭିମାନରେ ମୋତେ ସିନା ପତ୍ର ଦେଉ ନାହାନ୍ତି, ତାଙ୍କ ଘରକୁ ତ ପତ୍ର ଦେଉଥିବେ । ସର ଅପାଠାରୁ ସମସ୍ତ ଖବର ଜଣାପଡ଼ିବ ।’’

 

ଦ୍ୱାଦଶୀ ଚନ୍ଦ୍ର ଦିଗ୍‌ବଳୟ ଉପରେ ବସି ତାଙ୍କର ଶୋଭା–ପସରା ମେଲି ଦେଇଛନ୍ତି । ସେ ସୌନ୍ଦର୍ଯ୍ୟ, ସେ ଶୋଭା, ସେ ସୁଷମା ଧରଣୀବକ୍ଷକୁ ରଞ୍ଜିତ କରି ଆଉ ଏକ ଅଭିନବ ଶୋଭାସୌନ୍ଦର୍ଯ୍ୟର ସୃଷ୍ଟି କରୁଛି । କେଡ଼େ ସୁନ୍ଦର, କେଡ଼େ ମନୋହର, କେଡ଼େ ମନୋମୁଗ୍‌ଧକର ସେ ଛବି ! ଆମାନବକୀଟ ସମସ୍ତେ ସେ ସୌନ୍ଦର୍ଯ୍ୟରେ ବିଭୋର–ସେ ନଗ୍ନ ମାଧୁରୀ ଉପଭୋଗରେ ଉନ୍ମତ୍ତ ପ୍ରାୟ । ସର ଅଗଣାରେ ବସି ଏକ ଦୃଷ୍ଟିରେ ଚାହିଁ ରହିଛି, ସେହି ସୌନ୍ଦର୍ଯ୍ୟଭଣ୍ଡାର ଚନ୍ଦ୍ରମଣ୍ଡଳକୁ । ଚନ୍ଦ୍ରଙ୍କର ହସ ହସ ବଦନକୁ ଚାହିଁ ସେ ଭାବୁଛି, ‘‘ପ୍ରଭୁ ! ତୁମ୍ଭର ସୃଷ୍ଟି ବଡ଼ ବିଚିତ୍ର । ଜଣକୁ ହସାଇ ଜଣକୁ କନ୍ଦାଇବାରେ ସିଦ୍ଧହସ୍ତ ତୁମ୍ଭେ । ସୁନ୍ଦର ପାଖରେ ଅସୁନ୍ଦର, ସୁଖ ପାଖରେ ଦୁଃଖ, ଆଲୋକ ପାଖରେ ଅନ୍ଧାରକୁ ରଖି ଉଭୟଙ୍କୁ ଏକ ସମୟରେ ଦେଖିବାକୁ ବଡ଼ ଭଲପାଅ ତୁମ୍ଭେ । କମଳିନୀ ଯେତେବେଳେ ଅଙ୍ଗଶୋଭା ମେଲି ଫୁଲି ଫୁଲି ହସୁଥାଏ, କୁମୁଦିନୀ ସେତେବେଳେ ଦୁଃଖରେ ମ୍ରିୟମାଣା; ପୁଣି କୁମୁଦିନୀ ଯେତେବେଳେ ହସି ଉଠେ, କମଳିନୀ ଦୁଃଖରେ ଆଖି ବୁଜିଦିଏ । ଏହି ତ ତୁମ୍ଭର ସୃଷ୍ଟି ? ମାନବର ଶକ୍ତି କାହିଁ ତୁମ୍ଭର ଉଦ୍ଦେଶ୍ୟ ବୁଝିବାକୁ ? ତେବେ ତୁମ୍ଭେ ଯାହା କର, ପ୍ରାଣୀର ହିତ ପାଇଁ–ଏତିକିରେ ବହୁତ ସାନ୍ତ୍ୱନା ମିଳେ ଏକା ।’’ ‘‘ଅପା ବସିଛ କି ?’’ କହି ଲଳିତା ଠିଆ ହୋଇଗଲା । ସର ଜାଣି ପାରିଲା ନାହିଁ; ସେ ପ୍ରକୃତି ଚିନ୍ତାରେ ମଗ୍ନ ଲଳିତା ଠିଆହୋଇ ଭାବିଲା, ‘‘କଥାଟା କିପରି ଆରମ୍ଭ କରିବି ? ସର ଅପା ଶୁଣି ଥଟ୍ଟା କରିବ କିମ୍ବା ବାପାଙ୍କ ପରି ଅପମାନ ଯଦି କରେ ? କଣ କରିବି, ଆଗ କଣ କହିବି ?” ସର ଦୃଷ୍ଟି ଫେରାଇଲା ! କହିଲା, ‘‘ଲଳିତା, କେତେବେଳୁ ଆସିଲୁଣି ?’’ ଲଳିତା ଶୁଣିପାରିଲା ନାହିଁ । ସର ତାର ହାତ ଧରି ବସାଇ ଦେଉ ଦେଉ କହିଲା, ‘‘କେତେବେଳୁ ଆସିଲୁଣି ମ ?” ଲଳିତା ଟିକିଏ ଅପ୍ରତିଭ ହୋଇଗଲା । କହିଲା, “ତମେ ପରା ଆକାଶକୁ ଚାହିଁଥିଲ, ମୁଁ ଡ଼ାକିଲି ଶୁଣିଲ ନାହିଁ । କଣ ବସି ଭାବୁଥିଲ କି ?’’ ସର ନିଜର ଭାବ ଗୋପନ ରଖି ଲଳିତାକୁ ଭୁଲାଇବାକୁ କହିଲା, ‘‘ମୋତେ ଚନ୍ଦ୍ର କିରଣଟି ଭଲ ଲଗେ । ଦେଖିଲୁ କି ସୁନ୍ଦର, କି ଶୀତଳ ଲାଗୁଛି ।” ଲଳିତାର ହୃଦୟ ତୁଷାନଳରେ ଦଗ୍‌ଧ ହେଉଛି । ସେ ଚନ୍ଦ୍ର କିରଣର ଶୀତଳତା ବୁଝିବ କାହୁଁ ? ସୌନ୍ଦର୍ଯ୍ୟ ଉପଲବ୍‌ଧି କରିବ କାହୁଁ ? ଅନ୍ୟମନସ୍କ ଭାବରେ କହିଲା, ‘‘ହୁଁ, ଅପା ତମେ ଏକୁଟିଆରେ ଘରେ ବସି ବସି କଣ କରୁଛ ମ ? ଆମ ଘର ଆଡ଼େ ଏବେ ତ କାହିଁକି ଯାଉନା ?’’ ସର ଏ ପ୍ରଶ୍ନର କି ଉତ୍ତର ଦେବ, ହଠାତ୍ ତାର ମନେ ପଡ଼ିଲା ନାହିଁ । ସେ ଭାବିବାକୁ ଲାଗିଲା,‘‘ପ୍ରକୃତରେ ସର ଇଚ୍ଛା କରି ରଙ୍ଗାଧରଙ୍କ ଘରଆଡ଼େ ଆଉ ଯାଉ ନାହିଁ । ତାହାର କାରଣ, ଶରଧା ଦେଈଙ୍କଠାରୁ ବଳି ସେ ଲଳିତାକୁ ଭଲ ପାଏ । ଶରଧା ଦେଈ ଯେତେବେଳେ ମୃତ୍ୟୁଶଯ୍ୟାରେ ତାଙ୍କର ମନକଥା ଖୋଲି ସମସ୍ତଙ୍କ ସମ୍ମୁଖରେ ସ୍ୱାମୀଙ୍କୁ କହିଲେ ଏବଂ ପୁତ୍ରବଧୂ ପଦରେ ଲଳିତାକୁ ଅଧିଷ୍ଠିତ କରିଦେଇଗଲେ, ତାର ଆନନ୍ଦର ସୀମା ରହିଲା ନାହିଁ । ଅତି ଅଳ୍ପବୟସରେ ତାର ସ୍ଵାମୀବିୟୋଗ, ତା’ପରେ ପୁଣି ମାତୃବିୟୋଗ–ତା’ ଉପରେ ଅସହନୀୟ ଦୁଃଖର ଭାରସବୁ ଲଦିଦେଲେ । ଏତେ ଦୁଃଖରେ ମଧ୍ୟ ତାର ମନ ମଧ୍ୟରେ ଟିକିଏ ଆନନ୍ଦ ଜାତ ହେଲା । ସେ ଭାବିଲା, “ଯାହା ହେଉ, ଲଳିତାକୁ ପାଇଲେ ମାତୃବିୟୋଗ ଦୁଃଖ ପାସୋରି ପାରିବି-।’’ କିନ୍ତୁ କୈଳାସଚନ୍ଦ୍ର ଯେଉଁ ଦିନ ନାଭୀ ଆଗରେ ଲଳିତାକୁ ଏବଂ ତାର ପିତାଙ୍କୁ ନିତାନ୍ତ ଅକଥ୍ୟ ଭାବରେ ଗାଳି ଦେଲେ, ଆଉ ମଧ୍ୟ ପ୍ରତିଜ୍ଞା କଲେ କସ୍ମିନ୍ କାଳେ ନବ ସହିତ ଲଳିତାର ବିବାହ ହୋଇପାରିବ ନାହିଁ, ସେହି ଦନ ତାର ସମସ୍ତ ଭବିଷ୍ୟତ ଆଶାଭରସା ନିର୍ମୂଳ ହୋଇଗଲା । ଏକେ ତ ମାତୃଶୋକରେ ଅଧୀର ଥିଲା, ପିତାଙ୍କର ଏପରି ଅବିମୃଷ୍ୟକାରିତାରେ ସେ ଆହୁରି ଅଧୀର ହୋଇପଡ଼ିଲା । ତା ହୃଦୟରେ ବେଶି ଆଘାତ କଲା ନବ ଓ ଲଳିତା ଦୁହିଁଙ୍କର ବିଚ୍ଛେଦ–ବେଦନା । ଯଦି ଚ ସେ ତାଙ୍କର ଅନ୍ତରର ଗୁପ୍ତ କାହାଣୀ ଜାଣେ ନାହିଁ, ବାଲ୍ୟକାଳରୁ ସେ ଦୁହିଁଙ୍କର କିପରି ମନ ମିଳେ, ତାହା ତାହାର ଅବିଦିତ ନ ଥିଲା । ସେ ବଡ଼ ବ୍ୟଥିତ ହୋଇ ଭାବିଲା, ‘‘ନବର ଲବମାତ୍ର ବିଚ୍ଛେଦରେ ଯେ ବିଚଳିତ ହୋଇପଡ଼େ, ସେ କିପରି ଚିରଦିନ ବିରହ ଯନ୍ତ୍ରଣା ସହ୍ୟ କରିପାରିବ ? ନିଶ୍ଚୟ ଗୋଟାଏ କିଛି ଶୋଚନୀୟ କାଣ୍ଡ ଘଟିବ । ପିତା ଏ ଅନ୍ୟାୟାଚରଣ ଯୋଗୁଁ ନିଶ୍ଚୟ ନରହତ୍ୟାରୂପ ମହାପାତକ ମୁଣ୍ଡାଇବାକୁ ବାଧ୍ୟ ହେବେ ।’’ ସେହି ଦିନରୁ ସେ ଆଉ ରଙ୍ଗାଧରଙ୍କ ଘରଆଡ଼େ ଯାଏ ନାହିଁ । ଯିବାକୁ ଇଚ୍ଛା ହେଉଥିଲେ ସୁଦ୍ଧା ବିବେକ ତାର ପଛରୁ ଯେପରି ଟାଣି ଧରେ । କହେ, ‘‘କି ଆଶାରେ ତୁ ଆଉ ସେଠାକୁ ଯିବୁ ? ପିତା ତୋର ସ୍ୱହସ୍ତରେ କଣ୍ଟକ ପକାଇ ସେ ପଥ ରୁଦ୍ଧ କରିଛନ୍ତି ।’’

 

ସରକୁ ନିରୁତ୍ତର ଦେଖି ଲଳିତା କହିଲା, “ଚୁପ ରହିଲ ଯେ, ଅପା !’’ ବେଦନାଭରା ଦୀର୍ଘ ନିଃଶ୍ୱାସଟିଏ ତ୍ୟାଗ କରି ସର କହିଲା, ‘‘ଚୁପ ନ ରହି ମୋର ଆଉ ଉତ୍ତର କଣ ଅଛି ? ପ୍ରକୃତରେ ଘରେ ସଦାସର୍ବଦା କାମ ନାହିଁ, ଅନେକ ସମୟ ଖାଲିଟାରେ ବସି ବସି କାଳ କାଟୁଚି; କିନ୍ତୁ ତମଘର ଆଡ଼େ ଯାଉ ନାହିଁ । କାହିଁକି ଯେ ଯାଉ ନାହିଁ, ତା ମୁଁ କହି ପାରିବି ନାହିଁ । ମୋର କାହିଁକି ଏଇ କେତେ ଦିନ ହେବ ମନଟା ବଡ଼ ଖରାପ –ହୋଇଗଲାଣି–ମୁଣ୍ଡ ବି ବିଗିଡ଼ି ଗଲାଣି । କୌଣସି କଥା ସୁଖ ଲାଗୁ ନାହିଁ ।’’

 

‘‘କାହିଁକି, ତମ ଦେହ କଣ ଖରାପ ଅଛି କି ?”

 

“ସେ ଭାଗ୍ୟ ମୋର କାହିଁ ? ତାହା ହେଲେ ତ ମୁଁ ଛୁଟି ପାଇଯାନ୍ତି । ଏ ପୋଡ଼ା ଜୀବନ କଣ କମ ଟାଣ କି ?”

 

ଏତେ ଦୁଃଖ, ଏତେ ଚିନ୍ତା, ଏତେ ମନସ୍ତାପରେ ଲଳିତା ଯେତେ ଦୂର ବିଚଳିତ ହୋଇ ନ ଥିଲା, ସରର ଏ ଶେଷ କଥା ଦୁଇପଦ ତାକୁ ଅତ୍ୟନ୍ତ ବିଚଳିତ କରି ପକାଇଲା । ସର ଅନ୍ତରର ବ୍ୟଥାଟି ତାର ଅନ୍ତରତମ ପ୍ରଦେଶରେ ଆଘାତ କଲା । ସେ ଭାବିଲା, “ଆହା ! ମୁଁ କାହିଁକି ଏଠାକୁ ଆସିଲି ? ଅଯଥା ଅପା ମନରେ କେତେ କଷ୍ଟ ଦେଲି । ଜୀବନର ଆରମ୍ଭରେ ସ୍ୱାମୀବିୟୋଗ, ତା’ପରେ ମାତୃବିୟୋଗ; ବାସ୍ତବିକ ସର ଅପାଟି ବଡ଼ ଦୁଃଖିନୀ ।’’

 

ଲଳିତାକୁ ବିମର୍ଷ ଦେଖି ସର ଅପ୍ରତିଭ ହୋଇପଡ଼ିଲା । ସ୍ନେହସିକ୍ତ କଣ୍ଠରେ କହିଲା, ‘‘ଠିଆଟା ହୋଇ ରହିଲୁ କାହିଁକି ? ବସୁ ନାହୁଁ ?’’ ଲଳିତା ବସିଲା । ‘‘ଦେଖୁ ନାହୁଁ ମୋର ଏ ହଟହଟା ଜୀବନ; ସେ ଟୋକାଟା ଆଜିକି ମାସେ ହେବ ଗଲାଣି ଯେ, ଚିଠି ଖଣ୍ଡେ– ।’’

 

ଲଳିତା ଏତେବେଳେ ଯାଇ କୁଳକିନାରା ପାଇଲା । ରୋଗୀ ଚିକିତ୍ସକଠାରୁ ତାର ଇପ୍ସିତ ପଥ୍ୟର ବ୍ୟବସ୍ଥା ଶୁଣିଲେ ଯେପରି ରୋଗ ଯନ୍ତ୍ରଣା ଭୁଲି ଉତ୍‌ଫୁଲ୍ଲ ହୋଇଉଠେ, ଲଳିତା ସେହିପରି ତାର ସମସ୍ତ ଦୁଃଖ, ଦୈନ୍ୟ, ବିସ୍ମୃତ ହୋଇ ଆନନ୍ଦରେ, ଆବେଗରେ ଫୁଲିଉଠିଲା । ସରକୁ କଥା ଶେଷ କରିବାକୁ ଅବସର ନ ଦେଇ କହିଲା, ‘‘ସେଠି ଭଲରେ ଅଛନ୍ତି ନା ? କେବେ ଚିଠି ଦେଇଛନ୍ତି ?” ଲଳିତାର ଏ ପ୍ରକାର ଉତ୍‌କଣ୍ଠିତ ଭାବରେ ଅଯଥା ପ୍ରଶ୍ନ କରିବା ଶୁଣି, ତାର ମନୋଗତ ଭାବ ବୁଝିବାକୁ ସରର ବିଳମ୍ବ ହେଲାନାହିଁ । କହିଲା, ‘‘କାହିଁ, ସେ କଣ ଏ ପର୍ଯ୍ୟନ୍ତ ଚିଠିପତ୍ର ଦେଲାଣି କି ? ସେହି କଥା କହୁଚି ପରା ।’’ ଲଳିତା ବଡ଼ ଆଶାଭରା ପ୍ରାଣରେ ଉତ୍‌ପକ୍ଷୁ ନୟନରେ ଚାହିଁ ରହିଥିଲା ସର ମୁହଁକୁ, ନବକିଶୋରଙ୍କର ଶୁଭସମ୍ବାଦ ପଦେ ଶୁଣିବ ବୋଲି । ତତ୍‌ପରିବର୍ତ୍ତରେ ଯାହା ଶୁଣିଲା, ତାର ଆଶା ଆକାଙ୍‌କ୍ଷା ସମସ୍ତ କ୍ଷୁଦ୍ର ବାରିବିନ୍ଦୁ ପରି ହୃଦୟ–କନ୍ଦରରେ କେଉଁଆଡ଼େ ବିଲୀନ ହୋଇଗଲା । ସତେ ଯେପରି ସେ ହିମାଳୟର ଉଚ୍ଚତମ ଶିଖର ପ୍ରଦେଶରୁ ଭୂପୃଷ୍ଠରେ ଖସିପଡ଼ିଲା । ହଠାତ୍ ତାର ବାକ୍ ସ୍ଫୁର୍ତ୍ତି ହେଲା ନାହିଁ । କ୍ଷଣକ ପରେ ଜଡ଼ିତ କଣ୍ଠରେ କହିଲା, “ଚିଠି ଦେଇ ନାହାନ୍ତି ? ତମେ ତା ହେଲେ ଚିଠି ଖଣ୍ଡେ ଦେଉ ନାହଁ ଅପା !’’

 

ମୋର ଏତେ ଦୂର ମନ ବ୍ୟସ୍ତ ହେବାର କାରଣ କଣ କି ? ଖଣ୍ଡେ କାହିଁକି, ଦୁଇଖଣ୍ଡ ଚିଠି ଦେଲିଣି–ତାର ଉତ୍ତର ନାହିଁ ।’’

 

ଉଭୟେ ନୀରବ । ପ୍ରାୟ ଅର୍ଦ୍ଧଘଣ୍ଟା ପରେ ଲଳିତା ନୀରବତା ଭଙ୍ଗ କରି କହିଲା, “ସେ ପୂର୍ବ ବସାରେ ନାହାନ୍ତି କି କଣ ! ଯଦି ବୋଡ଼ିଂରେ ଥା’ନ୍ତି ? ତମେ ବାପାଙ୍କ ପାଖକୁ ପତ୍ର ଦିଅ ।”

 

‘‘ହଁ, ମୁଁ ସେହି କଥା ଭାବୁଚି । କାଲି ବାପାଙ୍କ ପାଖକୁ ଖଣ୍ଡେ ଚିଠି ଦିଏଁ, ଜଣାଯିବ ।"

 

କଲିକତାରୁ ଚିଠି ଆସିଲା, ନବକିଶୋରଙ୍କ ହାତ ଲେଖା ନୁହେଁ । କୈଳାସଚନ୍ଦ୍ର ଲେଖିଛନ୍ତି ସରକୁ । ଘରବାରୀ ସମ୍ବନ୍ଧରେ ବହୁତ ଉପଦେଶ ଆଦେଶ ପୂର୍ଣ୍ଣ ଲେଖା । ଶେଷରେ ଲେଖା ଅଛି, “ତୁ ନବ ବିଷୟରେ ଭାବି ବ୍ୟସ୍ତ ହେବୁ ନାହିଁ । ସେ ଭଲ ଅଛି; ତାର ପଢ଼ା ପଢ଼ି ଭିଡ଼ ଥିବାରୁ ଚିଠିପତ୍ର ଦେବାକୁ ଅବସର ପାଏ ନାହିଁ । ତା’ଠାରୁ ଚିଠି ପାଇବାକୁ ଆଶା କରିବୁ ନାହିଁ । ପନ୍ଦର ଦିନକୁ ପନ୍ଦର ଦିନ ମୋତେ ଚିଠି ଲେଖୁଥିବୁ ।” ଅନ୍ୟାନ୍ୟ ଦିନ ପରି ଲଳିତା ସେଦିନ ସନ୍ଧ୍ୟାବେଳେ ତା’ର ସର ଅପା ଘରକୁ ବୁଲିଗଲା । ସର ଚିଠିଖଣ୍ଡି ତା ହାତକୁ ବଢ଼ାଇ ଦେଇ କହିଲା–‘‘କଲିକତାରୁ ଆଜି ଚିଠି ଆସିଚି ।’’ ଲଳିତା ପାଠ କଲା । ସର ଅଭିମାନର ସ୍ଵରରେ କହିଲା ‘‘ପଢ଼ାପଢ଼ିର ଏତେ ଭିଡ଼ ଯେ, ଚିଠି ଖଣ୍ଡେ ଲେଖିବାକୁ ବେଳ ହେଉ ନାହିଁ ?” ଲଳିତା ସରର ଅଜ୍ଞାତରେ ବେଦନାଭରା ଗୋଟାଏ ଉଷ୍ଣ ନିଃଶ୍ୱାସ ତ୍ୟାଗ କରି କହିଲା, ‘‘ଅସମ୍ଭବ ନୁହେଁ ଯେ ଡାକ୍ତରୀ ପାଠଟା ନିହାତି କଟିମିଟିଆ ପାଠ; ସେଥିରେ ପୁଣି ବହି ଗୁଡ଼ା ଖୁବ୍ ବଡ଼ ବଡ଼–ସମୟ ଅଣ୍ଟୁଥିଲେ..... I’’

 

‘‘ଯା, ଯା, ଆଉ କାହାକୁ ସେକଥା କହିବୁ ଯେ, ସେ ବିଶ୍ୱାସ କରିବ । ମୋତେ କଣ ଏଡ଼େ ଓଲୁ କରି ପାଇଚୁ ? ଇଂରେଜୀ ଦି ଅକ୍ଷର ପଢ଼ିଚୁ ବୋଲି, ନା କଣ ?" ସର ସାମାନ୍ୟ କଥାରେ ରାଗିଯାଏ । ଚିଠି ପାଇଲାବେଳୁ ନବ ଆଉ ବାପା ଦୁହିଁଙ୍କ ଉପରେ ତାର ଷୋଳପଣ ରାଗ । ବର୍ତ୍ତମାନ ଲଳିତା ନବର ପକ୍ଷ ସମର୍ଥନ କରୁଥିବାର ଦେଖି, ସେ ରାଗର କିଛି ଭାଗ ଲଳିତା ଉପରେ ପଡ଼ିଲା । କିନ୍ତୁ କଥାଟା ଆରମ୍ଭ କରିବା ସଙ୍ଗେ ସଙ୍ଗେ ତାର ମନେ ପଡ଼ିଗଲା, ଲଳିତା ମନରେ କଷ୍ଟ ହେବ ପରା । ମଝିରେ ସେ ସ୍ୱର ପରିବର୍ତ୍ତନ କରିବାକୁ ଯାଇ ଅର୍ଥାତ୍ ସହଜ ଗଳାରେ କଥାଟା କହିବାକୁ ଚେଷ୍ଟା କରି ଗୋଟାଏ କିମ୍ଭୁତକିମାକାର ସ୍ୱର ବାହାର କଲା । ସେ ଅଶ୍ରୁତ ପୂର୍ବ ସ୍ଵର ଶ୍ରବଣରେ ଲଳିତା ନ ହସି ରହି ପାରିଲା ନାହିଁ । କହିଲା, ‘‘ସେ ଚିଠି ନ ଦେଲେ ନାହିଁ, ମା ମଙ୍ଗଳା ତାଙ୍କୁ, ଭଲରେ ରଖିଥାନ୍ତୁ ।’’

 

‘‘ହଁ, ଆଉ କିଏ କଣ ଖୋଜୁଛି କି ? ବଞ୍ଚି ପଡ଼ିଥିଲେ ତାଙ୍କ ଘରଦ୍ୱାର ସେ କରିବେ ।’’ ଦରିଦ୍ର ରୋଗୀଟି ବହୁମୂଲ୍ୟ ରତ୍ନ ପ୍ରାପ୍ତ ହେଲେ ଯେପରି ଆନନ୍ଦିତ ହୋଇଉଠେ ଏବଂ ପରମୁହୂର୍ତ୍ତରେ ରୋଗ ଯନ୍ତ୍ରଣାରେ ରତ୍ନପ୍ରାପ୍ତିର ସେ ଆନନ୍ଦଟିକ କେଉଁଆଡ଼େ ମିଳାଇଯାଏ, ଲଳିତା ବର୍ତ୍ତମାନ ସେହିପରି ନବକିଶୋର ଭଲ ଅଛନ୍ତି ଶୁଣି ଆନନ୍ଦିତ ହୋଇ ଉଠିଲା; ପୁଣି ପରକ୍ଷଣରେ ଦୁଃଖରେ ମ୍ରିୟମାଣ ହୋଇପଡ଼ିଲା । ‘‘ତା’ର ପଢ଼ାପଢ଼ି ଭିଡ଼ ଥିବାରୁ ପତ୍ର ଦେବାକୁ ସେ ଅବସର ପାଏ ନାହିଁ । ତୁ ତା’ଠାରୁ ଆଉ ଚିଠି ପାଇବାର ଆଶା କରିବୁ ନାହିଁ’’–ଏହାର ଅର୍ଥ କ’ଣ ? ତା’ର ମନଟା ଛଟପଟ ହେବାକୁ ଲାଗିଲା । ସେ ଭାବିଲା,–ଏଥିରେ କୈଳାସଚନ୍ଦ୍ରଙ୍କର ହାତ ଅଛି ନିଶ୍ଚୟ-। ସେ ତାକୁ ବାରଣ କରିଛନ୍ତି କିମ୍ବା ଏପରି ଭାବରେ କିଛି କହିଛନ୍ତି, ଯଦ୍ଦ୍ୱାରା ସେ ପତ୍ର ଦେବାକୁ କୁଣ୍ଠିତ । ତେବେ ତାଙ୍କଠାରୁ ଆଉ ପତ୍ର ଆଶା କରିବା ବୃଥା । ହଉ ପତ୍ର ନ ଦେଉନ୍ତୁ; ଶୁଭରେ ଥାଆନ୍ତୁ ।’’ ସେ ଆଉ ଭାବି ପାରିଲା ନାହିଁ । ଦୁଇହାତ ଯୋଡ଼ି ଦେବୀଙ୍କ ଉଦ୍ଦେଶ୍ୟରେ ପ୍ରଣାମ କଲା ।

Image

 

ତ୍ରୟୋଦଶ ପରିଚ୍ଛେଦ

 

ଦୁଃଖରେ, ଦୁର୍ଭାବନାରେ ଲଳିତାର ଦିନସବୁ ଶେଷ ହେବାକୁ ଚାହୁଁ ନାହିଁ । କିପରି ସେ ଅସର ଦିନଗୁଡ଼ିକ କଟାଇବ, ତା’ର ଉପାୟ ଖୋଜିବାକୁ ଲାଗିଲା । ଘରେ କିଛି ହେଲେ ଗୋଟାଏ କାର୍ଯ୍ୟ ଥାନ୍ତା ! ସାରା ଦିନଟା ଧରି ବସିବ କେତେ ? ପଢ଼ନ୍ତା ବା, ବହିର ସଂଖ୍ୟା ତ ଆଙ୍ଗୁଠି ଅଗରେ । ନବକିଶୋର ତ ନାହାନ୍ତି ନିତି ନୂଆବହି ଆଣି ଯୋଗାଇବେ । ଖାଲିଟାରେ ବସି ରହିବାରୁ ନାନା ଚିନ୍ତା ଦୁଃଖ ସିନା ମନକୁ ଅଧିକାର କରି ବସୁଛନ୍ତି । କିଛି ନା କିଛି ଗୋଟାଏ କାର୍ଯ୍ୟରେ ନିଯୁକ୍ତ ହେଲେ ଅନେକଟା ଦୁଃଖର ଲାଘବ ହୁଅନ୍ତା । ବହୁ ଚିନ୍ତା ପରେ ସେ ସ୍ଥିର କଲା, ଚମ୍ପୀକୁ ତ ପ୍ରତିଦିନ ସକାଳେ ଘଣ୍ଟାଏ ଘଣ୍ଟାଏ ପଢ଼ାଉଛି, ସେହି ସମୟଟାକୁ ଆଉ ଟିକିଏ ଦୀର୍ଘ କରିଦେବ । ଦିବସର ସମସ୍ତ ସମୟ ଅତିବାହିତ କରିବ ସେହି କାର୍ଯ୍ୟରେ । ତା’ ହେଲେ ମନର ଟିକିଏ ପରିବର୍ତ୍ତନ ଆସିବ ଅବଶ୍ୟ । ଲଳିତା ତା’ର ଭାବନାକୁ କାର୍ଯ୍ୟରେ ପରିଣତ କଲା । ସେଥିରେ ସେ ଯେପରି ଆନନ୍ଦିତ, ରଙ୍ଗାଧର ଓ ରାଧିକା ଦେଈ ସେହିପରି ଆନନ୍ଦିତ । ମଧୁ ମହାନ୍ତି ଝିଅ ଜାନକୀ ଚମ୍ପୀର ସାଥୀ । ସେ ମଧ୍ୟ ଚମ୍ପୀ ସଙ୍ଗରେ ପଢ଼ିବାକୁ ଆରମ୍ଭ କଲା । ନୂତନ ଶିଷ୍ୟା ଦୁଇଟି ପାଇଁ ଲଳିତା ତା’ର କର୍ତ୍ତବ୍ୟରେ ଲାଗିପଡ଼ିଲା ନବକିଶୋରଙ୍କର ମଧୁମୟ ସ୍ମୃତିକୁ ପଛ କରି-

 

ସର ବହୁଦିନରୁ ଏହିପରି ଗୋଟାଏ କାର୍ଯ୍ୟ କରିବାର ଇଚ୍ଛା କରିଥିଲା । ମାତ୍ର ସୁଯୋଗ ଓ ସୁବିଧା ନ ପାଇ କାର୍ଯ୍ୟରେ ପରିଣତ କରିପାରି ନାହିଁ । ତା’ର ଇଚ୍ଛାମତ କାର୍ଯ୍ୟଟି ଆଜି ଲଳିତା କରିପାରିଛି ଶୁଣି ଅସୀମ ଆନନ୍ଦ ଅନୁଭବ କଲା ସେ । କହିଲା, ‘‘ମୁଁ ଏଇ କଥା ଦିନେ ରଘୁକୁ କହି ଥିଲି, ସେ ହଁ ଭରିଥିଲା । ଟୋକାଟା ବଡ଼ ଭଲ ଧରଣର । ତା’ର ବି ଏ ଦିଗରେ ଭାରି ମନ । ମୁଁ ଆଜି ଯାଉଛି ତା’କୁ କହିବି । ନୂଆ ପିଲା ଯୋଗାଇବାର ଭାର ତା’ ଉପରେ ।’’

 

‘‘ତା’ ହେଲେ ତ ଭଲ ହୁଅନ୍ତା । ମୁଁ ଆଉ....।’’

‘‘ଆଚ୍ଛା, ବେଶି ପିଲା ହେଲେ ତ ଏ ଘରେ ଥାନ ହେବ ନାହିଁ ।’’

‘‘କାହିଁକି ? ତମ ଘରଟା ତ ଖାଲି ପଡ଼ିଛି । ସେଇଠି ସ୍କୁଲ ହେବ ।’’

‘‘ହଉ, ମୁଁ ଯାଉଛି ଇଲାଗେ ରଘୁକୁ ଡ଼ାକି କହିବି ।’’

 

ରଘୁ ମନମୋହନ ପଟ୍ଟନାୟକଙ୍କ ମଧ୍ୟମ ପୁତ୍ର । ସେ ଏମ୍. ଇ. ପାସ୍ କରି ଘରେ ବସିଛି ଦୁଇ ବର୍ଷ ହେବ । ଅନ୍ୟ ଦୁଇଟି ଭାଇ ଘର ଖବର ବୁଝନ୍ତି । ସେ ଫୁଲାଫାଙ୍କିଆ ହୋଇ ଖେଳି ବୁଲି କାଳ କଟାଏ । ହେଲେ, ଟୋକାଟା ବଡ଼ ବୁଦ୍ଧିମାନ ଓ ସତ୍ୟବାଦୀ । ତା’ର ଆଉ ଗୋଟିଏ ଭଲ ଗୁଣ ଏହି ଯେ, ପ୍ରାଚୀନ କୀର୍ତ୍ତିମାନଙ୍କର ତତ୍ତ୍ୱାନୁସନ୍ଧାରେ ସେ ଦିନରାତି ଲାଗିଥାଏ । କୌଣସି ଗୋଟାଏ ନୂତନ କାର୍ଯ୍ୟ ହେଲା ତ ତା’ର ଅଖିଆ ଅପିଆ । ସଂକୀର୍ତ୍ତନ ହେବ, ସେଥିପାଇଁ ସେ ଆଗ ଅଣ୍ଟାଭିଡ଼ି ବାହାରି ପଡ଼ିବ । ମେଳାମହୋତ୍ସବ ହେବ, ଚାନ୍ଦା ଆଦାୟ କରିବା ଭାର ତାର; ସଡ଼କ ତିଆରି ହେବ, ପୋଖରୀ ଖୋଳା ହେବ–ଏ ସବୁ ବିଷୟରେ ସେ ଆଗୁସାର । ସରଠାରୁ ସ୍କୁଲ କରିବା କଥା ଶୁଣି, ତା’ର ଗୋଡ଼ ତଳେ ଲାଗୁ ନାହିଁ । ଦ୍ୱାର ଦ୍ୱାର ବୁଲି ସେ ସମସ୍ତଙ୍କୁ ବୁଝାଇବାକୁ ଲାଗିଲା ଝିଅ, ଭଉଣୀମାନଙ୍କୁ ପଢ଼ାଇବା ଲାଗି । କେତେକ ତା’ର ବକ୍ତୃତା ଶୁଣି ସମ୍ମତି ପ୍ରଦାନ କଲେ; କେତେକ ଉପହାସରେ କଥାଟାକୁ ଉଡ଼ାଇଦେଲେ । କେହି କେହି ଲଳିତା ନାମ ଶୁଣି ଭର୍ତ୍ସନା କରିବାକୁ ଭୁଲିଲେ ନାହିଁ । ଯାହା ହେଉ, ରଘୁ ଅଧୈର୍ଯ୍ୟ ହେବାର ପାତ୍ର ନୁହେଁ । ସେ ହସି ହସି ସମସ୍ତ ଅପମାନ ଭର୍ତ୍ସନା ସହ୍ୟ କରି, ସତର ଦିନ କାଳ ଆକ୍ଳାନ୍ତ ପରିଶ୍ରମରେ ଦଶଟି ଛାତ୍ରୀ ଯୋଗାଡ଼ କଲା ।

 

ଗ୍ରାମରେ ପୁଣି ଏକ ନୂତନ ସମାଲୋଚନାର ସ୍ରୋତ ବହିବାକୁ ଲାଗିଲା । ଲଳିତା ସମସ୍ତଙ୍କର ତ ଚକ୍ଷୁଶୂଳ । ସର ଅପେକ୍ଷା ସ୍ରୋତର ଗତି ତାହାରି ଆଡ଼କୁ ହେଲା ବେଶି । ନାଭୀ କହି ବୁଲିଲା, ‘‘ଏ ଇସିକୁଲ ନୁହେଁ ଯେ, ପର ପାଇଁ ଏ ଯୁଗରେ କିଏ ଦିହ ଦବ କି ? କଥା ପଦେ ତ ସହାଯିବ ନା, ବିନା ନାଭରେ ବେଗାରୀ ଖଟିବ କିଏ ମ ? ଅନ୍ଧ ନେଖାରେ କ’ଣ ଚନ୍ଦର ସୂରଯ ନାହିଁ, ଏ ଗାଁ ଗୋଟାକ ଆଖିରେ ଧୂଳି ଦେବାକୁ ବସିଚି ? ନବା ତ ଆଉ ଗାଁ ମାଡ଼ୁ ନାହିଁ କି ଚିଠିପତର ଦଉ ନାହିଁ, ତା ବାପର ଯଉଁ ରାଗ ବାପ ଲୋ, ସେ ଦିନ ମୋ ପିଳେହି ପାଣି ହୋଇଗଲା ପରା ! ଯାହାଠେଇଁ ବଳେ ବଳେ ଘଷିମାଜି ହେଉଥିଲେ, ସେ ତ ପଚାରିଲା ନାହିଁ, ସେଠାରୁ ବାହାରିଲା ଇସିକୁଲ ବାହାନାରେ ରଘୁଆକୁ ପାଲରେ ପକାଇବାକୁ । ଏଟା ତ ବେମୁରବିଆ ଟୋକା–ପାଠ ଛାଡ଼ି ଟୋ ଟୋ ହୋଇ ବୁଲୁଚି । ମାତିଗଲା ତା କଥାରେ । ଇସିକୁଲର ଅର୍ଥ ଏଇଆ ।’’ ଶନା ମା କହିଲା, ‘‘ହଇ ଗୋ, ଏ ସରଟା କାହିଁକି ତା ସାଙ୍ଗରେ ବାଇ ହେଇଚି ? ସେ କ’ଣ ୟାକୁ ମନ୍ତର କଲାଣି କି ? ଏ ବି ତା’ରି ପରି ହୋଇଯିବ ଜଣା ଯାଉଚି ।’’ ଇତ୍ୟାଦି ଇତ୍ୟାଦି । ଗାଁର ମୁଖିଆ ମୁଖିଆ ଲୋକମାନେ ସେଥିରେ ଏକମତ ହେଲେ ।

 

ସ୍କୁଲ ନାଁ ଶୁଣିଲା ଦିନଠାରୁ ରାଧିକା ଦେଈଙ୍କର ଗୋଟାଏ ଚିନ୍ତା ହୋଇଛି । ସେ ଭାବନ୍ତି, ‘‘ଏ ଟୋକୀଟା ମିଛରେ କାହିଁକି ଏଥିରେ ମାତିଲା । ସମସ୍ତେ ତ ଆମକୁ ଅଶରଣ–କିଏ କେତେ କଥା କହିବେ ।’’ ହେଲେ, ଲଳିତା ମୁହଁ ଉପରେ କେହି କିଛି କହନ୍ତି ନାହିଁ । ଶରଧା ଦେଈଙ୍କର ମୃତ୍ୟୁ ଦିନରୁ ସେ ଦେଖି ଆସୁଛନ୍ତି, ଲଳିତାର ମନଟା କିପରି ମରିଯାଇଛି । ପୂର୍ବ ପରି ତା’ର ସେ ହସ ହସ ମୁହଁ ଆଉ ନାହିଁ । ତା’ ଉପରେ କୈଳାସଚନ୍ଦ୍ରଙ୍କର ବ୍ୟବହାରରେ ସେ ଆହୁରି ଶଙ୍କି ଯାଇଛି । ଏକେ ତ ତା’ର ମନକଷ୍ଟ, ତା’ ଉପରେ ପୁଣି କଷ୍ଟ ହେବ, ଏହି ଭୟରେ ସେ କିଛି କହିପାରନ୍ତି ନାହିଁ; କିନ୍ତୁ ଏ ସମାଲୋଚନା ସବୁ ଶୁଣି ତାଙ୍କର ଆଉ ଧୈର୍ଯ୍ୟ ଅଣ୍ଟିଲା ନାହିଁ । ସେ ସ୍ୱାମୀଙ୍କ ସହିତ ଜିଦ କଲେ, କିପରି ଲଳିତା ସେ ସ୍କୁଲ କାର୍ଯ୍ୟରୁ କ୍ଷାନ୍ତ ହେବ । ‘‘ଗାଁ ପିଲାଏ ପଢ଼ିଲେ କେତେ, ନ ପଢ଼ିଲେ କେତେ ? ଆମର କଣ ଅଛି ? ତୁଚ୍ଛାଟାରେ ଘରୁ ଖାଇ ଘୋଡ଼ା ଆଗରେ ଡ଼େଇଁବା କାହିଁକି ? ସେଥିରେ ପୁଣି ଯାବତ ଛୋଟ ଲୋକ ସବୁ ବଡ଼ ବଡ଼ କଥାମାନ କହିବେ । ନା, ଆମର ସେଥିରେ ଦରକାର ନାହିଁ । ଯେତିକି ହେଲା ସେତିକି ।’’ ରଙ୍ଗାଧରଙ୍କର ସ୍ୱଭାବ, ସେ ଯାହା ଭଲ ବିବେଚନା କରନ୍ତି, ଶତ ବାଧାବିଘ୍ନ ସହସ୍ର ସମାଲୋଚନା ତାଙ୍କୁ ସେଥିରୁ ରହିତ କରିପାରେ ନାହିଁ । ସେ ପତ୍ନୀଙ୍କର କଥା ଶୁଣି ଗୋଟାଏ ଅବଜ୍ଞାର ହସ ହସି କହିଲେ, ‘‘ବାର ଲୋକେ ବାର କଥା କହୁଛନ୍ତି, କହନ୍ତୁ । ଏ ତ ଆଜି ନୂଆ ନୁହେଁ । ବହୁ ଦିନରୁ କହି ଆସୁଛନ୍ତି । ଏତେ ଯେ ସହିପାରିଲା, ଏତକ କାହିଁକି ସହି ପାରିବ ନାହିଁ ? ଲଳିତା ଯାହା କରିଛି, ବଡ଼ ଭଲ କାର୍ଯ୍ୟ କରିଛି । ମୁଁ ଭାବୁଛି, କିପରି ସେ କାର୍ଯ୍ୟଟିକୁ, ସେ ସ୍କୁଲକୁ ଆହୁରି ଦୃଢ଼ କରିବାକୁ ହେବ । ମୁଁ କହି ଦେଉଛି, ଏ ବିଷୟରେ ଲଳିତାକୁ କୌଣସି କଥା କହିବ ନାହିଁ ।’’

 

ରାଧିକା ଦେଈ ଜାଣନ୍ତି, ରଙ୍ଗାଧର ବଡ଼ ଏକଜିଦିଆ ଲୋକ । ସେ ଯାହା ଉଚିତ ମନେ କରନ୍ତି, ହରି ଶଙ୍କର ହେଲେ ସୁଦ୍ଧା ତାଙ୍କୁ ସେଥିରୁ ଟଳାଇ ପାରିବେ ନାହିଁ । ସାରା ସଂସାରଟା ଯଦି ତାଙ୍କର ବିପକ୍ଷ ହୁଏ, ତଥାପି ସେ ଭ୍ରୁକ୍ଷେପ ନକରି ନିଜର ଇଚ୍ଛାମତ କାର୍ଯ୍ୟ କରିଯାନ୍ତି । ବର୍ତ୍ତମାନ ତାଙ୍କର ଦୃଢ଼ ସ୍ୱର ଶୁଣି ରାଧିକା ଦେଈ ପ୍ରତିବାଦ କରିବାକୁ ସାହସ କଲେ ନାହିଁ । ମନେ ମନେ ଏତିକି କେବଳ କହିଲେ, ‘‘ତମ କଥାଟି ତମକୁ ସୁନ୍ଦର !’’

 

ସେହି ବାରଟି ପିଲାଙ୍କୁ ନେଇ ସ୍କୁଲ କାର୍ଯ୍ୟ ଆରମ୍ଭ ହେଲା । କିପରି ସ୍କୁଲର ଛାତ୍ରୀସଂଖ୍ୟା ବୃଦ୍ଧି ହେବ; ସେଥିପାଇଁ ରଘୁ ଯତ୍‌ପରୋନାସ୍ତି ଚେଷ୍ଟା କରୁଥାଏ । ସ୍କୁଲ ହେବାର ଚାରିମାସ ପୂରି ନାହିଁ, କୈଳାସଚନ୍ଦ୍ର କଲିକତାରୁ ସରକୁ ଗୋଟିଏ ଚିଠି ଲେଖିଲେ–‘‘ମୁଁ ଶୁଣୁଛି, ରଙ୍ଗ ଝିଅ ସାଙ୍ଗରେ ପଡ଼ି ଘର ଭିତରେ ତୁ ଗୋଟାଏ ସ୍କୁଲ ଖୋଲିଛୁ । ରଙ୍ଗ ଝିଅର ସ୍ୱଭାବ ମୋତେ ଭଲରୂପେ ଜଣା–ପିଲାଦିନରୁ ବାପ ମା’ଙ୍କ ଢ଼ିଲାରେ ସେ ଖରାପ ଆଡ଼କୁ ଯାଉଛି । ପତ୍ର ପାଇଲାମାତ୍ରେ ତା’ର ସଙ୍ଗ ପରିତ୍ୟାଗ କରିବୁ । ଘରେ ଯେ ସ୍କୁଲ ଖୋଲିଛୁ, ସେଥିପାଇଁ ମୋତେ ତ ପଦେ ପଚାରି ନାହୁଁ–ମୋର ବିନାନୁମତିରେ ତୋର ଏତେ ବଡ଼ ଗୋଟାଏ କାଣ୍ଡ କରିବସିବା ଗୁରୁତର ଅନ୍ୟାୟ । ଫେରନ୍ତା ପତ୍ରରେ ମୁଁ ଯେପରି ଶୁଣିବାକୁ ପାଇବି, ତୁ ସେ ସ୍କୁଲ ସମ୍ପର୍କରେ ନାହୁଁ, କି ଆମଘରେ ସେ ସ୍କୁଲ ହେଉ ନାହିଁ ।’’ ପତ୍ର ପାଠ କରି ସର କିଂକର୍ତ୍ତବ୍ୟବିମୂଢ଼ା ହୋଇପଡ଼ିଲା । ତାକୁ ବଡ଼ ଆଶ୍ଚର୍ଯ୍ୟ ବୋଧ ହେଲା, ଏ ଖବର ବାପାଙ୍କ କାନକୁ ଗଲା କିପରି । ବହୁତ ଭାବି ଚିନ୍ତି ସ୍ଥିର କଲା, ‘‘ଏ ନିଶ୍ଚୟ ଆମର ବିପକ୍ଷ ଦଳଙ୍କର କାଣ୍ଡ । ଯେଉଁମାନେ ସ୍କୁଲ କରିବା ପ୍ରସ୍ତାବ ଶୁଣି ନାସିକା–କୁଞ୍ଚନ କରୁଥିଲେ ଓ ଲଳିତା ନାମରେ ନାନା କୁତ୍ସା ରଚନା କରିବାକୁ କୁଣ୍ଠାବୋଧ କରୁ ନ ଥିଲେ, ସେହିମାନେ ତାଙ୍କର ଜିଦ୍ ବଜାୟ ରଖିବାକୁ ବାପାଙ୍କର ସାହାଯ୍ୟ ଲୋଡ଼ିଛନ୍ତି । ହଉ, ବାପାଙ୍କର ଯେତେବେଳେ ଇଚ୍ଛା ନୁହେଁ, ନିଶ୍ଚୟ ସେଥିରୁ ବଞ୍ଚିତ ହେବାକୁ ହେବ; କିନ୍ତୁ ଲଳିତାକୁ ଏସବୁ ବିଷୟ କହିବି କିପରି ? କଣ କହି ସ୍କୁଲରେ ଯୋଗ ଦେବି ନାହିଁ ?’’ ତାର ମନ ବଡ଼ ଅଧୀର ଅସ୍ଥିର ହୋଇ ଉଠିଲା । ଲଳିତା ବିଷୟ ଭାବି ବାପାଙ୍କ ଉପରେ ତା’ର ବଡ଼ ଘୃଣା ହେଲା । ଆହା ! ଲଳିତା ସାକ୍ଷାତ ଦେବୀପ୍ରତିମାଟି; ତା’ ନାମରେ ଏପରି ଅପବାଦ–‘‘ସେ ପିଲା ଦିନରୁ ଖରାପ ଦିଗରେ ଯାଉଛି ।’’ କି କଦର୍ଯ୍ୟ ଧାରଣା ପିତାଙ୍କର । ଗାଁ ଭିତରେ ପିଲାଦିନରୁ ଯଦି କେହି ଭଲ ଦିଗରେ ଯାଉଥାଏ, ତେବେ ଏକା ସେହି ଲଳିତା । ସେ ସତ୍‌ପଥରେ ଚାଲେ, ତାରି କପାଳରେ କ’ଣ ଚିରଦିନ ଦୁଃଖ ? ତା’ର ଚକ୍ଷୁଦ୍ୱୟ ଲୋତକରେ ପୂରି ଆସିଲା । ସେହି ସମୟରେ ପଛଆଡ଼ୁ ଲଳିତା କହିଲା, ‘‘ଅପା ! କ’ଣ ଭାବୁଛ ମ ବସି ? ମୁଁ ଘଡ଼ିଏ ହେଲା ଆସି ଠିଆ ହେଲିଣି, ସେହିପରି ଏକ ଧ୍ୟାନରେ ବସି ରହିଛ ?’’ ସରର ଉଚ୍ଛ୍ୱସିତ ଲୋତକରାଶି ଆଉ ବାଧାବନ୍ଧ ମାନିଲା ନାହିଁ । ସେ ଫୁଲି ଫୁଲି କାନ୍ଦିବାକୁ ଲାଗିଲା । ସହସା ସର ଏପରି କାନ୍ଦିବାର ଦେଖି ଲଳିତା ଆଶ୍ଚର୍ଯ୍ୟ ହୋଇଗଲା । ଭାବିଲା, ବୋଧ ହୁଏ ଅତୀତ ଜୀବନର ଘଟଣାସବୁ ମନରେ ପଡ଼ି ବ୍ୟର୍ଥ ନୀରସ ଜୀବନର ସୁପ୍ତ ବେଦନାରାଶିକୁ ସତେଜ, ସଜୀବ କରି ଦେଇଛି–ଅପା ସେଥିପାଇଁ ଏପରି ଅଧୀରା ହୋଇ ପଡ଼ିଛନ୍ତି । ତା’ର ନାରୀ ହୃଦୟ ସମବେଦନାରେ ଭରିଗଲା । ସେ ମଧ୍ୟ ସର ସହିତ ଅଶ୍ରୁ ବିସର୍ଜନ କରିବାକୁ ଲାଗିଲା । କ୍ଷଣକ ପରେ ସର କହିଲା, ‘‘ଲଳିତା ! ବାପା ଚିଠି ଦେଇଛନ୍ତି–ଆମ ଘରେ ଆଉ ସ୍କୁଲ ହେବ ନାହିଁ । ମୁଁ ବଡ଼ ଆଶ୍ଚର୍ଯ୍ୟ ହେଉଚି, ସେ ଏ ଖବର ପାଇଲେ କିପରି ?’’ ଲଳିତା ଅବିଚଳିତ କଣ୍ଠରେ କହିଲା, ‘‘ଏଥିରେ ଆଶ୍ଚର୍ଯ୍ୟର କଥା କ’ଣ ଅଛି ? ସ୍କୁଲ ହେଲା ଦିନରୁ ମୁଁ ଅନୁମାନ କରିଛି, ଦିନେ ଏହିପରି ଗୋଟାଏ କିଛି ଘଟିବ ବୋଲି । ହଉ, ସ୍କୁଲ ନ ହେଲା ନାହିଁ । ତମେ କାନ୍ଦୁଛ ଏଇଥି ପାଇଁ ?’’ ଗୋଟାଏ ତାଚ୍ଛଲ୍ୟବ୍ୟଞ୍ଜକ ହସ ସେ ହସିଲା । ଏଥିରେ ତ ନୂଆ କଥା କିଛି ନାହିଁ । କିନ୍ତୁ ଯେଉଁମାନେ ଏତେ କାଣ୍ଡ କରାଇଛନ୍ତି, ସେମାନେ କଣ ଭାବୁଛନ୍ତି, ଏପରି କରିବାଦ୍ୱାରା ଲଳିତା ତା’ର ସଙ୍କଳ୍ପରୁ ରହିତ ହେବ ? ଅସମ୍ଭବ ! ପୂର୍ବରୁ ଯେପରି ଦୁଇଟି ପିଲାଙ୍କୁ ନେଇ ଆମର ସେ ଛୋଟ ଘରଟିରେ ସ୍କୁଲ ହୋଇଥିଲା, ସେହିପରି ହେବ । କ୍ଷତି କ’ଣ ? ତଦ୍ଦ୍ୱାରା ଗ୍ରାମର କି ସ୍ତ୍ରୀ ସମାଜର କିଛି ଉନ୍ନତି ହେଉ ନ ହେଉ, ମୋର ଅର୍ନ୍ତତଃ ଉପକାର ହେବ ତ ? ଗୋଟାଏ ସାମାନ୍ୟ ରମଣୀର ବିରୁଦ୍ଧରେ ଗ୍ରାମ ଗୋଟାକ ଠିଆ ହୋଇ ସୁଦ୍ଧା ତାକୁ ସଙ୍କଳ୍ପଚ୍ୟୁତ କରିପାରିଲେ ନାହିଁ, ସେ ଶତ ବାଧାବିଘ୍ନ ସତ୍ତ୍ୱେ ନିଜର ଅଭୀଷ୍ଟ ସାଧନ କରିପାରିଲା–ଏହି ବିଜୟ ଗର୍ବରେ ମନକୁ ସାନ୍ତ୍ୱନା ଦେଇ ପାରିବି ତ ? ତାପରେ ସେହି ଦୁଇଟି ପିଲାଙ୍କ ଦ୍ୱାରା ଗ୍ରାମର ବା ସ୍ତ୍ରୀସମାଜର ଉନ୍ନତି ନ ହେବ କାହିଁକି ? ସେମାନେ ଶିକ୍ଷିତା ହେଲେ ଦିନେ ସେମାନଙ୍କ ମନରେ ଏହିପରି ସତ୍‌ଚିନ୍ତା କ’ଣ ଉଦୟ ହୋଇପାରେ ନା ? ତମେ ଅପା, ଦୁଃଖ କର ନା । ସ୍କୁଲ ଆରମ୍ଭ ଦିନ ଠାରୁ ଗ୍ରାମରେ ଯେପରି ସମାଲୋଚନାର ଝଞ୍ଜା ବହୁଛି, ମୁଁ ଜାଣି ପାରୁଛି ତମେ ସେଥିରେ ବିଚଳିତ ହୋଇପଡ଼ିଛ । କିନ୍ତୁ ସେପରି ଅଧୀର ହୋଇ ପଡ଼ିବା ଉଚିତ ନୁହେଁ । ଦେଖୁନା, ମୋର ସମାଲୋଚନା, ଲୋକନିନ୍ଦା, ଅପବାଦ, ଅପମାନ–ଏସବୁକୁ କ’ଣ ଭୟ ଅଛି ? ପିଲାଦିନରୁ ଶୁଣି ଶୁଣି ସହି ସହି ଦେହ ମୋର ସହି ଗଲାଣି । ସେ ସବୁ ମୋର ଭୂଷଣ କହିଲେ ଚଳେ । ଛାଡ଼, ସେ ସବୁରୁ ଆଉ କ’ଣ ମିଳିବ ? ମୁଁ କାଲିଠାରୁ ପୂର୍ବ ପରି ଆମଘରେ ସ୍କୁଲ କରିବି । ତମେ ବୃଥାଟାରେ ବସି ସେସବୁ ବିଷୟରେ ଭାବ ନାହିଁ ।’’

 

ଲଳିତା ଚାଲିଗଲା । ସର କ’ଣ ଉତ୍ତର ଦେବ, କିଛି ଭାବି ନ ପାରି ନୀରବରେ ବସିରହିଲା ।

Image

 

ଚତୁର୍ଦ୍ଦଶ ପରିଚ୍ଛେଦ

 

ଦିନଗୁଡ଼ାକ ଚାହୁଁ ଚାହୁଁ ବନ୍ୟାଜଳ ପରି ବହି ଯାଉଅଛି । ଶରଧା ଦେଈ ମରିବାର ଅଢ଼େଇ ବର୍ଷ ହୋଇଗଲାଣି । ସୁଦୀର୍ଘ ଅଢ଼େଇ ବର୍ଷ ପରେ କୈଳାସଚନ୍ଦ୍ର ଗ୍ରାମରେ ପଦାର୍ପଣ କରିଛନ୍ତି । ଅମାନିଶିରେ ଚନ୍ଦ୍ର ଦେଖିଲା ପରି ସରର ଆନନ୍ଦର ସୀମା ନାହିଁ । ପିତାଙ୍କର ପଦ–ପ୍ରକ୍ଷାଳନ ଲାଗି ପାଣି ଦେଉଁ ଦେଉଁ କହିଲା, ‘‘ନବ କାହିଁ ବାପା, ବାଟରେ କେଉଁଠି ଅଛି, ନା କଲିକତାରୁ ଆସି ନାହିଁ ?’’ କୈଳାସଚନ୍ଦ୍ରଙ୍କର କଲିକତାରୁ ଗ୍ରାମକୁ ଆସିବା ଏଥର ନୂତନ ନୁହେଁ । ସେ ଯେବେ ଘରେ ଗୋଡ଼ ଦିଅନ୍ତି, ସରର ବୈଧବ୍ୟଦୁଃଖ ତାଙ୍କର ହୃଦୟ ମନ୍ଥନ କରି ପକାଏ, କରୁଣାରେ ତାଙ୍କର ହୃଦୟ ଭରିଯାଏ, ସଙ୍ଗେ ସଙ୍ଗେ ଆଖି ଦିଓଟି ମଧ୍ୟ ଆର୍ଦ୍ର ହୋଇଆସେ । ଏଥର କିନ୍ତୁ ସରକୁ ଦେଖି ତାଙ୍କର କିପରି ଗୋଟାଏ ବିରାଗ ଭାବ ଦେଖାଗଲା । ସେ ପ୍ରଥମେ ସରକୁ କୁଶଳ ପ୍ରଶ୍ନ କରିବା ତ ଦୂରର କଥା, ସର ପ୍ରଶ୍ନର ପ୍ରତ୍ୟୁତ୍ତରରେ ମୁହଁ ଭାରିକରି ରୁକ୍ଷ ସ୍ୱରରେ କହିଲେ, ‘‘କାହିଁକି ? ତା’ ଲାଗି ଏଠାରେ କେଉଁ କାମ ବାକି ପଡ଼ିଛି କି ?’’ ସର ଆଶ୍ଚର୍ଯ୍ୟ ହୋଇଗଲା । ମନେ ମନେ ଭାବିଲା, ପଥଶ୍ରାନ୍ତ ହେତୁ ବାପା ବୋଧହୁଏ ଭଲ ବୋଧ କରୁ ନାହାନ୍ତି-

 

ଯଥାସମୟରେ ଆହାରାଦି ଶେଷ କରି କୈଳାସଚନ୍ଦ୍ର ଶଯ୍ୟାଶାୟୀ ହେଲେ । ନିଦ୍ରାଦେବୀ ଏକାକିନୀ ଆସିବାର କେବେହେଲେ ଶୁଣା ନାହିଁ । ଶାନ୍ତିଦେବୀଙ୍କର ଶାନ୍ତ ଶୀତଳ କାନ୍ତକୋମଳ ପରଶ ନ ଲାଗିଲେ ସେ କାହାରିକୁ ତାଙ୍କର ସୁଶୀତଳ ଅଙ୍କରେ ସ୍ଥାନ ଦିଅନ୍ତି ନାହିଁ । କୈଳାସଚନ୍ଦ୍ରଙ୍କୁ ଶାନ୍ତିଦେବୀ ଅନୁକୂଳ ନ ହେବାରୁ ନିଦ୍ରା ଦେବୀ ମଧ୍ୟ ଆଡ଼ ଆଖିରେ ଚାହିଁଲେ ନାହିଁ-। ସେ ବିଛଣାରେ ପଡ଼ି ଭାବିବାକୁ ଲାଗିଲେ, ‘‘ତ୍ରିଶଙ୍କୁ ମହାପାତ୍ର ଯାହା କହିଲେ, ସେ କଥା କୌଣସିମତେ ଅବିଶ୍ୱାସ କରାଯାଇ ପାରେ ନା । ସେ ପୁରୋହିତ–ବୃଦ୍ଧ ବ୍ରାହ୍ମଣ, ମିଛ ବା କହନ୍ତେ କାହିଁକି ? ରଙ୍ଗାଧର ନିଶ୍ଚୟ ସେହି ଆଶାରେ ଝିଅଟିକୁ ଏ ପର୍ଯ୍ୟନ୍ତ ଘରେ ରଖିଛି । ସେ ଯେପରି ନୀରାଶୟ ଖଳପ୍ରକୃତିର ଲୋକ, ଦିନେ ଯେ କୌଶଳରେ ତା’ର ଅଭୀଷ୍ଟ ସିଦ୍ଧ କରିପାରିବ, ଏଥିରେ ସନ୍ଦେହ କଣ ? ମୁଁ କେତେ ବାର ଲକ୍ଷ୍ୟ କଲିଣି, ବିବାହ ପ୍ରସଙ୍ଗ ଉତ୍ଥାପନ କଲାମାତ୍ରେ ନବର ମୁହଁ ଶୁଖିଯାଏ ସେ କିପରି ଚମକି ଉଠେ । କହେ, ‘‘ସେ କଥା ବର୍ତ୍ତାମାନ କାହିଁକି ? ବହୁତ ସମୟ ଅଛି ।’’ ଏହାର କାରଣ କ’ଣ ? ପୁରୋହିତଙ୍କର ଅନୁମାନ ଠିକ୍ । ମୁଁ ଜାଣିପାରୁଛି, ତାଙ୍କଠାରେ ଦୈବୀଶକ୍ତି ଅଛି; ତା’ ନହେଲେ ସାକ୍ଷ୍ୟଲକ୍ଷ୍ୟ କଥା ପରି କିପରି କହି ଦିଅନ୍ତେ । ଯାହା ହେଉ, ଗୋଟାଏ ଉପାୟରେ ସେ ଟୋକା ଏକରକମ ଜବତ୍ ହେଲା । ଏ ବଜ୍ଜାତ୍ ଶଇତାନର ଫିସାଦ ତ କମ୍ ନୁହେଁ–ଏବେ ଏକ ନୂତନ ଉପାୟରେ ଝିଅଦ୍ୱାରା ସରକୁ ହାତ କରିବାକୁ ବସିଛି । ଆଜି ଏଡ଼େ ବଡ଼ ଜ୍ଞାନୀ ହୋଇଗଲେ ଯେ, ସ୍କୁଲଟାଏ କରି ବାଳିକାମାନଙ୍କୁ ଦିଅକ୍ଷର ପଢ଼ାଇ ଦେଇ ଦେଶର ଉନ୍ନତି କରି ପକାଇବେ । ବାପଝିଅ ଦୁହେଁ ମିଳି ଦେଶଟାକୁ ସ୍ୱର୍ଗକୁ ଟେକି ଦେବେ ପରା ! ଦେଶସେବା ପାଇଁ ଆଜି ୟାଙ୍କର ପ୍ରାଣ କାନ୍ଦିଉଠିଲା; ଆଗରୁ ଶୋଇଥିଲେ କାହିଁକି ? ନାହିଁ ନାହିଁ, ତମର ସେ ପେଖାନିରେ କୈଳାସ ପାହାଡ଼ ନ ଭୁଲନ୍ତି ବାବା ! କପଟସନ୍ନ୍ୟାସୀ ବେଶ ଛାଡ଼ିଦିଅ । ସଫା ହେବାକୁ ଯାଇ ବେଶିଗୁଡ଼ାଏ ମଇଳା ବୋଳି ହେଉଛ କାହିଁକି ?’’ ଟିକିଏ ରହି ପୁଣି ଭାବିଲେ, ‘‘ସରଟାକୁ ଦେଖିଲେ ମୋର ହାଡ଼ ଜଳିଯାଉଛି । ଏବେ କେତେଦିନ ହେବ ଯଦିଚ ସେ ସ୍କୁଲରେ ଯୋଗଦେଉ ନାହିଁ; ତଥାପି ତା’ର ସାଙ୍ଗ ତ ଛାଡ଼ି ନାହିଁ । ତା’କୁ ଦଣ୍ଡେ ନ ଦେଖିଲେ ପୃଥିବୀ ଅନ୍ଧକାରମୟ ୟା ଆଖିରେ । ସେ କଣ ଜଡ଼ି କଲାଣି କି ?’’ କୈଳାସଚନ୍ଦ୍ର ଭାବନା–ସିନ୍ଧୁର ଭିତରକୁ ପଶିଲେ–ମନ୍ଥି ବାହାର କରିବେ କଣ ତାର ଭିତରେ ଅଛି । କିନ୍ତୁ ସେ ତ ଅତଳସ୍ପର୍ଶୀ ବିରାଟବକ୍ଷ ମହାସିନ୍ଧୁ ! ଯେତିକି ଯେତିକି ଭିତରକୁ ପଶିବାକୁ ଲାଗିଲେ, ସେତିକି ସେତିକି ବାଧା ପାଇବାକୁ ଲାଗିଲେ । ପ୍ରତିହିଂସାର ଲେଲିହାନ ହୋମାନଳ ତାଙ୍କ ବକ୍ଷ ବିଦୀର୍ଣ୍ଣ କରି ଜଳିଉଠିଲା । ବିଛଣାପରେ ଉନ୍ମତ୍ତବତ୍ ଚିତ୍କାର କରିବାକୁ ଲାଗିଲେ–‘‘ପ୍ରତିହିଂସା–ପ୍ରତିହିଂସା–ପ୍ରତିହିଂସା ।’’

 

କୈଳାସଚନ୍ଦ୍ର ଜଳଯୋଗରେ ଯେତେବେଳେ ନିବିଷ୍ଟଚିତ୍ତ, ସର ସେହି ସମୟରେ କହିଲା, ‘‘ବାପା ! ନବକୁ ଆଣିଲ ନାହିଁ କାହିଁକି ?’’ କୈଳାସଚନ୍ଦ୍ର ଭ୍ରୁକୁଞ୍ଚିତ କରି ବିଷାଦବ୍ୟଞ୍ଜକ ସ୍ୱରରେ କହିଲେ, ‘‘ସେ ଆସିଲେ କେତେ, ନ ଆସିଲେ କେତେ ? ସେ ତ ଆଉ ମୋ ବୋଲରେ ନାହିଁ । ବାପ ବୋଲି କୋଉ ମାନମହତ ରଖିଲା ଯେ ! ଏ ତ କଳିକାଳ, ଯେଝା ହାତରେ ଯେଝା ଚଉଦ ପା । ଆଜିକାଲି ଟୋକାଏ କଣ ବାପମା ଗୁରୁଜନ ମାନୁଛନ୍ତି ! ଯାହା ମନକୁ ଯାହା ପାଇଲା, ସେ କରିଯାଉଛି ।’’ ପିତାଙ୍କର ଏ ଦୀର୍ଘ ଭୂମିକାରେ ସର ବୋକା ବନିଗଲାଣି । ସମୁଦାୟ ଶୁଣିବାକୁ ତା’ର ଆଉ ଧୈର୍ଯ୍ୟ ଆସିଲା ନାହିଁ । ସେ ଉତ୍କଣ୍ଠିତ ହୋଇ ପଚାରିଲା ‘‘କାହିଁକି, କ’ଣ କଲା କି ସେ-?’’ କୈଳାସଚନ୍ଦ୍ର ଉତ୍ତର ଦେଲେ ନାହିଁ । ଜଳଯୋଗରେ ଅଧିକତର ମନୋଯୋଗୀ ହେଲେ । ଯେପରି ସେ ବିଷୟରେ ସେ ନିତାନ୍ତ ବୀତଶ୍ରଦ୍ଧ, ପ୍ରକାଶ କରିବାକୁ ନିତାନ୍ତ ଅନିଚ୍ଛୁକ, ଏହିପରି ଭାବ ପ୍ରକାଶ କରିବାକୁ ଲାଗିଲେ । ଗଭୀର ଦୁଃଖ ଓ ଘୃଣାରେ ଆପାଦମସ୍ତକ ଥରିଉଠୁଛି ସତେ ତାଙ୍କର ଏବଂ ବିଧ ଦୃଶ୍ୟରେ ସର ଅଧିକତର ଭୀତ ହୋଇ ପିତାଙ୍କୁ ଚାହିଁ ଆଶଙ୍କାବିଜଡ଼ିତ ଅସ୍ପଷ୍ଟ କଣ୍ଠରେ କହିଲା, ‘‘କ’ଣ ବାପା ?’’

 

‘‘କ’ଣ ଆଉ ? ସେ ଗୋଟାଏ ବଙ୍ଗାଳୀ ଘରେ ବାହା ହେଲା ଯେ, ମୋତେ ପଦେ ହେଲେ ପଚାରିଲା ନାହିଁ । ତୁ ଚଣ୍ଡାଳ ବାହା ହେଲୁ–’’

 

‘‘କି ଜାତି ସେ ବଙ୍ଗାଳୁଣୀ ?’’

‘‘ସେ କଣ ଜାତି ଗୋତ୍ରରେ ଅଛି ଯେ, କି ଜାତି ?’’

‘‘ଜାତିରେ ନାହିଁ, ଫେର..... ।’’

 

‘‘ଫେର ଆଉ କ’ଣ ? ସେ କ’ଣ ଆସି ଆଉ ଜାତିରେ ମିଶିବ ? ବଙ୍ଗାଳୀ ଜାତି କ’ଣ ଓଲୁ ହୋଇଛନ୍ତି ? ତା’ର ବି. ଏ. ପାସକରା ଝିଅକୁ ଓଡ଼ିଶା ଦେଶକୁ ଛାଡ଼ିଦେବ ? ତା’ର ବୋହୂପିଲାଟି ବା ମଙ୍ଗିବ କାହିଁକି ? ସେ ତ ଆମଦେଶ ମାଇପଙ୍କପରି ଘରକଣରେ ଲୁଚି ରହିଲାବାଲା ନୁହେଁ ଯେ, ତାକୁ ଯାହା କହିବ, ସେ ମାନିଯିବ । ସେ ତ ସାହେବ ଫେଶନ ବାଲା, ମନକଲେ ଏ ଟୋକାକୁ ଦିବର୍ଷ ପଢ଼େଇବ ସେ ।’’

 

‘‘ସେ କିରସ୍ତାନିଆଣୀଟାକୁ ବାହା ହେଲା, ତମେ.....।’’

 

‘‘ତୁ ଆଉ କିଛି କହନା ମୋତେ । ବାପ ବୋଲି ମାନିଲେ ସିନା ? ମାନିଲେ ଠାକୁର, ନ ମାନିଲେ କୁକୁର । ଯେ ଅମାନିଆ ହେଲା, ତାକୁ ତ ଦେବତା ଡ଼ରିବେ ।’’

 

ସର ଆଉ ଶୁଣିପାରିଲା ନାହିଁ । ତା’ର ମସ୍ତକରେ ବଜ୍ରପାତ ହେଲା । ନବ, ମାଛିକି ‘ମ’ କହେ ନା । କି ସୁନ୍ଦର ବୁଦ୍ଧିମାନ ପିଲାଟା । ସେ ଆଜି କଲିକତା ପୃଥ୍ୱୀରେ ଯାଇ ଏଡ଼େ ବଡ଼ କାଣ୍ଡଟାଏ କରି ବସିଲା । ସର ତାକୁ ପୁତ୍ରଠାରୁ ବଳି କେତେ ଆଦରରେ ବଢ଼ାଇ ନାହିଁ । ପିଲାଟି ଦିନରୁ କେତ ଅର୍ଦ୍ଦଳି ସହି ନାହିଁ ତାର ! ସେ ଆଜି ପାଠ ପଢ଼ି ଶିକ୍ଷିତ ହୋଇ ଏଇଆ କଲା ? ଅପାକୁ ଟିକିଏ ପଚାରିଲା ନାହିଁ ? ଲଳିତାର ସୌମ୍ୟ ମୂର୍ତ୍ତିଟି ସର ଆଖିରେ ନାଚିଗଲା । ଆହା ! କି ସୁନ୍ଦର କଳ୍ପନା କରି ନଥିଲା ସେ ! ବାପା ତା’ର ସେଦିନ ଯେଉଁ ନିଷ୍ଠୁର ପ୍ରତିଜ୍ଞା କଲେ–‘‘ନବକୁ ରଙ୍ଗ ଝିଅ ସଙ୍ଗରେ ବିବାହ ଦେବି ନାହିଁ,’’ ସେଥିରେ ସେ ହତୋତ୍ସାହ ହୋଇଥିଲା ସତ; ତଥାପି ତା’ର ହୃଦୟର ଗୋଟିଏ କଣରେ କ୍ଷୁଦ୍ର ଆଶାଟି ଅନ୍ଧକାରରେ ମଣି ସଦୃଶ ଏ ପର୍ଯ୍ୟନ୍ତ ଜଳୁଥିଲା । ବୋଉ ମଲାବେଳେ ସମର୍ପି ଦେଇଯାଇଛନ୍ତି । ବାପା ରାଗମୁଣ୍ଡରେ ସିନା ଏପରି ଦୃଢ଼ ପ୍ରତିଜ୍ଞାଟାଏ କରିବସିଲେ; ସତେ କ’ଣ ବୋଉର ଶେଷ କଥାଟି ରଖିନଥାନ୍ତେ ? କିନ୍ତୁ, ହାୟ ଦୁର୍ଦ୍ଦୈବ ! ଏ କ’ଣ ହେଲା ? ଲଳିତା କେତେ ଭଲପାଏ ନବକୁ । ସେ ଏ କଥା ଶୁଣିଲେ କଣ ହେବ ? ତା’ର ବୁକୁ ଫାଟିଯିବ ସିନା ! ଲଳିତାର ଭାବି–ଦୁର୍ଦ୍ଦଶାରେ ତା’ର ହୃଦୟ ଥରି ଉଠିଲା; ନୟନଦ୍ୱୟ ଆର୍ଦ୍ର ହୋଇଆସିଲା । ସେ ଗୁମ୍ ହୋଇ ବସିଗଲା । କଥାଟା ସର ହୃଦୟରେ ଭେଦିଛି ଦେଖି କୈଳାସଚନ୍ଦ୍ର ମନେ ମନେ ଗୋଟାଏ ପୈଶାଚିକ ହସ ହସି ମୁହଁ ବୁଲାଇ ଦେଲେ; କଥାର ଗୁରୁତ୍ୱ ବଢ଼ାଇବା ପାଇଁ ଆହୁରି କେତେ କଣ କହିଗଲେ । କିନ୍ତୁ ସେଥିରୁ ଗୋଟିଏ ବର୍ଣ୍ଣସୁଦ୍ଧା ସରର କର୍ଣ୍ଣ–କୁହରରେ ପହଞ୍ଚି ପାରିଲା ନାହିଁ ।

 

କୈଳାସଚନ୍ଦ୍ରଙ୍କୁ ଦେଖା କରିବାକୁ ଗାଁରୁ ବହୁତ ଲୋକ ଆସି ରୁଣ୍ଡହେଲେ । କଲିକତାର ଖବର ପଚାରିବାରେ ସେ ଆଗେ ନବର ବଙ୍ଗାଳୁଣୀ ବିବାହ ବିଷୟ କହିବସିଲେ । ତହିଁ ସଙ୍ଗରେ ପୁତ୍ରକୁ ନାନା ଅଶ୍ଳୀଳ ଭାଷାରେ ଗାଳିଦେବାକୁ ଛାଡ଼ିଲେ ନାହିଁ । କଥାଟା କ୍ରମେ ଚାରିଆଡ଼େ ରାଷ୍ଟ୍ର ହୋଇଗଲା । ଯେ ଶୁଣିଲା, ସେ ନବକୁ ଛି ଛି ମାର ମାର କଲା । ନବ ବିରୁଦ୍ଧରେ ନାନା ସମାଲୋଚନା ମଧ୍ୟ ଚାଲିଲା । ସେ ସମସ୍ତ ଲେଖି ପୁସ୍ତକର କଲେବର ବୃଦ୍ଧି କରିବା ଅପେକ୍ଷା ପାଠକମାନେ ଅନୁମାନ କରିନେବା ଭଲ ।

 

ଲଳିତା ଭାବିଲା–ବହୁତ ଭାବିଲା । ତା’ର ଭାବନାର ଆଦି ନାହିଁ, ଅନ୍ତ ନାହିଁ, କ୍ଷୟ ନାହିଁ, ଲୟ ନାହିଁ–ସିନ୍ଧୁ ପରି ବିରାଟ ବିସ୍ତୃତ, ଶୂନ୍ୟ ପରି ଅସୀମ, ଅନନ୍ତ । ନବକିଶୋର ବିଭା ହୋଇଛନ୍ତି ଶୁଣିଲାକ୍ଷଣି ତା’ର ମନେହେଲା, ଯେପରି ସେ କେଉଁ ଯାଦୁକରର ମନ୍ତ୍ରବଳରେ ଅଜଣା ଏକ ସ୍ୱପ୍ନପୁରୀକୁ ନୀତ ହୋଇଛି । ଦାବାଗ୍ନିର ଲେଲିହାନ ଶିଖା ଭିତରେ, କି ପାତାଳର ବାସୁକି ଗହ୍ୱରରେ, କି ଉତ୍ତାଳ ତରଙ୍ଗମାଳ–ବିକ୍ଷୋଭିତ ମହାସିନ୍ଧୁର ବିରାଟ ବକ୍ଷ ଭିତରେ, କେଉଁଠାରେ ସେ କିଛି ଜାଣିପାରିଲା ନାହିଁ । ସଂଜ୍ଞାହୀନା ହୋଇ ସେ କେତେ କ୍ଷଣ ପଡ଼ିରହିଲା । ଯେତେବେଳେ ତାର ସଂଜ୍ଞାଲାଭ ହେଲା, ସେ ଭାବିଲା–‘‘କଣ ? ସେ ଗୋଟାଏ ବଙ୍ଗାଳୁଣୀକୁ ବିବାହ କରିଛନ୍ତି ? ଗ୍ରାମକୁ ଆଉ ଆସିବେ ନାହିଁ ?” ମର୍ମାନ୍ତିକ ବେଦନା ଅନୁଭବ କରୁଥିଲେ ସୁଦ୍ଧା ତାର ଶୀର୍ଣ୍ଣ ଅଧର ପ୍ରାନ୍ତରେ କ୍ଷୀଣ ହାସ୍ୟରେଖା ଫୁଟି ଉଠିଲା । ‘‘ଏ କ’ଣ ସମ୍ଭବ ହୋଇପାରେ ? ସେ ପରା ବିବାହିତ-? ପୁଣି ଗୋଟାଏ ବିଭା ହେଲା କଣ ? ଜଣେ କେତେ ଥର ବିଭା ହୁଏ କି ? ସେଦିନ ପରା ମୋ ସଙ୍ଗରେ ତାଙ୍କର ବିବାହ ହୋଇଯାଇଛି । ଶରୀରର ବିବାହ ହୋଇ ନାହିଁ ସିନା, ଆତ୍ମାର ତ ବିବାହ ହୋଇଯାଇଛି । ଶରୀରର ବିବାହକୁ କଣ ବିବାହ କହନ୍ତି ? ନା, ତାଙ୍କ ପକ୍ଷରେ ଆଉ ବିବାହ ଅସମ୍ଭବ । କିନ୍ତୁ କୈଳାସଚନ୍ଦ୍ର ଏ କଣ କହୁଛନ୍ତି ?’’ ସେ ଆଉ ଭାବି ପାରିଲା ନାହିଁ । ମୁହଁମାଡ଼ି ଶୋଇ ପଡ଼ିଲା । ଅଜସ୍ରଧାରରେ ନୟନଯୁଗଳରୁ କେବଳ ଲୋତକରାଶି ବହିଯିବାକୁ ଲାଗିଲେ । ତା’ର ହୃଦୟ ଭିତରେ ଯେଉଁ ଚିନ୍ତା ସିନ୍ଧୁ ପ୍ରସାରିତ, ତହିଁରୁ କିଛି ଲୋତକ ରୂପରେ ପଦାକୁ ବହିଗଲେ ସେ ଅନନ୍ତ ସମୁଦ୍ରର ଅନ୍ତ ପାଇବ ପରା !!

Image

 

ପଞ୍ଚଦଶ ପରିଚ୍ଛେଦ

 

ଆଜକୁ ଅଢ଼େଇ ବର୍ଷ ହୋଇଗଲା, ନବକିଶୋରଙ୍କ ସହିତ ସାକ୍ଷାତ ହୋଇ ନାହିଁ । ଅଢ଼େଇ ବର୍ଷ ତଳେ ସେ ପିତାଙ୍କ ନିକଟରେ ପ୍ରତିଜ୍ଞାବଦ୍ଧ ହୋଇଥିଲେ, ଲଳିତାକୁ ଆଉ ପତ୍ର ଦେବେ ନାହିଁ ବୋଲି । ତାପରେ କଣ କଲେ, ଆସନ୍ତୁ ପ୍ରିୟ ପାଠକ ପାଠିକାଗଣ, ଦେଖି ଆସିବା ।

 

ସୂର୍ଯ୍ୟ ସେତେବେଳେ ଦିନସାରା ଭ୍ରମଣର କ୍ଳାନ୍ତି ଦୂର କରିବା ଲାଗି ପଶ୍ଚିମ ଦିଗ୍‌ବଳୟ କଣରେ ଗଙ୍ଗାସ୍ନାନକୁ ବାହାରିଛନ୍ତି । ସେଥିପାଇଁ ବିରାଟ ପଟୁଆରର ଆୟୋଜନ ଲାଗିଛି । ସୁବିସ୍ତୃତ ଗଙ୍ଗାବକ୍ଷରେ ତୀରକୁ ଲାଗି ଦୁଇଧାଡ଼ି ତୋରଣ ସଜା ହୋଇଛି–ଛୋଟ ବଡ଼ ଅସଂଖ୍ୟ ପୋତମାଳାରେ; ଆଉ ତହିଁରେ ବହୁ ବର୍ଣ୍ଣରଞ୍ଜିତ ସୁଦୃଶ୍ୟ ପତାକାମାନ ଫର ଫର ଉଡ଼ୁଛି । ଘାଟର ସ୍ଫଟିକ ପାବଚ୍ଛମାନଙ୍କରେ ସୁନାର ଗୋଟିଏ ଗାଲିଚା ପଡ଼ି ଯାଇଛି ନଦୀ ଗର୍ଭକୁଲାଗି । ସୂର୍ଯ୍ୟ ସେହି ବାଟରେ ଅବତରଣ କରିବେ ପରା । ଗଙ୍ଗାଦେବୀ ନିଜେ ଯେପରି ଅପୂର୍ବ ସାଜରେ ସୁସଜ୍ଜିତ ହୋଇ ତାଙ୍କର ପ୍ରତୀକ୍ଷା କରୁଛନ୍ତି ବୃତ୍ତାକାର ଭାସମାନ ପକ୍ଷୀଶ୍ରେଣୀର ମନୋରମ ଫୁଲ ଧଣ୍ଡାଟିଏ ଧରି ।

 

ନେତ୍ର–ସୁଖୋତ୍ପାଦନ ଶିଶୁର ଦରୋଟି ହାସ ପରେ ତାଙ୍କର ବହୁମୂଲ୍ୟ ରତ୍ନଖଚିତ ବସନାଞ୍ଚଳ ଥରି ଉଠୁଛି ମତାଣିଆ କଅଁଳ ପବନ ସ୍ପରଶରେ । କି ସୁନ୍ଦର, କି ମନୋହର, କି ଅପୂର୍ବ ଦୃଶ୍ୟ ସେ ! ନଦୀତୀରରେ ଅସଂଖ୍ୟ ନରନାରୀ ଏକତ୍ରିତ । ସମସ୍ତଙ୍କର, ପିପାସିତ ଦୃଷ୍ଟି ସେହି ଦୃଶ୍ୟରେ କେନ୍ଦ୍ରୀଭୂତ । ଦୁଃଖ ନାହିଁ, ଚିନ୍ତା ନାହିଁ, ଗ୍ଳାନି ନାହିଁ – ଆନନ୍ଦମଦିରାର ମାଦକତାରେ ସମସ୍ତେ ମତୁଆରା । ମାନବର କର୍ମକ୍ଳାନ୍ତ ଦୁଃଖମୟ ଜୀବନରେ ସେ ଗୋଟାଏ ଶୁଭ ମୁହୂର୍ତ୍ତ–ମାହେନ୍ଦ୍ର ଯୋଗ । ସେଥିରେ ଦୁଃଖ ଭୁଲିଆନନ୍ଦ ଅନୁଭବ ନ କରିବ କିଏ ? ମର୍ତ୍ତ୍ୟଶୋଭା–ସମ୍ପଦର ସେହି ଅଷ୍ଟରତ୍ନ ପେଟିକା ଦୁଃଖୀର ଦୁଃଖ ହରେ, ରୋଗୀର ରୋଗଯନ୍ତ୍ରଣା ନାଶକରେ ତାପୀକୁ ସାନ୍ତ୍ୱନା ଦିଏ ଏବଂ ନିର୍ଦ୍ଧନକୁ ଧନାଭାବ କଷ୍ଟରୁ ବଞ୍ଚିତ କରେ । ଦୁଃଖୀ ନବକିଶୋର ପ୍ରକୃତିର ସେହି ପବିତ୍ର ପ୍ରାଣମୟ ଦୃଶ୍ୟ ଅବଲୋକନରେ ଆଶାତୀତ ଆନନ୍ଦ ଅନୁଭବ କରୁଅଛନ୍ତି । ସେ ବଡ଼ ପ୍ରକୃତିପ୍ରିୟ । ପୋତେଇ–ପୋଖରୀରେ ସେ ଠିକ୍ ଏହି ଦୃଶ୍ୟ ବହୁବାର ଦେଖିଅଛନ୍ତି । କିନ୍ତୁ ହାୟ, ବର୍ତ୍ତମାନ ସେ ଯେ ଏକା । କାହିଁ ତାଙ୍କର ସେହି ପ୍ରାଣାଧିକା ଲଳିତା ? ଚାରିଦିନରେ ଚିଠି ପାଉଥିଲେ ସୁଦ୍ଧା ଯାହାର ମନ ତୃପ୍ତ ହୁଏ ନାହିଁ, ‘ଚିଠିପତ୍ର ଦେବାରେ ବଡ଼ ଡ଼େରି କରୁଚ’ ବୋଲି କହେ ସେ ଦୀର୍ଘ ଦୁଇମାସ ଧରି ପତ୍ର ନ ପାଇ କି ବେଦନା ଅନୁଭବ କରୁ ନ ଥିବ ! ହାୟ......ନା, ପିତୃ ଆଦେଶ ଶିରୋଧାର୍ଯ୍ୟ ।...... ‘‘କିନ୍ତୁ ଲଳିତା, ତୋର ନାରୀ ହୃଦୟ ଏତେ ଦୂର ନିର୍ମମ ହେଲା କିପରି ?” ନା ମୁଁ ଭ୍ରାନ୍ତ । ଗାଁରେ ପୁଣି ସମାଲୋଚନା ଉଠିବା ତ ଅସମ୍ଭବ ନୁହେଁ । ତାକୁ ଅଭୟ ଦେବାକୁ କିଏ ଅଛି ? ଲଳିତାକୁ ପତ୍ର ଦେବା ସିନା ଅନ୍ୟାୟ; ରଙ୍ଗଦାଦାଙ୍କ ପାଖକୁ ଖଣ୍ଡେ ପତ୍ର ଦେଲେ ନିଶ୍ଚୟ ପ୍ରକୃତ ତଥ୍ୟଟା ଜଣାପଡ଼ନ୍ତା । ନା, ଗ୍ରାମର କୌଣସି ଖବର ନ ରଖିବା ବରଂ ଶ୍ରେୟଃ ।

 

ପଥରେ ଗୋଟିଏ ରମଣୀମୂର୍ତ୍ତି ନବକିଶୋରଙ୍କର ଦୃଷ୍ଟି ଆକର୍ଷଣ କଲା । ରମଣୀଟି ଯୁବତୀ; ବୟସ ୧୯ କିମ୍ବା ୨୦ ଭିତରେ । ସୁନ୍ଦରୀ; ଖୁବ୍ ସୁନ୍ଦରୀ । ପରିଧାନ ବସ୍ତ୍ର ଶୁଭ୍ର ବନାରସି ବାରିକ୍ ଶାଢ଼ୀ, ନାଲିରଙ୍ଗର ଧଡ଼ିଟି ଦୁଇ ପାହାଡ଼ ମଧ୍ୟରେ ନଦୀ ବହିଗଲା ପରି ବକ୍ଷକୁ ମଝିରୁ ଦୁଇଭାଗ କରିଚି । ତଦୁପରି ସୁବର୍ଣ୍ଣ ହାର ସୁଶୋଭିତ । ଭିତରୁ ସିଲ୍‌କ୍ ବାଦାମିରଙ୍ଗର ଯାକେଟ୍ ଚକ୍ ଚକ୍ ହୋଇ ବକ୍ଷର ସୌନ୍ଦର୍ଯ୍ୟକୁ ଆହୁରି ବଢ଼ାଇ ଦେଇଛି । ଅର୍ଦ୍ଧାବୃତ ମସ୍ତକର କୁଞ୍ଚିତ କେଶଦାମ ସନ୍ଧ୍ୟାକାଶର କଳାବଉଦକୁ ଉପହାସ କରି ବାୟୁଲହରରେ ନାଚି ଉଠୁଚି । ସୁବର୍ଣ୍ଣ ଦର୍ପଣ ପରି କପାଳ, ନୀଳୋତ୍ପଳ ସଦୃଶ ନୟନଯୁଗର ଅପୂର୍ବଶୋଭା, ଗଣ୍ଡଯୁଗର ବାଳସୂର୍ଯ୍ୟଆଭା ଚାରିଆଡ଼େ ବିଞ୍ଚି ହୋଇ ରମଣୀର ରମଣୀୟ ମୁଖମଣ୍ଡଳର ଶୋଭାକୁ ଶତଗୁଣ ବଢ଼ାଇଦେଉଚି । ବୈଦ୍ୟୁତିକ ଆଲୋକରେ ଝଲକି ଦିଶିଲା ରୂପସୀର ଦ୍ୱିତୀୟା–ଚାନ୍ଦ–ଅଧରରେ ପୁନେଇ ଜହ୍ନର ଅମୃତବୋଳା ହସଟି ! ନବକିଶୋର ଠିଆ ହୋଇଗଲେ । ତାଙ୍କର ଆଖି ସ୍ଥିର ହୋଇଗଲା । ଏ ଯେ "ସୌଦାମିନୀ ! ବହୁଦିନର ପରିଚିତା ସୌଦାମିନୀ ! ନବକିଶୋର ସୌଦାମିନୀକୁ ତ ବହୁବାର ଦେଖିଛନ୍ତି, ଆଳାପ କରିଛନ୍ତି; କିନ୍ତୁ ଆଜିପରି ତ ସେ ଦିନେ ଦେଖି ନାହାନ୍ତି । ଏଡ଼େ ସୁନ୍ଦରୀ ସେ ଆଜି କାହିଁକି ? ଏ ପରିବର୍ତ୍ତନ କିପରି ହେଲା ତାର ? ସୌଦାମିନୀକୁ ସେ ଆଖି ପୂରାଇ କେବେ ଦେଖି ନାହାନ୍ତି । ସେ କୌଣସି ସ୍ତ୍ରୀକୁ ମନୋଯୋଗ ଦେଇ ଦେଖନ୍ତି ନାହିଁ । ସେଟାକୁ ସେ ଅଭଦ୍ରାମି ଓ ନିଜର ଦୁର୍ବଳତା ମନେ କରନ୍ତି । ଯଦିଚ ସୌଦାମିନୀ ତାଙ୍କର ବହୁଦିନର ପରିଚିତା, ଅନେକ ଥର ସେ ତା ସହିତ ଆଳାପ କରିଛନ୍ତି କେତେଟା ଦରକାରୀ କଥା ନେଇ, ତଥାପି ତାର ମୁହଁକୁ କିନ୍ତୁ କେବେ ହେଲେ ମନୋଯୋଗ ସହକାରେ ଚାହିଁ ନାହାନ୍ତି ।

 

ନବକିଶୋର ଏତେ ଦିନ ପରେ ସୌଦାମିନୀକୁ ସୂକ୍ଷ୍ମଦୃଷ୍ଟିରେ ଦେଖିବାର ସୁଯୋଗ ପାଇଲେ । ଦେଖିଲେ, ଲଳିତାର ଅଧର ପରି ଆହୁରି ଗୋଟିଏ ସୁନ୍ଦର ଅଧର ମଧ୍ୟ ଜଗତରେ ଅଛି-। ସୌଦାମିନୀ ପ୍ରକୃତରେ ସୌଦାମିନୀର ରୂପ ଛଡ଼ାଇ ଆଣିଛି । ବାଃ, କି ସୁନ୍ଦର ଚେହେରାଟି-। ଲାବଣ୍ୟରେ କେବଳ ଗଢ଼ା ହୋଇଛି ପରା । ଆଖି ପୂରାଇ ଦେଖିଲେ । ବଡ଼ ସୁନ୍ଦର; କିନ୍ତୁ ସହସା କି ଏକ ଆଶଙ୍କାରେ ତାଙ୍କର ହୃଦୟ ଥରି ଉଠିଲା । ଆଖି ଲେଉଟି ଆସିବାକୁ ଚାହୁଁ ନାହିଁ; ସ୍ଥିର ଭାବରେ ଠିଆ ହୋଇ ରହିବାକୁ ହୃଦୟରେ ବଳ ନାହିଁ । ସେ ଯତ୍ ପରୋନାସ୍ତି ଚେଷ୍ଟାରେ ଅବଶ ଶରୀରଟାକୁ ଟାଣିନେଇ ଅପରାଧୀ ପରି ଥରି ଥରି ପଳାଇଗଲେ ।

 

ସୌଦାମିନୀ ଅତୁଲ ବାବୁଙ୍କର କାକା ପ୍ରମଥ ବାବୁଙ୍କର ଝିଅ । ସେ ମେଡ଼ିକାଲରେ ପଢ଼ନ୍ତି । ବର୍ତ୍ତମାନ ସେ ଫୋର୍ଥଇଅର (Fourth year)ର ଛାତ୍ରୀ; ଆଉ ଛ ମାସ ପରେ ଫାଇନାଲ୍ ଦେବେ । ନବକିଶୋର ମେଡ଼ିକାଲରେ ଭର୍ତ୍ତି ହେଲାବେଳେ ସେ ସେକେଣ୍ଡ୍ ଇଅର (2nd year)ର ଛାତ୍ରୀ ଥିଲେ, ଫାଷ୍ଟ ଇଅର ଛାତ୍ରଙ୍କୁ କିଏ ଚିହ୍ନେ, କିଏ ବା ତାଙ୍କର ଖବର ରଖେ-? ସୌଦାମିନୀ ନବକିଶୋରଙ୍କୁ ଚିହ୍ନିଲେ, ଅତୁଲ ବାବୁଙ୍କର ସାଙ୍ଗ ବୋଲି ପରିଚୟ ପାଇଲେ–ସେ ଯେତେବେଳେ ସେକେଣ୍ଡ ଇଅରରେ ପ୍ରଥମ ସ୍ଥାନ ଅଧିକାର କଲେ ।

 

ସୌଦାମିନୀର ଯେଉଁ ଦିନ ନବକିଶୋରଙ୍କ ସହିତ ପ୍ରଥମ ସାକ୍ଷାତ ହେଲା, ସେଦିନ ରାତିଟା ତାଙ୍କର କି ଯୋଗରେ ପାହିଥିଲା କେଜାଣି, ଆଖି ଦିଟା ଆଉ ନବକିଶୋରଙ୍କ ଉପରୁ ଫେରିବାକୁ ଚାହିଁଲେ ନାହିଁ । ମନ–ମୀନଟା ପୁଣି ତାଙ୍କର ରୂପ–ସାଗରର କେଉଁ ଅତଳ ଗର୍ଭରେ ବୁଡ଼ି ରହିଗଲା । ଏତେ ରୂପ ? ପୁରୁଷର ପୁଣି ଏତେ ରୂପ ? ପୁରାଣ–ବର୍ଣ୍ଣିତ କନ୍ଦର୍ପ କଣ ଅଭିଶାପ ଘେନି ମର୍ତ୍ତ୍ୟରେ ଆଉ ଥରେ ଜନ୍ମ ହେଲେ କି ? ଏହି ନବବାବୁ କ୍ଳାସରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ? ହଁ, କରିବାର କଥା ଏକା । ରୂପକୁ ଗୁଣ ନଥିଲେ ସେ କଣ ମନୁଷ୍ୟରେ ଲେଖା ? ସୌଦାମିନୀର ଛାତିଟା ଦାଉଁଦାଉଁ ହୋଇଗଲା । ସେହି ଦିନୁ ତାଙ୍କର କିପରି ଗୋଟାଏ ପରିବର୍ତ୍ତନ ଘଟିଗଲା । ସେ ନିଜେ ମଧ୍ୟ ତାହା ଲକ୍ଷ୍ୟ କରି ପାରିଲେ; କିନ୍ତୁ କାରଣଟା ବୁଝି ପାରିଲେ ନାହିଁ । ବୁଝିବାକୁ ବହୁତ ଚେଷ୍ଟା କଲେ–ବହୁତ ଭାବିଲେ ସେ ବିଷୟରେ; କିନ୍ତୁ ସେ ଦିଗଟା ନିହାତି ଅନ୍ଧାର–ଜନ୍ମାଷ୍ଟମୀର ଘନ ବଉଦ–ଢଙ୍କା ଅନ୍ଧାରରୁ ଆହୁରି ଅନ୍ଧାର ।

 

ସୌଦାମିନୀ ନବକିଶୋରଙ୍କୁ ଯେତେ ଦେଖିଲେ, ତାଙ୍କର ଦୀଦୃକ୍ଷା ସେତିକି ବଢ଼ିବାକୁ ଲାଗିଲା । ଥରେ ଆଖି ପୂରାଇ ମନବୋଧ କରି ଦେଖି ନେଲେ ତାଙ୍କର ପିପାସାଟା ମେଣ୍ଟି ଯାନ୍ତା ପରା । କିନ୍ତୁ ମନ ଯେ ଆଦୌ ତୃପ୍ତ ହେଉ ନାହିଁ । ମନ କହୁଛି, ଆହୁରି ଦେଖିବାର ଅଛି, ଏତିକିରେ ତ ତୃପ୍ତି ଆସିଲା ନାହିଁ । ସେ ଦେଖିଛନ୍ତି, ପ୍ରତିଦିନ ଦେଖୁଛନ୍ତି–ଦିନରେ ଦଶ ବାର ଦେଖିଛନ୍ତି; କିନ୍ତୁ କାହିଁ ? ତୃପ୍ତ ହେଉ ନାହିଁ ତ ମନ । କବିଙ୍କ ବାଣୀର ନିଶ୍ଚୟ ସାର୍ଥକତା ଅଛି–

 

‘‘ସୁନ୍ଦରେ ତୃପ୍ତିର ଅବସାଦ ନାହିଁ

ଯେତେ ଦେଖିଲେ ହେଁ ନୂଆ ଦିଶୁଥାଇ ।’’

 

ସୌଦାମିନୀ କେଡ଼େ ଆଶାରେ କେତେ ଚେଷ୍ଟା କରିଛନ୍ତି, ଚାରି ଚକ୍ଷୁର ମିଳନ ହେଲେ, ଦୁଇପଦ କଥା ତାଙ୍କ ମୁହଁରୁ ଶୁଣିଲେ, ତୃପ୍ତି ଆସିବ ପରା ! ଯାଚିକା ହୋଇଛନ୍ତି ସେଥିପାଇଁ; କିନ୍ତୁ ତାଙ୍କର ମନୋରଥ ପୂର୍ଣ୍ଣ ହୋଇଛି କି ? ସେଦିନ ନବକିଶୋର ଆନାଟମିର (anatomy) ଗୋଟାଏ କଣ ବୁଝିବା ଲାଗି ସୁରେନ ପାଖକୁ ଯାଇଥିଲେ । ସୁରେନ ଭଲ ରୂପେ ବୁଝାଇ ପାରିଲେ ନାହିଁ । ସୌଦାମିନୀ ମନକୁ ଆସି ବୁଝାଇ ଦେଲେ । କିନ୍ତୁ ବିନିମୟରେ ପାଇଲେ କଣ ? ନବକିଶୋର ଚୋରଙ୍କ ପରି ତଳକୁ ମୁହଁ ପୋତି ନୀରବରେ ସବୁ ଶୁଣିଗଲେ–ତାର ମୁହଁକୁ ଥରେ ସୁଦ୍ଧା ଚାହିଁଲେ ନାହିଁ, କି କୃତଜ୍ଞତା ଜ୍ଞାପନସୂଚକ ପଦେ କଥା ବି କହିଲେ ନାହିଁ । ପୁରୁଷ ଜାତିଟା କଣ ଏଡ଼େ ଅକୃତଜ୍ଞ ? ଏଡ଼େ ଦୁର୍ବଳ ସେ ? ଗୋଟାଏ ନାରୀର ମୁହଁକୁ ଚାହିଁବାର ସାହସ ସୁଦ୍ଧା ନାହିଁ । ସୌଦାମିନୀ ସେଥିରେ ବିଚଳିତ ନ ହୋଇ ଆଉ ଦିନେ ସୁରେନ, ଉମେଶ, ଅକ୍ଷୟ ଓ ନବକିଶୋର ପ୍ରଭୃତି ସ୍ତ୍ରୀଶିକ୍ଷା ବିଷୟରେ ତର୍କ କରୁଥିବା ବେଳେ ମନକୁ ଯାଇ ତାଙ୍କ ସଙ୍ଗରେ ଯୋଗ ଦେଇଛନ୍ତି । ଇଚ୍ଛା କରି ନବକିଶୋରଙ୍କ ସମସ୍ତ କଥାରେ ସମର୍ଥନ କରିଛନ୍ତି ମଧ୍ୟ । କିନ୍ତୁ ନବକିଶୋର ପୂର୍ବବତ୍ ତାଙ୍କ ଆଡ଼କୁ ଦୃଷ୍ଟି ଫେରାଇଲେ ନାହିଁ ସୁଦ୍ଧା । ଏତେ ଉପେକ୍ଷା । ଏତେ ଅପମାନ । ଏତେ ଅହଙ୍କାର । ସୌଦାମିନୀଙ୍କର ବଡ଼ ଅସହ୍ୟ ହେଲା । ସେ ଭାବିଲେ–“ଛି, ଏ କି ହୃଦୟହୀନ ମନୃଷ୍ୟଟା ! ମୁଁ ନ ଜାଣି କେଡ଼େ ବଡ଼ ଆସନ ଦେଇଛି ।” ଏହିପରି ସେ ବହୁତ ଭାବିଛନ୍ତି; କିନ୍ତୁ ସେ ଭାବନାରେ ତାଙ୍କର ମନ ମାନି ନାହିଁ । ପରକ୍ଷଣରେ ପୁଣି କେତେ ଶେଯ ମାଣ୍ଡି ତପ୍ତ ଲୋତକରେ ଭିଜାଇ ଦେଇଛନ୍ତି; ପୁଣି ଭାବିଛନ୍ତି–‘‘ନବକିଶୋର ହୃଦୟ ହୀନ, ନୀଚ, ଅଭଦ୍ର–କିଏ କହେ ଏ କଥା ? ନା, ସେ ମହତ୍, ଭଦ୍ର, ହୃଦୟବାନ–ଦେବତା ସେ । ଭାଗ୍ୟ ମନ୍ଦ ବୋଲି ଦେବତା ଅପ୍ରସନ୍ନ, ହେଲେ ସେଥିପାଇଁ କଣ ଦେବତାଙ୍କର ନିନ୍ଦା କରିବାକୁ ହେବ ? ସେ ଯେ ନନ୍ଦନର ପାରିଜାତ–ମାନବକୁ ଦୁର୍ଲଭ ନୁହେଁ କି ?” ସୌଦାମିନୀ କେତେ ଚୋରା ଚାହାଣିରେ ତନ୍ନ ତନ୍ନ କରି ଦେଖିଛନ୍ତି–ପ୍ରକୃତରେ ନବକିଶୋର ଦେବତା । ମନୁଷ୍ୟଠାରୁ ତାଙ୍କର ପ୍ରଭେଦ ବହୁତ । ସେ ତାଙ୍କ ଜୀବନରେ ବହୁତ ମନୁଷ୍ୟ ଦେଖିଛନ୍ତି–ବିଭିନ୍ନ ଜାତିର, ବିଭିନ୍ନ ଧର୍ମର, ବିଭିନ୍ନ ରକମର; କିନ୍ତୁ ସେମାନେ, ଆଉ ନବକିଶୋର–ଆକାଶ ଅବନୀ ପ୍ରଭେଦ, ସ୍ୱର୍ଗ ନରକର ବ୍ୟବଧାନ ।

 

ଦୁଇବର୍ଷ ପରେ ସୌଦାମିନୀଙ୍କର ବାସନା ଆଜି ପୂର୍ଣ୍ଣ ହୋଇଛି–ଚାରିଚକ୍ଷୁର ମିଳନ ହୋଇଛି । କିନ୍ତୁ ଆଉ ଗୋଟାଏ ଅଭାବ ରହିଗଲା– କଥା ପଦେ ଶୁଣିପାରିଲେ ନାହିଁ ।

 

ସେଦିନ ନିମନ୍ତ୍ରଣ ରକ୍ଷା କରିବାକୁ ସନ୍ଧ୍ୟା ସମୟରୁ ଅତୁଲ ବାବୁ ଯାଇଛନ୍ତି ସୁରେଶ ବାବୁଙ୍କ ଘରକୁ । ତାଙ୍କର ଫେରିବାକୁ ରାତି ଏଗାରଟାରୁ କମ ନୁହେଁ । ନବକିଶୋର ହସ୍ତପଦ ଧୌତ କରି ପଢ଼ିବାକୁ ବସିଲେ; କିନ୍ତୁ ପାଠପଢ଼ା ଆଦୌ ହେଲାନାହିଁ । ବହିର ଅକ୍ଷରସବୁ ଉପରେ ଢଳ ଢଳ ଦିଶିଲା ସୌଦାମିନୀର ମୁହଁଟି । ଆହା କି ସୁନ୍ଦର ମୁହଁଟି ସତେ ତାର ! ଏଡ଼େ ସୁନ୍ଦର ମୁହଁକୁ ନବକିଶୋର ଇଚ୍ଛା କରି ଦୁଇବର୍ଷ କାଳ ଚାହିଁ ନାହାନ୍ତି ? ବଡ଼ ଭୁଲ କରିଛନ୍ତି ସେ । ସେହିପରି ଗୋଟିଏ ମୁହଁର ଅଦର୍ଶନରେ କେତେ ଅସର ଦିବସ ଅଶ୍ରୁ–ତର୍ପଣରେ ସେ କଟାଇ ନାହାନ୍ତି ? ଆଉ ଗୋଟିଏ ପରିଚିତ–ଅତି ପରିଚିତ ମୁହଁ ଦିଶିଗଲା । ନବକିଶୋର ଦୁଇଟି ସୁନ୍ଦର ମୁହଁ ଏକ ସ୍ଥାନରେ ଦେଖିବାକୁ ପାଇଲେ । କେଉଁଟି ଭଲା ସୁନ୍ଦର ? ମନେ ମନେ ତୁଳନା କଲେ । ଛି, କାହା ସହିତ କାହାର ତୁଳନା ? ପଦ୍ମ ସଙ୍ଗେ ପୋକସୁଙ୍ଘାର ତୁଳନା ? ଚନ୍ଦ୍ର ସହିତ ଜୁଳୁଜୁଳାର ତୁଳନା ? ସିନ୍ଧୁ ସହିତ ସରୋବରର ତୁଳନା ? ବଡ଼ ଲଜ୍ଜା ହେଲା ତାଙ୍କର । ଲଳିତା ସହିତ ସୌଦାମିନୀର ତୁଳନା ! ଛି, ନିହାତି ଅସଙ୍ଗତ । ନିଜ ଉପରେ ତାଙ୍କର ବଡ଼ ଅଭିମାନ ଜାତ ହେଲା-। ଏଡ଼େ ଦୁର୍ବଳ ଅକ୍ଷମ ଅଧମ ସେ । ଲଳିତା ସହିତ ସୌଦାମିନୀକୁ ଏକାସନରେ ବସାଇଛନ୍ତି ? ଲଳିତା ସୁଶୀତଳ ଜ୍ୟୋତ୍ସ୍ନାମୟୀ ଶରଦର ପୂର୍ଣ୍ଣଶଶୀ–ଆଉ ସୌଦାମିନୀ ? ସେ ଉତ୍ତପ୍ତ ଜ୍ୱାଳାମୟୀ ଜ୍ୱଳନ୍ତ ଲୌହଖଣ୍ଡ । ଲଳିତା ସୁହାସିନୀ, ସୁବାସିନୀ, ସଜ ଫୁଟା ଗୋଲାପ–ସେ ମ୍ଳାନମୁଖୀ ଗନ୍ଧହୀନା ପର୍ଯ୍ୟୁସିତା ଅପରାଜିତା । ଲଳିତା ସରଳ, ସେ ଗରଳ–ଲଳିତା ଦେବୀ, ସୌଦାମିନୀ ମାନବୀ । କେଡ଼େ ଅନ୍ୟାୟ ନ କରିଛନ୍ତି ସେ ! ଦେବୀ ପାଖରେ ମାନବୀର ସ୍ଥାନ କାହିଁ ?

 

“କି ନବବାବୁ ! ଆପଣ ଭାବନା–ରାଜ୍ୟ ଖଣ୍ଡ ଏକଚାଟିଆ କରି ନେଲେଣି ଯେ ! ଅଳ୍ପଦିନ ପରେ କବିକୁଳର ଛତ୍ରପତି ଶିବାଜୀ ପାଲଟି ଯିବେ ନିଶ୍ଚୟ’’ କହି, ରଙ୍ଗାଧର ପ୍ରାନ୍ତରେ ଦାମିନୀଚ୍ଛଟା ଖେଳାଇଦେଇ ସୌଦାମିନୀ ପଶି ଆସିଲେ । ନବକିଶୋର ଚମକି ଉଠିଲେ । ଏ କ’ଣ ? ସୌଦାମିନୀ ଯେ ଆସି ହାଜର ! ଏ କିପରି ଜାଣିଲେ ସେ କଣ ଗୋଟାଏ ଭାବୁଛନ୍ତି ବୋଲି ? ଗଙ୍ଗା କୂଳରେ ବୁଲୁଥିଲା ବେଳେ କଣ ଲକ୍ଷ୍ୟ କରି ଥିଲେ କି ? ବଡ଼ ଆଶ୍ଚର୍ଯ୍ୟ ତ ! ନବକିଶୋର ଟିକିଏ ସଙ୍କୁଚିତ ହୋଇଗଲେ, କିନ୍ତୁ ସେ ଭାବ ଗୋପନ କରି କହିଲେ, ‘‘ଆସନ୍ତୁ–ଆସନ୍ତୁ । ଅତୁଲ ବାବୁ ନିମନ୍ତ୍ରଣ ରକ୍ଷା କରିବାକୁ ଉମେଶ ବାବୁଙ୍କ ଘରକୁ ଯାଇଛନ୍ତି । ଏକୁଟିଆ ପଢ଼ିବାକୁ ମନ ଲାଗିଲା ନାହିଁ ଯେ...।’’ କଥାଟାକୁ ବଦଳାଇ ଦେବା ଅଭିପ୍ରାୟରେ ସୌଦାମିନୀ କହିଲେ, ‘‘ସେ କଣ ଫିଜିଓଲଜି (Physicology) ପଢ଼ୁଛନ୍ତି ?’’ ନବକିଶୋର କହିଲେ ‘ହଁ’ ।

 

‘‘ଏଥର ସର୍ଜ୍ଜରୀ ମେଡ଼ାଲଟା (Surgery Medel) କିନ୍ତୁ ଆପଣଙ୍କର ।’’

 

ଆତ୍ମପ୍ରଶଂସା ଶୁଣି ନବକିଶୋର ଟିକିଏ କୁଣ୍ଠିତ ହୋଇ କହିଲେ, ‘‘ସେ ଧାରଣା ଆପଣଙ୍କର...।’’ ସୌଦାମିନୀ ହସି ହସି କହିଲେ, ‘‘ଆପଣ ଲୁଚାଇବାକୁ ଚେଷ୍ଟା କରୁଛନ୍ତି କାହିଁକି ? ଆପଣ ବିରକ୍ତ ହୋଇ ପାରନ୍ତି, କିନ୍ତୁ ସତ୍ୟଟାକୁ ମୁଁ ଗୋପନ ରଖିପାରେ ନା । ଜିତେନ ବାବୁ ଆମ କ୍ଳାସରେ ଯେତେବେଳେ ସର୍ଜ୍ଜରୀ ପଢ଼ାଇବାକୁ ଆରମ୍ଭ କରନ୍ତି, ଅର୍ଦ୍ଧେକ ସମୟ ତାଙ୍କର ଆପଣଙ୍କ ପ୍ରଶଂସା ଗାନରେ କଟିଯାଏ । ସେ ସବୁଦିନେ ତ କହନ୍ତି, ସର୍ଜ୍ଜରୀ ମେଡ଼ାଲଟା ଆପଣଙ୍କର ଥୁଆ । ଆମର ଫୋର୍‌ଥ ଇଅର ଷ୍ଟୁଡ଼େଣ୍ଟ ପ୍ରାୟ ସମସ୍ତେ ଆପଣଙ୍କୁ ବଡ଼ ଭଲପାନ୍ତି । ମୁଁ ପ୍ରତିଜ୍ଞା କରି କହୁଛି, ଆପଣଙ୍କ ପରି ସୁଶୀଳ ମେଧାବୀ ଛାତ୍ର ଖୁବ୍ କମ୍ ଦେଖାଯାନ୍ତି । ଅମୀୟ ବାବୁ ତ ବହୁବାର ଆମ କ୍ଳାସରେ କହିଛନ୍ତି, ତାଙ୍କର ସୁଦୀର୍ଘ ପନ୍ଦର ବର୍ଷ ଚାକିରୀ ଭିତରେ ସେ ଆପଣଙ୍କ ପରି ଷ୍ଟୁଡ଼େଣ୍ଟ ଆଉ ଜଣେ ଦେଖି ନାହାନ୍ତି । କାଲି ଆପଣଙ୍କ କଥା ବାବାଙ୍କୁ କହିଥିଲି । ସେ ଆପଣଙ୍କୁ ଦେଖିବାଲାଗି ବଡ଼ ଆଗ୍ରହ ପ୍ରକାଶ କରିଛନ୍ତି ।’’ ‘‘ଏଁ–ଏ କଣ ସବୁ ସତ୍ୟ ? ଜିତେନ ବାବୁ ମୋର ଏତେ ପ୍ରଶଂସା କରନ୍ତି ? ଫୋରଥ ଇଅର ପିଲାମାନେ ମୋତେ ଭଲପାନ୍ତି ? ଅମୀୟ ବାବୁ ବୁଢ଼ା ହେଲେଣି, ପୁଣି ଦୁନିଆ ବାହାର ଷ୍ଟ୍ରିକ୍‌ଟ ଲୋକ ସେ–ତାଙ୍କ ତୁଣ୍ଡରେ ମୋର ପ୍ରଶଂସା ? ବଡ଼ ଆଶ୍ଚର୍ଯ୍ୟ କଥା ! ସୌଦାମିନୀ କଣ ମୋତେ ଭଲପାଏ ? ହଁ, ଭଲ ପାଏ ବୋଲି ସିନା ତା’ ବାପାଙ୍କ ପାଖରେ ମୋ’ କଥା କହୁଥିଲା । ତା’ର ବାପା ବି ବଡ଼ ଭଲ ଲୋକ ଦେଖୁଛି । କନ୍ୟାଠାରୁ କ’ଣ ଦିପଦ ଶୁଣିଲାକ୍ଷଣି ତାଙ୍କର ମୋଠାରେ ଶ୍ରଦ୍ଧା ହୋଇଗଲା–ଦେଖିବା ପାଇଁ ଆଗ୍ରହାନ୍ୱିତ ହୋଇ ପଡ଼ିଲେ । ଦେଖିଲେ କେଡ଼େ ଆଦର ନ କରିବେ ? ପ୍ରକୃତରେ ସୌଦାମିନୀ ବଡ଼ ବୁଦ୍ଧିମତୀ, ବିଦୂଷୀ । ଏପରି ଲୋକ ସହିତ ମୁଁ ବନ୍ଧୁତା ସ୍ଥାପନ କରିପାରି ନାହିଁ ଆଜିଯାଏ ?’’ ନବକିଶୋର ଏହିପରି କେତେ କ’ଣ ଭାବୁଥିବା ବେଳେ ସୌଦାମିନୀ ସ୍ମିତ ହାସ୍ୟରେ ପ୍ରକୋଷ୍ଠ ଉଜ୍ଜ୍ୱଳ କରି କହିଲେ–‘‘ଆପଣ ଦୁଃଖିତ ହେଲେ କି ? କ୍ଷମା କରିବେ । ସତ କଥାଟା ମୋ ପେଟରେ ରହେ ନାହିଁ, ଆଗରୁ କହି ଦେଇଛି ପରା ।’’ ନବକିଶୋର ଈଷତ୍ ହାସ୍ୟ କରି କ’ଣ କହିବାକୁ ଉଦ୍ୟତ ହେଉଛନ୍ତି, ସେ ପୁଣି କହିଲେ–‘‘ଆଉ କହିବାର କିଛି ଆବଶ୍ୟକ ନାହିଁ–ଶୀଘ୍ର ପ୍ରସ୍ତୁତ ହୁଅନ୍ତୁ । ବାବା ତେଣେ ଚାହିଁ ବସିଛନ୍ତି–ଆଜି ଆମଘରେ ଆପଣଙ୍କର ନିମନ୍ତ୍ରଣ । କାଲିଠାରୁ ଏ କାର୍ଯ୍ୟର ଭାର ବାବା ମୋ ଉପରେ ଦେଇଛନ୍ତି । ପାଞ୍ଚଟା ବେଳେ ଆପଣଙ୍କୁ ଆସି ଖୋଜିଲି, ପାଇଲି ନାହିଁ; ଶୁଣିଲି, ଗଙ୍ଗାଆଡ଼େ ବୁଲି ଯାଇଛନ୍ତି । ଗଙ୍ଗା କୂଳରେ ମଧ୍ୟ ବହୁତ ଖୋଜିଲି । ସେଠାରୁ ବଙ୍କିମ ପାର୍କକୁ ଗଲି । ସେଠାରେ ନ ପାଇ ପୁଣି ଗଙ୍ଗାଆଡ଼େ ଯାଉଛି, ଆପଣ ଫେରୁଥିବାର ଦେଖିଲି । ସେତେବେଳେ ଆପଣ କିପରି ଚିନ୍ତିତ ଥିଲା ପରି ଜଣା ଯାଉଥିଲେ; ସେଥିପାଇଁ କିଛି କହି ପାରିଲି ନାହିଁ । ନିମନ୍ତ୍ରଣ କଥା ଏ ପର୍ଯ୍ୟନ୍ତ ଆପଣଙ୍କୁ ଜଣାଇ ନାହିଁ ବାବା ଶୁଣିଲେ ବିରକ୍ତ ହେବେ ବୋଲି, ତାଙ୍କୁ ଲୁଚି ଲୁଚି ପଳାଇ ଆସିଛି । କ୍ଷମା କରି ମୋ ସଙ୍ଗରେ ବର୍ତ୍ତମାନ ଆସନ୍ତୁ । କଣ କରିବି ? ଏ ଅପରାଧଟା ମାର୍ଜନା କରିବେ ।’’

 

ନବକିଶୋର ସୌଦାମିନୀର ମୁହଁକୁ ଚାହିଁ ରହିଲେ । ତାଙ୍କୁ ଏ ସମସ୍ତ ପ୍ରହେଳିକା ପରି ବୋଧ ହେଲା । ‘‘ଦେଖା ନାହିଁ, ସାକ୍ଷାତ ନାହିଁ, ଶୁଣା କଥା ପଦକରେ ନିମନ୍ତ୍ରଣ । କି ମହତ ! କି ଉଦାର ! ଧନ୍ୟ ସୌଦାମିନୀର ପିତା ! ଧନ୍ୟ ସୌଦାମିନୀ ! ବିନା ଦୋଷରେ ନିଜେ ନିଜେ ଦୋଷୀ ହୋଇ ବାରମ୍ବାର କ୍ଷମାପ୍ରାର୍ଥନା କରିବା ତ ଅଳ୍ପ ଗୁଣଗରିମାର ପରିଚାୟକ ନୁହେଁ । କି ଲଳିତ ମିଷ୍ଟ ବାକ୍ୟ ! ସତେ ଯେପରି କେତେ କେତେ ଯୁଗ ଧରି ଆପଣାର ଲୋକ ଏ । ସ୍ତ୍ରୀଜାତିର ଅଳଙ୍କାର ସିନା ଏହିମାନେ । ଏହିମାନେ ତ ଦେବୀ । ନାରୀତ୍ୱର ଚରମ ପରିଣତି ୟାଙ୍କରି ଠାରେ ସିନା ! ଏପରି ସ୍ତ୍ରୀର କେଉଁ ଚରଣ–ରେଣୁକୁ ପୁରୁଷ ଯୋଗ୍ୟ ଭଲା ?’’ ନବକିଶୋର ଆଉ ଭାବି ପାରିଲେ ନାହିଁ । ତାଙ୍କର ମୁଣ୍ଡ ଭିତରଟା କିପରି ଗୋଳମାଳିଆ ଧରିଗଲା ଗୋଟାଏ ଅଦିନିଆ ପ୍ରକାଣ୍ଡ ଝଡ଼ ତୋଫାନ ପରି ।

 

‘‘ଆଉ ବିଳମ୍ବ କାହିଁକି ? କ’ଣ କିଛି ଆପତ୍ତି ଅଛି ?’’

 

‘‘ହଁ’ ବହୁତ ଆପତ୍ତି ଅଛି ।’ କଥା ସଙ୍ଗେ ସଙ୍ଗେ ରହସ୍ୟ ବ୍ୟଞ୍ଜକ ହସରୁ ସୌଦାମିନୀ ଭାବଟା ବୁଝି ନେଲେ । ଉତ୍ତରରେ ମୃଦୁ ହସଟିଏ ହସି ଦେଲେ କେବଳ ।

Image

 

ଷୋଡ଼ଶ ପରିଚ୍ଛେଦ

 

ନବକିଶୋର ଆଉ ସୌଦାମିନୀଠାରୁ ଦୂରରେ ଦୂରରେ ନାହାନ୍ତି । ଉଭୟଙ୍କ ମଧ୍ୟରେ ବନ୍ଧୁତା ବେଶ ଜମିଗଲାଣି । ସୌଦାମିନୀର ବାବା ପ୍ରମଥବାବୁଙ୍କ ସହିତ ନବକିଶୋରଙ୍କର ମଧ୍ୟ ଉତ୍ତମରୂପେ ପରିଚୟ ହୋଇ ଗଲାଣି । ପ୍ରମଥବାବୁ ନବକିଶୋରଙ୍କୁ ବଡ଼ ସ୍ନେହ–ଚକ୍ଷୁରେ ଦେଖନ୍ତି-। କି ବାତ୍ସଲ୍ୟପୂର୍ଣ୍ଣ କଥା, କି ମିଷ୍ଟ ବ୍ୟବହାର ତାଙ୍କର । ବଡ଼ ଅମାୟିକ ଲୋକ ସେ । ନବକିଶୋର ତାଙ୍କୁ ଯେପରି ସ୍ନେହ ଓ ଭକ୍ତି କରନ୍ତି, ସେହିପରି ମନେ ମନେ ତାଙ୍କର ବଡ଼ ବାଧ୍ୟ ହୋଇ ପଡ଼ିଛନ୍ତି । ତାଙ୍କର କୌଣସି କଥାରେ ପ୍ରତିବାଦ କରିପାରନ୍ତି ନାହିଁ; ବରଂ ଦେବାଦେଶ ପରି ତାଙ୍କର କଥା ସବୁ ଶିରୋଧାର୍ଯ୍ୟ କରି ନିଅନ୍ତି ।

 

ନବକିଶୋର ବଡ଼ ଆଶା କରିଥିଲେ, ପୂଜାଛୁଟିରେ ଘରକୁ ଯିବେ । ଦୀର୍ଘ ଦିବସ ଧରି ଚିଠିପତ୍ର ଦେଇ ନାହାନ୍ତି, କି କୌଣସି ଖବର ରଖି ନାହାନ୍ତି; ସେଥିପାଇଁ ଲଳିତାଠାରୁ ଦୋଷ ମାଗିନେବେ । ସେ କ’ଣ କ୍ଷମା ଦେବ ନାହିଁ ? ପିତ୍ରାଦେଶ ପାଳନ କରି କିପରି ହୃଦୟକୁ ପାଷାଣଠାରୁ ଆହୁରି କଠିନ କରିପାରିଛନ୍ତି, ମର୍ମନ୍ତୁଦ ବେଦନାକୁ ମରମରେ ଚାପି ରଖି କର୍ତ୍ତବ୍ୟ ସାଧନ କରି ପାରିଛନ୍ତି, କେଡ଼େ ଭୀଷଣ ଅଗ୍ନିପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପାରିଛନ୍ତି, ଲଳିତା ଶୁଣିଲେ ବରଂ ଖୁସି ହବ–କେତେ ପ୍ରଶଂସା କରିବ । କିନ୍ତୁ ହାୟ, ନବକିଶୋରଙ୍କର ସେ ସୁଖସ୍ୱପ୍ନ ସବୁ ଭାଙ୍ଗିଗଲା ପିତାଙ୍କର ପଦେ କଥାରେ । ‘‘ତୁ ପୂଜା ଛୁଟିରେ ଘରକୁ ଯାଇ ଅକାରଣ ପଢ଼ପଢ଼ି ନଷ୍ଟ କରିବୁ କାହିଁକି ? ଏହିଠାରେ ରହି ଅତୁଲ ବାବୁଙ୍କ ସଙ୍ଗରେ ପଢ଼ାପଢ଼ି କର ।’’ ପିତାଙ୍କର ଏହି ହିତୋପଦେଶରୁ ଉଦ୍ଦେଶ୍ୟଟା ଜଣାପଡ଼ିଗଲା । ନବକିଶୋର ଆଉ ପ୍ରତିବାଦ କଲେ ନାହିଁ । ଯାହାହେଉ, ସେ ଛୁଟିଟା ନିତାନ୍ତ ଅଶାନ୍ତିରେ ନିତାନ୍ତ ଦୁଃଖରେ କଟି ନାହିଁ ତାଙ୍କର ସୌଦାମିନୀ ଲାଗି । ସୌଦାମିନୀଙ୍କର ଅକପଟ ବନ୍ଧୁତା, ସରଳ ମିଷ୍ଟ ବ୍ୟବହାରରେ ସେ ଲଳିତାର ବିଚ୍ଛେଦ–ବେଦନାକୁ ଗ୍ରାହ୍ୟ କରି ନାହାନ୍ତି ।

 

ପୂଜାର ଧୁମଧାମ ଲିଭିଗଲା । କର୍ତ୍ତବ୍ୟରେ ଲାଗିପଡ଼ିଲେ ସମସ୍ତେ ପୁଣି ନୂତନ ତେଜ ନୂତନ ଉତ୍ସାହରେ । ସମସ୍ତଙ୍କ ମଧ୍ୟରେ ନବକିଶୋର ମଧ୍ୟ ନିଜକୁ ଭୁଲାଇ ରଖି ଗନ୍ତବ୍ୟ ପଥରେ ଧାଇଁଲେ । ଚାହୁଁ ଚାହୁଁ ବୃକ୍ଷଲତା ନଦୀ ପର୍ବତ ସବୁ ଉଜାଡ଼ କରି ଧାଇଁ ଆସିଲା ଗ୍ରୀଷ୍ମ–ଭୂତ, ଗୋଟାଏ ତତଲା ଲୁହାଠେଙ୍ଗା ଚାରିଆଡ଼େ ବୁଲାଇ ବୁଲାଇ । ପ୍ରକୃତିରାଣୀର ସୌନ୍ଦର୍ଯ୍ୟପେଡ଼ି ପୋଡ଼ିଗଲା । ସୌନ୍ଦର୍ଯ୍ୟପ୍ରିୟ ଯେଉଁମାନେ ଦିବାନିଶି ବସି ସୌନ୍ଦର୍ଯ୍ୟର ଉପାସନା କରୁଥିଲେ, ସେମାନେ ସମସ୍ତେ ଛତ୍ରଭଙ୍ଗ ଦେଲେ । ଜଗତର ଶିରୀ ତୁଟିଗଲା । ସମସ୍ତ କାର୍ଯ୍ୟ ବିଶୃଙ୍ଖଳ ବିପର୍ଯ୍ୟସ୍ତ ହୋଇପଡ଼ିଲା । ଖାଲି ଚାରିଆଡ଼େ ପ୍ରଳୟ ଅଗ୍ନିର ତାଣ୍ଡବ ଲୀଳା ଲାଗିଗଲା । ସମସ୍ତେ ଆତ୍ମରକ୍ଷା କରିବାରେ ତତ୍ପର ହୋଇ ଉଠିଲେ । କର୍ମକ୍ଷେତ୍ରରୁ ଅବସର ମିଳିଲା । ନବକିଶୋର ପ୍ରତିଜ୍ଞା କରିଛନ୍ତି, ଆଉ କୌଣସି ଛୁଟିରେ ଘରକୁ ଯିବେ ନାହିଁ । ପୂଜାଛୁଟିରେ ତ ବାପା ଅନୁମତି ଦେଲେ ନାହିଁ; ଗ୍ରୀଷ୍ମଛୁଟିରେ କଅଣ ଅନୁମତି ଦେବେ ? ତାଙ୍କର ଇଚ୍ଛା ବିରୁଦ୍ଧରେ ତାଙ୍କ ମନରେ କଷ୍ଟ ଦେଇ କାହିଁକି ସେ ଆଉ ଗ୍ରାମକୁ ଯିବେ ? କିଏ ଅଛି ଗ୍ରାମରେ ତାଙ୍କର ? ସ୍ନେହମୟୀ ଜନନୀ, ଯାହାର ପ୍ରତ୍ୟେକ ରକ୍ତବିନ୍ଦୁରେ ତାଙ୍କର ଶରୀର ଗଠିତ, ସେ ତ ନାହାନ୍ତି–ଆଉ କିଏ ଅଛି-? ସର ଅପା, ଆଉ ଲଳିତା ଏହି ଦୁଇଜଣଙ୍କ ପାଇଁ ତାଙ୍କର ଗ୍ରାମକୁ ଯିବାର ଇଚ୍ଛା ତ ? ଲଳିତା ପାଇଁ ତ ଏତେ କାଣ୍ଡ; ବାକି ସର ଅପା । ଯେ ନିଜର ମାତାଙ୍କୁ ଚିରଦିନ ପାଇଁ ଭୁଲି ରହିପାରିବ, ସେ କ’ଣ ଏଇ କେତେଟା ବର୍ଷ ଅପାକୁ ଭୁଲି ପାରିବ ନାହିଁ ? ନା, ସେ ଗ୍ରାମକୁ ଯିବେ ନାହିଁ । ପିତାଙ୍କର ମନରେ ପରାସ ଦେବେ କାହିଁକି ?

 

ଅଶାନ୍ତି ଶାନ୍ତିର ମଧ୍ୟଦେଇ ଗ୍ରୀଷ୍ମଛୁଟିଟା କଟିଗଲା । ସୌଦାମିନୀ ବର୍ତ୍ତମାନ ନବକିଶୋରଙ୍କର ବଡ଼ ଆପଣାର, ବଡ଼ ଆଦରର, ବଡ଼ପ୍ରିୟ । ଦୁହେଁ ଦୁହିଁଙ୍କର ସ୍ନେହ–ଧନରେ କିଣା । ଘଡ଼ିକ ବିଚ୍ଛେଦ ଯୁଗର ବ୍ୟବଧାନ ପରି ବୋଧ ହେଉଛି । ସୌଦାମିନୀ ବର୍ତ୍ତମାନ ଛାତ୍ରୀ ନୁହନ୍ତି–ଡାକ୍ତରୀ ପାସ୍ କରି ଘରେ ବସିଛନ୍ତି । ଚବିଶ ଘଣ୍ଟା ତାଙ୍କର ଛୁଟି । ସେ ପ୍ରାୟ ଅଧିକାଂଶ ସମୟ ନବକିଶୋରଙ୍କ ପାଖରେ କଟାଉଛନ୍ତି । ସେ ଦୁହିଁଙ୍କର ଛାୟା କାୟା ସମ୍ବନ୍ଧ କହିଲେ ଚଳେ । ତଥାପି ତା’ ଭିତରେ ଗୋଟାଏ ଅତି ସାମାନ୍ୟ ଜିନିଷ ଉଭୟଙ୍କୁ ମହାସିନ୍ଧୁର ଦିଗନ୍ତ ବ୍ୟବଧାନରେ ଆଣି ଥୋଇ ଦେଉଛି । ନବକିଶୋରଙ୍କ ହୃଦୟର ଅନ୍ତରତମ ପ୍ରଦେଶରେ ଲୁକ୍କାୟିତ ରହିଛି ନିତାନ୍ତ ଅବାନ୍ତର ଅବାସ୍ତବ ଆବରଣରେ ଗୋଟାଏ ‘ଚୋରାଚାହାଣି ।’ ଏତେ ସୌହାର୍ଦ୍ଦ, ଏତେ ଘନିଷ୍ଠତା, ଏତେ ମିଳାମିଶା, ଏତେ ଦେଖାଚାହାଁ–କିନ୍ତୁ ଜଣେ ଆଉ ଜଣଙ୍କର ଅଲକ୍ଷ୍ୟରେ ଚୋରା ଚାହାଣିରେ ଚାହିଁବାକୁ ବଡ଼ ଲାଳାୟିତ, ବଡ଼ ଉତ୍କଣ୍ଠିତ, ବଡ଼ ଅଧୀର ! ନବକିଶୋର ସୌଦାମିନୀଙ୍କ ଯେତେ ଚୋରା ଚାହାଣିରେ ଚାହିଁଲେ ସୁଦ୍ଧା ତୃପ୍ତ ନ ହୋଇ ସଦାସର୍ବଦା ସେହିପରି ଭାବରେ ଚୋରାଇ ଚୋରାଇ ଚାହିଁବାକୁ ଇଚ୍ଛା କରନ୍ତି । ଇଚ୍ଛାକରନ୍ତି କଣ, ସ୍ୱତଃ ତାଙ୍କର ଆଖିଟା ଚାଲିଯାଏ ସେହି ଆଡ଼କୁ । ତାହାର ଅର୍ଥ କଣ ? ତାହାର ଅର୍ଥ ବଡ଼ ଜଟିଳ, ବଡ଼ ଦୁର୍ବୋଧ୍ୟ । ନବକିଶୋର ଶତଚେଷ୍ଟା କରି ସୁଦ୍ଧା ତାହାର ଅର୍ଥ ଆବିଷ୍କାର କରିପାରି ନାହାନ୍ତି । ନିଜର ଦୁର୍ବଳତା ସେ ବୁଝିପାରୁଛନ୍ତି । ସେଥିପାଇଁ ସେ ବଡ଼ ଅନୁତପ୍ତ, ବଡ଼ ଦୁଃଖିତ ଓ ଲଜ୍ଜିତ । ନିଜକୁ ନିଜେ ମଧ୍ୟ ବହୁଧିକାର ଦିଅନ୍ତି ସେଥିପାଇଁ । ସନ୍ଧ୍ୟା ଆଗତ ପ୍ରାୟ । ନବକିଶୋର ବିଛଣାରେ ପଡ଼ି ଭାବୁଛନ୍ତି, ‘‘ପିତା ଯାହା କହିଲେ, ସେ କ’ଣ ସତ୍ୟ ?’’

 

ଲଳିତା ଦୂଷିତା, କଳଙ୍କିନୀ–ରଘୁର ପାପପ୍ରଣୟରେ ନାରୀତ୍ୱକୁ ବଳି ଦେଇଛି ! ସତୀତ୍ୱ ଧନକୁ ହରାଇଛି ।’’ ତାଙ୍କର ମନ ପୁଣି ବିଦ୍ରୋହୀ ହୋଇ ଉଠିଲା । କିଏ କହିଲା–ଲଳିତା ଦୂଷିତା ? କିଏ କହିଲା, ଲଳିତା କଳଙ୍କିନୀ ? ଅସମ୍ଭବ–ଅସମ୍ଭବ । ଲଳିତା ଅକଳଙ୍କ–ସ୍ୱଚ୍ଛ, ଆଲୋକ ପରି ସ୍ୱଚ୍ଛ, କୌମୁଦୀ ପରି ବିମଳ । ଆଲୋକରେ ପୁଣି କଳଙ୍କ ଆସିବ କାହୁଁ ? ତେବେ ? ଏ ପିତାଙ୍କର ଦୁରଭିସନ୍ଧି ନିଶ୍ଚୟ । ସେ ତା’ ଉପରେ ଖଡ୍ଗହସ୍ତ । ସେଦିନ ପ୍ରତିଜ୍ଞା କରାଇବାରୁ ନବକିଶୋର କଣ ତାହାର ପ୍ରମାଣ ପାଇ ନାହାନ୍ତି ? ପୂଜାଛୁଟିରେ ଘରକୁ ଯିବାପାଇଁ ଅନୁମତି ମିଳିଲା ନାହିଁ କାହିଁକି ? ସେଥିରୁ କଣ ସେ ବୁଝିପାରି ନାହାନ୍ତି ? ଏ ତାଙ୍କର ଗୋଟାଏ ନୂତନ ପ୍ରକାରର ଷଡ଼ଯନ୍ତ୍ର ନିଶ୍ଚୟ । ପିତାଙ୍କ ଉପରେ ତାଙ୍କର କ୍ରୋଧାନଳ ଧୁ ଧୁ ହୋଇ ଜଳିଉଠିଲା । ମନ ହେଲା ବର୍ତ୍ତମାନ ସେ କୈଳାସଚନ୍ଦ୍ରଙ୍କୁ ଘେନିଯାନ୍ତେ ଗ୍ରାମକୁ–କହନ୍ତେ, କାହିଁ ଦେଖାଇ ଦିଅ ମୋତେ ଲଳିତା କେଉଁଠି ଦୂଷିତା ହୋଇଛି । କିନ୍ତୁ ପିତା ସେ; କଣ କରିବେ ? ମେରୁଦଣ୍ଡ ଭଗ୍ନ ଅଜଗର ପରି ସେହି ବିଛଣାରେ ପଡ଼ି ସେ ଗର୍ଜିବାକୁ ଲାଗିଲେ । ଲଳିତାର ନିଷ୍କଳଙ୍କ ଲଳିତ ମୁହଁଟି ତାଙ୍କର ଆଖି ଆଗରେ ଭାସିଉଠିଲା । ସେ ଆଉ କିଛି ଭାବିପାରିଲେ ନାହିଁ । ଦୁଇଚକ୍ଷୁରୁ ତପ୍ତ ଅଶ୍ରୁଧାର କେବଳ ବହିଯିବାକୁ ଲାଗିଲା ।

 

ଦିନ ଦଶଟା ହେବ । ନବକିଶୋର ସ୍କୁଲକୁ ବାହାରିଛନ୍ତି । କାମିଜଟା ପିନ୍ଧୁ ପିନ୍ଧୁ ବାପାଙ୍କର ଖଟ ଉପରେ ପଡ଼ିଥିବା ଗୋଟାଏ ଖୋଲାଚିଠି ତାଙ୍କର ଦୃଷ୍ଟି ଆକର୍ଷଣ କଲା । ପରିଚିତ ହସ୍ତାକ୍ଷର । ସେ କୌତୁହଳୀ ହୋଇ ଚିଠିଖଣ୍ଡ ପଢ଼ିବାକୁ ଆରମ୍ଭ କଲେ । ପ୍ରଥମରେ ‘‘ପଟାମୁଣ୍ଡାଇ’’ ଲେଖା ଦେଖି ତାଙ୍କର ହୃଦୟ ଭିତରଟା କିପରି କମ୍ପି ଉଠିଲା । ଗ୍ରାମର ଖବର କିଛି ଜାଣି ପାରିବେ ପରା ! ଆବେଗରେ ପାଠ କରିବାକୁ ଲାଗିଲେ । ଏ କଣ ? ଚମକି ଉଠି ଚିଠିଟାକୁ ଖଣ୍ଡେ ଦୂରକୁ ଫିଙ୍ଗିଦେଲେ । ପଦତଳେ ନାଗ ସାପଟାଏ ଦେଖିଲେ କେହି ଏଡ଼େ ଭୀତ ହେବ ନାହିଁ ବୋଧହୁଏ ! ସେ ନିଜର ଆଖିକୁ ବିଶ୍ୱାସ କରିପାରିଲେ ନାହିଁ । ଆଖି ଦୁଇଟାକୁ ଖୁବ ଭଲକରି ରୁମାଲରେ ପୋଛି ଦେଇ ଚିଠିଖଣ୍ଡ ଉଠାଇ ଆଣି ଭଲ କରି ଦେଖିଲେ । ଅବିକଳ ସେଇ ଲେଖା । ଶେଷରେ ଅଛି–‘‘ଆପଣଙ୍କର, ଦିନମଣି ।’’ ଏ ତ ଦିନମଣି ପଟ୍ଟନାୟକଙ୍କର ଲେଖା । ସେବା ମିଛ ଲେଖନ୍ତେ କାହିଁକି ? ତେବେ କଣ ଏ ସତ ? ଲଳିତାର ବିବାହ ହୋଇ ଯାଇଛି ? ‘‘ଜ୍ଞାତିବନ୍ଧୁମାନେ ସବୁ କଥା ଲୁଚାଇ ରଖି କୁଳଟା ଲଳିତାକୁ କଲ୍ୟାଣପୁରରେ ବାହା କରି ଦେଇଛନ୍ତି ।’’ ବାପା ଯାହା କହୁଥିଲେ, ସେ ନିରାଟ ସତ୍ୟ କଥା; ମୁଁ ବୃଥାରେ ତାଙ୍କ ଉପରେ ଦୋଷାରୋପ କରୁଥିଲି । ଲଳିତା ବିଭା ହୋଇଛି ? କଲ୍ୟାଣ ପୁରରେ ବିଭା ହୋଇଛି ?’’ ତାଙ୍କର ସ୍କୁଲ ଯିବା ହେଲା ନାହିଁ । ସେ ଭିତରୁ କବାଟ ବନ୍ଦ କରି ତାଙ୍କ କୋଠରୀରେ ଶୋଇ ପଡ଼ିଲେ । ସେହି ଲଳିତା–ଯାହାକୁ ସେ ହୃଦୟ ଉଜାଡ଼ କରି ସମସ୍ତ ପ୍ରେମ, ପ୍ରୀତି ଢ଼ାଳି ଦେଇଛନ୍ତି, ସେ ଆଜି କଲ୍ୟାଣପୁରରେ ବିଭା ହେଲା; ପୁଣି ରଘୁର ପାପ ପ୍ରଣୟରେ ପଡ଼ି ନାରୀତ୍ୱର ଅବମାନନା କରି କଳଙ୍କିନୀ, କଳୁଷିତ ହୋଇ ? ‘‘ନାରୀ ବିଶ୍ୱାସଘାତନୀ, ପ୍ରେତିନୀ, ପିଶାଚୀ । ତାହାର ସରଳ ହାସ୍ୟରେ ଏପରି ପ୍ରାଣଧ୍ୱଂସୀ ଗରଳ ପୁଣି ଲୁକ୍କାୟିତ ଥାଏ, ନିର୍ବୋଧ ପୁରୁଷ ତାହା ବୁଝିପାରେ ନାହିଁ । ନାରୀର ତରଳ କଟାକ୍ଷରେ ଏପରି ଶଇତାନୀ ଶକ୍ତି ଛପି ରହିଥାଏ, ଅଜ୍ଞ ପୁରୁଷ ତାହା ଦେଖିପାରେ ନା । ନାରୀକୁ ଅବଳା କହନ୍ତି । ଅବଳା ପୁଣି ଏପରି ଦୁଃସାଧ୍ୟ ସାଧନ କରିପାରେ, ନିରୀହ ପୁରୁଷ କଳ୍ପନାରେ ସୁଦ୍ଧା ଭାବିପାରେ ନା-। ସେ ରାକ୍ଷସୀ, ନରକର କୀଟ । ଭିତରେ ଗୌରବ ରଖି ଉପରେ ସୁଧା ସିଞ୍ଚି ନରକୁ ଭୁଲାଏ; ମୂର୍ଖ ନର ତାର ସତ୍ତା ସୁଦ୍ଧା ଅନୁମାନ କରିପାରେ ନାହିଁ–ତାର କୁହୁକରେ ଭୁଲିଯାଏ । ଓଃ, ମୁଁ କି ଭୁଲ କରିଥିଲି ! ସେ ମାୟାବିନୀ କୁହୁକିନୀର କି କୁହୁକରେ ପଡ଼ିଥିଲି ଏତେ ଦିନ ଯାଏ । ମୋର ମୋହ ଆଜି ଭାଙ୍ଗିଛି, ଚକ୍ଷୁ ଆଜି ଫିଟିଛି । ଧାରଣା ଥିଲା, ନାରୀ ସରଳା–ଲଳିତାର ଛଳନାରେ ନାରୀକୁ ଦେବୀ ଜ୍ଞାନ କରୁଥିଲି । କିନ୍ତୁ ନା, ଆଉ ନା ।’’ ତାଙ୍କର ହୃଦୟ ତୁଷାନଳରେ କୁହୁଳିବାକୁ ଲାଗିଲା । ମସ୍ତକରେ ଶତ ବୃଷ୍ଟିକର ବିଷାକ୍ତ ଦଂଶନ ଜ୍ୱାଳା ଅନୁଭବ କରି ସେ ଉଠି ପଳାଇଗଲେ-

 

ଗୋଧୂଳି ଆଗତପ୍ରାୟ । ଖଣ୍ଡେ ବଡ଼ କଳା ବଉଦ ସମୁଦାୟ ଆକାଶଟାକୁ ଢ଼ାଙ୍କି ପକାଇଛି । କେଉଁଠି ବଣା ହୋଇ ଟିକିଏ ନିଷ୍ପ୍ରଭ ଆଲୋକ ଆସି ଜୁମା ମସଜିଦର ଶିର ଚୁମ୍ବନ କରୁଛି । ଜଣା ଯାଉଛି ସନ୍ଧ୍ୟା ହେଲା ପରା । ଗୋଲାପ ଗନ୍ଧ ବହି ଅଳସ ବାଆଟା ଝରକା ବାଟ ଦେଇ ପଳାଇ ଯାଉଛି । ଲୁଚକାଳି ଖେଳୁଛି ବୋଧ ହୁଏ ତାଙ୍କ ସଙ୍ଗରେ । ହାରମୋନିୟମର ସ୍ୱର ଲହରୀ, ଆଉ ସୁଲୁସୁଲିଆ ମୃଦୁ ବାଆର ମଧୁର ପରଶରେ ସୌଦାମିନୀ ବିଭୋର । ସେ ହାରମୋନିଅମରେ ସ୍ୱର ମିଳାଇ ଗାଉଛନ୍ତି–

 

ନୟନେ ମୁଁ ତ କହିଛି କଥା ଫିଟାଇ ହୃଦୟ ଦ୍ୱାର ଗୋ

କ୍ଷଣକ ଦେଖାରେ ତେଜିଛି ଲାଜ କରି ସେ ଛବିକି ସାର ଗୋ ।୦।

ଜନକ ଜନନୀ ବିଭବ

କି ଅବା କୁଳ ଗଉରବ

ସକଳ ତେଜିଛି ସେ ରୂପେ ମଜ୍ଜିଛି ସେହି ମୋ ଗଳାର ହାର ଗୋ ।

ଭୁଲିଛି ନିଜକୁ ପୁଲକେ

କି ମନ୍ତରେ ମୁଁ ଗୋ ପଲକେ

ଚୋରାଇଲା କିଏ ସେ ଅଞ୍ଚଳନିଧି ସନ୍ଧାନ କେ ଦେବ ତା’ର ଗୋ ।

 

ସଙ୍ଗୀତର ତାଳେ ତାଳେ ସୁଧା ବରଷି ଯାଉଛି, ପ୍ରତି ଅକ୍ଷରେ ଅକ୍ଷରେ ହୃଦୟର ଅଭିବ୍ୟକ୍ତି ଫୁଟି ଉଠୁଛି । ନବକିଶୋର ବସି ଶୁଣୁଥିଲେ ଆତ୍ମହରା ହୋଇ ଶୁଣୁଥିଲେ । ସଙ୍ଗୀତ ଶେଷ ହେଲା । ସୌଦାମିନୀ ହାରମୋନିଅମଟା ଦୂରକୁ ଠେଲି ଦେଇ ପିଆନୋ ଘେନି ବସିଲେଣି ନବକିଶୋରଙ୍କୁ ଜଣା ନାହିଁ । ତାଙ୍କ କାନରେ ବାଜୁଛି–‘‘ନୟନେ ମୁଁ ତ କହିଛି କଥା ..।’’ ସେ ତନ୍ମୟ, ବିମୋହିତ ! କି ସୁନ୍ଦର ଲଳିତ ମିଷ୍ଟ ସ୍ୱର । ଏହି ତାଙ୍କର ସୌଦାମିନୀ କଣ୍ଠରେ ସଙ୍ଗୀତ ଶୁଣିବା ପ୍ରଥମ । ଗାନର କି ଚମତ୍କାର ଭାବ ! ସ୍ୱର ସହିତ ଭାବଭଙ୍ଗୀ ଜଣାଇ ଦେଉଛି ଯେପରି ନିତାନ୍ତ ସତ୍ୟ ଘଟଣାଟାଏ । ବାସ୍ତବିକ ନାରୀ ପକ୍ଷରେ ଏତେଟା ସମ୍ଭବ ସିନା । ନାରୀହିଁ ଏତେ ବଡ଼ ତ୍ୟାଗ ସ୍ୱୀକାର କରିପାରେ । ଆହା, ନାରୀ କି ସରଳ ! ତା’ର ସମସ୍ତ ଶରୀରଟା ସରଳତାରେ ଗଢ଼ା ଏକା । ଆଉ ଗୋଟିଏ ନାରୀମୂର୍ତ୍ତି ନବକିଶୋରଙ୍କର ମାନସ–ପଟରେ ଭାତି ଉଠିଲା । ନିତାନ୍ତ ସତ କଥା । ଲଳିତାକୁ ବାଲ୍ୟକାଳରୁ ସେ ଦେଖି ଆସୁଛନ୍ତି–ସମସ୍ତ ବାଲ୍ୟସ୍ମୃତି ତାଙ୍କର ଗୋଟିଏ ଗୋଟି ହୋଇ ମନରେ ପଡ଼ିଲା । ଲଳିତାର ଏହିପରି ସରଳତାରେ ଦିନେ ସେ ବିମୋହିତ ହୋଇଥିଲେ, ସେଥିପାଇଁ ତାଙ୍କର ହୃଦୟ–ସର୍ବସ୍ୱ ଅର୍ପଣ କରିଛନ୍ତି ସିନା । କିନ୍ତୁ ହାୟ ଆଜି ସେହି ଲଳିତା ବିଶ୍ୱାସଘାତିନୀ, ତାଙ୍କର ଗଳାରେ ଛୁରୀ ଦେଇଛି । କିପରି ସେ ଆଜି ପୁଣି ବିଶ୍ୱାସ କରିବେ ନାରୀ ସରଳା ବୋଲି ? ନାରୀ ପ୍ରତି ଘୃଣାରେ ତାଙ୍କର ମୁଖ ବିକୃତ ହୋଇଗଲା । ଛି, ସେ କେଡ଼େ ବଡ଼ ଭୁଲ କରୁଛନ୍ତି ! ନାରୀ ସର୍ବନାଶୀ ପିଶାଚୀ । ଈଶ୍ୱରଙ୍କର ନୀଚତମ ସୃଷ୍ଟି ହେଉଛି ନାରୀ । ସୌଦାମିନୀର ସୁନ୍ଦର ରୂପ ତାଙ୍କ ଆଖିରେ ନିତାନ୍ତ କୁତ୍ସିତ କଦାକାର ଦିଶିଲା । ଘୃଣାରେ ତାଙ୍କର ମୁହଁଟା ସ୍ୱତଃ ଅନ୍ୟଆଡ଼େ ବୁଲିଗଲା । ‘‘କି ନବବାବୁ, ଗାନଟା ପସନ୍ଦ ହେଲା ନାହିଁ ବୋଧ ହୁଏ ?’’ କହି ସୁମଧୁର ହାସ୍ୟଚ୍ଛଟାରେ ସୌଦାମିନୀ ଦିଗ ଉଜ୍ଜ୍ୱଳ କରିଦେଲେ । ନବକିଶୋରଙ୍କୁ ଉତ୍ତର ମିଳିଲା ନାହିଁ । କଣ କହିବେ ଭାବୁଛନ୍ତି, ସୌଦାମିନୀ ହସି ହସି କହିଲେ, ‘‘ଆସନ୍ତୁ ଆଜି ଇଡ଼େନ ଗାର୍ଡନ ଯିବା ।’’ ସେ ପ୍ରତିବାଦ କରିପାରିଲେ ନାହିଁ । କିପରି ବା ପ୍ରତିବାଦ କରନ୍ତେ ? କି ସୌହାର୍ଦ୍ଦପୂର୍ଣ୍ଣ ଲଳିତ ସ୍ୱର ! ତାହା ଶ୍ରବଣରେ ଜଡ଼ ପଦାର୍ଥ ସୁଦ୍ଧା ମୁଖର ହୋଇ ଉଠିବ ପରା–ସେ ତ ମନୁଷ୍ୟ, ରକ୍ତମାଂସର ଶରୀର ତାଙ୍କର–ଯୁବକର ହୃଦୟ ପୁଣି ବାୟୁ ପରି ଚଞ୍ଚଳ, ବିଦ୍ୟୁତ ପରି ପ୍ରଖର । ସେହି ହୃଦୟ ଘେନି ସେ ଏଡ଼େ ନିଷ୍ଠୁର ହୋଇପାରିବେ କିପରି ?

 

ଧୂସର ବଉଦ ଫାଙ୍କ ଦେଇ ଝିଲିମିଲି ଜୋଛନା ଧାରା ବହି ଆସୁଛି । ଉପବନଟି ସତେ ଯେପରି ଧଳା ସିଲ୍କ ଶାଢ଼ୀ ଖଣ୍ଡେ ପିନ୍ଧିଛି । ନାନାଜାତି ଫୁଲଗନ୍ଧଚୋରା ଶୀତଳ ପବନ ଦିଗ ମହକାଇ ଥରି ଥରି ଚାଲି ଯାଉଛି କେଉଁ ଦୂରଦେଶକୁ । ଅଳସ ଦେହକୁ ସେହି ବାୟୁ ପ୍ରବାହରେ ଭସାଇ ଦେଇ ପଥର–ବେଦିକାଟି ଉପରେ ବସିଛନ୍ତି ସୌଦାମିନୀ ଆଉ ନବକିଶୋର । କେତେକ୍ଷଣ ନୀରବରେ ଅତିବାହିତ ହୋଇଗଲା ପରେ ସୌଦାମିନୀ କହିଲେ, ‘‘ଆଚ୍ଛା ନବବାବୁ ସତ କହନ୍ତୁ ଆପଣ ବର୍ତ୍ତମାନ କଣ ଚିନ୍ତା କରୁଛନ୍ତି ?’’ ବଡ଼ ମୁସ୍କିଲ ବ୍ୟାପାର । ଜଣକ ଚିନ୍ତାରେ ଆଉ ଜଣକର ଯାଏ ଆସେ କେତେ ? ‘‘ସତ କହନ୍ତୁ’’ କାହିଁକି ? ସେଇଟା ଯଦି ଅପ୍ରକାଶ୍ୟ ହୋଇଥାଏ ? ଏ ପ୍ରଶ୍ନଟା ତ ଠିକ୍ ହେଲା ନାହିଁ । ନବକିଶୋର କି ଉତ୍ତର ଦେବେ ? ସତକଥାଟା କହିବାକୁ ଇଚ୍ଛା ହେଉ ନାହିଁ; ମିଛ କହୁଛନ୍ତି କିପରି ?

 

‘‘କିଛି ଆପତ୍ତି ଅଛି କହିବାରେ ? ଯଦି ସେପରି କିଛି...।’’

 

ନବକିଶୋର ବାଧା ଦେଇ କହିଲେ ‘‘ନା, ଆପତ୍ତି ଯଦିଚ ନାହିଁ, ଆପଣଙ୍କର ଶୁଣି ଲାଭ ନାହିଁ ବୋଲି ମୋର ମନେ ହୁଏ ।’’

 

‘‘ଲାଭ ଯେଉଁଠି ନାହିଁ, କ୍ଷତି ଥିବାର ତ ସମ୍ଭାବନା ନାହିଁ ?’’

 

‘‘ହଁ, କ୍ଷତି ନାହିଁ ସତ୍ୟ କଥା....।’’ ନବକିଶୋର ଟିକିଏ ଭାବି ନେଇ କହିଲେ, ‘‘ତେବେ ଶୁଣନ୍ତୁ । ମୁଁ ଭାବୁଛି ନାରୀଜାତି ବିଷୟରେ ।’’ ସୌଦାମିନୀଙ୍କର ଅନ୍ତର ଆନନ୍ଦରେ ନାଚି ଉଠିଲା । ସେ କୌତୁହଳାକ୍ରାନ୍ତ ହୋଇ ପଚାରିଲେ, ‘‘କଣ ନାରୀଜାତି ବିଷୟରେ ଭାବୁଛନ୍ତି ?’’

 

‘‘ପରମେଶ୍ୱର ନାରୀଜାତିର ସୃଷ୍ଟି କରିଛନ୍ତି ଯେ, ଜଗତର ମଙ୍ଗଳ ପାଇଁ କି ଅମଙ୍ଗଳ ପାଇଁ ?’’

 

‘‘ହୁଁ ।’’

 

ନବକିଶୋର କହିବେ କହିବେ ହୋଇ ଆଉ କିଛି କହିପାରିଲେ ନାହିଁ । ତାଙ୍କର ଗଳା ପାଖରେ ସବୁକଥାଗୁଡ଼ାକ ଅଟକି ଗଲା ଯେମିତି ।

 

‘‘ଚୁପ ରହିଲେ ଯେ ?’’

 

ନବକିଶୋର ଇତସ୍ତତଃ ହୋଇ ଆରମ୍ଭ କଲେ–‘‘ମୁଁ ଦେଖୁଛି, ନାରୀ ସବୁ ଅମଙ୍ଗଳର ମୂଳ, ଅନିଷ୍ଟର ଆକର, ଧୂମକେତୁ ସଦୃଶ । ନାରୀ ସୃଷ୍ଟିଟା ନ ଥିଲେ ସଂସାର ଏତେ ବେଦନା ଯାତନା ଶୋକ ଦୁଃଖ ନିରାନନ୍ଦରେ ପୂର୍ଣ୍ଣ ହୋଇ ନ ଥାନ୍ତା । ନାରୀ ହିଁ କେବଳ ଦୁଃଖର କାରଣ । ସେ ରାକ୍ଷସୀ ସର୍ବଗ୍ରାସୀ ଶକ୍ତିବଳରେ ସୁଖର ଅସ୍ତିତ୍ୱ ଲୋପ କରିବାକୁ ସର୍ବଦା ଚେଷ୍ଟିତ । ମୁଁ ମନେ କରେ, ନାରୀ କେବଳ ସବୁ ଜାତିର, ସମାଜର, ଦେଶର ଅଧଃପତନର ମୂଳଭିତ୍ତି । ନାରୀ ଯୋଗୁଁ..... ।’’

 

ସୌଦାମିନୀଙ୍କର ମୁହଁଟା ଫିକା ପଡ଼ିଗଲା । ଅସ୍ପଷ୍ଟ ଜ୍ୟୋତ୍ସ୍ନାରେ ନବକିଶୋର ତାହା ଲକ୍ଷ୍ୟ କରିପାରିଲେ ନାହିଁ । ସେ ବାଧା ଦେଇ କହିଲେ ‘‘ଆପଣ ଭୁଲ ବୁଝିଛନ୍ତି ନବବାବୁ, ଭୁଲ ବୁଝିଛନ୍ତି । ନାରୀ ସୃଷ୍ଟି ନ ଥିଲେ ସଂସାରଟା ନଥାନ୍ତା ବୋଧହୁଏ । ଯେଉଁ ଦିନ ଧରଣୀରୁ ନାରୀ ସୃଷ୍ଟି ଲୋପ ହେବ, ସେହି ମୁହୂର୍ତ୍ତରେ ଧରଣୀ ନିଶ୍ଚୟ ପାତାଳଗାମୀ ହେବ । ନାରୀ ସକଳ ଜାତିର, ସମାଜର, ଦେଶର ପ୍ରାଣ–ପଞ୍ଚଭୂତ ଆତ୍ମା । ନାରୀଠାରେ ନାରୀତ୍ୱ, ମାତୃତ୍ୱ ବୋଲି ଯେଉଁ ଦୁଇଟି ଶକ୍ତି ଅଛି, ଜାଣନ୍ତି ତାହା କିପରି ? ମାତୃତ୍ୱର ଆଦର୍ଶରେ ପୁରୁଷର ପ୍ରାଣ ଗଠିତ ନୁହେଁ କି-? ମାତୃ ଶବ୍ଦ ନ ଥିଲେ ପୁରୁଷ ସୃଷ୍ଟି ଜଗତରେ ସମ୍ଭବ ହୋଇଥାନ୍ତା କି ? ଯେ ନାରୀର ଅବମାନନା କରେ, ସେ ମାତୃତ୍ୱର ଅବମାନନା କରେ । ଯେ ମାତୃତ୍ୱର ଅବମାନନା କରେ, ସେ ନିତାନ୍ତ ଘୃଣ୍ୟ, ଅଧମ ନୁହେଁ କି ? ଜାଣନ୍ତି ନାହିଁ, ନାରୀତ୍ୱର ମହିମା ଦେଖାଇ ଯାଇଛନ୍ତି ସାବିତ୍ରୀ, ବେହୁଲା ପ୍ରଭୃତି ରମଣୀମାନେ, ଯାହାଙ୍କର ନାମ ଆଜି ପୁରୁଷ ସମାଜର ପ୍ରାତଃ ସ୍ମରଣୀୟ । ନାରୀର ନାରୀତ୍ୱ ନିକଟରେ ପୁରୁଷର ସମସ୍ତ ବଳବୀର୍ଯ୍ୟ ଗର୍ବ ଅହଙ୍କାର ବୁଦ୍‌ବୁଦ୍ ପରି ମିଳାଇ ଯାଏ–ପୁରୁଷ ପରାଜୟ ସ୍ୱୀକାର କରିବାକୁ ବାଧ୍ୟ ହୁଏ । ଆଉ ମାତୃତ୍ୱ ନିକଟରେ ସ୍ୱତଃ ତା’ର ମସ୍ତକ ନଇଁପଡ଼େ । ସ୍ନେହ, ଶ୍ରଦ୍ଧା, ପ୍ରୀତି, ପ୍ରଣୟର ପୁଣ୍ୟମୟ ପ୍ରାଣମୟ ଉତ୍ସରେ ପୁରୁଷ ନିଜକୁ ସମ୍ଭାଳି ନପାରି ମାତୃକୋଳରେ ଆଶ୍ରୟ ଗ୍ରହଣ କରି ଆତ୍ମରକ୍ଷା କରେ । ସତ୍ୟ ନୁହେଁ କି ଏ କଥା ନବବାବୁ ?’’

 

ନବକିଶୋରଙ୍କର ଉତ୍ତର ଦେବାକୁ ସାହସ କୁଳାଇଲା ନାହିଁ । ଏତେ ବଡ଼ ସତ୍ୟଟାକୁ ମିଥ୍ୟାର ଆବରଣରେ ଲୁଚାଇବେ କିପରି ? ତଥାପି ସେ ଶଙ୍କିତ ହୃଦୟରେ ସାହସ ବାନ୍ଧି କହିଲେ,“ହଁ, ସତ୍ୟ ବୋଲି ସ୍ୱୀକାର କଲି; କିନ୍ତୁ ସେହି ନାରୀ ନରକର, ସର୍ବନାଶିନୀ–ଏ କଥା ମଧ୍ୟ ଆପଣ ସ୍ୱୀକାର କରିବେ । ଉଦାହରଣ ସ୍ଵରୂପ–’’

 

‘‘ଉଦାହରଣ ଦେବାର ଦରକାର ନାହିଁ, ମୁଁ ଆପଣଙ୍କର ମନୋଗତ ଭାବ ବୁଝିପାରିଛି । ଦେଖନ୍ତୁ ଆଲୋକ ଅନ୍ଧାର, ଦିନରାତି, ପାପପୁଣ୍ୟ, ସୁଖଦୁଃଖ–ଏସବୁ ପରସ୍ପର ଲଗାଲଗି ହୋଇ ରହିଛନ୍ତି । ଭଲ ପାଖରେ ମନ୍ଦ ନ ଥିଲେ ଭଲର ମାହାତ୍ମ୍ୟ କେହି ବୁଝନ୍ତେ ନାହିଁ, ମନ୍ଦର ରୁକ୍ଷତା ଉପଲବ୍‌ଧ କରନ୍ତେ ନାହିଁ । ସେହିପରି ଦେବୀ ରାକ୍ଷସୀ ଯୋଡ଼ାଏ ଅତି ନିକଟ ସମ୍ପର୍କରେ ଆବଦ୍ଧ । ନାରୀଠାରେ ନାରୀତ୍ୱ ଅଛି, ମାତୃତ୍ୱ ଅଛି–ଦେବୀତ୍ୱ, ରାକ୍ଷସୀତ୍ୱ ମଧ୍ୟ ଅଛି । କିନ୍ତୁ–’’

 

‘‘ଯେଉଁଠି ଦେଖନ୍ତୁ, ନାରୀର ରାକ୍ଷସୀତ୍ୱରୁ ସକଳ ଅନିଷ୍ଟର ସୂତ୍ରପାତ, ଅଧଃପତନର ଆରମ୍ଭ ।”

 

‘‘ବେଶ୍, ମୁଁ ତାହା ସ୍ୱୀକାର କରୁଛି; କିନ୍ତୁ ସେ କାହା ଯୋଗୁଁ ? ସେ କଣ ନାରୀର ଦୋଷ-? ପୁରୁଷ ଯେ ତାର ପଥପ୍ରର୍ଦଶକ । ଜାତି କହନ୍ତୁ, ସମାଜ କହନ୍ତୁ, ଦେଶ କହନ୍ତୁ, ଏ ସବୁର ନିୟାମକ କିଏ ? କର୍ଣ୍ଣଧାର କିଏ ? ପୁରୁଷ ସେ ସବୁର ହର୍ତ୍ତାକର୍ତ୍ତା ଦଇବ ବିଧାତା । ସେ ରାଜ୍ୟରେ ତାର ଏକାଧିପତ୍ୟ ବ୍ୟବସାୟ । ନାରୀର ସ୍ଥାନ ନାହିଁ ସେଠାରେ; ନାରୀ ସେଠାରେ ମୂକ, ବଧିର ଏବଂ ଅନ୍ଧ । ନୀତି, ନିୟମ ଗଢ଼ିବା, ଭାଙ୍ଗିବା–ପୁଣି ଗଢ଼ି ପୁଣି ଭାଙ୍ଗିବା ଏ ସମସ୍ତ ପୁରୁଷ ହାତରେ । ନାରୀର ଶଇତାନୀ ପ୍ରକୃତି ଉଦ୍‌ଜୀବିତ କରି ଦେଉଛି ପୁରୁଷ । ନାରୀ... ।’’ ପୂର୍ବରୁ ନବକିଶୋରଙ୍କ ମୁଣ୍ଡ ଗୋଳମାଳ ହୋଇଯାଇଥିଲା । ସୌଦାମିନୀ ଏ କଥା ସବୁ ଭିତରେ ପଶିପାରୁ ନଥିଲା । ସେ ଚାହୁଁଥିଲେ, ନୀରବ ନିର୍ଜନ ସାଥୀ । କହିଲେ ‘‘ମୁଁ କିନ୍ତୁ ନାରୀ ଜାତିକୁ ବଡ଼ ଘୃଣା କରେ ।’’

 

ସୌଦାମିନୀ କ୍ରୋଧରେ ଫୁଲି ଉଠିଲେ । କହିଲେ, ‘‘ପ୍ରତ୍ୟକ ଲୋକ ରୁଚି ବିଭିନ୍ନ । ସେ ବ୍ୟକ୍ତିଗତ ବିଷୟରେ ମୋର କହିବାର କିଛି ନାହିଁ । କିନ୍ତୁ ଆପଣ ଧୀରସ୍ଥିର ଚିତ୍ତରେ ଭାବି ଦେଖିବେ, ନାରୀର ସରଳ ଅନ୍ତଃକରଣରେ ନିର୍ମମ ଶଇତାନୀ ପ୍ରବୃତ୍ତି ଜଗାଇ ଦେଉଛି କିଏ ? ପୁରୁଷ ନାରୀର ସର୍ବନାଶ କରୁଛି । ସେ ନାରୀକୁ ରାକ୍ଷସୀ ପିଶାଚୀ ପ୍ରେତିନୀ କରି ଗଢ଼ୁଛି । ପୁରୁଷ ଯୋଗୁ ନାରୀ ଆଜି ଜଗତ ଚକ୍ଷୁରେ ଘୃଣ୍ୟ, ନୀଚ !’’

 

ଅର୍ଦ୍ଧରଜନୀ । ଜଗତ ସୁଷୁପ୍ତିରେ ମଗ୍ନ । ନବକିଶୋରଙ୍କର ସେ ପର୍ଯ୍ୟନ୍ତ ପଲକ ପଡ଼ି ନାହିଁ । ତାଙ୍କର ଅନ୍ତରରେ ଖାଲି ବାଜି ଉଠୁଛି ସୌଦାମିନୀଙ୍କର ସେହି ଶେଷ କଥାଟି–‘‘ନାରୀକୁ ରାକ୍ଷସୀ ପିଶାଚୀ କରି ଗଢ଼ୁଛି ପୁରୁଷ ।’’ ସୌଦାମିନୀ ଯାହା କହିଲେ, ବାସ୍ତବିକ ତ; ଗୋଟିଏ ବର୍ଣ୍ଣ ସୁଦ୍ଧା ଭୁଲ ନାହିଁ । ଲଳିତା, କେଡ଼େ ସ୍ୱଚ୍ଛ ସରଳ ନ ଥିଲା ସେ ! ବର୍ତ୍ତମାନ କିନ୍ତୁ ବିଶ୍ୱାସଘାତିନୀ–କାହାପାଇଁ ? ମୁଁ ଯଦି ତାକୁ ପୂର୍ବ ପରି ପତ୍ର ଦେଉଥାନ୍ତି, ମୋ ହୃଦୟରେ ତା’ର ସ୍ୱର୍ଣ୍ଣ ସିଂହାସନ ସ୍ଥାପିତ ବୋଲି ସତର୍କ କରାଇ ଦେଉଥାନ୍ତି, ତେବେ.... । ବାପା ଯଦି ମୋତେ ପତ୍ରଦେବାକୁ କିମ୍ବା ଗ୍ରାମକୁ ଯିବାକୁ ନିଷେଧ କରି ନ ଥାନ୍ତେ.... । ଏ ନିଶ୍ଚୟ ପୁରୁଷର ଦୋଷ.... । ନାରୀ ନ ଥିଲେ ସଂସାର ନଥାନ୍ତା–ଏ କ’ଣ ସତ୍ୟ କଥା ? ସୌଦାମିନୀ ! ସୌଦାମିନୀ ! ତମେ କଣ ସେହି ନାରୀ, ଯାହାର ଅଭାବରେ ଧରଣୀ ପାତାଳଗାମୀ ହେବ ? ଯାହାର ଅବର୍ତ୍ତମାନରେ ପ୍ରେମ, ପ୍ରୀତି, ସ୍ନେହ, ଶ୍ରଦ୍ଧା ହୃଦୟରୁ ଅନ୍ତର୍ହିତ ହୋଇଯାଏ, ତମେ କଣ ସେହି ଦେବୀ ?

Image

 

ସପ୍ତଦଶ ପରିଚ୍ଛେଦ

 

ଅସରାଏ ବର୍ଷା ହୋଇ ଛାଡ଼ିଯାଇଛି । ଆକାଶ ଏ ପର୍ଯ୍ୟନ୍ତ ମେଘାଚ୍ଛନ୍ନ । ବାୟୁ ଟିକିଏ ନିଶ୍ଚଳ ଥିବାରୁ ନିକଟରେ ବର୍ଷାର ସମ୍ଭାବନା ନାହିଁ । ତଥାପି ଆଗ୍ନେୟଗିରିରୁ ଅଗ୍ନି ଉଦଗିରଣ ହେବା ପୂର୍ବରୁ ତାହାର ମନ୍ଦ୍ର ନିନାଦ ଯେପରି ଲୋକମାନଙ୍କୁ ଅଗ୍ନ୍ୟୁଦ୍‌ଗିରଣର ସୂଚନା ଦିଏ, ମେଘର ଘଡ଼ ଘଡ଼ ଶବ୍ଦ ସେହିପରି ଅଦୂର ଭବିଷ୍ୟତରେ ପ୍ରବଳ ବର୍ଷା ହେବ ବୋଲି ଜଣାଇ ଦେଉଛି । ବେଳ ଦୁଇ ପ୍ରହରରୁ ବଳିଲାଣି; କିନ୍ତୁ କଳାବଉଦର ପୃଥୁଳ ଶରୀରଟାକୁ ବିଦ୍ଧ କରି ରବିରଶ୍ମି ପୃଥିବୀପୃଷ୍ଠକୁ ଆସିପାରୁ ନ ଥିବାରୁ ସନ୍ଧ୍ୟା ହେଲା ପରି ଜଣାଯାଉଛି ।

 

ସର ସେହି ବଉଦ–ଢଙ୍କା ଆକାଶକୁ ଚାହିଁ ବିଜନ କୁଟୀରଟିରେ ନୀରବରେ ବସିଛି । ତା ହୃଦୟାକାଶଟି ସେହିପରି ଘନ ବଉଦରେ ଢଙ୍କା । ତା’ର ବାଲ୍ୟକାଳର ସମସ୍ତ ଘଟଣା ଏକ ଏକ ହୋଇ ମନରେ ଜାଗିଉଠୁଛି । କିପରି ତାହାର ଭାଗ୍ୟ–ଡୋରି ଆଉ ଜଣେ ଅପରିଚିତ ଲୋକର ଭାଗ୍ୟ ସହିତ ଛନ୍ଦାହେଲା–ସେ ଯାଇ ତା’ର ଘର କରିବାରେ ଲାଗିପଡ଼ିଲା । କିପରି ପୁଣି ତାର ଭାଗ୍ୟ–ପରିବର୍ତ୍ତନ ଘଟିଲା–ପିତ୍ରାଳୟକୁ ସେ ଫେରି ଆସିଲା । ନବକିଶୋର ସେତେବେଳେ ନିତାନ୍ତ ଛୋଟ ପିଲାଟିଏ । ସେ ମା ପରି ତାର ଯାବତୀୟ ଅର୍ଦ୍ଦଳି ସହି ରକ୍ତକୁ ପାଣି ଫଟାଇ ତାକୁ ମନୁଷ୍ୟ କରିଛି । କେତେ ସହି ନାହିଁ ତାର ସେ ! ନବକିଶୋର ଲାଗି ସେ କି ସ୍ୱାର୍ଥତ୍ୟାଗ କରିନାହିଁ-! କିନ୍ତୁ ସେ ବର୍ତ୍ତମାନ କଣ କଲା ? ଏହି କଣ ତାର ପ୍ରତିଦାନ ? ଶେଷରେ କେଉଁ ଦୂରଦେଶରେ ନିଜର କ୍ଷୁଦ୍ର ସ୍ୱାର୍ଥଟି ନେଇ ଆନନ୍ଦରେ ରହିଲା ଅପା ବୋଲି ଥରେ ପଚାରିଲା ନାହିଁ-। ଏଡ଼େ ସ୍ୱାର୍ଥପର ସଂସାରଟା । ଏଡ଼େ ଅକୃତଜ୍ଞ ମନୁଷ୍ୟଗୁଡ଼ା । ଆଜି ସୁଦ୍ଧା ନବକିଶୋର ଚିନ୍ତାରେ ତା ଆଖିରେ ପଲକ ପଡ଼ୁ ନାହିଁ; କିନ୍ତୁ ସେ ମହାଆନନ୍ଦରେ କାଳ ଯାପନ କରୁଛି । ଥରେ ହେଲେ ଭାବୁ ନାହିଁ କେହିଜଣେ ତା’ର ଆପଣର ଲୋକ କେଉଁଦୂର ଦେଶରେ ପଡ଼ିଛି ବୋଲି । ସେ ମଲା କି ରହିଲା, ତାର ଖବର ସୁଦ୍ଧା ନେଲା ନାହିଁ । ନିଜର ପୁଅ ହୋଇଥିଲେ କଣ ଏହିପରି ବ୍ୟବହାର କରିଥାନ୍ତା ? ତାର ସ୍ନେହମୟୀ ଜନନୀଙ୍କର କଥା ମନେ ପଡ଼ିଲା । ନବକିଶୋର ମା’ଙ୍କ ପାଇଁ ବା କଣ କରିଛି ? ସେ ନିଜେ ବା କଣ କରିପାରିଲା ? ଶରଧା ଦେଈ ତାକୁ ଛାଡ଼ି ଚାଲିଗଲେ–କେତେ କଷ୍ଟ ଭୋଗି ଭୋଗି ଯାଇ ନାହାନ୍ତି ସେ ! ସର କଣ କରିଛି ସେଥିପାଇଁ ? ସେ ତାର ସ୍ଵାର୍ଥଟି ନେଇ ପଡ଼ିରହି ନାହିଁ କି ? ସେ ନିଜେ ଯଦି ମାଙ୍କ’ ସଙ୍ଗରେ ନିଜର ଦେହକୁ ମାଟିରେ ମିଶାଇ ଦେଇଥାନ୍ତା, ତଥାପି ତାଙ୍କ ଦାନର ଉପଯୁକ୍ତ ପ୍ରତିଦାନ ହୋଇଥାନ୍ତା କି ? ନା, ସେଥିରେ ତାଙ୍କର ବେଦନା ଯାତନାର କଣ ଲାଘବ ହୋଇଥାନ୍ତା ? ତେବେ ଏ ସଂସାରର ନିୟମ ଏହିପରି–କେହି କାହାରି ଦାନର ପ୍ରତିଦାନ କରିପାରେ ନାହିଁ । ଆହା ! ମା ତାର ମରିବା ପୂର୍ବରୁ ନବକୁ କେତେ ଖୋଜି ନାହାନ୍ତି । ଅର୍ଦ୍ଧ ଅଜ୍ଞାନ ଅବସ୍ଥାରେ ନବ ନବ କେତେ ଚିତ୍‌କାର କରି ନାହାନ୍ତି । ତା’ର ମନେ ପଡ଼ିଲା–ମରିବା ପୂର୍ବରୁ ବୋଉ ତା’ର ଲଳିତାକୁ କିପରି ପିତାଙ୍କୁ ହସ୍ତରେ ଅର୍ପଣ କରି ଦେଇଥିଲେ-। ତାଙ୍କର ଗୋଟାଏ ବାସନା ଅପୂର୍ଣ୍ଣ ରହିଯାଇଥିଲା ବୋଲି ସେ ବାସନା ପୂର୍ଣ୍ଣ କରିବାର ଭାର ପିତାଙ୍କୁ ଦେଇ ଯାଇଛନ୍ତି । କିନ୍ତୁ ନବ କଣ କରି ବସିଲା ? ମାତାଙ୍କର ଅନ୍ତିମ ଆଦେଶକୁ ପଦରେ ଠେଲିଦେଲା ? ଦୁଃଖରେ ତା’ର ହୃଦୟ ଫାଟିଯିବାକୁ ଲାଗିଲା । ସଙ୍ଗେ ସଙ୍ଗେ ଆଉ ଗୋଟିଏ ମୂର୍ତ୍ତି ତାର ନୟନାତିଥି ହେଲା । ଲଳିତା ଆହା ଦେବୀ ପ୍ରତିମାଟି ! ବୋଉ ତାକୁ ପ୍ରାଣଠାରୁ ବଳି ଭଲ ପାଉଥିଲେ । ସାକ୍ଷାତ୍ କରୁଣାର ଅବତାର ସେ । ତା’ ହୃଦୟ କି ଅପୂର୍ବ ଉପାଦାନରେ ଗଢ଼ା ! ସେ ନବକୁ କେତେ ଭଲ ପାଏ । ଏ ଟୋକାଟା ଏଡ଼େ ମୂର୍ଖ । ସେପରି ଦେବୀକୁ ଚାହିଁଲା ନାହିଁ । ଆହା, ବର୍ତ୍ତମାନ ତାର କେଡ଼େ ଦୁଃଖ ନ ହେବ ! ସମବେଦନାରେ ତାର ଚକ୍ଷୁ ତିନ୍ତିଗଲା; ସେ ଆଉ ଭାବି ପାରିଲା ନାହିଁ ।

 

‘‘କଣ କରୁଛ କି ଅପା ।” କହି ଲଳିତା ଠିଆ ହୋଇଗଲା । ସର ମୁହଁରେ କଥା ନାହିଁ । ଲଳିତା ନିକଟବର୍ତ୍ତୀ ହୋଇ କହିଲା, “ଏକୁଟିଆରେ ଭଲଲାଗୁନାହିଁ ନା କଣ ? ଏ କଣ ? କାନ୍ଦୁଛ ଅପା ? ତମର ସବୁଦିନେ ଏହି କଥା ଗଲା ନାହିଁ । ସେ ତ ବିଦେଶରେ ଚାକିରୀ କଲେ, ବାରମାସ ଯାକ ପୁଣି ଘରେ ରହିବେ କିପରି ? ମଝିରେ ମଝିରେ ତ ଆସୁଛନ୍ତି, ହାନିଲାଭ ବୁଝୁଛନ୍ତି–ଆଦୌ ନ ଆସନ୍ତେ କି, ତମେ ଚିନ୍ତା କରନ୍ତ, ଦୁଃଖ କରନ୍ତ । କାଲି ସେ ଘର ଛାଡ଼ି ଗଲେ କି ନାହିଁ, ଆଜି ତମର କାନ୍ଦଣା ! ଛି, ଏମିତି ହେଲେ ଚଳିବ କିପରି ? ସବୁ ଆଡ଼ ତ ଜଗିବା ଦରକାର ।’’ ଲଳିତା ପଣତ କାନିରେ ସରର ଆଖି ପୋଛିବାକୁ ଲାଗିଲା । ସର ଏତେବେଳ ଯାଏ ନୀରବ ଥିଲା । ଆଉ ସମ୍ଭାଳି ପାରିଲା ନାହିଁ । ଲଳିତାକୁ କୋଳକୁ ଟାଣିନେଇ ଝର ଝର ଲୋତକଧାରରେ ବକ୍ଷ ଭିଜାଇ କାତର କଣ୍ଠରେ କହିଲା, ‘‘ବାପା ଗଲେ, ମୁଁ ଦୁଃଖ କରୁ ନାହିଁ । ତୋରି ଦୁଃଖ ମୋ କଲିଜା ଫଟାଇ ଦେଉଚି । ମୁଁ କଣ ଜାଣିଥିଲି, ସେ ଟୋକାଟା ଏମିତି ବୁକୁରେ ଛୁରୀ ଦେବ ବୋଲି !” ଆଉ କହି ପାରିଲା ନାହିଁ । ଲଳିତାର ମଧ୍ୟ ଶୁଣିବା ଦରକାର ନ ଥିଲା । ସେତିକି କଥାରୁ ସେ ସମୁଦାୟ ଘଟଣାଟି ବୁଝିନେଲା । ଯେଉଁ ପ୍ରଶ୍ନର ସଦୁତ୍ତର ପାଇବା ଲାଗି ସର ଅପା ନିକଟକୁ ଆସିଥିଲା, ସେ ନ ପଚାରୁଣୁ ତା’ର ଉତ୍ତର ମିଳିଗଲା । ସତେ ନବକିଶୋର ଆଉ ଲଳିତାର ନୁହନ୍ତି ? ଯାତନା ଭାରରେ ତାର ହୃଦୟ ଖଣ୍ଡ ଖଣ୍ଡ ହୋଇ ପଡ଼ିବାକୁ ଲାଗିଲା । ସେ ସରର ଅଶ୍ରୁସିକ୍ତ ମୁହଁକୁ ଚାହିଁ କାତର–କଣ୍ଠରେ କହିଲା–‘‘ଅପା !’’ ତେଣିକି ଆଉ କହିପାରିଲା ନାହିଁ; ସର–କୋଳରେ ମୁହଁ ଲୁଚାଇ ଫୁଲି ଫୁଲି କାନ୍ଦିବାକୁ ଲାଗିଲା । ଉଭୟେ ମର୍ମନ୍ତୁଦ ବେଦନା ଅନୁଭବ କରୁଛନ୍ତି; କିନ୍ତୁ ପ୍ରକାଶ କରିପାରୁ ନାହାନ୍ତି, କି କେହି କାହାରିକୁ ସାନ୍ତ୍ୱନା ଦେବାକୁ ସମର୍ଥ ହୋଇପାରୁ ନାହାନ୍ତି ।

 

‘‘ହୃଦୟେଶ୍ୱର ! ତମେ ବିବାହ କରିଛ ? ବିବାହ କର–କ୍ଷତି କଣ ? ପୁରୁଷର ସେ ସ୍ୱାଧୀନତା ତ ଯୁଗ ଯୁଗ ଧରି ଚଳିଆସୁଛି । ତମର ବା ଦୋଷ କଣ ? କିନ୍ତୁ ଏ ଅଭାଗିନୀକୁ ପଦେ ହେଲେ ପଚାରିଲ ନାହିଁ ? ଦୁଇ ବର୍ଷ ହୋଇଗଲା, ଖଣ୍ଡେ ପତ୍ର ସୁଦ୍ଧା ଦେଇ ନାହିଁ ? ଏ ହତଭାଗିନୀର ସ୍ମୃତିଟିକ କଣ ଚିରଦିନ ଲାଗି ହୃଦୟରୁ ପୋଛିଦେଲ ?” ଆଜି ଲଳିତାର ହୃଦୟ ଆଉ ଲଜ୍ଜାସଙ୍କୋଚ ମାନିଲା ନାହିଁ । ସ୍ୱତଃ ହୃଦୟର ଅବରୁଦ୍ଧ ଦ୍ୱାର ଉନ୍ମୁକ୍ତ ହୋଇଗଲା । ସେ ସରକୁ ଲକ୍ଷ୍ୟ କରିକହିଲା, “ମୋ ପରି ପୋଡ଼ା କପାଳୀ ଏ ପୃଥିବୀରେ ଆଉ କିଏ ଅଛି ?’’ ସର କି ଉତ୍ତର ଦେବ ? ମସ୍ତକ ଅବନତ କଲା । ଲଳିତା ଅଶ୍ରୁମୋଚନ କରି କହିଲା, ‘‘ଖାଲି ଦୁଃଖ ସହିବାକୁ ଯେପରି ମୋର ଜନ୍ମ !’’ ସର ତାକୁ ଆହୁରି ବକ୍ଷକୁ ଟାଣିନେଇ କହିଲା, ‘‘ତୋର ଏ ଦୁଃଖ କଣ ବେଶି ? ମୋର ଦୁଃଖ ତୁ ଜାଣୁ ? ମୋତେ ଯେତେବେଳେ ପନ୍ଦରବର୍ଷ, ମୁଁ ସେତେବେଳେ ସ୍ଵାମୀ... ।’’ ଟିକିଏ ପରେ ନିଜକୁ ସମ୍ଭାଳି ନେଇ ପୁଣି କହିଲା, “ତୋର ଏକା ନୁହେଁ–ସ୍ତ୍ରୀ ଜନ୍ମଟା ଦୁଃଖମୟ । ସ୍ତ୍ରୀମାନଙ୍କର ଜନ୍ମ କେବଳ ଦୁଃଖକଷ୍ଟ ଭୋଗ କରିବାକୁ ।”

 

“ଏତେ ଦୁଃଖ କଷ୍ଟ ସହି ବଞ୍ଚି ରହିବାଠାରୁ ମରଣ ଶତଗୁଣେ ଭଲ ଅପା ! ଏ ଜୀବନରେ ଆଉ କି ଲାଭ ?”

 

ତାର ମୁଣ୍ଡରେ ହାତ ବୁଲାଉ ବୁଲାଉ ସର କହିଲା, ‘‘ଛି, ସେ ଗୋଟାଏ କଣ ? ଯେଉଁ ଦିନ ମୋ ହାତରୁ ଖଡ଼ୁ, କାଚ ଓହ୍ଲାଇନେଲେ, ମୁଣ୍ଡରୁ ସିନ୍ଦୂର ପୋଛି ପକାଇଲେ, ସେଦିନ ମୁଁ ଠିକ ଏହିପରି ଭାବିଥିଲି । ଇଚ୍ଛା କରିଥିଲେ ମରି ପାରିଥାନ୍ତି । ସେପରି ସୁବିଧା ମଧ୍ୟ ଯଥେଷ୍ଟ ଥିଲା । ବାଧା ଦେବାକୁ କେହି ନ ଥିଲେ; କିନ୍ତୁ ଗୋଟାଏ କଥା ଭାବି ମରିପାରିଲି ନାହିଁ । ମୁଁ ମୂର୍ଖ ବୋଲି ମୋ କଥାଟାକୁ ଉଡ଼ାଇ ଦେନା । ଟିକିଏ ଭାବି ଦେଖିଲୁ, ମୁଁ ଯାହା କହୁଚି, ତାହା ଠିକ୍ କି ଭୁଲ । ଆମର ଏଇ ଯେଉଁ ଦେହଟି–ଦେହ ଭିତରେ ପୁଣି ଜୀବନଟି, ଏହାର ସୃଷ୍ଟିକର୍ତ୍ତା କିଏ ? ଭଗବାନ ସୃଷ୍ଟି କରିଛନ୍ତି ତ ? ଆମକୁ ସୃଷ୍ଟି କରିବାରେ ତାଙ୍କର କିଛି ନା କିଛି ଗୋଟାଏ ଉଦ୍ଦେଶ୍ୟ ଅଛି ନିଶ୍ଚୟ । ସେଇ ପ୍ରଭୁ ସୃଷ୍ଟି କରୁଛନ୍ତି, ସେଇ ପ୍ରଭୁ ନଷ୍ଟ କରୁଛନ୍ତି–ସେଇ ଜନ୍ମଦାତା, ସେଇ ମରଣ ବିଧାତା । ଜନ୍ମ କରିବାରେ ଯେପରି ତାଙ୍କର କିଛି ନା କିଛି ଉଦ୍ଦେଶ୍ୟ ଅଛି, ମାରିବାରେ ମଧ୍ୟ ସେହିପରି କିଛି ଉଦ୍ଦେଶ୍ୟ ଅଛି । ମନୁଷ୍ୟ ଇଚ୍ଛାରେ କିଛି ହୋଇ ପାରେ ନା । ସୁଖଦୁଃଖ ଜନ୍ମମୃତ୍ୟୁ ସବୁ ତାଙ୍କରି ହାତରେ । ତାଙ୍କର ସୃଷ୍ଟି–କୌଶଳ ବୁଝିବାର କ୍ଷମତା ମନୁଷ୍ୟର ନାହିଁ । ତେବେ କାହିଁକି ତାଙ୍କର ଇଚ୍ଛା ବିରୁଦ୍ଧରେ ଆମେ ଗୋଟାଏ କାମ କରିବାକୁ ଯିବା ? କୌଣସି କାର୍ଯ୍ୟ କରି ବସିଲେ ସୁଦ୍ଧା ଯଦି ତାଙ୍କର ସେ କାର୍ଯ୍ୟରେ ଅନିଚ୍ଛା ଥାଏ, ତେବେ ସଫଳକାମ ହୋଇପାରିବା କି-? ସବୁ ସେହି ପରମପିତାଙ୍କର ଇଚ୍ଛାରେ ନିର୍ଭର । ତୋର କଷ୍ଟ ସହିବା ଯଦି ତାଙ୍କର ଅଭିପ୍ରେତ ହୁଏ, ତୁ ସହସ୍ର ଚେଷ୍ଟା କଲେ ସୁଦ୍ଧା ଅନ୍ୟଥା କରି ପାରିବୁ କି ? ସେମିତି ଗୁଡ଼ିଏ ଭାବନା । ସେହି ଭଗବାନଙ୍କ ଠାରେ ଲୟ ରଖ, ତାଙ୍କୁ ହିଁ କେବଳ ଧ୍ୟାନ କର । ସେ ନିଶ୍ଚୟ ଗରିବର ଡ଼ାକ ଶୁଣିବେ, ଦୁଃଖୀର ଦୁଃଖ ମୋଚନ କରିବେ ।’’

 

ଲଳିତା ବହୁତ ଭାବିଲା–ଦିନରାତି ବସି ଭାବିଲା । ମରିବାପାଇଁ ଦୃଢ଼ ପ୍ରତିଜ୍ଞା କଲା; କିନ୍ତୁ ମରି ପାରିଲା ନାହିଁ । ମରିଗଲେ କଣ ତାର ବାସନା ପୂର୍ଣ୍ଣ ହେବ ? ଯାହା ଲାଗି ସେ ମରିବାକୁ ବସିଛି, ତାହା କଣ ହସ୍ତଗତ ହେବ ତାର ? ମରିଗଲେ ଯଦି ସେ ତାର ଈପ୍ସିତ ଧନ ଲାଭ କରନ୍ତା, ତେବେ ସେ ବିଷୟରେ ଏତେ ଭାବିବାକୁ ପଡ଼ନ୍ତା ନାହିଁ । ମରିଗଲେ ବାସନା ତ ପୂର୍ଣ୍ଣ ହେବ ନାହିଁ; ବଞ୍ଚିଥିଲେ କେବେ ହେଲେ ତାର ପୂର୍ଣ୍ଣ ହେବାର ଆଶା ଅଛି । ଆଶା ବୈତରଣୀ, ତାର ଶେଷ କାହିଁ ? ସେ ସେହି ଆଶାରେ ଆଶାୟୀ ହୋଇ ମୃତ୍ୟୁସଂକଳ୍ପରୁ ବିରତ ହେଲା । ଭାବିଲା, ‘‘ସେ ବିଭା ହେଲେ, ହୁଅନ୍ତୁ; କିନ୍ତୁ ସୁଖୀ ହୋଇ ଥିବେ କି ! ସେ ଯଦି ସୁଖରେ ରହନ୍ତି, ତେବେ ମୋର ଆଉ ଦୁଃଖ କଣ ? ନାରୀର କର୍ତ୍ତବ୍ୟ, ସ୍ୱାମୀଙ୍କୁ ସୁଖୀ କରିବା, ସ୍ୱାମୀଙ୍କର ସୁଖୋତ୍ପାଦନ ଲାଗି ସର୍ବଦା ଚେଷ୍ଟିତ ହେବା । ସ୍ତ୍ରୀର ବିନା ପରିଶ୍ରମରେ ବିନା ଚେଷ୍ଟାରେ ତାହା ଯଦି ଘଟିଥାଏ, ସ୍ୱାମୀ ଯଦି ସୁଖୀ ହୋଇଥାନ୍ତି, ତେବେ ସ୍ତ୍ରୀର ଆଉ ଭାବିବାର ବିଷୟ ତ କିଛି ନାହିଁ । ନା, ଆଉ ସେ ବିଷୟରେ ଭାବିବି ନାହିଁ । ପରମେଶ୍ୱର ତାଙ୍କୁ ଚିରଦିନ ସୁଖରେ ରଖିଥାନ୍ତୁ ।’’

Image

 

Unknown

ଅଷ୍ଟାଦଶ ପରିଚ୍ଛେଦ

 

ସେଦିନ ରାଧିକା ଦେଈ ମଧ୍ୟାହ୍ନ ଭୋଜନ ପରେ ପିଣ୍ଡାରେ ବସି ଯାଇଛନ୍ତି, ପଞ୍ଚୁ ସାହୁ ଝିଅ ସାବୀ ଝଡ଼ ପରି ଛୁଟି ଆସିଲା । ତା ପଛରେ ପ୍ରୌଢ଼ା, ଯୁବତୀ, ବାଳିକା ଆଦି ଛ ସାତ ଜଣ ପଶିଆସିଲେ । ସେ ରାଧିକା ଦେଈଙ୍କ ଗୋଡ଼ ଦୁଇଟି ଧରି ବାହୁନିବାକୁ ଆରମ୍ଭ କଲା–

 

‘‘ସାତ ସମୁଦର ଦରିଆ ପାରି ଲୋ ମାଉସୀ ମୋର

ଯେଉଁଠାରୁ କେହି ନ ଆସେ ଫେରି ଲୋ ମାଉସୀ ମୋର ।

ଏଡ଼େ ପିତା ଫଳ ଝିଅ ତୁମର ଲୋ ମାଉସୀ ମୋର

ବରଜି ନିଶ୍ଚିନ୍ତ ହେଲ ଏଥର ଲୋ ମାଉସୀ ମୋର ।

 

ସାବୀର ବାହାଘର ଆଉ ତିନି ଦିନ ଅଛି । ଚିରାଚରିତ ପ୍ରଥାନୁଯାୟୀ ସେ ଗାଁଯାକ ବୁଲି ମାଉସୀ, ପିଉସୀ, ସହୀ ସଙ୍ଗାତମାନଙ୍କଠାରୁ ମେଲାଣି ନେଉଛି । ତା’ର କରୁଣ ଛନ୍ଦରେ ରାଧିକା ଦେଈଙ୍କର ଆଖି ଓଦା ହୋଇଗଲା । ବହୁକଷ୍ଟରେ ସେ ତାକୁ ତୁନିକରାଇ ବୁଝାସୁଝା କରି ବିଦାୟ କଲେ । ତା ସଙ୍ଗରେ ସାହିର ଅନ୍ୟାନ୍ୟ ସ୍ତ୍ରୀମାନେ ମଧ୍ୟ ନିଷ୍କ୍ରାନ୍ତ ହୋଇଗଲେ । ରାଧିକା ଦେଈ ପୂର୍ବ ପରି ଏକୁଟିଆ ପିଣ୍ଡା ଉପରେ ବସି ରହିଲେ । ଲଳିତାର ଚିନ୍ତା ତାଙ୍କର ହୃଦୟକୁ ଅଧିକାର କଲା । କେଡ଼େ ବଡ଼ ଆଶା ତାଙ୍କର ବିଫଳ କରି ନବକିଶୋର କଲିକତାରେ ରହିଲେ ! ଆଉ ତ ଆଶା ନାହିଁ; ତେବେ ଯେଉଁଠି ହେଲେ ଯେତେ ଶୀଘ୍ର ପାରନ୍ତି, ଉଠାଇ ଦେଲେ ରକ୍ଷା । ଯୁବତୀ ଝିଅ–ଆଉ କେତେ କାଳ ଘର କଣରେ ବାନ୍ଧି ରଖିବେ ? ସେହି ସମୟରେ ରଙ୍ଗାଧର ଘରୁ ଆଖି ମଳି ମଳି ଆସି ଦୁଆରେ ଠିଆ ହୋଇ ଅଳସଟାଏ ଭାଙ୍ଗିଲେ । ରାଧିକା ଦେଈ ଅନୁଯୋଗ ସ୍ୱରରେ କହିଲେ, ‘‘ତମେ କଣ ଘରର ଖବର ଆଉ କିଛି ବୁଝିବ ନାହିଁ ?” ରଙ୍ଗାଧର ବିସ୍ମୟ ବିସ୍ଫାରିତ ନୟନରେ ପତ୍ନୀଙ୍କୁ ଚାହିଁଲେ । ରାଧିକା ଦେଈ ସେହିପରି ଭାବରେ ପୁଣି କହିଲେ, ‘‘ଝିଅଟିକୁ ଆଉ କେତେ ଦିନ ବେକରେ ବାନ୍ଧିଥିବ, କହିଲ ?’’ ରଙ୍ଗାଧର ଉଦ୍ଦେଶ୍ୟଟା ବୁଝି ପାରିଲେ । ଦୀର୍ଘ ଶ୍ୱାସଟାଏ ଟାଣି ନେଇ କହିଲେ, “କିଏ ଜାଣିଥିଲା..... I”

 

ରାଧିକା ଦେଈ ବାଧା ଦେଇ କହିଲେ, ‘‘ସେ ସବୁ ମନରେ ପକାଇ ଲାଭ କଣ ? ପୋଡ଼ି ଗଲା ତିଅଣର ଆଉ କି ସୁଆଦ ? ଗଲା କଥା ଗଲାଣି–ଏଣିକି ତ ଅନ୍ୟ ବାଟ ଦେଖିବା ଦରକାର ।”

 

ରଙ୍ଗାଧର ସ୍ଥିର ହୋଇ ଦଣ୍ଡେ କାଳ ବସିଗଲେ । ତା’ପରେ କହିଲେ, ‘‘ତମେ ଭାବିଚ, କଣ ମୁଁ ନିଶ୍ଚିନ୍ତରେ ବସିଚି ? କଣ କରାଯାଏ, ସେ କାହାରି ହାତର କଥା ନୁହେଁ । କପାଳ ନେଇ ସବୁ ।”

 

‘‘କପାଳ ନେଇ ସବୁ ଯେ–ଫେର ତ ଉଦ୍‌ଯୋଗ କରିବା ଦରକାର । ଘର ଭିତରେ ଚୁପଟି ହୋଇ କପାଳ ଆଦରି ବସି ରହିଲେ, କିଏ କଣ ଆଣି ପାଟିରେ ଖୁଆଇ ଦେଇଯିବ ?”

 

“ମୋ କହିବା ଉଦ୍ଦେଶ୍ୟଟା ତମେ ବୁଝିପାରୁ ନା, ଅସଲ ହେଉଛି ପଇସା । ଆଜିକାଲି ତ କରଣ କୁଳର ଢ଼ମ ଦେଖୁଚ, ଘରେ ପଛେ ବାସି ଓଳିକି ଦାନା ନ ଥାଉ, ବାହାରେ ଚାକ୍ ଚିକ୍କଣର ସୀମା ନାହିଁ । ଭିତରେ ଯାହା ଥାଉ, ବାହାରଟାତ ସଫା ରଖିବାକୁ ହେବ । ସେଇତକ ତ କରଣ କୁଳର ମର୍ଯ୍ୟାଦା । ନିତାନ୍ତ କମରେ ଟଙ୍କା ପାଞ୍ଚଶ ନ ହେଲେ ତ ନ ହୁଏ ।”

 

“ଆମର ସେ ଢ଼ମରୁ କଣ ମିଳିବ ? ଯାହାର ଯାହା ଶକ୍ତି ସେ ତାହା କରିବ ନା !’’

‘‘କିନ୍ତୁ ଦାଣ୍ଡଲୋକେ କଣ କହିବେ ?”

 

‘‘ଆଉ କୁହନା କୁହନା ସେ କଥା ! ଦାଣ୍ଡଲୋକେ ? ଦାଣ୍ଡଲୋକେ ତ ଆଜିକି ସାତବର୍ଷ ହେଲା କହି ଆସୁଚନ୍ତି । କୁହନ୍ତୁ, ସେମାନେ କଣ ଦେବେ ନା ନେବେ ? ତାଙ୍କ କଥାରେ ଯାଏ କେତେ, ଆସେ କେତେ ?

 

ରଙ୍ଗାଧର ଟିକିଏ ଚିନ୍ତା କଲେ । କହିଲେ, ‘‘ହଉ, ଆସନ୍ତା ମାର୍ଗଶିରରେ ଯେ କୌଣସିମତେ ଉଠାଇ ଦେବି, ହେଲା ?’’ ନୀରବରେ ଦୁଇ ଜଣ ସେ ସ୍ଥାନ ତ୍ୟାଗ କଲେ ।

 

ଲଳିତା ବିଛଣାରେ ପଡ଼ି କେତେ କଣ ଭାବୁଥିଲାବେଳେ ହଠାତ୍ ତାର ଚିନ୍ତାରାଶି ଭେଦକରି ସାବୀର କରୁଣ ସ୍ଵର ବାଜି ଉଠିଲା । ସେ ସାବୀର କ୍ରନ୍ଦନର କାରଣ ମଧ୍ୟ ବୁଝିପାରିଲା । ମନେ ପଡ଼ିଲା ତାର ନିଜର କଥା । ତାକୁ ମଧ୍ୟ ଦିନେ ଏହି ଦଶାଭୋଗ କରିବାକୁ, ହେବ । କିନ୍ତୁ.....ଠିକ୍ ସେତିକିବେଳେ ରଙ୍ଗାଧର ଆଉ ରାଧିକା ଦେଈଙ୍କର କଥାବାର୍ତ୍ତା । ତା’ର କାନରେ ପଡ଼ିଲା । ସେ ଉତ୍କର୍ଣ୍ଣ ହୋଇ ସମସ୍ତ ଶୁଣିଲା । ପିତାଙ୍କର ଶେଷ ନିଷ୍ପତ୍ତିରେ ତାର ଦେହଟା କିପରି ଅବଶ ହୋଇ ଆସିଲା । କୌଣସି ତୀବ୍ର ବିଷରେ ପ୍ରାଣୀ ଯେପରି ସହସା ମୂର୍ଚ୍ଛିତ ହୋଇପଡ଼େ, ସେ ସେହିପରି ଚୈତନ୍ୟ ହରାଇ ପଡ଼ିରହିଲା ।

 

ଲଳିତା ବହୁତ ଭାବିଚିନ୍ତି ସ୍ଥିର କଲା, ସେ ବିବାହ କରି ପାରିବ ନାହିଁ । ବୋଉଙ୍କୁ ସମସ୍ତ କଥା ଖୋଲି କହିବ, ସେ ନିଶ୍ଚୟ ତାର କଥା ଶୁଣିବେ । ଜନ୍ମଦାତ୍ରୀ ହୋଇ କନ୍ୟାର ଦୁଃଖ ବୁଝିବେ ନାହିଁ ତ ଆଉ କିଏ ବୁଝିବ ? କିନ୍ତୁ କହି ପାରିଲା ନାହିଁ । ତାର ଭୟ ହେଲା, ଯଦି ସେ ଏ କଥାକୁ ସାମାନ୍ୟ ଭାବି ଉପହାସରେ ଉଡ଼ାଇ ଦିଅନ୍ତି ! ‘‘ଅବବାହିତା କନ୍ୟାର ସ୍ୱେଚ୍ଛାଚାର ନାହିଁ’’ ଏହି ଯୁକ୍ତି ବଳରେ ଯଦି ତାଙ୍କର ଉଦ୍ଦେଶ୍ୟ ସାଧନରେ ତତ୍ପର ହୁଅନ୍ତି, ତେବେ ଉପାୟ କଣ ? କଟା ଘାଆରେ ଚୂନ ପରି ଜ୍ୱାଳାକର ହେବ ସିନା । ନା, ଏ ଉପାୟରେ ଆତ୍ମରକ୍ଷା ହୋଇ ପାରିବ ନାହିଁ । ଏକମାତ୍ର ଉପାୟ, ଯାହାଙ୍କଠାରେ ଆତ୍ମସମର୍ପଣ କରିଛି, ତାଙ୍କରି ପଦପ୍ରାନ୍ତରେ ପଡ଼ି ତାଙ୍କରି ଦୃଷ୍ଟି ଆକର୍ଷଣ କରିବା । ତାଙ୍କରି ଅନୁକମ୍ପା ବିନା ଆତ୍ମରକ୍ଷାର ଅନ୍ୟ ଉପାୟ ନାହିଁ ।

 

କ୍ରମେ ବିବାହ ଲଗ୍ନ ପାଖେଇ ଆସିଲା । ଆଉ ଦୁଇଦିନ ମାତ୍ର ବାକି । ରଙ୍ଗାଧର ଆୟୋଜନରେ ଲାଗିପଡ଼ିଲେ । ଶରଧା ଦେଈଙ୍କର ଗୋଡ଼ ତଳେ ଲାଗୁ ନାହିଁ । ଏତେ ଦିନ ପରେ ତାଙ୍କର ବାସନା ସଫଳ ହେବ । ଯେଉଁମାନେ ଲଳିତା ନାମରେ ଅଜସ୍ର ଦୁର୍ନାମ ଗାଇ ବୁଲୁଥିଲେ, ଆଜି ତାଙ୍କରି ଆଖି ଉପରେ ସତୀତ୍ୱର ନାଗରା ବଜାଇ ସେହି ଲଳିତା ସାବିତ୍ରୀ ପରି ସତ୍ୟବାନଙ୍କୁ ବରଣ କରିବ । ସେହି ନିନ୍ଦୁକ ହିଂସୁକମାନଙ୍କର ମୁହଁ କାଳି ପଡ଼ିଯିବ । କନ୍ୟାର ସୌଭାଗ୍ୟ କଳ୍ପନାରେ ତାଙ୍କର ଛାତି ପୂରି ଉଠୁଛି । ବିବାହ ଦିବସ ଯେତିକି ଆଗେଇ ଆସୁଛି, ତାଙ୍କର ଆନନ୍ଦ ସେହି ପରିମାଣରେ ବୃଦ୍ଧି ହେଉଛି । କିନ୍ତୁ ଲଳିତାର ବୃଦ୍ଧି ହେଉଛି ନୟନ କଣରେ ଉଷ୍ଣ ଲୋତକଧାରା ।

 

ରାଧିକା ଦେଈ ଘରେ କାର୍ଯ୍ୟବ୍ୟସ୍ତ । ଚମ୍ପୀ ତାଙ୍କୁ ସାହାଯ୍ୟ କରିବାରେ ଲାଗିପଡ଼ିଛି । ଗୋଟିଏ ଯୋଗୀ ଆସି ଦୁଆରେ କେନ୍ଦରା ବଜାଇ କିଛି ଭିକ୍ଷା ପ୍ରାର୍ଥନା କଲା ସେହି ସମୟରେ । ରାଧିକା ଦେଈ ଜାଣନ୍ତି ଲଳିତା ତାର ଘରଟିରେ ଶୋଇଛି । ସେ ଲଳିତାକୁ ଉଦ୍ଦେଶ୍ୟ କରି କହିଲେ, “ମାଟା ପରା, ମୁଁ ଯାଇ ପାରିବି ନାହିଁ, ଗଣ୍ଡେ ଭିକ ଦେଇ ଆସିଲୁ ।” କିନ୍ତୁ ପ୍ରତ୍ୟୁତ୍ତରରେ ଲଳିତାର ସ୍ୱର ସୁଦ୍ଧା ଶୁଣିବାକୁ ପାଇଲେ ନାହିଁ । ଆଉ ଥରେ କହିଲେ; କିନ୍ତୁ ପ୍ରତ୍ୟୁତ୍ତର ନାହିଁ । ନିଜେ କାର୍ଯ୍ୟ ଛାଡ଼ି ଉଠିଗଲେ । ଦେଖିଲେ ଲଳିତା ନାହିଁ । ଭାବିଲେ ବୁଲିଯାଇଥିବ ଅବା କୈଳାସଚନ୍ଦ୍ରଙ୍କ ଘର ଆଡ଼େ । ସନ୍ଧ୍ୟା ହୋଇ ଆସିଲା । ଲଳିତାର ଦେଖା ମିଳିଲା ନାହିଁ । ଚମ୍ପୀ ଗଲା ତାର ଅପାକୁ ଖୋଜିବାକୁ । ସନ୍ଧ୍ୟା ହେଲା । ଚମ୍ପୀର ଦେଖା ନାହିଁ, କି ଲଳିତାର ମଧ୍ୟ ଦେଖା ନାହିଁ । ରାଧିକା ଦେଈ ମନେ ମନେ ଚିନ୍ତିତ ହୋଇ ସ୍ୱାମୀଙ୍କୁ ଜଣାଇଲେ ।

 

ରଙ୍ଗାଧର ଗାଁ ଭିତରକୁ ଗଲେ–ଉଦ୍ଦେଶ୍ୟ ଲଳିତାକୁ ଖୋଜିବା । କିନ୍ତୁ ଲୋକଙ୍କ ସମାଲୋଚନାରୁ ରକ୍ଷା ପାଇବାକୁ ଚମ୍ପୀକୁ ଖୋଜୁଥିବାର ପ୍ରକାଶ କଲେ । ଚମ୍ପୀକୁ ପାଇଲେ । ତାହାଠାରୁ ବୁଝିଲେ, ସେ ଗାଁଯାକ ଦଶଥର ବୁଲିଲାଣି, ଅପାକୁ ପାଉ ନାହିଁ । ରଙ୍ଗାଧରଙ୍କ ମୁଣ୍ଡ ବୁଲାଇ ଦେଲା । ସେ ଦଣ୍ଡେ ଠିଆ ହୋଇଗଲେ । ତା’ପରେ ଦୌଡ଼ି ଯାଇ ବାରି ଗାଡ଼ିଆରେ ପଶି ଖୁବ୍ ଦମେ ଚକଟାମନ୍ଥା କଲେ । ସ୍ୱାମୀଙ୍କର ହଠାତ୍ ଏପରି ଗାଡ଼ିଆ ଖୋଜା ଦେଖି ଓ ଚମ୍ପୀଠାରୁ ଲଳିତାର ନିରୁଦ୍ଦେଶ ଖବର ଶୁଣି ରାଧିକା ଦେଈ ବୋକାଙ୍କ ପରି ବସିପଡ଼ିଲେ–ତାଙ୍କ ପାଟିରୁ କଥା ବାହାରିଲା ନାହିଁ ।

 

ଗ୍ରାମଭିତରେ ସମସ୍ତ ସନ୍ଦେହ ସ୍ଥାନମାନ ଖୋଜିସାରି ରଙ୍ଗାଧର ସେହି ରାତାରାତି ତାଙ୍କର ଶ୍ୱଶୁରାଳୟକୁ ଦୌଡ଼ିଲେ । ସେଠାରୁ ବିଫଳ ମନୋରଥ ହୋଇ ତାଙ୍କର ନିକଟ ଦୂର ଯେତେ ଯେଉଁଠି ବନ୍ଧୁବାନ୍ଧବଙ୍କର ଘର, ସମସ୍ତ ଖୋଜିଲେ–କେଉଁଠି ପାଇଲେ ନାହିଁ । ତୃତୀୟ ଦିନ ଗୃହକୁ ଫେରିଆସିଲେ । ସେତେବେଳକୁ ଦିନ ଦୁଇଟା ହେବ ଦୁଇ ଦିନ ଧରି ଉପବାସ । ସେଥିରେ ପୁଣି ପଥଶ୍ରାନ୍ତ–ବଡ଼ କ୍ଳାନ୍ତ ବୋଧ ହେଲା । ସେ ଅଲଗୁଣିରୁ ଲୁଗାଖଣ୍ଡେ ଟାଣିନେଇ ଶୋଇପଡ଼ିଲେ । ସହସା ଲୁଗା କାନିରେ ଗୋଟାଏ ବଡ଼ ଗଣ୍ଠି ତାଙ୍କର ଦୃଷ୍ଟି ଆକର୍ଷଣ କଲା । ଫିଟାଇ ଦେଖିଲେ, ଦୁଇ ଖଣ୍ଡ କାଗଜ–ଖଣ୍ଡେ ଲଫାପାରେ ବନ୍ଦଅଛି, ଆଉ ଖଣ୍ଡେ ଚାରି ଭାଙ୍ଗର ଖୋଲା କାଗଜ । ଲଫାପା ଉପରେ ଲେଖା ଅଛି, ‘‘ଶ୍ରୀଯୁକ୍ତ ନବକିଶୋର ପଟ୍ଟନାୟକ ।’’ ହସ୍ତାକ୍ଷର ଦେଖି ଚମକି ଉଠିଲେ । ଏ ଯେ ଲଳିତାର ହସ୍ତାକ୍ଷର ! ଖୋଲି ଚିଠିଖଣ୍ଡ ପଢ଼ିବାକୁ ଆରମ୍ଭ କଲେ–

 

‘‘ପୂଜ୍ୟପାଦ ପିତୃଦେବ ମହୋଦୟ,

ଶ୍ରୀଚରଣେ କମଳେଷୁ

ପିତଃ–

 

ଆପଣଙ୍କର ଅଭାଗିନୀ କନ୍ୟା ଆଜିଠାରୁ ପିତୃମାତୃ ସ୍ନେହବନ୍ଧନ ଚ୍ଛିନ୍ନ କରି ଜନ୍ମଭୂମି ପରିତ୍ୟାଗ କରୁଛି । ସେଥିପାଇଁ ଆପଣ ବିଚଳିତ ହେବେ ନାହିଁ । ବୋଉ ବଡ଼ ଅଧୀରା ହୋଇପଡ଼ିବେ । ଆପଣ ତାଙ୍କୁ ସାନ୍ତ୍ୱନା ଦେବେ । ଏ ଅଭାଗିନୀକୁ ଭୁଲିଯିବେ ।

 

ଆପଣ ଜନ୍ମଦେଇଛନ୍ତି ସତ, କର୍ମଦାତା ନୁହନ୍ତି । ମୁଁ ମୋର କର୍ମଫଳ ଭୋଗ କରିବି । ସେଥିଲାଗି ଦୁଃଖିତ ହେବା ଆପଣଙ୍କର ଉଚିତ ନୁହେଁ । ମୁଁ ଯେ କି ଉଦ୍ଦେଶ୍ୟରେ ଯାଉଛି ଓ କେଉଁଠାକୁ ଯାଉଛି, ତା କହିପାରିବି ନାହିଁ । ତେବେ ଏତିକି ଜାଣିଥାନ୍ତୁ, ଆପଣ ଏ ପତ୍ର ପାଠ କଲାବେଳେ ମୁଁ ନିଶ୍ଚୟ କୌଣସି ଦୂର ଦେଶରେ ଥିବି । ମୋତେ ଆଉ ଖୋଜିବେ ନାହିଁ ।

 

ମୋର ନିଜର ସୌଭାଗ୍ୟ କିମ୍ବା ପୁଣ୍ୟବଳ କିଛି ନାହିଁ । ଅବିବାହିତା କନ୍ୟା ପିତାମାତାଙ୍କ ପାପପୁଣ୍ୟର ସମଭାଗିନୀ, ଏହା ପୁରାଣ–ପ୍ରସିଦ୍ଧ । ଆପଣଙ୍କର ସେହି ପୁଣ୍ୟବଳରେ କେଉଁ ଦିନ ଫେରି ଆସି ଚରଣ ବନ୍ଦନା କରିବି, ତାହା ଦୟାମୟ ଭଗବାନଙ୍କୁ ଗୋଚର । ଏଥି ସହ ଥିବା ପତ୍ରଖଣ୍ଡି ଯେପରି ଅଛି, ସେହିପରି ଯତ୍ନରେ ରଖିଥିବେ । ଆପଣଙ୍କର ପୁତୁରା ଯେବେ ଗୃହକୁ ଆସିବେ, ତାଙ୍କୁ ଦେବେ । ମୋର ଏହି ଶେଷ ନିବେଦନଟି ଭୁଲିବେ ନାହିଁ, କି ଅନ୍ୟଥା କରିବେ ନାହିଁ । ଇତି ।

 

ଆପଣଙ୍କର ସ୍ନେହପାଳିତା କନ୍ୟା

ଅଭାଗିନୀ ଲଳିତା’’

 

ରଙ୍ଗାଧର ବଡ଼ ଚତୁର ଲୋକ । ସମସ୍ତ ଘଟଣା ଆନୁପୂର୍ବିକ ହୃଦୟଙ୍ଗମ କରି ନେଇ ପତ୍ନୀଙ୍କୁ ସାନ୍ତ୍ୱନା ଦେଲେ । ରାଧିକା ଦେଈ ଟିକିଏ ଆଶ୍ୱସ୍ତା ହୁଅନ୍ତେ ରଙ୍ଗାଧର ସଙ୍ଗେ ସଙ୍ଗେ ବର ଘରକୁ ଖବର ଦେବାକୁ ଦୌଡ଼ିଲେ ।

Image

 

ଊନବିଂଶ ପରିଚ୍ଛେଦ

 

ନବକିଶୋର, ବନ୍ଧୁ ଅତୁଲ ବାବୁଙ୍କ ସହିତ କଥୋପକଥନ କରୁ କରୁ ଖେଦିରିପୁର ମାର୍କେଟରୁ ଆସି ପ୍ରମଥ ବାବୁଙ୍କ ଗୃହ ନିକଟରେ ପହଞ୍ଚିଗଲେଣି, ତାଙ୍କୁ ଜଣା ନାହିଁ । ବାକ୍ୟାଳାପ ଭେଦ କରି ଗୋଟିଏ ସ୍ତ୍ରୀକଣ୍ଠର ମଧୁର ସଙ୍ଗୀତଲହରୀ ସେମାନଙ୍କର ଶ୍ରୁତିଗୋଚର ହେଲା । ନବକିଶୋର କହିଲେ, ‘‘ଏ ତ ସୌଦାମିନୀଙ୍କର ସ୍ୱର ପରି ଶୁଭୁଛି ।’’ ଅତୁଲ ବାବୁ ଥରେ ଚତୁର୍ଦ୍ଦିଗକୁ ଦୃଷ୍ଟିପାତ କରି କହିଲେ, ‘‘ଆମେ ଯେ ତାଙ୍କରି ଦୁଆରେ ଆସି ପହଞ୍ଚିଗଲେଣି । ଆସନ୍ତୁ, ଗୋଟିଏ ଗାନ ଶୁଣିଯିବା ।’’ ନବକିଶୋର ଅନିଚ୍ଛା ପ୍ରକାଶପୂର୍ବକ କହିଲେ, ‘‘ବର୍ତ୍ତମାନର ପ୍ରତିଜ୍ଞା କଣ ପାସୋର ହୋଇଗଲା ? ପୂର୍ବ ମୁହୂର୍ତ୍ତରେ ଦୃଢ଼ପ୍ରତିଜ୍ଞା କରୁଥିଲେ, ଆଜିକାର ଭ୍ରମଣ ଏତିକିରେ ଶେଷ କରି ଫିଜିଓଲଜି ପଢ଼ା କରିବାକୁ ହେବ । ପୁଣି ଏ ପରିବର୍ତ୍ତନ କାହିଁକି ? ପରୀକ୍ଷା ଯେ ମୁଣ୍ଡ ଉପରେ । ଆଉ...।’’

 

‘‘ଆଚ୍ଛା, ଗୋଟାଏ ଗାନ ଶୁଣିବାରେ ବେଶି ସମୟ ନଷ୍ଟ ହେବ ନାହିଁ ଯେ ।’’

‘‘ବେଶ୍, ଏହିଠାରେ ଶୁଣିବା । ସେଠାକୁ ଗଲେ ନିଶ୍ଚୟ ବିଳମ୍ବ ହେବ ।’’

ଦୁଇବନ୍ଧୁ ରାସ୍ତା ଉପରେ ଠିଆ ହୋଇ ରହିଲେ । ଶୁଣାଗଲା–

‘‘ସେହିପରି ମୁଁ ଗୋ ଏହି ଗବାକ୍ଷରେ ନିରତେ ଚାହିଁଛି ବସି

କେତେ ଥର ଚାନ୍ଦ ଚାଲିଗଲା ଆସି ପ୍ରାଣଭରା ହସ ହସି ।

କେତେ ମଧୁ ନିଶି ଗଲାଣି ତ ପାହି

ଗଲା ପିକ–ବଧୂ କେତେ ଗୀତ ଗାଇ

କେତେ ପ୍ରଭାତର ସୁନେଲି କିରଣ ଚୁମ୍ବିଲାଣି ଧରା ଆସି ।

ଫୁଲ୍ଲ ମନେ ବୁଲି ବୁଲି ମଧୁକର

ଚୁମ୍ବିଗଲା କେତେ ଫୁଲର ଅଧର

ନିଠୁର ପ୍ରକୃତି ବୁଝିଲା ତ ନାହିଁ ମୋ ହୃଦ ବେଦନାରାଶି ।’’

 

ଦୁଇ ବନ୍ଧୁ ସେହିଠାରେ ଭ୍ରମଣ ସାଙ୍ଗ କରି, ଗୃହାଭିମୁଖରେ ଫେରିଲେ । ପଥମଧ୍ୟରେ ନିକଟବର୍ତ୍ତୀ ପରୀକ୍ଷା ଓ ପଢ଼ାପଢ଼ି ବିଷୟରେ କେତେକ କଥାବାର୍ତ୍ତା ହେଲା; କିନ୍ତୁ ନବକିଶୋର ପୂର୍ବ ପରି ସେ କଥାରେ ମନୋନିବେଶ କରିପାରିଲେ ନାହିଁ । ତାଙ୍କର କାନରେ ରହି ରହି ବାଜିଉଠିଲା ସୌଦାମିନୀର ସେହି ଗାନ୍ଧର୍ବୀ କଣ୍ଠର ଗାନଟି–‘‘ସେହିପରି ମୁଁ ଗୋ ଏହି ଗବାକ୍ଷରେ ନିରତେ ଚାହିଁଛି ବସି ।’’

 

ଅତୁଲ ବାବୁ ଦେଖିଲେ, ସେ ଯଦିଚ ତାଙ୍କ ସହିତ କଥାବାର୍ତ୍ତାରେ ଯୋଗ ଦେଉଛନ୍ତି, କିପରି ଅନ୍ୟମନସ୍କ ଭାବରେ–ଅନିଚ୍ଛାରେ । ତାଙ୍କର କୌଣସି କଥା ଖାପ ଖାଉ ନାହିଁ । ବନ୍ଧୁଙ୍କର ସହସା ଏପରି ପରିବର୍ତ୍ତନ ଦେଖି ଅତୁଲ ବାବୁ କହିଲେ, ‘‘କି ନବବାବୁ, ଆଜି ଆପଣଙ୍କୁ କିପରି ବଡ଼ ଅନ୍ୟମନସ୍କ ଦେଖୁଛି । କିଛି ଅସୁଖ ବୋଧ ହେଉଛି କି ?’’ ନବକିଶୋର ଅପ୍ରତିଭ ହୋଇଯାଇ କହିଲେ, ‘‘ନା ।’’

 

‘‘କିନ୍ତୁ ଆପଣଙ୍କ...।’’

‘‘ମୁଣ୍ଡଟା କିପରି ଭାରି ଭାରି ଲାଗୁଛି ।’’

 

‘‘ଲଳିତା ସୁନ୍ଦରୀ ମନରେ ପଡ଼ିଗଲେ ପରା । ଯା–ଆପଣ ବଡ଼ ଅବ୍ୟବସ୍ଥିତ ଚିତ୍ତ, ମୁଁ ଦେଖୁଛି । ସେ ଗତ କଥାର ପୁଣି ଆଲୋଚନା କାହିଁକି ? ଯାହା ଚାଲିଗଲା, ତାହା ଗଲା । ଆପଣଙ୍କର ଶୈଶବ ଅତିକ୍ରମ ହୋଇ ଯାଇଛି; ବର୍ତ୍ତମାନ ଭାବିଲେ, ଚିନ୍ତା କଲେ ଆଉ କଣ ଫେରି ପାଇବେ ? ତେବେ ବୃଥାରେ ସେ ଗତ ବିଷୟ ଲାଗି ଅନୁଶୋଚନ କାହିଁକି ? ମନୁଷ୍ୟ ଜୀବନରେ କେତେ କେତେ ଘଟଣା ଘଟି ଯାଉଛି, ତାର ଇୟତ୍ତା ନାହିଁ । ଗୋଟାଏ ସାମାନ୍ୟ କଥା ନେଇ ସର୍ବଦା ନିଜକୁ ଯନ୍ତ୍ରଣା ଦେବା ଅବିମୃଷ୍ୟକାରିତାର କାର୍ଯ୍ୟ ନୁହେଁ କି ?’’

 

ଅତୁଲ ବାବୁ କେତେ କଣ କହିଗଲେ । ପ୍ରତିବାଦ କରିବାକୁ ନବକିଶୋର ସାହସ କଲେ ନାହିଁ । ସେ ଲଳିତା ବିଷୟରେ ଭାବୁ ନାହାନ୍ତି, ଏହି ସତ୍ୟ କଥାଟା କହିପାରିଲେ ନାହିଁ । କିପରି କହିବେ ? ଯଦି ପ୍ରଶ୍ନ ଉଠେ, ‘ଲଳିତା ବିଷୟ ଭାବୁ ନାହିଁ ତ ଆଉ କାହାର ବିଷୟ ନେଇ ଚିନ୍ତିତ’ ତେବେ ସେ କି ଉତ୍ତର ଦେବେ ?

 

ସେଦିନ ରାତିରେ ନବକିଶୋର ଯେତେବେଳେ ଶଯ୍ୟା ଆଲିଙ୍ଗନ କଲେ, କିଏ ତାଙ୍କ କାନ ପାଖରେ ବସି ଗାଇବାକୁ ଲାଗିଲା–‘ସେହିପରି ମୁଁ ଗୋ ଏହି ଗବାକ୍ଷରେ ନିରତେ ରହିଛି ବସି... ।’’ ଗାନଟା ବାସ୍ତବିକ ବଡ଼ ହୃଦୟସ୍ପର୍ଶୀ । ଅନ୍ତରର ନିଗୂଢ଼ତମ ପ୍ରଦେଶରେ ସଞ୍ଚିତ ନିତାନ୍ତ ସତ କଥାଟା ହୃଦୟର ଆବେଗରେ, ଭାବର ଉଚ୍ଛ୍ୱାସରେ ଗାନରୂପେ ପଦାକୁ ବାହାରି ପଡ଼ିଛି । ସତ୍ୟ ଜିନିଷଟାକୁ କପଟାଚ୍ଛାଦନରେ ଘୋଡ଼ାଇ ରଖିବା ବାସ୍ତବିକ ମନୁଷ୍ୟର ସାଧ୍ୟାତୀତ । ସୌଦାମିନୀ ଗାନ ଲହରରେ ଜଗତକୁ ତା’ର ହୃଦୟକୁ ଖୋଲି ଦେଖାଇ ଦେଉଛି; କିନ୍ତୁ ତାହା ଶୁଣୁଛି କିଏ–ବୁଝୁଛି ବା କିଏ ? ନିଷ୍ଠୁର ପ୍ରକୃତି ତା’ର ହୃଦୟର ଦୁଃଖରାଶି ବୁଝୁ ନାହିଁ, ସେ ଠିକ୍ ଅନୁଭବ କରିଛନ୍ତି । ସୌଦାମିନୀ । ତୁମେ କାହାର ଅପେକ୍ଷା କରିଛ ? ନିତି ଗବାକ୍ଷ ପଥରେ ଚାହି ବସିଛ ? କେତେ ଖରା ବର୍ଷା ଶୀତ ସହି ସହି ଏକଧ୍ୟାନରେ କାହାର ଆଶାରେ ଧୀରସ୍ଥିର ରହିଛ ? ଏତେ ଦିନ ପରେ ନବକିଶୋର ତୁମ ହୃଦୟର ଗଭୀର ଦୁଃଖ ବୁଝି ପାରିଛି । ଏତେ ଦିନଯାଏ ଯାହା ଅନୁମାନ କରୁଥିଲା, ଆଜି ତାହା ହୃଦୟଙ୍ଗମ କରି ପାରିଛି । ତୁମେ ଦୁଃଖୀ, ତୁମର ଅଭାବ ଅଛି–ସେ ଅଭାବ ପୂରଣ ଲାଗି ତୁମେ ସର୍ବଦା ଅସ୍ଥିର, ଏହା ବେଶ ବୁଝି ପାରିଛି । କିନ୍ତୁ ସେ ଅଭାବ କଣ ? ତାହା କଣ ନବକିଶୋରଦ୍ୱାରା ପୂରଣ ହୋଇପାରେ ? ଯଦି ତାହା ହୁଏ, ତେବେ ନବକିଶୋର ପ୍ରାଣ ପର୍ଯ୍ୟନ୍ତ ଦେବାକୁ ଲବମାତ୍ର ଦ୍ୱିଧା କରିବ ନାହିଁ । ଦୁଃଖଟା କଣ, ଅଭାବଟା କଣ, ଖୋଲି କହିବ କି ?

 

ନବକିଶୋର ଆଉ ମେଡ଼ିକେଲ ସ୍କୁଲର ଛାତ୍ର ନବକିଶୋର ନୁହନ୍ତି, ବର୍ତ୍ତମାନ ତାଙ୍କ ନାମ ପୂର୍ବରେ ଡାକ୍ତର ଅକ୍ଷରତ୍ରୟ ଯୁକ୍ତ ହେଲାଣି । ଅତୁଲ ବାବୁ ମଧ୍ୟ ସେଥିରୁ ବଞ୍ଚିତ ନୁହନ୍ତି ।

 

ପାସ୍ କରିବାର ଅଳ୍ପଦିନ ମଧ୍ୟରେ ନବକିଶୋର କ୍ରେମ୍‌ବ୍ରିଜ ମେଡ଼ିକେଲ ସ୍କୁଲରେ ଡ଼ିମନଷ୍ଟ୍ରେଷ୍ଟର (Demonstrator) କାର୍ଯ୍ୟ ପାଇଲେ ।

 

ଅତୁଲ ବାବୁଙ୍କୁ ଚାକିରୀ ମିଳୁଥିଲେ ହେଁ ସେ ସ୍ୱତନ୍ତ୍ର ଏକ ଡାକ୍ତର ଖାନା ଖୋଲିବା ଉଦ୍ଦେଶ୍ୟରେ ତାହା ପ୍ରତ୍ୟାଖ୍ୟାନ କଲେ । ସୌଦାମିନୀ ତ ବହୁ ଆଗରୁ ପାସ୍ କରି ଘରେ ବସିଥିଲେ । ତାଙ୍କର ଚାକିରୀ କରିବାର ପ୍ରୟୋଜନ ମଧ୍ୟ ନ ଥିଲା । କିନ୍ତୁ ସେ ପିତାମାତାଙ୍କର ଅନିଚ୍ଛାସତ୍ତ୍ୱେ ନବକିଶୋର ଚାକିରୀ ପାଇବାର ଏକ ସପ୍ତାହ ପରେ ସେହି କେମବ୍ରିଜ ମେଡ଼ିକେଲରେ ଚାକିରୀ ଗ୍ରହଣ କଲେ ।

 

ପୁତ୍ରର ନୂତନ ସୌଭାଗ୍ୟ ଦେଖି କୈଳାସଚନ୍ଦ୍ରଙ୍କର ଆନନ୍ଦ ହୃଦୟରେ ଧରୁ ନାହିଁ । ନବକିଶୋର କିନ୍ତୁ ମନ୍ତ୍ରଚାଳିତବତ୍ କାର୍ଯ୍ୟ କରିଯାଉଛନ୍ତି–ତାଙ୍କ ମନରେ ଆନନ୍ଦ ନାହିଁ, ଉତ୍ସାହ ନାହିଁ, ସୁଖ ନାହିଁ, ଶାନ୍ତି ନାହିଁ । ଛାତ୍ର ଜୀବନଠାରୁ ଶିକ୍ଷକ ଜୀବନ ତାଙ୍କୁ ବଡ଼ ଦୁର୍ବହ ଦୁଃଖମୟ ବୋଧ ହେଉଛି । ସର୍ବଦା ତାଙ୍କର ଯେପରି କଣ ଗୋଟାଏ ବଡ଼ ଅଭାବ ଅନୁଭୂତ ହେଉଛି । ଅପୂର୍ଣ୍ଣ ବାସନା ଗୋଟାଏ ତାଙ୍କର ପଛେ ପଛେ ହାହା କରି ବୁଲୁଛି । ସେ ସେହି ଅଶରୀର ପ୍ରେତର ତୀବ୍ର ଜ୍ୱାଳାରେ ଦବି ଦବି ଯାଉଛନ୍ତି ।

 

ରାତି ସାତଟା ହେବ, ପ୍ରମଥ ବାବୁ ଇଜି ଚେୟାରରେ ବସିଛନ୍ତି । ପାଖରେ ଆଉ ଗୋଟିଏ ଚୌକିରେ ନବକିଶୋର ବସି ଖବରକାଗଜ ପାଠରେ ମନୋନିବେଶ କରିଛନ୍ତି । ହାରାଣ ଚା ଦୁଇକପ୍ ଆଣି ଟେବୁଲ ଉପରେ ଥୋଇଦେଲା । ପ୍ରମଥ ବାବୁ ଗୋଟିଏ କପ୍ ଉଠାଇ ନେଇ କହିଲେ, ‘‘ଚା ନିଅ ନବକିଶୋର !’’ ନବକିଶୋର ବିନା ଆପତ୍ତିରେ ଚା କପ୍ ଉଠାଇ ନେଲେ । ଚା ପାନ ଶେଷ ହେଲା–ହାରାଣ ଶୂନ୍ୟ କପ୍ ଦୁଇଟି ଘେନି ଚାଲିଗଲା । ନବକିଶୋର ରୁମାଲରେ ମୁହଁଟା ପୋଛି ନେଇ ପୁନଃ ସମ୍ବାଦପତ୍ର ପାଠରେ ମନ ଦେଲେ । ପ୍ରମଥ ବାବୁ ଗଳାଟା ସଫା କରି କହିଲେ, ‘‘ନବକିଶୋର, ବହୁଦିନ ହେଲା ଗୋଟାଏ କଥା କହିବାକୁ ମନଃସ୍ଥ କରିଛି; କିନ୍ତୁ କହିପାରୁ ନାହିଁ ।’’ ନବକିଶୋର କାଗଜ ଉପରୁ ମୁହଁ ଉଠାଇ କହିଲେ, ‘‘ପୁତ୍ର ପାଖରେ ପିତାଙ୍କର ଏତେ ସଙ୍କୋଚ କାହିଁକି ? କଣ କହନ୍ତୁ ।’’ ପ୍ରମଥ ବାବୁ ହସି ହସି କହିଲେ, ‘‘ସଙ୍କୋଚ ନୁହେଁ ଯେ, ସୁଯୋଗ ପାଇ ନଥିଲି । କଣ କି–ମୁଁ ମନେ କରେ ସୌଦାମିନୀ ସହିତ ତମର ବିବାହ ହେଲେ ଉଭୟଙ୍କର ଜୀବନ ନିଶ୍ଚୟ ସୁଖମୟ ହୁଅନ୍ତା ।’’ ନବକିଶୋର ଆଶ୍ଚର୍ଯ୍ୟ ହୋଇଗଲେ । ଏ କଣ ? ସ୍ୱପ୍ନ ନା ସତ୍ୟ ? ସୌଦାମିନୀ ସହିତ ନବକିଶୋରଙ୍କର ବିବାହ ? ଯେଉଁ କଥା ଭାବିବାକୁ ସୁଦ୍ଧା ରସନା କୁଣ୍ଠିତ ହୁଏ । ଦୀନ ପ୍ରତି ଭଗବାନଙ୍କର କଣ ଏତେ ଦୟା ? ଈଶ୍ୱର କଣ ଏତେ ଶୀଘ୍ର ପ୍ରସନ୍ନ ହୁଅନ୍ତି ? ଭାଗ୍ୟହୀନର ଏଡ଼େ ଚଞ୍ଚଳ ପୁଣି ଭାଗ୍ୟ ପରିବର୍ତ୍ତିତ ହୁଏ ? ନବକିଶୋର ନିଜର କାନ ଦିଟାକୁ ବିଶ୍ୱାସ କରିପାରିଲେ ନାହିଁ । ସେ ଭାବିଲେ, ପ୍ରମଥ ବାବୁ ଆଉ କଣ କହିଥିବେ, ତାଙ୍କର ଶୁଣିବାର ଭୁଲ ହୋଇଛି ବୋଧହୁଏ; କିନ୍ତୁ ସେତିକିବେଳେ ପ୍ରମଥ ବାବୁ ଅତି ମୃଦୁକଣ୍ଠରେ କହିଲେ ‘‘ଦ୍ୱିଧା କରିବାର କିଛି କାରଣ ନାହିଁ ବାବା ! ସଂସାର–ସମସ୍ୟା ବଡ଼ ଜଟିଳ ସମସ୍ୟା । ଚିର ଜୀବନ ତୁମକୁ ଯାହା ସହିତ କଟାଇବାକୁ ହେବ, ଯାହାର ଭଲମନ୍ଦ ଫଳ ତୁମକୁ ହିଁ ଭୋଗ କରିବାକୁ ହେବ, ସେଥିରେ ତୁମର ସ୍ୱାଧୀନ ନିର୍ଭୀକ ମତ ଆବଶ୍ୟକ । କାହାରି ଉପ୍ରୋଧ ଅନୁରୋଧରେ ପଡ଼ି ନିଜର ଜୀବନକୁ ଅଶାନ୍ତିମୟ କରିବା ଉଚିତ ନୁହେଁ । କଣ ବୁଝିଲ ମୋ କଥା, ନବକିଶୋର ? ଏ କ୍ଷେତ୍ରରେ ଲଜ୍ଜାସଙ୍କୋଚକୁ ଉପେକ୍ଷା କରି ପ୍ରକୃତ ସତ୍ୟ ଉପରେ ଚାଲିବାକୁ ହେବ ।’’

 

ନବକିଶୋର ସୁନାର ଚାନ୍ଦ ହାତରେ ପାଇଲେ । ତାଙ୍କର ଶୁଷ୍କ ଶୀର୍ଣ୍ଣ ହୃଦୟ ସରସ ସତେଜ ହୋଇଉଠିଲା । ସେ ଯଥାସାଧ୍ୟ ଅନ୍ତରର ସେ ଆନନ୍ଦକୁ ଗୋପନ ରଖି କହିଲେ, ‘‘ମୋ ବିବେଚନାରେ ଆପଣ ଏ ସମ୍ବନ୍ଧରେ ବାପାଙ୍କ ସହିତ ପରାମର୍ଶ କଲେ ଭଲ ହୁଅନ୍ତା । କାରଣ ସେ......’’ ‘‘ଚିରଜୀବୀ ହୁଅ ବାବା ! ଉପଯୁକ୍ତ ଉତ୍ତର । ଗୁରୁଜନଙ୍କର ଅଭିମତରେ ଯେଉଁ କାର୍ଯ୍ୟଟି କରାଯାଏ, ତାହା ତାଙ୍କର କଲ୍ୟାଣରେ ଚିର–ସୁଖପ୍ରଦ ହୁଏ । ଆଚ୍ଛା, ସେ କଥା ମୁଁ ବୁଝିବି ।’’ ତା’ ପରେ ଆଉ କେତେକ କଥାବାର୍ତ୍ତା । ପରେ ନବକିଶୋର ଗୃହକୁ ଗଲେ । ସେ ଦିନ ରାତ୍ରିରେ ତାଙ୍କର ନିଦ୍ରାଦେବୀଙ୍କ ସହିତ ସାକ୍ଷାତ୍ ହେଲା ନାହିଁ । ପ୍ରମଥ ବାବୁଙ୍କର ସେହି ନୂତନ ପ୍ରସ୍ତାବରେ ଭବିଷ୍ୟତର କେତେ ରଙ୍ଗିନ୍ କଳ୍ପନା କରୁ କରୁ ରାତ୍ରି ପ୍ରଭାତ ହୋଇଗଲା ।

 

ଗବାକ୍ଷ ପଥଦେଇ ବାଳଭାନୁର କୋମଳ ଲୋହିତ କିରଣ ଯେତେବେଳେ ଅର୍ଦ୍ଧାବୃତ ମସ୍ତକର ସୁନୀଳ ଚିକୁରଦାମରେ ଲୁଚକାଳି ଖେଳ ଖେଳିବାକୁ ଆରମ୍ଭ କଲା, ସୌଦାମିନୀଙ୍କର ସେତେବେଳେ ତନ୍ଦ୍ରା ଭଗ୍ନ ହେଲା । ସେ ଉଠି ଦେଖିଲା, ନିକଟରେ ମାୟା ଦଣ୍ଡାୟମାନା । ମାୟା ତାଙ୍କ ଘରର ଦାସୀ, ସୌଦାମିନୀଙ୍କର ପ୍ରିୟସଙ୍ଗିନୀ । ସେ ହସି ହସି କହିଲା, ‘‘ଆଜି ଜେମାମଣିଙ୍କର ସୁପ୍ରଭାତ । ମାୟାପୁରୀର ରାଜପୁତ୍ରଙ୍କ ସନ୍ଦେଶ ନେଇ ସ୍ୱୟଂ ମାୟା ଉପସ୍ଥିତ । ରାଜପୁତ୍ର ଏହି...’’

 

ସୌଦାମିନୀ ରୋଷ–କଷାୟିତ ନେତ୍ରଭଙ୍ଗୀ ସହକାରେ ଗମ୍ଭୀର କଣ୍ଠରେ କହିଲେ, ‘‘ମାୟା !’’ ମାୟା ତାର କୌଣସି ପ୍ରତ୍ୟୁତ୍ତର ନ ଦେଇ ଏକ ନିଃଶ୍ୱାସରେ କହିଯିବାକୁ ଲାଗିଲା–‘‘କାଲି ରାତିରେ କୈଳାସଚନ୍ଦ୍ରଙ୍କ ସହିତ ବାବୁଙ୍କର ବହୁତ କଥା ପଡ଼ିଲା, ବହୁତ ଯୁକ୍ତିତର୍କ ଚାଲିଲା । ଖାଇଲାବେଳକୁ ଦୁଇଟା ବାଜିଯାଇଛି ପରା ! ଶେଷରେ ସ୍ଥିର ହେଲା ଗୋ, ସ୍ଥିର ହେଲା, ଯୁଗଳ ମିଳନ ସ୍ଥିର ହେଲା–ରାଧାକୃଷ୍ଣଙ୍କ ଭେଟ ସ୍ଥିର ହେଲା ।’’ ସୌଦାମିନୀ କପଟ କ୍ରୋଧରେ ଫୁଲି ଉଠି, ଉପାଧାନ ନିକଟରୁ ବହିଖଣ୍ଡ ଆଣି ମାୟାକୁ ଆଘାତ କରିବାକୁ ଉଦ୍ୟତ ହେଉଛନ୍ତି, ମାୟା ସେଥିପ୍ରତି ଭ୍ରୁକ୍ଷେପ ନ କରି, ‘‘ଆଉ ଦିନ ସାତଟା ରହିଲା ବାହାଘର । ନବଘନ କୋଳରେ ସୌଦାମିନୀଙ୍କର ସ୍ଫୁରଣ ହେବ–ଆଉ ସପ୍ତଦିବସ ପରେ । ଏଡ଼େ ବଡ଼ ଶୁଭ ସମ୍ବାଦଟାଏ ଦେଇ ଏ ବହିଖଣ୍ଡ ଉପହାର ନେବି ? ନା, ନା; ଏ ଗରିବକୁ ସେ ହୀରାବସା ହାରଟି ହୁକୁମ ହେଉ–’’ କହି ଦୌଡ଼ି ପଳାଇଲା । ସୌଦାମିନୀ ସେହିଠାରେ ଠିଆ ହୋଇ ଭାବିଲେ, ‘‘ସତେ ବିବାହ ସ୍ଥିର ହୋଇଗଲା । ନବ ବାବୁ ରାଜି ହେଲେ ତା’ ହେଲେ !’’

Image

 

ବିଂଶ ପରିଚ୍ଛେଦ

 

କୈଳାସଚନ୍ଦ୍ରଙ୍କ ପାଖରେ ପ୍ରମଥ ବାବୁ ଯେତେବେଳେ ନବକିଶୋରଙ୍କ ସହିତ ସୌଦାମିନୀର ବିବାହ ବିଷୟ ଦୀର୍ଘ ଭୂମିକା ଧରି ଆରମ୍ଭ କଲେ, କୈଳାସଚନ୍ଦ୍ର କି ଉତ୍ତର ଦେବେ, ପ୍ରଥମେ ସ୍ଥିର କରିପାରିଲେ ନାହିଁ । ଟିକିଏ ଇତସ୍ତତଃ କରି କହିଲେ, ‘‘ମୋତେ ବର୍ତ୍ତମାନ ଭାବିବାକୁ ଟିକିଏ ସମୟ ଦିଅନ୍ତୁ–ପରେ ଏହାର ସଦୁତ୍ତର ଦେବି ।’’ ପ୍ରମଥ ବାବୁ ପୂର୍ବରୁ ସୌଦାମିନୀ ଓ ନବକିଶୋର ଉଭୟଙ୍କର ମତ ଜାଣନ୍ତି । ସେ କୈଳାସଚନ୍ଦ୍ରଙ୍କୁ ଭାବିବାକୁ ଅବସର ନ ଦେଇ କହିଲେ, ‘‘ଆପଣ ତ ଜାଣନ୍ତି, ମୋର ପୁତ୍ର ସନ୍ତାନ ନାହିଁ । ଏକମାତ୍ର ସୌଦାମିନୀ–ସେହି ପୁତ୍ର, ସେହି କନ୍ୟା । ମୋର ବା ଆଉ ଉତ୍ତରାଧିକାରୀ କିଏ ଅଛି ? ଝିଅଜ୍ୱାଇଁ ଏ ସମସ୍ତ ସ୍ଥାବରାସ୍ଥାବର ସମ୍ପତ୍ତିର ଅଧିକାରୀ ହେବେ । ନବକିଶୋର ବୋଧ ହୁଏ ଏ ପ୍ରସ୍ତାବ ଅଗ୍ରାହ୍ୟ କରିବେ ନାହିଁ । କେବଳ ଆପଣ ସମ୍ମତି ପ୍ରଦାନ କଲେ ହେଲା ।’’

 

ପ୍ରମଥ ବାବୁ ଆହୁରି ଅନେକ କଥା କହିଲେ । ସେ ସମସ୍ତ କଥା କିନ୍ତୁ କୈଳାସଚନ୍ଦ୍ରଙ୍କର କର୍ଣ୍ଣସୀମା ସ୍ପର୍ଶ କରିପାରିଲା ନାହିଁ । ସେ ଯେତେବେଳେ ଶୁଣିଲେ–ଝିଅଜ୍ୱାଇଁ ଏ ସମସ୍ତ ସ୍ଥାବରାସ୍ଥାବର ସମ୍ପତ୍ତିର ଅଧିକାରୀ ହେବେ, ଆଉ କୌଣସି କଥାଶୁଣିବା ତାଙ୍କର ଦରକାର ନ ଥିଲା । ପ୍ରମଥ ବାବୁଙ୍କର ସମ୍ପତ୍ତି ତ କମ୍ ନୁହେଁ–ବାର୍ଷିକ ଆୟ ପାଞ୍ଚହଜାର ଟଙ୍କା । କାହାକୁ ମିଳେ-? କୈଳାସଚନ୍ଦ୍ର ଜୀବନରେ ଏପରି ସୁଯୋଗ ପାଇବେ, ମୁହୂର୍ତ୍ତକ ପାଇଁ ସୁଦ୍ଧା ସେ ଭାବନା ତାଙ୍କ ହୃଦୟରେ ସ୍ଥାନ ପାଇ ନ ଥିଲା । ‘‘ଏ ସୁଯୋଗ କି ଛାଡ଼ିବାର ? ପିତୃପିତାମହଙ୍କ କଲ୍ୟାଣ ଆଉ ପୂର୍ବଜନ୍ମର ସଞ୍ଚିତ ପୁଣ୍ୟବଳରୁ କୁବେର–ବିଭୂତି ସିନା ଆଜି ପାଦତଳେ ! ଏ କଲିକତା ସହରରେ କେତେ କେତେ ବଡ଼ ଲୋକ ନାହାନ୍ତି–ନବକିଶୋରଠାରୁ ଶିକ୍ଷିତ ଉପଯୁକ୍ତ ବ୍ୟକ୍ତି କେତେ ନାହାନ୍ତି–ବିଲାତ ଫେରନ୍ତା ବଡ଼ ବଡ଼ ସିଭିଲିଆନ୍ କେତେ ନାହାନ୍ତି; କିନ୍ତୁ ନବକିଶୋରଠାରେ ପ୍ରମଥ ବାବୁଙ୍କର ଏତେ ଶ୍ରଦ୍ଧା କାହିଁକି ? ଏ ତ ଶ୍ରଦ୍ଧା ନୁହେଁ–ଦେବତାଙ୍କର ଅନୁଗ୍ରହ ବୋଲିବାକୁ ହେବ । ହେଲେ .....ଧନଲୋଭରେ ଜାତି ହରାଇବାକୁ ହେବ ସିନା ! କ୍ଷତି କଣ ? ଜାତି ଧର୍ମ, ଜାତି ସ୍ଵର୍ଗ, ଚିରଦିନ ବସି ହେଉଥିଲେ ବା ଲାଭ କଣ ? ଯେଉଁମାନେ ଜାତି ଜାତି ସଦା ସର୍ବଦା ଚିତ୍କାର କରି ନିଜକୁ ବଡ଼ ପ୍ରମାଣିତ କରୁଛନ୍ତି, ସେମାନଙ୍କର କଣ ଅଧିକ ହେଉଛି ? ମୁଁ ଯଦି ଆଜି ସେହି ଜାତି ଧରି ଏ ପ୍ରସ୍ତାବ, ପ୍ରତ୍ୟାଖ୍ୟାନ କରେ, କେହି ମୋର ସେ ସାଧୁ କର୍ମ ଲଗି ପୁରସ୍କାରସ୍ୱରୂପ କିଛି ଦେଇ ପକାଇବ କି ? ନା, ଯାଉ ଜାତି–ପ୍ରମଥ ବାବୁଙ୍କର ସମ୍ପତ୍ତି ନିକଟରେ ଜାତିର ମୂଲ୍ୟ ନିତାନ୍ତ କମ୍-

 

‘‘କରଣ, କାୟସ୍ଥ ମଧ୍ୟରେ ପ୍ରଭେଦ କଣ ? ଏକ ଜାତି କହିଲେ ଚଳେ । କେବଳ ପାର୍ଥକ୍ୟ ଭିତରେ କରଣ ଓଡ଼ିଆ, କାୟସ୍ଥ ବଙ୍ଗାଳୀ । ଆମର ଜନ୍ମ ଓଡ଼ିଶାରେ–ତାଙ୍କର ଜନ୍ମ ବଙ୍ଗରେ । ହେଲେ, ଏହି ଭାରତବର୍ଷରେ ଉଭୟଙ୍କର ଜନ୍ମ ତ ? ଭାରତବାସୀ ମାତ୍ରେ ଏକ ମାତାର ସନ୍ତାନ; ତଥାପି ଲୋକାପବାଦ ଗୋଟାଏ ଅଛି ତ–କେତେ ଲୋକ କେତେ ପ୍ରକାର କହିବେ । କହିଲେ କହନ୍ତୁ । ସମସ୍ତେ ତୁଣ୍ଡ ଦିଅନ୍ତି, ମୁଣ୍ଡ ଦିଏ କିଏ ? ଏତେଗୁଡ଼ା ସମ୍ପତ୍ତି ଛାଡ଼ିଦେବା କୌଣସିମତେ ଉଚିତ ନୁହେଁ । ଘରେ ଆଉ କିଏ ଅଛି ? ସରଟି ତ ବର୍ଷେ ହେଲା ସଂସାର ଛାଡ଼ିଛି-। ତା’ପରେ ସମ୍ପତ୍ତି ବୋଲି ଘରବାଡ଼ି ମିଶି ଟଙ୍କା ପାଞ୍ଚଶହର ହେବ । ସେତକ ବିକ୍ରୟ କରିଦେବି । ଆଉ ଗ୍ରାମକୁ ନ ଗଲେ ହେଲା । ସେଠାକୁ ଗଲେ ସିନା କିଏ କହିବ, କୈଳାସଚନ୍ଦ୍ର ପଟ୍ଟନାୟକ ଧନଲୋଭରେ ଶେଷକାଳକୁ ଜାତି ହରାଇ ବସିଲା । ଗ୍ରାମର ସମ୍ବନ୍ଧ ଆଜିଠାରୁ ତୁଟାଇ ଦେବାକୁ ହେବ ।’’

 

କୈଳାସଚନ୍ଦ୍ରଙ୍କର ବହୁଦିନର ଗୋଟାଏ ପୁରୁଣା କଥା ମନରେ ପଡ଼ିଲା । ଦିନେ ଶରଧା ଦେଈ ଲଳିତା ସହିତ ନବର ବିବାହ ଦେବେ ବୋଲି ପ୍ରସ୍ତାବ କରିଥିଲେ । ସେଦିନ କୈଳାସଚନ୍ଦ୍ର ମନେ ମନେ କେତେ କଥା ଭାବିଥିଲେ । ପୁତ୍ର ବିବାହର କି ସୁନ୍ଦର କଳ୍ପନାସବୁ କରିଥିଲେ ମଧ୍ୟ । ଆଜି ତାହା କାର୍ଯ୍ୟରେ ପରିଣତ ହେବାକୁ ବସିଛି–ଯାହା କଳ୍ପନା କରିଥିଲେ, ତହିଁରୁ ପୁଣି ସହସ୍ର ଗୁଣ ବର୍ଦ୍ଧିତ ହୋଇ । ତାଙ୍କର ହୃଦୟ ଆନନ୍ଦରେ ନାଚି ଉଠିଲା । ସେ କାଳ ବିଳମ୍ବ ନ କରି ପ୍ରମଥ ବାବୁଙ୍କର ପ୍ରସ୍ତାବକୁ ମହାପ୍ରସାଦ ତୁଲ୍ୟ ଗ୍ରହଣ କରିନେଲେ ।

 

ନବକିଶୋର ଯେତେବେଳେ ଶୁଣିଲେ ଚିରଦିନ ଲାଗି ତାଙ୍କୁ ଜନ୍ମଭୂମିର ମାୟା ଛିନ୍ନ କରିବାକୁ ହେବ, ତାଙ୍କର ମନ ଚଞ୍ଚଳ ହୋଇଉଠିଲା । ଥିଏଟର ସଙ୍ଗୀତଟି କାନରେ ବାଜିଲା, ‘‘ସକଳ ଦେଶେର ସେରା ସେ ଯେ ଆମର ଜନ୍ମଭୂମି ।’’ ପୋତେଇ ପୋଖରୀର ମନୋହର ଦୃଶ୍ୟସବୁ ତାଙ୍କର ଚକ୍ଷୁ ସମ୍ମୁଖରେ ନାଚିଗଲା । ଗ୍ରାମର ପ୍ରତ୍ୟେକ ଗଳି, ରାସ୍ତା, ବିଲ, ବଣ, ଗଛପତ୍ର ସବୁ ସୁନ୍ଦର–ସବୁ ନୂତନ ପରି ପ୍ରତୀୟମାନ ହେଲା । ଗ୍ରାମର ପ୍ରତ୍ୟେକ ଅଣୁପରମାଣୁରେ ସୁଦ୍ଧା ତାଙ୍କର କେତେ ମଧୁମୟ ସ୍ମୃତିନିହିତ ଅଛି । କିପରି ସେ ଚିରସୁନ୍ଦର ସ୍ମୃତିରାଜିକୁ ଚିରଦିନ ଲାଗି ଭୁଲିଯିବେ ? ବଡ଼ ଅଧୀର ହୋଇ ଉଠିଲା ମନ ତାଙ୍କର । ଭାବିଲେ–‘‘ପିତାଙ୍କଠାରୁ ଅନୁମତି ନେଇ ବିବାହ ପୂର୍ବରୁ ଥରେ ଗ୍ରାମରୁ ବୁଲି ଆସିବେ । ଲଳିତା ଯଦି ପରକୀୟା–ଦେଖା ହେବ ତ, ଦୁଇପଦ କଥା କହିପାରିବେ ତ–ଶେଷ ବିଦାୟ ଘେନିଆସି ପାରିବେ ତ ? ତାପରେ ରଙ୍ଗଦାଦା, ଖୁଡ଼ି–ସେମାନଙ୍କର ସ୍ନେହ ଆଦର କି ଜୀବନରେ ଭୁଲିବାର ? ତାଙ୍କର ସେ ନିଷ୍କପଟ ସ୍ନେହାଦର ବିନିମୟରେ ଏ ବା କଣ ଦେଇ ପାରିବେ ? କେବଳ ଶେଷ ଥର ପାଇଁ ସେମାନଙ୍କୁ ଥରେ ଦେଖି ଆସିବେ ନାହିଁ, ପଦେ କହି ଆସିବେ ନାହିଁ ? ଏଡ଼େ ଅକୃତଜ୍ଞ ନବକିଶୋର ।

 

ନବକିଶୋର ଗ୍ରାମକୁ ଯିବାର ସଙ୍କଳ୍ପ କରି ପିତାଙ୍କୁ ଜଣାଇଲେ । କୈଳାସଚନ୍ଦ୍ରଙ୍କୁ ଲଳିତାର ନିରୁଦ୍ଦେଶ ଖବର ଅବିଦିତ ନ ଥିଲା । ସେ ଏଥର ଆଉ କିଛି ଆପତ୍ତି କଲେ ନାହିଁ । ନବକିଶୋର ଦୁଇ ଦିନ ଛୁଟି ନେଇ ଜନ୍ମଭୂମି ଅଭିମୁଖରେ ଯାତ୍ରା କଲେ ।

 

ସନ୍ଧ୍ୟା ହେବାକୁ ଅଳ୍ପ ସମୟ ଅଛି । ମେଘ ଝିପି ଝିପି କୁଣ୍ଡା ଝାଡ଼ୁଛି । ରାଧିକା ଦେଈ ପିଣ୍ଡା ଉପରେ ବସିଛନ୍ତି–ସତେ ଯେପରି ବରଷାର ଧାର ଗଣିବାରେ ନିବିଷ୍ଟମନା । ଚମ୍ପୀ ପଧାନସାହିକୁ ଖେଳିବାକୁ ଯାଇଥିଲା । ଦୌଡ଼ି ଆସି କହିଲା, ‘‘ବୋଉ, ନବ ଭାଇ...।’’ ରାଧିକା ଦେଈ ଚମକି ଉଠିଲେ । ନବକିଶୋର ବ୍ୟାଗଟି ପିଣ୍ଡା ଉପରେ ଥୋଇ ଦେଇ ତଳେ ମୁଣ୍ଡ ଲଗାଇ ପ୍ରଣାମ କଲେ । ରାଧିକା ଦେଈ ତାଙ୍କର ବାମ ହସ୍ତଟିକୁ ନିଜର ଦୁଇ ହସ୍ତରେ ଦୃଢ଼ରୂପେ ଧରି ବାହୁନିବାକୁ ଲାଗିଲେ । ନବକିଶୋର ବଡ଼ ଆଶ୍ଚର୍ଯ୍ୟ ବୋଧକଲେ । ସେ ଖୁଡ଼ିଙ୍କୁ କ୍ରନ୍ଦନର କାରଣ ବୁଝି ନ ପାରି ମନେ ମନେ ବିରକ୍ତ ହେଉଥିଲେ ହେଁ ନିଜେ ନ କାନ୍ଦି ରହି ପାରିଲେ ନାହିଁ । ରଙ୍ଗାଧର ଘର ଭିତରୁ ଆସି ଦେଖିଲେ, ନବକିଶୋର ଓ ରାଧିକା ଦେଈ ଉଭୟଙ୍କ ଚକ୍ଷୁରେ ପାଣି । ସେ ରାଧିକା ଦେଈଙ୍କୁ, ସାନ୍ତ୍ୱନା ଦେଇ ସ୍ଥାନାନ୍ତରକୁ ଘେନିଗଲେ ।

 

ଜଳଯୋଗର ବ୍ୟବସ୍ଥା ପରେ ନବକିଶୋର ସ୍ଥିର ହୋଇ ବସନ୍ତେ ରଙ୍ଗାଧର ତାଙ୍କର ସମସ୍ତ ଦୁଃଖ କାହାଣୀ କହିବସିଲେ । ସେ ଯେତେବେଳେ ଶୁଣିଲେ, ଚାରିମାସ ହେଲାଣି ଲଳିତା ସ୍ୱ-ଇଚ୍ଛାରେ ଗୃହତ୍ୟାଗ କରିଛି । ସେ ବର୍ତ୍ତମାନ ନିରୁଦ୍ଦେଶ–ତାର କୌଣସି ଖବର ଜଣା ନାହିଁ, ତାଙ୍କର ମୁଣ୍ଡ ବୁଲାଇ ଦେଲା । ସେ ଦୁଇ ବର୍ଷ ତଳେ ଦିନମଣି ପଟ୍ଟନାୟକଙ୍କର । ଯେଉଁ ପତ୍ର ଦେଖିଥିଲେ, ସେଥିରେ ଲେଖା ଥିଲା–‘ଗ୍ରାମବାସୀମାନେ ସମସ୍ତ କଥା ଗୋପନ ରଖି କୁଳଟା ଲଳିତାକୁ କଲ୍ୟାଣପୁରରେ ବିବାହ ଦେଇଛନ୍ତି, ସେ ତେବେ ମିଥ୍ୟା କଥା ? ଏପରି ମିଥ୍ୟା–ପତ୍ର ଦେବାର ଅର୍ଥ କଣ ? ପୁଣି ଶୁଣିଲେ, ସେ କଲିକତାରେ ଗୋଟାଏ ବଙ୍ଗାଳୁଣୀକୁ ବିବାହ କରିଥିବା କଥା ଶୁଣିଲାଦିନୁ ଗାଁ ଲୋକେ ରଙ୍ଗାଧରଙ୍କୁ ଆଉ ବାଟ ଚଲାଇ ଦେଉ ନାହାନ୍ତି । ନାନାପ୍ରକାର ଉପହାସ କରୁଛନ୍ତି । ରାଧିକା ଦେଈଙ୍କ କଥା ଛାଡ଼–ସେ ଉପହାସ ଭୟରେ ଦୁଇ ବର୍ଷ ହେଲାଣି ଦାଣ୍ଡଦୁଆର ମାଡ଼ି ନାହାନ୍ତି । ନବକିଶୋର ଆହୁରି ଆଶ୍ଚର୍ଯ୍ୟାନ୍ୱିତ ହେଲେ । ପିତା ତାଙ୍କର ଏ କଥା ପୁଣି ରଚନା କରିଛନ୍ତି–ଏହାର ଅର୍ଥ କଣ ? ଉଦ୍ଦେଶ୍ୟ କଣ ? ସେ କିଛି ବୁଝିପାରିଲେ ନାହିଁ । ଯତ୍ନସଞ୍ଚିତ ଲଳିତାର ସେହି ପତ୍ରଖଣ୍ଡି ଟ୍ରଙ୍କ ଭିତରୁ ବାହାର କରି ରଙ୍ଗାଧର ନବକିଶୋରଙ୍କ ହାତକୁ ବଢ଼ାଇ ଦେଲେ । କହିଲେ, ‘‘ଲଳିତା ଗୃହ ତ୍ୟାଗ କରିବା ପରେ ଏ ପତ୍ର ଖଣ୍ଡି ପାଇଛି ।’’ ନବକିଶୋର ପତ୍ରଖଣ୍ଡି ହାତରେ ଧରି କଳ୍ପନାତୀତ ସୁଖ ଅନୁଭବ କଲେ । ଲଳିତାର ପତ୍ର–ସ୍ନେହମୟୀ ଲଳିତାର ପତ୍ର । ଦୀର୍ଘ ତିନି ବର୍ଷ ପରେ ଆଜି ଲଳିତାର ପତ୍ର ଖଣ୍ଡେ ନବକିଶୋର ପ୍ରାପ୍ତ ହେଲେ । ସେ ଚତୁର୍ଦ୍ଦିଗକୁ ଥରେ ଦୃଷ୍ଟିପାତ କଲେ, ନିକଟରେ ଆଉ କେହି ଅଛି କି ନାହିଁ । ରଙ୍ଗାଧର ସେତେବେଳକୁ ସେ ସ୍ଥାନ ତ୍ୟାଗ କରିଥିଲେ । ନବକିଶୋର ପତ୍ରକୁ ନେଇ ପ୍ରଥମେ ଓଷ୍ଠ ସ୍ପର୍ଶ କଲେ । ତା’ପରେ ହୃଦୟରେ କ୍ଷଣକାଳ ଭିଡ଼ିଧରି ବହିରାବରଣ ଉନ୍ମୋଚନପୂର୍ବକ ପାଠ କରିବାକୁ ଆରମ୍ଭ କଲେ ।

 

‘‘ଜୀବିତେଶ !

ଅଭାଗିନୀର ସାଷ୍ଟାଙ୍ଗ ପ୍ରଣିପାତ ଗ୍ରହଣ କରିବେ !

 

ବାଲ୍ୟକାଳରୁ ମୁଁ ତୁମକୁ ସ୍ନେହ ଚକ୍ଷୁରେ ଦେଖି ଆସୁଥିଲି ଏବଂ ତୁମକୁ ଆଦର୍ଶ କରି ମୋର ଜୀବନଟି ଗଢ଼ିବାର ବାସନା ଥିଲା; କିନ୍ତୁ ଭାବି ନ ଥିଲି, ଦିନେ ତୁମେ ମୋର ପ୍ରାଣର ଅଧୀଶ୍ୱରରୂପେ ପୂଜିତ ହେବ । କେବଳ ଜାଣିଥିଲି, ତୁମେ ପୁରୁଷ–ମୁଁ ନାରୀ । ଏହି ପ୍ରଭେଦ ଭିନ୍ନ ତୁମର ମୋର ଆଉ କି ପ୍ରଭେଦ, ତାହା ମୋର ଜ୍ଞାନ ନ ଥିଲା । ତଥାପି ତୁମକୁ ମୁଁ ଦିନେ ହୃଦୟେଶ୍ୱରରୂପେ ପୂଜା କରିବି, ଏ ଭାବନାକୁ କ୍ଷଣକ ପାଇଁ ହୃଦୟରେ ସ୍ଥାନ ଦେଇ ନ ଥିଲି । ଯେଉଁ ଦିନ ମୁଁ ତୁମକୁ ପୁରସ୍କାର ପ୍ରାର୍ଥନା କରିବାକୁ ଯାଇଥିଲି, ସେ ଦିନ ମଧ୍ୟ ମୋର ମନରେ ସେପରି କୌଣସି ଭାବନା ନ ଥିଲା; କିନ୍ତୁ ତୁମେ ଯେତେବେଳେ ମୋ କଥାର ଭିନ୍ନାର୍ଥ କରି ଅଯାଚିତ ଭାବରେ ମୋତେ ତୁମର ହୃଦୟ ଦାନ କଲ, ସେହି ଦିନରୁ, ସେହି ମୁହୂର୍ତ୍ତରୁ ମୁଁ ଜାଣିଲି, ତୁମେ ମୋର ହୃଦୟ–ରାଜ୍ୟର ଏକମାତ୍ର ଅଧୀଶ୍ୱର । ସେହି ଅବଧି ମୁଁ ତୁମକୁ ପ୍ରାଣପତିରୂପେ ପୂଜା କରି ଆସୁଛି ।

 

ଅତି ବାଲ୍ୟକାଳରୁ ତୁମ ପ୍ରତି ମୋର ସ୍ନେହମମତା ଥିଲା ସତ; ମାତ୍ର ସେ ପର୍ଯ୍ୟନ୍ତ ଦେବତାରୂପେ ହୃଦୟରେ ସ୍ଥାନ ଦେଇ ନ ଥିଲି, ସେ ପର୍ଯ୍ୟନ୍ତ ତୁମର ବିଚ୍ଛେଦ ବେଦନା ସୁଖେ ଦୁଃଖେ ସହ୍ୟ କର ଯାଉଥିଲି କିନ୍ତୁ ଯେଉଁ ଦିନ ମୋର ଏ ଜୀବନକୁ ତୁମର ଚରଣ ତଳେ ବିକ୍ରୟ କରିଦେଲି, ସେହି ଦିନଠାରୁ ମୋ ଉପରେ ମୋର କୌଣସି ଅଧିକାର ରହିଲା ନାହିଁ । ନିଜକୁ ମୁଁ ଆୟତ୍ତରେ ରଖି ପାରଲି ନାହିଁ । ତୁମ ଭିନ୍ନ ସଂସାରର ଆଉ କୌଣସି ପଦାର୍ଥ ମୋର ଦୃଷ୍ଟିଗୋଚର ହେଲା ନାହିଁ । ତୁମ ବିରହରେ ମୁଁ ଯେ କି କଷ୍ଟ ଅନୁଭବ କରେ, ତାହା ପ୍ରକାଶ କରିବାକୁ ମୋର ଶକ୍ତି ନାହିଁ । ତୁମେ ଗ୍ରାମ ଛାଡ଼ିବାର ଆଜକୁ ତିନି ବର୍ଷ ହୋଇଗଲାଣି । ଏତେ ଦିନଯାଏ ମୁଁ କିପରି ଭାବରେ ଦିନ କଟାଇଛି, ତାହା ସର୍ବାନ୍ତର୍ଯ୍ୟାମୀ ପରମେଶ୍ୱରଙ୍କ ବ୍ୟତୀତ ଆଉ କେହି ଜାଣନ୍ତି ନାହିଁ ବୋଧହୁଏ । ଆଉ ଏଣିକି ମୁଁ ସହ୍ୟ କରି ପାରୁ ନାହିଁ । ମୋର ବିଶେଷ ଦୁଃଖ, ଆଜିଯାଏ ତୁମର କୌଣସି ଖବର ସୁଦ୍ଧା ପାଇଲି ନାହିଁ । ସେଥିପାଇଁ ତୁମକୁ ମୁଁ ଦୋଷ ଦେଉ ନାହିଁ । ଯାହା ଘଟିବାର ଥିଲା ଘଟିଯାଇଛି ।

 

ବହୁଚିନ୍ତା ପରେ ଆଜି ମୁଁ ଦୃଢ଼ସଂକଳ୍ପ ହୋଇ ତୁମ ଉଦ୍ଦେଶ୍ୟରେ ଜନ୍ମଭୂମି ତ୍ୟାଗ କରୁଛି । ତୁମେ ମୋତେ ଭୁଲିଯାଅ–ନ ପଚାର, ଗ୍ରହଣ ନ କର; କିନ୍ତୁ ମୁଁ ତୁମ ବ୍ୟତୀତ ଆଉ କାହାରିକୁ ଜାଣେ ନାହିଁ । ମୋର ଏହି ସଂକଳ୍ପ ଯଦି ପରାତ୍ପର ପରମେଶ୍ୱର ସଫଳ କରନ୍ତି, ତେବେ ଏ ପତ୍ରର ଆଉ ଆବଶ୍ୟକ ହେବ ନାହିଁ କି ତୁମେ ଏ ପତ୍ର ଦେଖିବାକୁ ପାଇବ ନାହିଁ । ଯଦି ଈଶ୍ୱରଙ୍କର ଇଚ୍ଛା ଅନ୍ୟ ପ୍ରକାର ଥାଏ, ତେବେ ଏ ପତ୍ରଖଣ୍ଡିକରୁ ସମସ୍ତ ବିଷୟ ଅବଗତ ହେବ । ଯଦି ଏ ପତ୍ର ମୋର ଶେଷପତ୍ର ହୁଏ, ତେବେ ତୁମେ ଦୁଃଖିତ ହେବ ନାହିଁ । ମୋର ଭାଗ୍ୟାନୁସାରେ ମୁଁ ଫଳ ଭୋଗ କରିବି । ତୁମେ ମୋ ପାଇଁ ବିଚଳିତ ହୋଇ ତୁମର ସୁନାର ସଂସାରକୁ ଚୂନା କରିବ ନାହିଁ । ତୁମେ ସୁଖୀ ହେଲେ ମୁଁ ତୁମର ସେହି ସୁଖର ନିଶ୍ଚୟ ସମଭାଗିନୀ ହେବି । ମୋର ଏହି ଶେଷ ଅନୁରୋଧ, ଯଦି ତୁମର ମୋଠାରେ ମାୟା, ମମତା, ସ୍ନେହ ଥାଏ, ତେବେ ତୁମେ ତୁମର ଜୀବନକୁ କଦାପି ଦୁଃଖମୟ କରିବ ନାହିଁ । ଅଭାଗିନୀ ଲଳିତାର ଶେଷ ନିବେଦନ ବିସ୍ତୃତ ହେବ ନାହିଁ । ତୁମେ ଭାବିପାର, ଈର୍ଷା ପରବଶ ହୋଇ ମୁଁ ଏପରି ଲେଖିଲି; କିନ୍ତୁ ପରାତ୍ପର ପ୍ରଭୁ ମୋର ହୃଦୟ–ବେଦନା ଜାଣନ୍ତି । ଦିବାନିଶି ମୁଁ ସେହି ପ୍ରଭୁଙ୍କର ଚରଣ ତଳେ ପ୍ରାର୍ଥନା କରୁଛି ମୋର ହୃଦୟେଶ୍ୱର ସେ ବିବାହରେ ଯେପରି ସୁଖୀ ହେବେ, ତାର ଉପାୟ ବିଧାନ କରନ୍ତୁ ପ୍ରଭୁ ! ତୁମେ ବିବାହ କରିଛ ବୋଲି ମୁଁ କଦାପି ଦୁଃଖିତା ନୁହେଁ,ଏହା ଧ୍ରୁବ ସତ୍ୟ ଜାଣିବ ଇତି ।

 

ତୁମର ପ୍ରଣୟାଭିଳାଷୀ ଅଭାଗିନୀ

ଲଳିତା’’

 

ନବକିଶୋର ଏକ ନିଃଶ୍ୱାସରେ ସେ ପତ୍ରଖଣ୍ଡି ପାଠକଲେ । ମନ ତୃପ୍ତ ହେଲାନାହିଁ । ଆଉ ଥରେ ପାଠକଲେ–ବାରମ୍ବାର ପାଠକଲେ; ତଥାପି ମନ ତୃପ୍ତ ହେବାକୁ ଚାହେଁ ନାହିଁ । ଲଳିତା କେବଳ ତାଙ୍କରି ଉଦ୍ଦେଶ୍ୟରେ ଗୃହ ତ୍ୟାଗ କରିଛି । ପତ୍ର ଉପରେ ଦୃଷ୍ଟି ରଖି ଭାବିବାକୁ ଲାଗିଲେ । ଚମ୍ପୀ କେତେବେଳୁଁ ତାଙ୍କ ପାଖରେ ଆସି ବସିଲାଣି, ସେ ଜାଣି ପାରିନାହାନ୍ତି । ସେ ଲଳିତା ବିଷୟରେ ଭାବୁଛନ୍ତି, ଏହି ଅନୁମାନ କରି ଚମ୍ପୀ କହିଲା, ‘‘ତମେ ତ ଆସିଲ ନାହିଁ, ଚିଠିଖଣ୍ଡେ ବି ଦେଇ ନାହିଁ । ଅପା ତମ ପାଖକୁ ଯେତେ ଚିଠି ଲେଖିଛି ।’’ ନବକିଶୋର ଚମକି ଉଠିଲେ । ଲଳିତା କଣ ତାଙ୍କ ପାଖକୁ ଚିଠି ଦେଇଥିଲା ? ସେ ତାର ଖଣ୍ଡିଏ ବି ଚିଠି ପାଇ ନାହାନ୍ତି । ଚମ୍ପୀ ଅଭିମାନ ସ୍ୱରରେ କହିଲା, “ଅପା କଣ ଖଣ୍ଡେ ଚିଠି ଲେଖିଚି ? ଦଶ କି ବାର ଖଣ୍ଡ ଚିଠି ଦେଇଥିବ । ପ୍ରତି ହାଟପାଳି ଦିନ ରାତିରେ ସେ ପରା ଚିଠି ଲେଖେ !’’ ଏ ସମସ୍ତ କଥା ନବକିଶୋରଙ୍କୁ ଇନ୍ଦ୍ରଜାଲ ପରି ବୋଧ ହେଲା । ସେ ଏହାର ରହସ୍ୟ ଭେଦ କରି ନ ପାରି ବଡ଼ ବ୍ୟଥିତ ହୋଇ ଉଠିଲେ । ଭାବିଲେ, “ବାପାଙ୍କର ଏତେଗୁଡ଼ାଏ ମିଥ୍ୟା କଥା କହିବାର ପ୍ରୟୋଜନ କଣ ? ଦିନମଣି ପଟ୍ଟନାୟକ ଯେଉଁ ପତ୍ର ଲେଖିଥିଲେ, ସେ ନିଶ୍ଚୟ ବାପାଙ୍କର କୌଶଳ । ଏହାର ଅର୍ଥ କଣ ? ଲଳିତାକୁ ମୋଠାରୁ ଦୂରରେ ରଖିବା ଅଭିପ୍ରାୟରେ ଏ ସମସ୍ତ ଷଡ଼ଯନ୍ତ୍ରର ସୃଷ୍ଟି ବୋଧହୁଏ । କାହିଁକି, ପରିଷ୍କାର କହିଦେଇଥିଲେ ତ ହୋଇଥାନ୍ତା, ‘‘ଲଳିତା ସହିତ ତୋର ବିବାହ ହୋଇ ପାରିବ ନାହିଁ ନବ ! ତୋର ତା ସହିତ ଆଉ କୌଣସି ସମ୍ବନ୍ଧ ରଖିବା ଉଚିତ ନୁହେଁ ।” ତାହା ନ କରି ଏତେ ଦୂର ଶୋଚନୀୟ କାଣ୍ଡ ଘଟାଇବାର କି ଆବଶ୍ୟକତା ଥିଲା । ପିତାଙ୍କ ପ୍ରତି ତାଙ୍କର ତୀବ୍ର ଘୃଣା ଜାତ ହେଲା । ସେ ବିଛଣାରେ ପଡ଼ି ଲୋତକ ଜଳରେ ଭାସିବାକୁ ଲାଗିଲେ ।

 

ପ୍ରଭାତ ହେଲା, ନବକିଶୋର ଯେତେବେଳେ କଲିକତା ଫେରିଯିବାକୁ ପ୍ରସ୍ତୁତ ହେଲେ, ରଙ୍ଗାଧର ରାଧିକା ଦେଈ ଲୋତକ ସମ୍ଭାଳି ପାରିଲେ ନାହିଁ । ନବକିଶୋରଙ୍କର ହାତ ଧରି ରାଧିକା ଦେଈ ଉଚ୍ଚସ୍ଵରରେ ବାହୁନିବାକୁ ଲାଗିଲେ । ନବକିଶୋର କହିଲେ, “ଖୁଡ଼ି, ତମେ ବ୍ୟସ୍ତ ହୁଅନା, ଲଳିତା ନିଶ୍ଚୟ ଜୀବନରେ ଅଛି । ମୁଁ କଲିକତା ଯାଉ ନାହିଁ; ଯାଉଛି ତାକୁ ଖୋଜିବାକୁ । ତାକୁ ସଙ୍ଗରେ ଘେନି ଫେରିବି । ନ ହେଲେ ମୋର ଏହି ଶେଷ ଦେଖା ।’’

 

ଦିନ ବାରଟା ହେବ । କୈଳାସଚନ୍ଦ୍ର, ବିଶ୍ରାମ କରୁଛନ୍ତି । ନବକିଶୋର ବସାରେ ପହଞ୍ଚି ଦେଖିଲେ ପିତାଙ୍କର ଶଯ୍ୟାପାର୍ଶ୍ୱରେ ତାଙ୍କର ହାତ ବାକ୍‌ସଟି ଖୋଲା ହୋଇ ପଡ଼ିଛି । ବାକ୍‌ସସ୍ଥିତ ଗୋଟାଏ ଲାଲ ରଙ୍ଗର ଲଫାପା ଉପରେ ତାଙ୍କର ଦୃଷ୍ଟି ପଡ଼ିଲା । ଉପରେ ତାଙ୍କରି ନାମ ଲେଖା । ସେ ଆଶ୍ଚର୍ଯ୍ୟ ହୋଇଗଲେ, ଏ ଯେ ଲଳିତାର ହସ୍ତାକ୍ଷର !

 

ଖୋଲି ପାଠକଲେ–

‘‘ହୁଦୟେଶ୍ୱର !

 

ଅଭାଗିନୀର ପ୍ରଣାମ ଗ୍ରହଣ କରିବ । ତମର ହୃଦୟ ଏପରି କଠିନ ହୋଇପାରେ, ମୁଁ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲି । ତିନି ଖଣ୍ଡ ପତ୍ର ଦେଲିଣି, ଖଣ୍ଡେ ମାତ୍ର ପ୍ରତ୍ୟୁତ୍ତର ନାହିଁ । ନବକିଶୋର ଆଉ ପଢ଼ି ପାରିଲେ ନାହିଁ । ତାଙ୍କର ମସ୍ତକରେ ସତେ ଯେପରି ହିମାଳୟର ଉଇତମ ଶୃଙ୍ଗଟାକୁ ଆଣି ଚାପି ଦେଲା କିଏ । ସେ ଥକ୍କା ମାରି କିଛିକ୍ଷଣ ଠିଆ ହୋଇଗଲେ । ତାପରେ ତାଙ୍କର ଲୋଲୁପ ଦୃଷ୍ଟି ପୁଣି ସେହି ବାକ୍ସ ଭିତରକୁ ଧାଇଁଲା । ସଜା ହୋଇ ଆହୁରି ବହୁତଗୁଡ଼ାଏ ଚିଠି ରହିଛି । ଉଠାଇ ଦେଖିଲେ, ସେ ସମସ୍ତ ଲଳିତାର ହାତ–ଲେଖା । ପତ୍ରସବୁ ଗୋଟାଇ ଧରି ତାଙ୍କର କୋଠରୀ ଆଡ଼କୁ ଚାଲିଲେ । କିୟଦ୍ଦୂର ଅଗ୍ରସର ହୋଇ କଣ ଭାବିଲେ କେଜାଣି ହସ୍ତସ୍ଥିତ ପତ୍ରଗୁଡ଼ିକୁ ନିଜର କୋଟ ପକେଟରେ ଭର୍ତ୍ତି କରି ଦ୍ରୁତ ପଦକ୍ଷେପରେ ବାହାରକୁ ପଳାଇଗଲେ ।

Image

 

ଏକବିଂଶ ପରିଚ୍ଛେଦ

 

ଲଳିତା ସେ ଦିନ ଚମ୍ପୀ ଓ ବୋଉକୁ ଲୁଚି ଘରୁ ପଳାଇ ଆସି ଯେତେବେଳେ ପଟାମୁଣ୍ଡେଇରେ ପହଞ୍ଚିଲା, ସେତେବେଳକୁ ଦୁଇଟା ବାଜିଗଲାଣି । ପଟାମୁଣ୍ଡେଇରୁ ଜଗତ୍‌ପୁର ଯାତାୟତ କରୁଥିବା ମୋଟର ଯାତ୍ରୀ ସଂଗ୍ରହ କରୁଚି । ତାର ମନୋରଥ ପୂର୍ଣ୍ଣ ହେଲା । ସେ ସେହି ମୋଟରରେ ବସି ଗ୍ରାମର ପ୍ରିୟ ବୃକ୍ଷଲତାସବୁ ପଛ କରି ଜଗତ୍‌ପୁର ଅଭିମୁଖରେ ଚାଲିଲା ।

 

ହାବଡ଼ା ଷ୍ଟେସନରୁ ପ୍ରାୟ ଅର୍ଦ୍ଧମାଇଲ ଦୂରରେ ବଡ଼ରାସ୍ତାକୁ ଲାଗି ଖିଲ ପାନର ଦୋକାନଟିଏ । ଚାଳିଶ ବର୍ଷର ଗୋଟାଏ ରମଣୀ ଦୋକାନରେ ବସି ଖିଲ ମୋଡ଼ୁଚି । ଅର୍ଦ୍ଧ ଘଣ୍ଟା ପୂର୍ବରୁ ପୁରୀ ପାସେଞ୍ଜର ଆସି ଷ୍ଟେସନରେ ପହଞ୍ଚିଛି । କଲିକତା ସହରର ଭିଡ଼ ଆହୁରି ଟିକେ ବଢ଼ିଯାଇଛି । ରାସ୍ତାରେ ଟ୍ରାମ୍, ବସ୍, ଟାକ୍‌ସି, କାର୍, କୋଚ୍, ରିକ୍ସା ପ୍ରଭୃତି ଯାନମାନ କାନ ଅତଡ଼ା ପକାଇ ଧାବିତ । ଫୁଟପାଥ୍ ମଧ୍ୟ କମ୍ ଜନାକୀର୍ଣ୍ଣ ନୁହେଁ । ପାନବାଲୀ ରାସ୍ତାର ଦୃଶ୍ୟକୁ ଅନ୍ୟମନସ୍କ ଭାବରେ ଚାହିଁଲା, ସହସା ଜଣେ ସନ୍ନ୍ୟାସିନୀ ଉପରେ ତାର ନଜର ପଡ଼ିଲା । ସନ୍ନ୍ୟାସିନୀ ବାସ୍ତବିକ ଅପୂର୍ବ । ବୟସ ଷୋଳ ସତରରୁ ବେଶି ନୁହେଁ । ସର୍ବାଙ୍ଗରେ ଉଦ୍ଦାମ ଯୌବନର ନଗ୍ନ ମାଧୁରୀ ପ୍ରସ୍ଫୁଟିତ । ତପ୍ତକାଞ୍ଚନ ଗୌରଙ୍ଗୀ ଆଉ ତାର ଚାହାଁଣିରେ ସତେ ଯେପରି ସ୍ୱର୍ଗୀୟ ସୁଷମା ବୋଳା । ପାନବାଲୀ ହସ୍ତ ସଙ୍କେତ ଦ୍ୱାରା ସନ୍ନ୍ୟାସିନୀକୁ ଡ଼ାକିଲା । ସେ ମଧ୍ୟ ବିନା ବାକ୍ୟବ୍ୟୟରେ ତା ନିକଟରେ ପହଞ୍ଚିଲା ଏବଂ ଅନୁରୋଧର ଅପେକ୍ଷା ନ କରି ନିକଟସ୍ଥ ଗୋଟିଏ କାଷ୍ଠାସନରେ ବସି–ଘର୍ମ ମୋଚନ କରିବାରେ ଲାଗିଲା । ପ୍ରାୟ ଏକ ଘଣ୍ଟା ଧରି ଉଭୟଙ୍କ ମଧ୍ୟରେ ସେସବୁ କଥୋପକଥନ ଚାଲିଲା, ତାର ସାରମର୍ମ ହେଉଚି, ଉଭୟେ ଉଭୟଙ୍କର ପରିଚିତା ହେଲେ ।

 

ପାନବାଲୀର ଘର ପୁରୀ ଜିଲ୍ଲାରେ । ତାର ସ୍ୱାମୀ ଜଣେ ଗୋରା ସାହେବଙ୍କ ନିକଟରେ ମଟର ଡ୍ରାଇଭର କାମ କରୁଥିବାବେଳେ ସେ ସ୍ୱାମୀ ସହିତ କଲିକତାରେ ବାସ କରୁଥିଲା । କିନ୍ତୁ ଦୁଇ ବର୍ଷ ହେବ ସ୍ୱାମୀ ତାର ଇହଧାମ ପରିତ୍ୟାଗ କରିଛି । ବର୍ତ୍ତମାନ ଦ୍ୱାଦଶ ବର୍ଷୀୟ ଏକମାତ୍ର ପୁତ୍ର ବିଷୁ ଭିନ୍ନ ତାର ଆପଣାର ଆଉ କେହି ନାହାନ୍ତି । ବିଷୁ ଗୋଟିଏ କମ୍ପାନୀରେ ଚାକିରୀ କରେ-। ବୁଲି ବୁଲି କାଳିବଡ଼ି ବିକ୍ରୟ କରିବା ତାର କାମ । ସେ ତାର ଖିଲ ପାନ ଦୋକାନଟି ଜଗି ବସିଥାଏ ।

 

ସନ୍ନ୍ୟାସିନୀର ପରିଚୟ ପାଠକମାନଙ୍କୁ ବୋଧ ହୁଏ ଅବିଦିତ ନ ଥିବ । ସେ ଆମ୍ଭମାନଙ୍କର ପରିଚିତା ଲଳିତା ଭିନ୍ନ ଆଉ କେହି ନୁହେଁ ।

 

କଲିକତାରେ ଓଡ଼ିଆ ସ୍ତ୍ରୀ ପ୍ରାୟ ବିରଳ । ପାନବାଲୀ ଲଳିତାକୁ ପାଇ ବଡ଼ ଆନନ୍ଦିତ ହୋଇ ଉଠିଲା । ଲଳିତା ଯେ ତାହାର ଅଫୁରନ୍ତ ଦୁଃଖରାଶି ମଧ୍ୟରେ ଟିକିଏ ଆନନ୍ଦ ଅନୁଭବ ନ କଲା, ସେ କଥା କହିହେବ ନାହିଁ । ସେ ସୁଦୂର କଲିକତା ସହରକୁ ଆସି ଏପରି ଅପ୍ରତ୍ୟାଶିତ ଭାବରେ ସହସା ଜଣେ ଉତ୍କଳୀୟ ରମଣୀର ସାକ୍ଷାତ୍ ଲାଭ କରିବ, ତାହା ସେ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲା । ସେ ପାନବାଲୀର ମିଷ୍ଟ ବ୍ୟବହାରରେ ସେଠାରେ ରହିବାକୁ ଦ୍ୱିଧା କଲା ନାହିଁ ।

 

ଦୀର୍ଘକାଳ ଧରି ମାନସିକ ଅଶାନ୍ତିରେ ଲଳିତା ନବକିଶୋରଙ୍କର ଠିକଣାଟି ଭୁଲିଯାଇଛି-। ବିରାଟ କଲିକତା ନଗରୀ ମଧ୍ୟରେ ନବକିଶୋରଙ୍କୁ ଖୋଜି ବାହାର କରିବା କିପରି ଦୁରୁହ ବ୍ୟାପାର, ତାହା ସେ ପ୍ରାଣେ ପ୍ରାଣେ ଅନୁଭବ କଲା । କିନ୍ତୁ ପାନବାଲୀ ନବକିଶୋରଙ୍କର ଅନୁସନ୍ଧାନ ନିମନ୍ତେ ତାର ପୁତ୍ରକୁ ନିଯୁକ୍ତ କରିବାରୁ ଲଳିତାକୁ ସେ ବିଷୟରେ ବିଶେଷ ଭାବିବାକୁ ପଡ଼ିଲା ନାହିଁ ।

 

ଦିନ ପରେ ଦିନ, ମାସ ପରେ ମାସ କ୍ରମେ ଗଡ଼ି ଚାଲିଲା । ବିଷୁ ନବକିଶୋରଙ୍କର କୌଣସି ଖବର ପାଇଲା ନାହିଁ । ଲଳିତାର ପ୍ରାଣ ପୁଣି ଅଧୀର ହୋଇ ଉଠିଲା । ପାନବାଲୀର ଶତ ସାନ୍ତ୍ୱନା ତାର ସେ ଅଧୀରତା ନିବାରଣ କରି ପାରିଲା ନାହିଁ । ସେ ମନେ ମନେ ସ୍ଥିର କଲା, ନିଜେ ଅଣ୍ଟା ନ ଭିଡ଼ିଲେ କାର୍ଯ୍ୟୋଦ୍ଧାର ଅସମ୍ଭବ ।

 

ନବୀନା ସନ୍ନ୍ୟାସିନୀ ଭିକ୍ଷା ଉଦ୍ଦେଶ୍ୟରେ ଦ୍ୱାରେ ଦ୍ୱାରେ ବୁଲୁ ବୁଲୁ ଜନୈକ ବୃଦ୍ଧାଠାରୁ ଶୁଣିଲା–‘‘ସେ ବଜାରରେ ଜଣେ ଓଡ଼ିଆ ଭଦ୍ରଲୋକ ଥିଲେ । ସେ ନିକଟସ୍ଥ ଗୋଟିଏ ମୁଦି ଦୋକାନରେ କାର୍ଯ୍ୟ କରୁଥିଲେ । ତାଙ୍କର ଗୋଟିଏ ପୁଅ ମଧ୍ୟ ତାଙ୍କ ପାଖରେ ରହି ପଢ଼ୁଥିଲେ । ଅଳ୍ପଦିନ ହେବ ସେ ଡାକ୍ତରୀ ପାସ୍ କରିଛନ୍ତି । କିନ୍ତୁ ପିତାଙ୍କର ମୃତ୍ୟୁ ହେବାରୁ ସେ କେଉଁଆଡ଼େ ଚାଲିଗଲେଣି ।

 

ଲଳିତା ଜାଣିପାରିଲା, କୈଳାସଚନ୍ଦ୍ରଙ୍କର ଏଠାରେ ମୃତ୍ୟୁ ହୋଇଛି ଏବଂ ନବକିଶୋର ଡାକ୍ତରୀ ପାସ୍ କରିଛନ୍ତି । ନବକିଶୋର କୌଣସି ଡାକ୍ତରଖାନାରେ ଚାକିରୀ କରୁଥିବା ଭାବି ସେ ଡାକ୍ତରଖାନାକୁ ଯାଇଁ ଅନୁସନ୍ଧାନ କରିବା ନିମିତ୍ତ ମନେ ମନେ ସ୍ଥିର କଲା ।

 

ବଳବତୀ ଇଚ୍ଛା ନିଶ୍ଚୟ ଫଳବତୀ ହୁଏ । ଲଳିତା ବୁଲୁ ବୁଲୁ ଦିନେ ଦେଖିଲା ଗୋଟିଏ ମୁମୁର୍ଷୁ ରାସ୍ତା ଉପରେ ପଡ଼ି ଛଟ୍‌ପଟ୍ ହେଉଚି । ସେ ରାସ୍ତାରେ ଅସଂଖ୍ୟ ଲୋକ ଯାତାୟତ କରୁଥିଲେ ମଧ୍ୟ କେହି ତାହାର ଦୁଃଖରେ ସମବେଦନା ପ୍ରକାଶ କରିବାକୁ ମୁହୂର୍ତ୍ତେ ମାତ୍ର ଅବସର ପାଉ ନାହାନ୍ତି । ଲଳିତାର ନାରୀ–ହୃଦୟ ସେ ମୁମୁର୍ଷୁର କାତର ଚିତ୍କାରକୁ ଉପେକ୍ଷା କରି ପାରିଲା ନାହିଁ । ସେ ପାଖକୁ ଯାଇ ଦେଖିଲା, ତାର ମସ୍ତକରେ ଆଘାତ ଲାଗି ଅଜସ୍ର ଧାରାରେ ରକ୍ତପାତ ହେଉଅଛି । ଦୁଇ ଆଣ୍ଠୁ ମଧ୍ୟ ଛିଡ଼ି ଯାଇଛି । ବୋଧହୁଏ କୌଣସି ବେଗଗାମୀ ଯାନର ସଂଘର୍ଷରେ ବୃଦ୍ଧର ଏ ଦୁରବସ୍ଥା । ଯାହା ହେଉ, ଲଳିତା ସେ ବିଷୟରେ ଅଧିକ ନ ଭାବି ରୋଗୀର ଶୁଶ୍ରୁଷା କରିବାରେ ଲାଗିଲା । ନିଜ ପଣତରୁ କିୟଦଂଶ ଛିନ୍ନ କରି ମସ୍ତକରେ ବାନ୍ଧିବାକୁ ଯାଉଚି, ସହସା, ପୋଲିସ୍ ଆସି ଉପସ୍ଥିତ ହୋଇ ରୋଗୀକୁ ଡାକ୍ତରଖାନା ନେଇଯିବାର ବନ୍ଦୋବସ୍ତ କଲେ । ଲଳିତା ସେ ସୁବର୍ଣ୍ଣ ସୁଯୋଗ ଛାଡ଼ି ପାରିଲା ନାହିଁ । ବୋଲିବା ବାହୁଲ୍ୟ ମାତ୍ର, ସେ ସେହି ରୋଗୀ ସାଙ୍ଗରେ ଯାଇ କେମ୍ବ୍ରିଜ ହସ୍‌ପିଟାଲରେ ଉପସ୍ଥିତ ହେଲା ।

 

ଡାକ୍ତରଙ୍କର ସୁଚିକିତ୍ସା ଓ ଲଳିତାର ନିର୍ବିକାର ଶୁଶ୍ରୁଷାରେ ସେ ବୃଦ୍ଧ ଅତ୍ୟଳ୍ପ ଦିନ ମଧ୍ୟରେ ଆରୋଗ୍ୟ ଲାଭ କରି ପ୍ରଭୁଙ୍କୁ ଧନ୍ୟବାଦ ଦେଇ ଚାଲିଗଲା; ମାତ୍ର ଲଳିତା ସେ ସ୍ଥାନ ପରିତ୍ୟାଗ କଲା ନାହିଁ । ପୂର୍ବ ପରି ଅନ୍ୟାନ୍ୟ ରୋଗୀମାନଙ୍କର ଶୁଶ୍ରୁଷା କରିବାକୁ ଲାଗିଲା ।

 

ସେ ଅଯାଚିତ ଭାବରେ ପରିଚର୍ଯ୍ୟା କରୁଥିବାର ଦେଖି କେମ୍ବ୍ରିଜ୍ ହସ୍‌ପିଟାଲର ଅଧ୍ୟକ୍ଷ ସାହେବ ପରମ ପ୍ରୀତ ହେଲେ । କିନ୍ତୁ ତା’ର ସନ୍ନ୍ୟାସିନୀ ବେଶ ଦେଖି ତାଙ୍କ ମନରେ ବଡ଼ କୌତୁହଳ ଜାତ ହେଲା । ସେ ସେହି କୌତୁହଳ ନିବାରଣାର୍ଥେ ସନ୍ନ୍ୟାସିନୀକୁ ନିକଟକୁ ଡ଼ାକି ପଚାରିଲେ–‘‘ତୁମର ଘର କେଉଁଠି ?’’

 

ଲଳିତା ଉତ୍ତର ଦେଲା–‘‘ଓଡ଼ିଶାରେ ।’’

ଅଧ୍ୟକ୍ଷ–‘‘କଲିକତା ଆସିବାର ଉଦ୍ଦେଶ୍ୟ କଣ ?’’

ଲଳିତା–‘‘ସେପରି କିଛି ବିଶେଷ ଉଦ୍ଦେଶ୍ୟ ନାହିଁ ।”

ଅଧ୍ୟକ୍ଷ–“ଏଠାରେ ରହି ରୋଗୀମାନଙ୍କର ପରିଚର୍ଯ୍ୟା କରୁଛ କାହିଁକି ?’’

ଲଳିତା–“ଅସହାୟମାନଙ୍କୁ ସାହାଯ୍ୟ କରିବା ମନୁଷ୍ୟର କର୍ତ୍ତବ୍ୟ ନୁହେଁ କି ?’’

ଅଧ୍ୟକ୍ଷ–‘‘ହଁ, କର୍ତ୍ତବ୍ୟ ସତ; କିନ୍ତୁ ତୁମର ବନ୍ଧୁବାନ୍ଧବ ତ କେହି ନାହାନ୍ତି ?’’

 

ଲଳିତା–‘‘ସଂସାରସ୍ଥ ପ୍ରତ୍ୟେକ ପ୍ରାଣୀ ମୋର ବନ୍ଧୁ । ଏହି ରୋଗୀମାନେ ମୋର ବନ୍ଧୁ, ଆପଣ ମଧ୍ୟ ମୋର ବନ୍ଧୁ ।’’

 

‘‘ଲଳିତାର ଏତାଦୃଶ ପ୍ରତ୍ୟୁତ୍ତରରେ ଅଧ୍ୟକ୍ଷ ସାହେବ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଗଲେ । ପଚାରିଲେ, ‘‘ତୁମେ ସନ୍ନ୍ୟାସିନୀ ?’’

 

ଲଳିତା–‘‘ହଁ ?’’

ଅଧ୍ୟକ୍ଷ–‘‘ତୁମର ନିଜ ଇଚ୍ଛାରେ ଆସି ଏଠାରେ ରୋଗୀମାନଙ୍କର ଶୁଶ୍ରୁଷା କରୁଛ ?’’

ଲଳିତା–‘‘ହଁ, ମୋର ନିଜ ଇଚ୍ଛାରେ ମୁଁ ଆସିଅଛି ।’’

 

ଅଧ୍ୟକ୍ଷ–‘‘ସନ୍ନ୍ୟାସିନୀ, ମୁଁ ତୁମର ବ୍ୟବହାରରେ ଅତ୍ୟନ୍ତ ପ୍ରୀତ ହୋଇଅଛି । ତୁମକୁ ଶୁଶ୍ରୁଷାକାରିଣୀ କାର୍ଯ୍ୟରେ ରଖିବାକୁ ଇଚ୍ଛା କରେଁ ।’’

 

ଲଳିତା–‘‘ଆପଣ କହିବା ପୂର୍ବରୁ ମୁଁ ତ ସେହି କାର୍ଯ୍ୟ କରୁଛି ।’’

 

ଅଧ୍ୟକ୍ଷ–‘‘ନା, ମୁଁ ସେପରି ଚାହେଁ ନାହିଁ । ତୁମେ ଯଦି ଇଚ୍ଛା କର, ମୁଁ ତୁମ୍ଭଙ୍କୁ ଆଇନାନୁଯାୟୀ ନିଯୁକ୍ତ କରିପାରିବି । ବର୍ତ୍ତମାନ ତୁମେ ରୋଗୀମାନଙ୍କର ଶୁଶ୍ରୁଷା କରୁଛ ସତ୍ୟ; କିନ୍ତୁ ଏପର୍ଯ୍ୟନ୍ତ ତୁମର ଉପଯୁକ୍ତ ଶିକ୍ଷା ହୋଇ ନାହିଁ । ପ୍ରଥମେ ତୁମ୍ଭଙ୍କୁ ସେହି କାର୍ଯ୍ୟ ଶିକ୍ଷା କରିବାକୁ ହେବ ।”

 

ଲଳିତା–‘‘ଆପଣଙ୍କର ଯଦି ଦୟା ହୁଏ, ମୁଁ ଶିକ୍ଷା କରିବାକୁ ପ୍ରସ୍ତୁତ ଅଛି । ଲଳିତାର ସମ୍ମତି ବୁଝିପାରି ଅଧ୍ୟକ୍ଷ ସାହେବ ଅତ୍ୟନ୍ତ ଆନନ୍ଦ ପ୍ରକାଶପୂର୍ବକ ସେହି ଦିନଠାରୁ ତାକୁ ହସ୍‌ପିଟାଲର ଶିକ୍ଷାନବିସ୍ ଶୁଶ୍ରୁଷାକାରିଣୀ ପଦରେ ନିଯୁକ୍ତ କଲେ । ଲଳିତାର ଆନନ୍ଦର ସୀମା ନାହିଁ । ସେ ଦୟାମୟ ପରମେଶ୍ୱରଙ୍କୁ ଶତ ଶତ ଧନ୍ୟବାଦ ସହ ପ୍ରଣାମ କରିବାକୁ ଲାଗିଲା ।’’

Image

 

ଦ୍ୱାବିଂଶ ପରିଚ୍ଛେଦ

 

ଦୁଇ ଦିନ ଗତ ହୋଇଗଲା, ନବକିଶୋର ଗୃହକୁ ଫେରିଲେ ନାହିଁ ଦେଖି କୈଳାସଚନ୍ଦ୍ରଙ୍କର ମନ ଚଞ୍ଚଳ ହୋଇ ଉଠିଲା । ତୃତୀୟ ଦିନକୁ ଅପେକ୍ଷା କରି ରହିଲେ । ସନ୍ଧ୍ୟା ହେଲା, ରାତ୍ରି ହେଲା, ନବକିଶୋର ଫେରିଲେ ନାହିଁ । ଚାହୁଁ ଚାହୁଁ ଆହୁରି ଗୋଟାଏ ଦିନ ମଧ୍ୟ ଚାଲିଗଲା । ଇତି ମଧ୍ୟରେ କୈଳାସଚନ୍ଦ୍ର ଗ୍ରାମ ଠିକଣାରେ ନବକିଶୋରଙ୍କ ପାଖକୁ ଟେଲିଗ୍ରାମ ପରେ ଟେଲିଗ୍ରାମ କଲେ ସୁଦ୍ଧା ପ୍ରତ୍ୟୁତ୍ତର ପାଇଲେ ନାହିଁ ।

 

ବିବାହ ଦୁଇ ଦିନ ମାତ୍ର ବାକି । ସେ ଆଉ ସ୍ଥିର ରହିଲେ ନାହିଁ । ନିଜେ ଯାଇ ନବକିଶୋରଙ୍କୁ ସାଙ୍ଗରେ ଘେନି ଆସିବାର ମନଃସ୍ଥ କରି ଯିବାର ଉଦ୍ଯୋଗ କରୁଛନ୍ତି, ଏ ସମୟରେ ଅତୁଲ ବାବୁ ପାଟନାରୁ ଆସି ପହଞ୍ଚିଲେ । ସେ ପ୍ରଥମେ କୈଳାସଚନ୍ଦ୍ରଙ୍କ ସହିତ ଦେଖା କରି ପାଟନାରେ ନବକିଶୋରଙ୍କ ସହିତ ସାକ୍ଷାତ ହୋଇଥିବା କଥା କହିଲେ । ଆହୁରି ମଧ୍ୟ ଜଣାଇ ଦେଲେ, ନବକିଶୋର ବର୍ତ୍ତମାନ ଫେରିବେ ନାହିଁ ସୌଦାମିନୀକୁ ବିବାହ କରି ପାରିବେ ନାହିଁ ।

 

କୈଳାସଚନ୍ଦ୍ର ନବକିଶୋରଙ୍କର ନିରୁଦ୍ଦେଶର କାରଣ ଯେତେବେଳେ ବୁଝି ପାରିଲେ, ତାଙ୍କୁ ଦଶ ଦିଗ ଅନ୍ଧାର ଦିଶିଲା । ତାଙ୍କର ଏତେ କୌଶଳ ଓ ଏତେ ଷଡ଼ଯନ୍ତ୍ର ସମସ୍ତ ବିଫଳ ହେଲା । ସେହି ରଙ୍ଗାଧର ଝିଅ ଲଲିତା ଲାଗି ନବକିଶୋର ପାଗଳ ହୋଇଛନ୍ତି ଜାଣି ତାଙ୍କ ପ୍ରାଣରେ ବଡ଼ ଆଘାତ ଲାଗିଲା । ଯଦି କେହି ଛୁରୀକା ସାହାଯ୍ୟରେ ତାଙ୍କର ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ପକାଇଥାନ୍ତା, ସେ ବୋଧହୁଏ ସେତେ ଦୂର ଯନ୍ତ୍ରଣା ଅନୁଭବ କରି ନ ଥାନ୍ତେ । ବିଶେଷ ଦୁଃଖ ତାଙ୍କର, ଏତେଗୁଡ଼ାଏ ସମ୍ପତ୍ତି ହାତ ଛଡ଼ା ହୋଇ ଯାଉଚି । କିଂକର୍ତ୍ତବ୍ୟବିମୂଢ଼ ହୋଇ ବସିପଡ଼ିଲେ ସେ ।

 

ପ୍ରମଥ ବାବୁ ଅତୁଲ ବାବୁଙ୍କଠାରୁ କୈଳାସଚନ୍ଦ୍ରଙ୍କର ଦୁରଭିସନ୍ଧି ସମସ୍ତ ଶୁଣି କ୍ରୋଧରେ ଜଳି ଉଠିଲେ । ଛିଃ ଛିଃ, ସେ ଭ୍ରମରେ ପଡ଼ି କଅଣ କରିବାକୁ ଯାଉଥିଲେ । କୈଳାସଚନ୍ଦ୍ର, ଏଡ଼େ ନୀଚ ଏଡ଼େ ଘୃଣ୍ୟ ! ସେ ତାଙ୍କୁ ପୁଣି ଅନୁରୋଧ ଅନୁନୟ କରିବାକୁ କୁଣ୍ଠିତ ହୋଇ ନାହାନ୍ତି । କୈଳାସଚନ୍ଦ୍ରଙ୍କ ପ୍ରତି ବିକଟ ଘୃଣାରେ ତାଙ୍କର ସର୍ବଶରୀର ଥରି ଉଠିଲା; କିନ୍ତୁ ପରକ୍ଷଣରେ କନ୍ୟାର ଭବିଷ୍ୟତ ଅବସ୍ଥା ଭାବି କରୁଣାରେ ଚକ୍ଷୁ ଛଳଛଳ ହୋଇ ଆସିଲା । ତାଙ୍କର ବୃଦ୍ଧା ପତ୍ନୀ ମାନଦାସୁନ୍ଦରୀ ଭୂତଳରେ ଲୋଟି ପଡ଼ିଲେ । ଦାସଦାସୀ ସମସ୍ତେ ଲୋତକ ଜଳରେ ଭାସିବାକୁ ଲାଗିଲେ । ହାୟ ! ନ ଜାଣି ସୌଦାମିନୀ କାହିଁକି ନବକିଶୋରଙ୍କୁ ମନପ୍ରାଣ ଅର୍ପଣ କରିଦେଲା ? ତାର ଭବିଷ୍ୟତ ଦଶା କଅଣ ହେବ ! ତାକୁ ଏ ହୃଦୟବିଦାରକ ଶୋକ–ସମ୍ବାଦ ଶୁଣାଇବ କିଏ ? ସେ କିପରି ବା ଧୈର୍ଯ୍ୟ ଧରି ଏ ସମସ୍ତ ଶ୍ରବଣ କରିବ ? ଏବଂବିଧ ଦୁଶ୍ଚିନ୍ତାରେ ପ୍ରମଥ ବାବୁ ଓ ମାନଦାସୁନ୍ଦରୀଙ୍କର ହୃଦୟ ବିଦୀର୍ଣ୍ଣ ହେବାକୁ ଲାଗିଲା । ସୌଦାମିନୀ ସେହି ତାଙ୍କର ପୁତ୍ର, ସେହି ତାଙ୍କର କନ୍ୟା, ସେହି ତାଙ୍କର ଅନ୍ତିମ କାଳର ଏକମାତ୍ର ସହାୟ । ତାକୁ ଏ ଦାରୁଣ ସମ୍ବାଦ କିପରି ଶୁଣାଇବେ ? କିନ୍ତୁ କଣ କରିବେ–ପ୍ରମଥ ବାବୁ ଶୀର୍ଣ୍ଣ ହୃଦୟରେ ସାହସ ବାନ୍ଧି ସ୍ନେହମୟୀ କନ୍ୟାକୁ ନିକଟରେ ବସାଇ ନବକିଶୋର ଓ କୈଳାସଚନ୍ଦ୍ରଙ୍କ ବୃତ୍ତାନ୍ତସକଳ ଶୁଣାଇଲେ । ସେ ଯେପରି ଭାବୁଥିଲେ ସୌଦାମିନୀ ସେପରି କିଛି ଅଧୈର୍ଯ୍ୟର ଲକ୍ଷଣ ପ୍ରକାଶ ନ କରି ଧୀରସ୍ଥିର ଭାବରେ ରୋରୁଦ୍ୟମାନ ପିତାଙ୍କୁ ସାନ୍ତ୍ୱନା ଦେଇ କହିଲେ–‘‘ଯାହା ହେବାର ହୋଇ ଯାଇଛି, ସେଥିପାଇଁ ଦୁଃଖ କରିବା ଅନାବଶ୍ୟକ । ମୁଁ ସେଥି ପାଇଁ ଆଦୌ ଦୁଃଖିତ ନୁହେଁ । ତୁମେ ଆଉ ମୋ ଲାଗି ଦୁଃଖ କର ନାହିଁ । ସୌଦାମିନୀଙ୍କର ଏତାଦୃଶ ଯୁକ୍ତି ଶୁଣି ପିତାମାତା ମନେ ମନେ ପ୍ରମାଦ ଗଣିଲେ-

 

କୈଳାସଚନ୍ଦ୍ରଙ୍କର ପାଷାଣ ହୃଦୟ କ୍ରମେ କୋମଳ ହୋଇ ଆସିଲା । ପୁତ୍ରର ଅଭାବ ବୁଝି ପାରିଲେ । ନବକିଶୋରଙ୍କ ଲାଗି ତାଙ୍କର ପ୍ରାଣ କାନ୍ଦିଉଠିଲା । ଏକମାତ୍ର ପୁତ୍ର ଭିନ୍ନ ତାଙ୍କର ଆଉ ଏ ସଂସାରେ କିଏ ଅଛି ? ସେ ପୁଣି ଚତୁର୍ଥ ବୟସରେ ପିତାଙ୍କୁ ଛାଡ଼ି କେଉଁ ଆଡ଼େ ଚାଲିଗଲା । କୈଳାସଚନ୍ଦ୍ର ଏକମାତ୍ର ଅବଲମ୍ବନ ନବକିଶୋରଙ୍କୁ ହରାଇ ବଡ଼ ଅଧୀର ହୋଇପଡ଼ିଲେ । ଦିବାନିଶି ପୁତ୍ର–ଚିନ୍ତା ତାଙ୍କ ହୃଦୟକୁ ଅଧିକାର କରି ବସିଲା । ଭାବିଲେ–‘‘ମୁଁ ମୂର୍ଖ ଯଦି ଏତେ ଷଡ଼ଯନ୍ତ୍ର କରି ନଥାନ୍ତି, ନବକୁ ଲଳିତାଠାରୁ ଅଲଗା ରଖିବାପାଇଁ ଚେଷ୍ଟା କରି ନଥାନ୍ତି, ତେବେ ପୁତ୍ର ଆଜି ମୋର ନିରୁଦ୍ଦେଶ ହୋଇଥାନ୍ତା କି ? ଆତ୍ମକୃତ ପାପର ବିକଟ ପ୍ରେତମୂର୍ତ୍ତି ତାଙ୍କର ଚକ୍ଷୁ ସମ୍ମୁଖରେ ନୃତ୍ୟ କରିବାକୁ ଲାଗିଲା । ସେ ଅହୋରାତ୍ର ଅନୁତାପାନଳରେ ଦଗ୍‌ଧୀଭୂତ ହେବାକୁ ଲାଗିଲେ । ଗଳି ଗଳି, ବଜାର ବଜାର ବୁଲି କହିବାକୁ ଲାଗିଲେ–‘‘ନବ ! ପ୍ରାଣର ପୁତ୍ର ମୋର ! କେଉଁଠାରେ ଲୁଚିଛୁ, ଆ । ଅଧମ ମୂର୍ଖ ପିତାର ଦୋଷ କ୍ଷମା କରି ଦେଖା ଦେ ଥରେ । ପିତାର ଦୋଷ କ୍ଷମା କରିବା କଣ ପୁତ୍ରର କର୍ତ୍ତବ୍ୟ ନୁହେଁ ? ଆ, ମୁଁ ଆଉ ତୋର ଇଚ୍ଛା ବିରୁଦ୍ଧରେ କୌଣସି କାର୍ଯ୍ୟ କରିବି ନାହିଁ । ମୋର ସମସ୍ତ ଧନ ବ୍ୟୟ କରି ଲଳିତାକୁ ଖୋଜାଇବି । ତୋ ସହିତ ତାର ବିବାହ ଦେବି । ଆ, ପୁତ୍ର ମୋର । କେଣେ ଅଛୁ ଶୀଘ୍ର ଆ ।”

 

କୈଳାସଚନ୍ଦ୍ର ପାଗଳ ପରି କଲିକତାର ରାସ୍ତାଘାଟରେ ବୁଲି ବୁଲି କେତେ ଦିନ ପରେ କେଉଁ ଆଡ଼େ ଅଦୃଶ୍ୟ ହୋଇଗଲେ ।

 

ଲଳିତା ଶୁଶ୍ରୁଷାକାରିଣୀ କାର୍ଯ୍ୟରେ ବାହେଲ ହେବାର ଅତି ଅଳ୍ପଦିନ ମଧ୍ୟରେ ସୌଦାମିନୀଙ୍କର ସୁନଜରରେ ପଡ଼ିଲା । ତାର ଚାକିରୀ ସୌଦାମିନୀ ଅଧୀନରେ । ଲଳିତାର ସମସ୍ତ କାର୍ଯ୍ୟକଳାପ ସୌଦାମିନୀଙ୍କୁ ବଡ଼ ପ୍ରୀତିକର ବୋଧ ହେଲା । ସବୁଠାରୁ ତାର ନୈସର୍ଗିକ ସୌନ୍ଦର୍ଯ୍ୟ ସୌଦାମିନୀଙ୍କୁ ବେଶି ଆକୃଷ୍ଟ କଲା । ସେ ଦିନେ ଲଳିତାକୁ ଏକାନ୍ତରେ ଡ଼ାକି ତାର ପରିଚୟ ଚାହିଁଲେ । ଲଳିତା ଡ଼ାକ୍ତରାଣୀଙ୍କର ଏପରି ଅଯାଚିତ ଅନୁଗ୍ରହରେ ନିଜକୁ ଭାଗ୍ୟବତୀ ମନେ କଲା ଏବଂ ସଂକ୍ଷେପରେ ତାର ପରିଚୟ ପ୍ରଦାନ କଲା ।

 

ସୌଦାମିନୀ ଯେତେବେଳେ ଶୁଣିଲେ–ତାର ପ୍ରଣୟୀ କଲିକତାରେ କୌଣସି ଡାକ୍ତରଖାନାରେ କାର୍ଯ୍ୟ କରୁଥିବାର ଅନୁମାନ କରି ସେ ସୁଦୂର ଓଡ଼ିଶାରୁ ବଙ୍ଗଦେଶକୁ ଖୋଜିବାକୁ ଆସିଅଛି ଏବଂ ସେହି ଉଦ୍ଦେଶ୍ୟରେ କେବଳ ଯୌବନ ସୁଲଭ ବିଳାସ ବ୍ୟସନ ପରିତ୍ୟାଗ କରି ସନ୍ନ୍ୟାସିନୀ ବେଶରେ ଶୁଶ୍ରୁଷାକାରିଣୀ କାର୍ଯ୍ୟ କରୁଅଛି, ତାଙ୍କର ନାରୀ–ହୃଦୟ ବିଚଳିତ ହୋଇଗଲା । ସେ ଲଳିତାକୁ ଭଲ କରି ଚାହିଁଲେ । ଦେଖିଲେ, ଲଳିତା ମାନବୀ ନୁହେଁ–ଦେବୀ । ତାର ବଦନରେ ଅପୂର୍ବ ଜ୍ୟୋତି । ଚାହାଁଣିରେ ସ୍ୱର୍ଗୀୟ ମଧୁରତା–କଥାରେ ଅପାର୍ଥିବ ପବିତ୍ରତା ! ସୌଦାମିନୀ ମନେ ମନେ ତାର ଚରଣ ତଳେ ପ୍ରଣାମ କରି କହିଲେ–‘‘ଦେବୀ, ତୁମ୍ଭର ସଙ୍ଗ ଲାଭ କରି ତୁମ୍ଭର ସମଦୁଃଖିନୀ ସୌଦାମିନୀ ଶାନ୍ତିଲାଭ କରିବ । ତୁମ୍ଭେ ନିଶ୍ଚୟ ଏ ତାପିତ ପ୍ରାଣକୁ ଶୀତଳ କରିବା ଅଭିପ୍ରାୟରେ ସ୍ଵର୍ଗର ଦେବୀ ମାନବୀରୂପେ ଅବତୀର୍ଣ୍ଣା ହୋଇ ଏଠାକୁ ଆସିଅଛ ।”

 

କ୍ରମେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ଜନ୍ମିଗଲା । ଲଳିତା ମଧ୍ୟ ସୌଦାମିନୀଙ୍କର ଇତିବୃତ୍ତ ଶୁଣିବାକୁ ପାଇଲା । ସୌଦାମିନୀଙ୍କର ପ୍ରଣୟୀ ନିରୁଦ୍ଦେଶ । ସେ ମଧ୍ୟ ତାର ସମଦୁଃଖିନୀ-। ସୌଦାମିନୀଙ୍କର ଦୁଃଖ କାହାଣୀ ଶ୍ରବଣରେ ସେ ନିଜର ଦୁଃଖ ଭୁଲିଗଲା । ତାର ନାରୀ–ଜନ୍ମ ପ୍ରତି ଘୃଣା ଜନ୍ମିଲା । କହିଲା–‘‘ଭଗବାନ, ଜଗତରେ ନାରୀ ସୃଷ୍ଟିଟା କଣ ଅଭିଶପ୍ତ ? ଶୀଘ୍ର ଏ ଜନ୍ମରୁ ଉଦ୍ଧାର କର ପ୍ରଭୁ !’’

 

ଦୁଃଖୀର ଦୁଃଖ ବୁଝେ ଦୁଃଖୀ । ଉଭୟେ ସମଦୁଃଖିନୀ । ଉଭୟେ ଉଭୟଙ୍କର ବେଦନା ବୁଝିଲେ । ସମବେଦନାରେ, ସହାନୁଭୂତିରେ । ଉଭୟଙ୍କ ନୟନରୁ ଲୋତକ ଧାର ବହିଗଲା ।

 

ନବକିଶୋରଙ୍କ ନିରୁଦ୍ଦେଶରେ କେତେକ ଦିନ ପରେ ପ୍ରମଥ ବାବୁ ଓ ମାନଦାସୁନ୍ଦରୀ ଦିନେ ସୌଦାମିନୀକୁ ବିବାହ କରିବା ନିମିତ୍ତ ଅନୁରୋଧ କଲେ । ଉତ୍ତରରେ ସୌଦାମିନୀ କହିଲେ, ‘‘ପିତାମାତା ପୁତ୍ରକନ୍ୟାମାନଙ୍କର ସୁଖ ଦେଖିବାକୁ ସର୍ବଦା ବ୍ୟସ୍ତ ହୁଅନ୍ତି । ତୁମେ ମୋର ସୁଖୋତ୍ପାଦନ ଲାଗି ଜନ୍ମାବଧି ଯତ୍ନ କରି ଆସୁଅଛ । ବର୍ତ୍ତମାନ ବିବାହ କରି କିପରି ସୁଖରେ କାଳାତିପାତ କରିବି, ଏହା ହିଁ ତୁମର ଶେଷ ଇଚ୍ଛା । କିନ୍ତୁ ମୁଁ ବିବାହ କଲେ ଏହାଠାରୁ କେବେହେଁ ସୁଖରେ ରହିବି ନାହିଁ । ବର୍ତ୍ତମାନ ଖୁବ୍ ସୁଖରେ ଅଛି । ତୁମେ ଆଉ ମୋତେ ବଳାଅ ନାହିଁ । ମୁଁ କୌଣସିମତେ ଅନ୍ୟତ୍ର ବିବାହ କରି ପାରିବି ନାହିଁ । ଅନ୍ୟତ୍ର ବିବାହ କଲେ ମଧ୍ୟ ସୁଖୀ ହୋଇ ପାରିବି ନାହିଁ ।’’ ପିତାମାତା ଯେତେ ବୁଝାଇଲେ ସୌଦାମିନୀଙ୍କର ସେହି ଏକ କଥା । ପ୍ରମଥ ବାବୁ ଆଉ ଉପାୟାନ୍ତର ନ ଦେଖି ଅତୁଲ ବାବୁଙ୍କର ସାହାଯ୍ୟ ଲୋଡ଼ିଲେ । ଜଳମଗ୍ନ ବ୍ୟକ୍ତି ଯେପରି ଶୁଷ୍କ ତୃଣଖଣ୍ଡ ଦେଖିଲେ ଆନନ୍ଦିତ ହୋଇ ଉଠେ ଏବଂ ତାକୁ ଆଶ୍ରା କରି ରକ୍ଷା ପାଇବାକୁ ଚେଷ୍ଟା କରେ, ପ୍ରମଥ ବାବୁ ସେହିପରି ଅତୁଲ ବାବୁଙ୍କ ଉପରେ ସମସ୍ତ ଆଶାଭରସା ନିର୍ଭର କରି ତାଙ୍କରି ଆଶ୍ରୟ ଗ୍ରହଣ କଲେ । ଅତୁଲ ବାବୁ କାକା ଏବଂ କାକୀଙ୍କର ନିତାନ୍ତ ଶୋଚନୀୟ ଅବସ୍ଥା ଦର୍ଶନ କରି ବଡ଼ ଅଧୀର ହୋଇ ଉଠିଲେ । ସୌଦାମିନୀ ବିବାହ ନ କଲେ କାକା ଓ କାକୀଙ୍କର ଅବସ୍ଥା ପରିବର୍ତ୍ତନ ହୋଇ ପାରିବ ନାହିଁ ଜାଣି ସେ ସୌଦାମିନୀଙ୍କୁ ବାରମ୍ବାର ଅନୁରୋଧ କରିବାକୁ ଲାଗିଲେ । ସୌଦାମିନୀ କିନ୍ତୁ ଅଚଳ, ଅଟଳା ତାଙ୍କର ସେହି ଭୀଷ୍ମ ପ୍ରତିଜ୍ଞା, ସେ ନବକିଶୋରଙ୍କ ଭିନ୍ନ ଆଉ କାହାରି ପାଣିଗ୍ରହଣ କରି ପାରିବ ନାହିଁ; କିନ୍ତୁ ଅତୁଲ ବାବୁ ଆଶାଶୂନ୍ୟ ନ ହୋଇ ତାଙ୍କର ମନ ପରିବର୍ତ୍ତନ ଲାଗି ଯତ୍‌ପରୋନାସ୍ତି ଚେଷ୍ଟା କରିବାକୁ ଲାଗିଲେ ।

 

ଗ୍ରୀଷ୍ମ ସନ୍ଧ୍ୟା । ସୌଦାମିନୀ ଓ ସନ୍ନ୍ୟାସିନୀ ଉଭୟେ ସୌଦାମିନୀଙ୍କର ଗୃହରେ ବସିଥିଲେ । ସୌଦାମିନୀ କହିଲେ, ‘‘ମୁଁ ଦେଖୁଚି, ତୁମେ ସର୍ବଦା ଚିନ୍ତାମଗ୍ନ । ତାଦ୍ୱାରା କିଛି ଲାଭ ଅଛି ? କେବଳ ଚିନ୍ତା ଦ୍ୱାରା ଯଦି ମାନବର ଭାଗ୍ୟଚକ୍ର...।’’ ସୌଦାମିନୀଙ୍କର କଥା ଶେଷ ହେବା ପୂର୍ବରୁ ଅତୁଲ ବାବୁ ଆସି ପହଞ୍ଚିଗଲେ । ଚୌକିଟା ଟାଣି ନେଇ ବସୁ ବସୁ କହିଲେ, ‘‘ଭାବିଥିଲି ଚାରିଟାବେଳେ ଆସିବାକୁ; କିନ୍ତୁ ଆଜି ଯେ ଭୟଙ୍କର ଗରମ..।’’ ତା’ ପରେ ଗୃହସଂକ୍ରାନ୍ତ ଗଳ୍ପ ଆରମ୍ଭ କଲେ । ସେଠାରେ ବସି ରହିବା ଅନୁଚିତ ମନେ କରି ଲଳିତା ଚାଲିଗଲା । କ୍ରମେ ବିଷୟରୁ ବିଷୟାନ୍ତରକୁ ଯାଇ ଭ୍ରାତା–ଭଗିନୀଙ୍କ ମଧ୍ୟରେ ବିବାହ–ପ୍ରସଙ୍ଗ ପଡ଼ିଲା । ସୌଦାମିନୀଙ୍କର ସେହି ଏକ କଥା । ନବକିଶୋର କସ୍ମିନ୍‌କାଳେ ତାଙ୍କର ପାଣିଗ୍ରହଣ କରିବେ ନାହିଁ, ବେଶ୍ କଥା, ନ କରନ୍ତୁ; ସେଥିପାଇଁ ସୌଦାମିନୀଙ୍କର ଦୁଃଖ କଅଣ ? ସେ ତ ତାଙ୍କୁ ସ୍ୱାମୀ ବୋଲି ହୃଦୟରେ ସ୍ଥାନ ଦେଇଛନ୍ତି–ତାଙ୍କୁ ହିଁ ଧ୍ରୁବତାରା କରି ସଂସାର–ସାଗରରେ ତାଙ୍କର ଜୀବନ–ତରୀଟି ଚଳାଇ ନେବେ-। ଅତୁଲ ବାବୁ ପରାସ୍ତ ହେଲେ । ‘‘ହଉ, ମୁଁ ଆସୁଛି’’ କହି ଚୌକି ଛାଡ଼ି ଉଠିଲେ । ସୌଦାମିନୀ ମଧ୍ୟ ଉଠିଲେ । ବିଦାୟ ସମୟରେ ଅତୁଲ ବାବୁ ଦୂରରେ ଲଳିତାକୁ ଦେଖିବାକୁ ପାଇଲେ । ସେ ଚକିତ ହୋଇ କିଛିକ୍ଷଣ ନିର୍ନିମେଷ ନୟନରେ ଚାହିଁ ରହିଲେ । ଅଭିଶାପରେ କୌଣସି ଦେବୀ ଆସି ମର୍ତ୍ତ୍ୟରେ ଜନ୍ମ ହୋଇଛି ପରା । ତା ନ ହେଲେ ଏତେ ରୂପ କୌଣସି ମାନବ ପକ୍ଷରେ ସମ୍ଭବ କି ? ସର୍ବ ଶରୀର ଆଭରଣଶୂନ୍ୟ–ତଥାପି ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗରେ ସୌନ୍ଦର୍ଯ୍ୟର ତରଙ୍ଗ ଖେଳିଯାଉଛି-। ଅତୁଲ ବାବୁ ସୌଦାମିନୀଙ୍କ ସହିତ କଥୋପକଥନରେ ମନୋଯୋଗୀ ଥିଲାବେଳେ ସେ କିପରି ଧରଣୀରେ ଶତସହସ୍ର ପଦ୍ମଫୁଲ ଫୁଟାଇ ଦେଇ ସେ ସ୍ଥାନ ତ୍ୟାଗ କରିଥିଲା, ତାହା ଏପର୍ଯ୍ୟନ୍ତ ଅତୁଲ ବାବୁଙ୍କର ଦୃଷ୍ଟି ପଥର ଅନ୍ତର୍ହିତ ହୋଇ ନାହିଁ । ସେ ଅତ୍ୟନ୍ତ ଆଗ୍ରହାନ୍ୱିତ ହୋଇ ସୌଦାମିନୀଙ୍କୁ ଲଳିତାର ପରିଚୟ ପଚାରିଲେ । ସୌଦାମିନୀ ଯାହା ଜାଣନ୍ତି, ସମସ୍ତ ବିଷୟ ଆମୂଳ ବର୍ଣ୍ଣନା କଲେ । ତତ୍‌ଶ୍ରବଣରେ ଅତୁଲ ବାବୁଙ୍କର ମୁଖମଣ୍ଡଳ ଅପୂର୍ବ ଆନନ୍ଦରେ ଉଦ୍ଭାସିତ ହୋଇ ଉଠିଲା । ତାଙ୍କର ବନ୍ଧୁ ଯାହା ଲାଗି ନିରୁଦ୍ଦିଷ୍ଟ, କୈଳାସଚନ୍ଦ୍ର ଯାହା ଲାଗି ପାଗଳ ହୋଇ ହାଟ ବଜାରରେ ବୁଲୁଛନ୍ତି, ସେ ଆସି ଏତେ ନିକଟରେ ! ଏତେ ଦିନ ପରେ ତାଙ୍କର ପ୍ରିୟ ବନ୍ଧୁଙ୍କର ଦଶା ପରିବର୍ତ୍ତନ ହେବ ଭାବି ସେ ଆନନ୍ଦରେ ନାଚି ଉଠିଲେ; କିନ୍ତୁ ପରକ୍ଷଣରେ ସୌଦାମିନୀ କଥା ଭାବି ତାଙ୍କର ହାସ୍ୟୋଜ୍ଜ୍ୱଳ ମୁଖମଣ୍ଡଳ ବିବର୍ଣ୍ଣ ହୋଇଗଲା । କିପରି ସେ ସୌଦାମିନୀ ନିକଟରେ ପ୍ରକାଶ କରିବେ, ଏହି ସୁନ୍ଦରୀ ନବକିଶୋରଙ୍କର ହୃଦୟେଶ୍ୱରୀ–ଏହାରି ଲାଗି ନବକିଶୋର ନିରୁଦ୍ଦିଷ୍ଟ ? ତାଙ୍କର ହୃଦୟ ବଡ଼ ଚଞ୍ଚଳ ହୋଇଉଠିଲା ।

 

ସୌଦାମିନୀ ବଡ଼ ଚତୁର । ସେ ଅତୁଲ ବାବୁଙ୍କର ସହସା ଏପରି ପରିବର୍ତ୍ତନ ଦେଖି ବିସ୍ମିତ ହେଲେ ଏବଂ କାରଣ ଜିଜ୍ଞାସା କଲେ । ଅତୁଲ ବାବୁ ବିଷମ ସଙ୍କଟରେ ପଡ଼ିଲେ; କିନ୍ତୁ କଣ କରିବେ ? ପ୍ରକୃତ କଥାଟା ଗୋପନ ରଖି ପାରୁଛନ୍ତି କିପରି ? ଟିକିଏ ଭାବି ନେଇ କହିଲେ, ‘‘ଆଚ୍ଛା, ତମେ ତାଙ୍କ ପ୍ରଣୟୀଙ୍କର ନାମ ଜାଣ ?’’ ସୌଦାମିନୀ କହିଲେ, ‘‘ନା, ମୁଁ ବହୁ ଚେଷ୍ଟା କରିଛି ସେଥିପାଇଁ; କିନ୍ତୁ କୃତକାର୍ଯ୍ୟ ହୋଇ ନାହିଁ । ସେ କାହିଁକି ଯେ ନାମ ପ୍ରକାଶ କରିବାକୁ କୁଣ୍ଠିତା, ବୁଝିପାରୁ ନାହିଁ ।’’

 

‘‘ମୁଁ ଅନୁମାନ କରେ–ଅନୁମାନ କାହିଁକି, ତାର ପ୍ରଣୟୀ ନବକିଶୋର ଭିନ୍ନ ଅନ୍ୟ କେହି ନୁହେଁ । ଏହା ମୁଁ ପ୍ରତିଜ୍ଞା କରି କହିପାରେ ।’’

 

କ୍ଷଣକପାଇଁ ସୌଦାମିନୀଙ୍କର ମୁଖ ବିବର୍ଣ୍ଣ ହୋଇଗଲା । ତା’ପରେ ସେ ଆଉ କିଛି ଅଧୀରତାର ଲକ୍ଷଣ ପ୍ରକାଶ ନ କରି ଧୀର କଣ୍ଠରେ କହିଲେ, ‘‘କିନ୍ତୁ ପ୍ରମାଣ ଦରକାର, ଖାଲି କହିଦେଲେ ତ ହେଲା ନାହିଁ ।’’

 

ଅତୁଲ ବାବୁ ନବକିଶୋରଙ୍କ ପିଲାଦିନର ଚାହାଳି ପଢ଼ାଠାରୁ ଆରମ୍ଭ କରି ଡାକ୍ତର ହୋଇ ଚାକିରୀ କରିବା ପର୍ଯ୍ୟନ୍ତ ସମସ୍ତ ଇତିହାସ ସର୍ବଶେଷ ବର୍ଣ୍ଣନା କରିଗଲେ । ସୌଦାମିନୀ ଉତ୍ତର ଦେଲେ ନାହିଁ । ଅତୁଲ ବାବୁଙ୍କର ମୁହଁକୁ ଚାହିଁ ରହିଲେ କେବଳ । ଅତୁଲ ବାବୁ ତାଙ୍କର ହୃଦୟ–ବେଦନା ନିଜ ପ୍ରାଣରେ ଅନୁଭବ କରିପାରିଲେ । ସୌଦାମିନୀଙ୍କର ମୁହଁକୁ ଚାହିଁବାକୁ ତାଙ୍କର ସାହସ ହେଲା ନାହିଁ । ସେ ‘‘ଆସୁଛି’’ କହି ସ୍ଥାନାନ୍ତରକୁ ଗମନ କଲେ ।

 

ପୂର୍ବାହ୍ନ ସାତଟା ବାଜିଗଲାଣି । ସୌଦାମିନୀ ଡାକ୍ତରଖାନାର ଗୋଟିଏ ନିଭୃତ କୋଠରୀରେ ଶୂନ୍ୟ ଦୃଷ୍ଟିରେ ବସିଛନ୍ତି । ଦେଖିଲେ ବୋଧହୁଏ ଯେପରି ସେ ଘରର କଡ଼ିବରଗା ଗଣିବାରେ ନିବିଷ୍ଟମନା । ହଠାତ୍ ଲଳିତା ପଶି ଆସିଲା । କହିଲା, ‘‘ଏ କଣ ? ଏଠାରେ ବସି କଣ କରୁଛ ?’’ ସୌଦାମିନୀଙ୍କର ଧ୍ୟାନ ଭାଙ୍ଗିଗଲା । ଦେଖିଲେ ଦ୍ୱାରଦେଶରେ ଲଳିତା ଦଣ୍ଡାୟମାନା । ଶଶବ୍ୟସ୍ତେ ଉଠି ଆସି ଲଳିତାର କରଧାରଣପୂର୍ବକ ଚୌକିରେ ନେଇ ବସାଇ ଦେଲେ । କହିଲେ–‘‘ଦେବୀ, ଛ’ମାସ ଧରି ତମେ ମୋର ଅଧୀନରେ କାର୍ଯ୍ୟ କରି ଆସିଲ; କିନ୍ତୁ ମୁଁ ତମକୁ ଅଧୀନା କର୍ମଚାରିଣୀ ଦୃଷ୍ଟିରେ ନ ଦେଖି ନିଜର ସହୋଦରା ଦୃଷ୍ଟିରେ, ସଙ୍ଗିନୀ ଦୃଷ୍ଟିରେ ଦେଖି ଆସୁଅଛି । ତଥାପି ଏ ପର୍ଯ୍ୟନ୍ତ ତମର ପ୍ରକୃତ ପରିଚୟ ପାଇ ନାହିଁ । ବଡ଼ ଅଭାଗିନୀ ମୁଁ । ମୋର ସେ ଦୋଷ କ୍ଷମା କର ଦେବୀ । ପଦଧୂଳି ଦିଅ, ଆଶୀର୍ବାଦ କର । ତମପରି ଦେବୀର ସେବା କରି ମୋ ଅସର ଦିନସବୁ ସରିଯାଉ ।’’

 

ଲଳିତା ଆଶ୍ଚର୍ଯ୍ୟ ହୋଇଗଲା । ଭାବିଲା–ସୌଦାମିନୀ କଣ ପାଗଳିନୀ ନା ରାତ୍ରିରେ କିଛି ସ୍ୱପ୍ନ ଦେଖିଛନ୍ତି ? ‘‘ତମର ପ୍ରକୃତ ପରିଚୟ ପାଇ ନାହିଁ’’ ଏ କଥାର ଅର୍ଥ କଣ ? ମୋର ଆଉ ବିଶିଷ୍ଟ ପରିଚୟ କଣ ଅଛି ? ଆଗରୁ ତ ମୋର ସମସ୍ତ ପରିଚୟ ଦେଇଛି । ପୁଣି ‘ଦେବୀ’ ସମ୍ବୋଧନ–ଏହାର କାରଣ କଣ ?

 

ଲଳିତା ଭାବି ସ୍ଥିର କଲା, ସୌଦାମିନୀ ରାତ୍ରିରେ କୌଣସି ଦେବୀ ମୂର୍ତ୍ତିର ସ୍ୱପ୍ନ ଦେଖିଛନ୍ତି ବୋଧହୁଏ । ସେହି ବିଷୟ ବସି ଭାବୁଥିଲେ । ସହସା ନିକଟରେ ମୋତେ ଦେଖି ଭ୍ରମବଶତଃ ଦେବୀ ଭାବରେ ପୂଜା କରିବାକୁ ବସିଛନ୍ତି । ସେ ସୌଦାମିନୀଙ୍କର ଚରଣ ଧାରଣ କରି ଗଦ୍‌ଗଦ କଣ୍ଠରେ କହିଲା, ‘‘ଏ କଣ ଭଉଣୀ ! ଆଜି ଏପରି କଣ ଗୁଡ଼ାଏ କହୁଛ ? ମୁଁ ଦେବୀ ନୁହେଁ–ତମର ପରିଚିତା ସନ୍ନ୍ୟାସିନୀ । ଏତେ ଆଦର, ଏତେ ସମ୍ମାନର ମୁଁ କଣ ଯୋଗ୍ୟା ? ତମେ ଭୁଲ ଦେଖୁଛ । ମୁଁ ଯେ ନିତାନ୍ତ ଗୋଟାଏ ଅଲକ୍ଷଣୀ, ପଥର ଭିକାରୁଣୀ ।’’ ସୌଦାମିନୀ କାନ୍ଦି କାନ୍ଦି ଲଳିତାକୁ ତୋଳି ଧରିଲେ । କହିଲେ, ‘‘ନା ଦେବୀ ! ମୋତେ ଆଉ ଭୁଲାଅ ନାହିଁ । ବହୁ ଦିନ ଧରି ଭୁଲାଉଛ–ଆଉ ଛଳନା କର ନାହିଁ । ଆଜି ମୁଁ ଚିହ୍ନି ପାରିଛି ତମେ କିଏ । ବାସ୍ତବିକ ତମେ ମାନବ ସୃଷ୍ଟି ମଧ୍ୟରେ ଦେବୀ । ତମର ଦୁଃଖ ଅସୀମ, ବହୁତ କଷ୍ଟ ଭୋଗ କଲଣି ସତ୍ୟ; କିନ୍ତୁ ସେ ଦୁଃଖରଜନୀ ପାହି ଆସିଲାଣି । ଆଉ ଅଳ୍ପଦିନ ପରେ ତମର ହୃଦୟାକାଶର ଶଶଧର ଉଦୟ ହୋଇ ଦିଗ ଉଜ୍ଜ୍ୱଳ କରିବେ–ପ୍ରାଣ ତମର ଶୀତଳ ସରସ ହୋଇ ଉଠିବ । ତମର ଏ ଭିକାରୁଣୀ କାଙ୍ଗାଳୁଣୀ ବେଶ ରହିବ ନାହିଁ । ରାଜରାଣୀ ହୋଇ ସ୍ୱର୍ଣ୍ଣ ସିଂହାସନ ଅଳଙ୍କୃତ କରିବ ।’’ ଲଳିତା ଅଧିକତର ଆଶ୍ଚର୍ଯ୍ୟାନ୍ୱିତ ହୋଇ କହିଲା, ‘‘ତମେ କଣ କହୁଛ, ସେଥିରୁ ମୁଁ ଗୋଟାଏ ବର୍ଣ୍ଣ ସୁଦ୍ଧା ବୁଝିପାରୁ ନାହିଁ ।’’

 

‘‘ଆଉ କିଛି ବୁଝ ନ ବୁଝ ସୌଦାମିନୀର ଏହି କଥାଟି ମନେ ରଖ, ଅଳ୍ପ ଦିନ ମଧ୍ୟରେ ତମର ହାରାନିଧି କରଗତ ହେବେ ।’’

 

‘‘ଅଭାଗିନୀ ଭାଗ୍ୟରେ ସେ ସୌଭାଗ୍ୟ କାହୁଁ ଘଟିବ ? ମୁଁ ଯେ...।’’

 

‘‘ମୁଁ ପ୍ରତିଜ୍ଞା କରି କହୁଛି, ଶପଥ କରି କହୁଛି, ଅତ୍ୟଳ୍ପ ଦିନ ମଧ୍ୟରେ ତମର ଦୁଃଖ ଦୂର ହେବ । ମୁଁ ନିଜ ହାତରେ ତମକୁ ରାଣୀ ସଜାଇ ରାଜାଙ୍କ ପାଖରେ ବସାଇବି ।’’

 

ଲଳିତାକୁ ହସ ମାଡ଼ିଲା । ସେ ରହସ୍ୟ କରି କହିଲା, ‘‘କେତେବେଳେ ସ୍ୱପ୍ନ ଦେଖିଲ ? ଦିନରେ ନା ରାତିରେ ?’’

 

‘‘ଦିନରେ ହେଉ ବା ରାତିରେ ହେଉ, ମୁଁ ଯେତେବେଳେ ସ୍ୱପ୍ନ ଦେଖେ । ଏହା କିନ୍ତୁ ଧ୍ରୁବ ସତ୍ୟ ଜାଣିବ ।’’

 

କିନ୍ତୁ ତମ କଥା ଯଦି ସତ୍ୟ ହୁଏ, ଭଗବାନ୍ ଯଦି ଅନୁଗ୍ରହ କରନ୍ତି, ମୁଁ ମୋର ବାଞ୍ଛିତ ଧନ ପାଏ, ତହିଁରେ କଣ ମୁଁ ସୁଖୀ ହେବି ବୋଲି ଭାବିଛ ?’’

 

‘‘କାହିଁକି ? ଯେ ଯାହାର ଅଭାବରେ ଦୁଃଖୀ, ସେ ଅଭାବ ପୂର୍ଣ୍ଣ ହେଲେ ସେ ସୁଖୀ ନ ହେବ କିପରି ?’’

 

‘‘ଆଉ ଯେ ପ୍ରଧାନ ଅଭାବଟାଏ ରହିଯିବ । ମୋର ସଙ୍ଗିନୀ ଯେ ପର୍ଯ୍ୟନ୍ତ ତାଙ୍କର ବାଞ୍ଛିତ ରତ୍ନ ନ ପାଇଛନ୍ତି, ଯେ ପର୍ଯ୍ୟନ୍ତ ସୁଖୀ ନ ହୋଇଛନ୍ତି, ଅଳଙ୍କାର ବିଭୂତି ପାଇଲେ ସୁଦ୍ଧା ଲଳିତା ଯେ ସୁଖୀ ହୋଇ ପାରିବ, ସେପରି ଭାବ ନାହିଁ ।’’

 

‘‘କିନ୍ତୁ ତମେ ଜାଣ ନାହିଁ ଦେବୀ, ସୌଦାମିନୀ ଯେ ଚିରଦୁଃଖିନୀ । ତାର ସଂସାରରେ ଜନ୍ମ କେବଳ ଦୁଃଖଭୋଗ ପାଇଁ । ଦେବତାମାନେ ତାର ଭାଗ୍ୟରେ ସୁଖ ଲେଖି ନାହାନ୍ତି ।’’

 

ଲଳିତାକୁ ଆଉ କିଛି କହିବାକୁ ଅବସର ନ ଦେଇ ସୌଦାମିନୀ ଅଶ୍ରୁ ବର୍ଷଣ କରୁ କରୁ ଦୌଡ଼ି ପଳାଇଗଲେ ।

Image

 

ତ୍ରୟବିଂଶ ପରିଚ୍ଛେଦ

 

ଅତୁଲ ବାବୁ ତାଙ୍କର ବୈଠକଖାନାରେ ବସି ସମ୍ବାଦପତ୍ର ପାଠ କରୁଛନ୍ତି । କୈଳାସଚନ୍ଦ୍ର ତୋଫାନ ପରି ସେ ଗୃହରେ ପ୍ରବେଶ କରି କହିଲେ, ‘‘ରକ୍ଷା କର ବାବା ! ରକ୍ଷା କର । ମୋର ଦେହ ପୋଡ଼ିଯାଉଛି, ହୃଦୟ ଜଳିଯାଉଛି, ରକ୍ଷା କର । ଉଃ, ଆଉ ଯେ ସହି ପାରୁ ନାହିଁ ! ଅସହ୍ୟ ଯନ୍ତ୍ରଣା, ଅସହ୍ୟ ଯନ୍ତ୍ରଣା !’’

 

ଅତୁଲ ବାବୁ ଦେଖିଲେ, କୈଳାସଚନ୍ଦ୍ର ଉନ୍ମତ୍ତ ହୋଇ କକ୍ଷର ଚତୁଷ୍କୋଣ ଘୂରି ବୁଲୁଛନ୍ତି-। ତିନିମାସ ପୂର୍ବେ ଏହି ବେଶରେ ସେ ତାଙ୍କୁ ଦେଖିଥିଲେ । ଆଜି ମଧ୍ୟ ଦେଖିଲେ; କିନ୍ତୁ କିଛି ପରିବର୍ତ୍ତନ ନାହିଁ । ସହସା ନବକିଶୋରଙ୍କର କଥା ତାଙ୍କର ମନେ ପଡ଼ିଲା । ସେ ଘୃଣାରେ ମୁଖ ବିକୃତ କରି କହିଲେ–‘‘ଏ ଯେ ଆତ୍ମକୃତ ପାପର ପରିଣାମ । କିଏ ରକ୍ଷା କରିବ ?’’

 

କୈଳାସ–‘‘ତମେ ରକ୍ଷା କରିବ । ବହୁସ୍ଥାନ ବୁଲି ଆସିଲିଣି, କେହି ରକ୍ଷା କରି ପାରିଲେ ନାହିଁ । ପ୍ରାଣ ଯେ ଯିବା ଉପରେ ! ତମ ଛଡ଼ା ଆଉ କେହି ନାହିଁ ରକ୍ଷା କରିବାକୁ ବାବା !’’

 

ଅତୁଲ–‘‘ଅସମ୍ଭବ କଥା । ପାପାର ପ୍ରାୟଶ୍ଚିତ୍ତ ନ ହେବାଯାଏ କେହି ରକ୍ଷା କରି ପାରିବେ ନାହିଁ । ଦେବତା ସୁଦ୍ଧା ଅସମର୍ଥ ହେବେ–ମନୁଷ୍ୟ ତ ନିତାନ୍ତ କ୍ଷୁଦ୍ର ।’’

 

କୈଳାସ–‘‘ପ୍ରାୟଶ୍ଚିତ୍ତ ! ପାପର ପ୍ରାୟଶ୍ଚିତ୍ତ ! ବହୁତ ହୋଇଗଲାଣି । ଯଥେଷ୍ଟ ହୋଇଗଲାଣି । ସହି ପାରୁ ନାହିଁ ଆଉ । ପ୍ରାୟଶ୍ଚିତ୍ତ ବଡ଼ କଠିନ, ବଡ଼ ନିଷ୍ଠୁର ।’’

 

ଅତୁଲ–‘‘ହଉ, ଆପଣ ଶୀଘ୍ର ଏ ସ୍ଥାନ ତ୍ୟାଗ କରନ୍ତୁ । ମୋର କାର୍ଯ୍ୟ ନଷ୍ଟ ହେଉଛି । ଆପଣଙ୍କ ସହିତ ପାଗଳାମି କରିବାକୁ ମୋର ବେଳ ନାହିଁ ।’’

 

କୈଳାସଚନ୍ଦ୍ର ଅତୁଲ ବାବୁଙ୍କର ଚରଣ ଦୁଇଟି ଜଡ଼ାଇ ଧରିଲେ । କହିଲେ, ‘‘ମୁଁ ମହାପାତକୀ, ନରାଧମ, ନାରକୀ । ମୁଁ ଯେଉଁ ପାପ କରିଛି, ତାର ପ୍ରାୟଶ୍ଚିତ୍ତ ଅଛି ବୋଲି ମୋର ବିଶ୍ୱାସ ହେଉ ନାହିଁ । ତଥାପି–ତଥାପି ତମେ ମୋର ନବର ବନ୍ଧୁ–ମୋର ପୁଅ ତମେ । ପିତାର ଦୋଷ କଣ ପୁତ୍ର କ୍ଷମା କରେ ନାହିଁ ? ବାବା, ରକ୍ଷା କର । ପ୍ରାଣ ଯେ ଜଳି ପୋଡ଼ି ଯାଉଛି । ଆଉ ସହି ପାରୁ ନାହିଁ, ନବର ବିଚ୍ଛେଦ ଆଉ ସହି ପାରୁ ନାହିଁ । ମୋର ନବ କାହିଁ–ଆଣି ଦିଅ । ନବକୁ ତମେ କେଉଁଠି ଲୁଚାଇ ରଖିଛ ଶୀଘ୍ର ଆଣି ଦିଅ । ତାକୁ ନ ଦେଖିଲେ ଛାତି ଫାଟିଯିବ–ବୁକୁ ବିଦୀର୍ଣ୍ଣ ହୋଇଯିବ । ମୋର ନବକୁ ଆଣି ଦିଅ । ମୁଁ ଶପଥ କରି କହୁଛି, ଧର୍ମ ନିରଞ୍ଜନଙ୍କୁ ସାକ୍ଷୀ ରଖି କହୁଛି, ଚନ୍ଦ୍ରସୂର୍ଯ୍ୟଙ୍କୁ ଚାହିଁ କହୁଛି, ଲଳିତା ସହିତ ତାର ବିବାହ ଦେବି–ଦେବି, ଦେବି–ନିଶ୍ଚୟ ଦେବି । ତାର ଇଚ୍ଛା ବିରୁଦ୍ଧରେ କୌଣସି କାର୍ଯ୍ୟ କରିବି ନାହିଁ । ଦିଅ ବାବା, ମୋର ନବକୁ, ମୋର ଜୀବନସର୍ବସ୍ୱକୁ ଆଣି ଦିଅ ।’’

 

ବୃଦ୍ଧଙ୍କର କାତର କ୍ରନ୍ଦନରେ ଅତୁଲ ବାବୁ ବିଗଳିତ ହୋଇଗଲେ–ତାଙ୍କର ଚକ୍ଷୁରେ ଜଳ ଆସିଲା । ସେ କୈଳାସଚନ୍ଦ୍ରଙ୍କୁ ଉଠାଇ ନେଇ ଚୌକି ଉପରେ ବସାଇ ଦେଲେ । ସାନ୍ତ୍ୱନା ଦେଇ କହିଲେ, “ଆପଣ ସ୍ଥିର ହୋଇ ରହନ୍ତୁ । ଅଳ୍ପ ଦିନ ମଧ୍ୟରେ ନବକିଶୋର ଆସି ପହଞ୍ଚିବେ ।’’

 

ବୃଦ୍ଧ ଅଗ୍ରହାତିଶଯ୍ୟରେ ଉଠି ପଡ଼ି କହିଲେ–‘‘କେବେ ଆସିବ ନବକିଶୋର ? ଆଉ କେତେ ଦିନ ପରେ ଆସିବ ? କଣ ଚିଠି ଦେଇଥିଲା ? କିପରି ଅଛି ସେ ?’’ଅତୁଲ ବାବୁଙ୍କର ହସ୍ତ ଧାରଣ କରି ଗଦ୍ ଗଦ୍ କଣ୍ଠରେ କହିଲେ, “ନବକିଶୋର କେଉଁଠାରେ ଅଛି କହିଦିଅ ବାବା ! ମୁଁ ଆଉ ଅପେକ୍ଷା କରି ପାରିବି ନାହିଁ । କେଉଁଠାରେ ଅଛି କହିଦିଅ, ମୁଁ ତାକୁ କୋଳ କରି ନେଇ ଆସିବି । ପୁତ୍ର ମୋର ଏକୁଟିଆ କେତେ କଷ୍ଟ ପାଉଥିବ !’’କହୁଁ କହୁଁ ଉଚ୍ଚୈସ୍ୱରରେ କାନ୍ଦି ଉଠିଲେ-। ଅତୁଲ ବାବୁ ବଡ଼ ବିପଦରେ ପଡ଼ିଲେ । କଣ କରିବେ ? କିପରି ସାନ୍ତ୍ୱନା ଦେବେ ? କହିଲେ–“ଆପଣଙ୍କର ଆବଶ୍ୟକ ନାହିଁ , ସେ ଭଲ ଅଛନ୍ତି । ଆଉ ଅଳ୍ପ ଦିନ ମଧ୍ୟରେ ଫେରିଆସିବେ ।’’

 

‘‘ନା, ମୋତେ ସେ ସ୍ଥାନ କହିଦିଅ । ମୋର ପୁଅ ସେ–ପୁଅକୁ ବାପ କଣ କୋଳ କରେ ନାହିଁ ? ମୁଁ ତାକୁ କୋଳ କରି ଘେନି ଆସିବି । ପୁତ୍ର ମୋର କେତେ କଷ୍ଟ ସହିଲାଣି । କହିଦିଅ ବାବା, କେଉଁଠାରେ ଅଛି ଧନ ମୋର, କହିଦିଅ ଅତୁଲ ବାବୁ !’’

 

ଅତୁଲ ବାବୁ ଯେତେ ବୁଝାଇଲେ କୈଳାସଚନ୍ଦ୍ର ସେହି ଏକ ଜିଦ୍, ଧରିବସିଲେ । କହିଲେ–“କେଉଁଠାରେ ଅଛି କହିଦିଅ, ମୁଁ ବର୍ତ୍ତମାନ ଯାଇ ପୁଅକୁ ମୋର ଘେନିଆସିବି ।”

 

‘‘ଆପଣ ସେ ସ୍ଥାନକୁ ଯାଇ ପାରିବେ ନାହିଁ ।”

 

“ମୁଁ ସେ ସ୍ଥାନକୁ ଯାଇ ପାରିବିନାହିଁ ? କାହିଁକି, ବଡ଼ ଦୁର୍ଗମ ପଥ ? ହଁ, ବୁଢ଼ା ହୋଇଛି; ପୂର୍ବପରି ଆଉ ଦେହରେ ବଳ ନାହିଁ–ଯାଇ ପାରିବି ନାହିଁ । ଆହା, ପୁତ୍ର ମୋର କି କଷ୍ଟ ପାଉ ନ ଥିବ ସେଠାରେ ! ତମେ ଯାଇ ପାରିବ ନାହିଁ ବାବା ? ହଁ, ତମେ ଯାଇ ପାରିବ, ନବ ତମର ସାଙ୍ଗ ପରା । ଟିକିଏ ଦୟା ହେଉ ନାହିଁ ତମର । ତମର ପାଦ ଧରୁଛି–ଯାଅ ବାବା, ମୋର ପୁଅକୁ ଘେନି ଆସ !’’

 

‘‘ବୃଦ୍ଧ ଅତୁଲବାବୁଙ୍କର ପାଦ ଧରି କାନ୍ଦିବାକୁ ଲାଗିଲେ । ଅତୁଲ ବାବୁ କହିଲେ, “ଆଚ୍ଛା, ମୁଁ ତାଙ୍କୁ ଘେନିଆସିବି । ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ ।’’ କୈଳାସଚନ୍ଦ୍ର ସେହପରି ଭୂତଳରେ ପଡ଼ି କହିଲେ, “ବାବା, ସତେ ଯିବ –ତମେ ? ମୋର ପୁଅକୁ ଆଣି ଦେବ ? ମୋ ଦେହ ଛୁଇଁ କହିଲ–ଛୁଅଁ, ଛୁଅଁ ମୋର ଦେହ । ମୋ ମୁଣ୍ଡରେ ହାତ ଦେଇ କହ, ହଁ ଆଣି ଦେବି ତମ ପୁଅକୁ ।” ଅତୁଲ ବାବୁଙ୍କର ହାତକୁ ଟାଣି ଦେଇ ନିଜର ମୁଣ୍ଡ ଉପରେ ଥୋଇଲେ । ବାରମ୍ବାର ଜିଦ୍ କଲେ, “କହ, ମୋର ମୁଣ୍ଡ ଉପରେ ହାତ ରଖି କହ ଆଣିଦେବ ମୋର ପୁଅକୁ ।" ଅତୁଲ ବାବୁ ଆଉ ସହ୍ୟ କରି ପାରିଲେ ନାହିଁ । ରୁମାଲରେ ଚକ୍ଷୁ ପୋଛି କହିଲେ, “ମୁଁ ଆପଣଙ୍କର ଚରଣ ସ୍ପର୍ଶ କରି କହୁଛି, ବତ୍ତର୍ମାନ ନବକିଶୋରଙ୍କୁ ଆଣିବା ଉଦ୍ଦେଶ୍ୟରେ ବାହାରିଲି । ନିଶ୍ଚୟ ଆଣିଦେବି–ଆପଣ ନିଶ୍ଚିନ୍ତ ରହନ୍ତୁ ।’’

 

କୈଳାସଚନ୍ଦ୍ର କୃତଜ୍ଞତାପୂର୍ଣ୍ଣ ଦୃଷ୍ଟିରେ ଅତୁଲ ବାବୁଙ୍କୁ ଥରେ ଚାହିଁଲେ । ତା ପରେ କହିଲେ, “ଯାଅ ବାବା, ଆଶୀର୍ବାଦ କରୁଛି, ସର୍ବଶୁଭରେ ପୁତ୍ରକୁ ମୋର ଘେନି ଫେରିଆସ । ଚିରଜୀବୀ ହୁଅ ବତ୍ସ । ଚିରଜୀବୀହୁଅ ।’’

 

ନବକିଶୋର ସେଦିନ ପିତାଙ୍କର ନିଦ୍ରିତାବସ୍ଥାରେ ଗୃହ ତ୍ୟାଗ କରି ପାଟନା ଯାତ୍ରା କଲେ । ସେଠାରେ ଅତୁଲ ବାବୁଙ୍କ ସହିତ କେତେକ ବିଷୟର ପରାମର୍ଶ କଲା ପରେ ଲଳିତାକୁ ଖୋଜିବା ଉଦ୍ଦେଶ୍ୟରେ ବାହାରିଲେ । ଅତୁଲ ବାବୁ ବିଦାୟ ଦେବା ସମୟରେ ତାଙ୍କୁ ପ୍ରତିଜ୍ଞା କରାଇଲେ, ସେ ଯେପରି ପ୍ରତି ସପ୍ତାହରେ ପତ୍ର ଦେବାକୁ ବିସ୍ମୃତ ନ ହୁଅନ୍ତି ଏବଂ ଅର୍ଥାଭାବ ହେଲେ ତାଙ୍କୁ ଜଣାଇବାକୁ କୁଣ୍ଠିତ ନ ହୁଅନ୍ତି ।

 

ନବକିଶୋର ବନ୍ଧୁଙ୍କର ଅନୁରୋଧରେ ପ୍ରତିଜ୍ଞାବଦ୍ଧ ହୋଇ ଜନ୍ମଭୂମି ଓଡ଼ିଶା ଅଭିମୁଖରେ ଯାତ୍ରା କଲେ । ପ୍ରଥମେ ସେ ଉତ୍କଳର ରାଜଧାନୀ କଟକ ନଗରରେ ଅବତୀର୍ଣ୍ଣ ହୋଇ ସହରର ସମସ୍ତ ସ୍ଥାନ ଦେଖିଲେ, ଲଳିତାର କୌଣସି ଖବର ପାଇଲେ ନାହିଁ । କଟକରେ ଅବସ୍ଥାନ ସମୟରେ ଶୁଣିଲେ, ସେ ବର୍ଷ ବୈତରଣୀରେ ମହାବାରୁଣୀ ଯୋଗ ପଡ଼ିଛି । ଯାଜପୁରରେ ଅସଂଖ୍ୟ ଲୋକସମାଗମ ହେବ । ସେଠାରେ ଲଳିତାର ସନ୍ଧାନ ମିଳିପାରେ ଆଶା କରି ନବକିଶୋର ଯାଜପୁର ଯାତ୍ରା କଲେ । ପ୍ରାୟ ପନ୍ଦର ଦିନ କାଳ ସେଠାରେ ରହି ଅନୁସନ୍ଧାନ କଲେ; ମାତ୍ର ଲଳିତାର କୌଣସି ସମ୍ବାଦ ପାଇଲେ ନାହିଁ । ସେଠାରୁ କଟକରେ ପ୍ରତ୍ୟେକ ପୁରପଲ୍ଲୀ ତନ୍ନ ତନ୍ନ କରି ଖୋଜିବାକୁ ଲାଗିଲେ । ଏହିପରି କେତେ ମାସ ଅତିକ୍ରମ ହେବା ପରେ ଜଗନ୍ନାଥ ମହାପ୍ରଭୁଙ୍କର ଗୁଣ୍ଡିଚା ଯାତ୍ରା ଆରମ୍ଭ ହେଲା । ସେ କଟକ ଜିଲ୍ଲା ବୁଲି ବୁଲି ବିଫଳ ପ୍ରୟାସ ହୋଇ ପୁରୀକୁ ଗଲେ । ସେଠାରେ ଗୁଣ୍ଡିଚା, ବାହୁଡ଼ା, ବାହୁଡ଼ା ପରେ ମଧ୍ୟ ଆଠ ଦଶ ଦିନ ଅତିବାହିତ କଲେ । କିନ୍ତୁ ଲଳିତାର କୌଣସି ଖବର ସଂଗ୍ରହ କରି ପାରିଲେ ନାହିଁ । ତା’ ପରେ ପୁରୀ ମଫସଲମାନଙ୍କରେ କେତେ ମାସ ଭ୍ରମଣ କରି ବାଲେଶ୍ୱର ଗଲେ । କଟକ, ପୁରୀ, ବାଲେଶ୍ୱର ପ୍ରଭୃତି ବୁଲିବାରେ ତାଙ୍କୁ ପ୍ରାୟ ପାଞ୍ଚ ମାସ ଲାଗିଲା । ସେଥିରେ ସେ ହତୋତ୍ସାହ କିମ୍ବା ଅଧୀର ନ ହୋଇ ଓଡ଼ିଶାର ସମସ୍ତ ସ୍ଥାନ ବୁଲିବାକୁ ମନଃସ୍ଥ କରି ଗଡ଼ଜାତରେ ପ୍ରବେଶ କଲେ ।

 

ନବକିଶୋରକୁ ଆଣିବାକୁ ଯାଇ ଉତ୍କଳରେ ଚାରିଦିନ ଅତିବାହିତ କରିବା ପରେ ଅତୁଲ ବାବୁ ଯେତେବେଳେ ସନ୍ଧ୍ୟା ପାଞ୍ଚଟା ପାସେଞ୍ଜରରେ ହାବଡ଼ା ଷ୍ଟେସନରେ ଆସି ପହଞ୍ଚିଲେ, ସୌଦାମିନୀ ସେତେବେଳେ ପ୍ଳାଟଫର୍ମରେ ବୁଲୁଥିଲେ । ଅତୁଲବାବୁଙ୍କର ଦୃଷ୍ଟି ପ୍ରଥମେ ସୌଦାମିନୀଙ୍କ ଉପରେ ପଡ଼ିଲା । ସହସା ତାଙ୍କର ମୁଖମଣ୍ଡଳ ବିବର୍ଣ୍ଣ ହୋଇଗଲା । ସୌଦାମିନୀ ନବକିଶୋରଙ୍କ ସମ୍ବାଦ ପଚାରିଲେ, ସେ କି ଉତ୍ତର ଦେବେ ? କିପରି ବା କହିବେ, ଲଳିତା ଡାକ୍ତରଖାନାରେ ଥିବାର ଶୁଣି ସେ ଆନନ୍ଦରେ ଅଧୀର ହୋଇ ଉଠିଲେ । ତା ବିଷୟରେ ବହୁତ ପ୍ରଶ୍ନ କଲେ । କିନ୍ତୁ ସୌଦାମିନୀ ବିଷୟରେ ପଦେ ସୁଦ୍ଧା ପଚାରିଲେ ନାହିଁ । ଏ କଥା ଶୁଣିଲେ ସୌଦାମିନୀ ମନରେ କି ଦାରୁଣ ଆଘାତ ନ ଲାଗିବ ? କଣ କରିବେ ? ମିଥ୍ୟା ବା କହିବେ, କିପରି ? ସେ ଏହିପରି ଭାବୁଥିବା ସମୟରେ ସୌଦାମିନୀ ତାଙ୍କର ନିକଟବର୍ତ୍ତୀ ହୋଇ ପଚାରିଲେ–‘ବର୍ତ୍ତମାନ ଫେରୁଛ ? କଣ ତାଙ୍କର ଦେଖା ପାଇଲ ?’ ଅତୁଲ ବାବୁ ଉତ୍ତର ଦେଲେ ନାହିଁ । ସୌଦାମିନୀ ଦେଖିଲେ, ତାଙ୍କର ମୁଖ ମଳିନ ଏବଂ ଗମ୍ଭୀର । ସନ୍ଦେହ ଜାତ ହେଲା । ସେ ଅତି ଆଗ୍ରହରେ ପୁଣି ପଚାରିଲେ, “ସେ କଣ ଆସିଲେ ନାହିଁ ? ଲଳିତାକୁ ସନ୍ଦେହ କରନ୍ତି ? ନାମ ଶୁଣି ଅତୁଲ ବାବୁଙ୍କର ଶୁଷ୍କ ମୁଖ ଆହୁର ଶୁଷ୍କ ହୋଇଗଲା । ସୌଦାମିନୀଙ୍କ ଭାବି ଦୁର୍ଦ୍ଦଶା ଚିନ୍ତା କରି ତାଙ୍କର ଚକ୍ଷୁ ଆର୍ଦ୍ର ହୋଇ ଆସିଲା । ସେ ମନେ ମନେ କହିଲେ–‘‘ସୌଦାମିନୀ ସହିତ ନବକିଶୋରଙ୍କର ବିବାହ ହେଲେ ସୁନ୍ଦର ସାଜନ୍ତା ଏକା । କିନ୍ତୁ ଦୁଃଖିନି ସୌଦାମିନୀ ଭାଗ୍ୟରେ ସେ ସୁଖ କାହିଁ ?”

 

ସୌଦାମିନୀ ଉତ୍ତର ନ ପାଇ ବଡ଼ ବିଚଳିତ ହୋଇ ପଡ଼ିଲେ । ସେ ବିହ୍ୱଳ ଭାବରେ କିଛିକ୍ଷଣ ଅତୁଲ ବାବୁଙ୍କୁ ଚାହିଁଲେ । ତା’ପରେ ତାଙ୍କର ହାତକୁ ଟାଣି ଦେଇ କହିଲେ–“ଏପରି ଠିଆ ହୋଇ ରହିଲ କାହିଁକି ? କିଛି କହୁ ନାହଁ ଯେ–ଖବର ଭଲ ତ ?’’

 

ଅତୁଲ ବାବୁ ଦୀର୍ଘ ନିଃଶ୍ୱାସଟାଏ ତ୍ୟାଗ କରି କହିଲେ,“କଣ କହିବି ? ଉତ୍ତର ଯେ ଆସୁ ନାହିଁ ।’’ ଟିକିଏ ରହି ପୁଣି କହିଲେ, “ନବକିଶୋରଙ୍କ ସଙ୍ଗରେ ଦେଖା ହୋଇଛି; କିନ୍ତୁ ଖବରଟା ଭଲ କି ମନ୍ଦ, ମୁଁ ଏ ପର୍ଯ୍ୟନ୍ତ ଭାବି ସ୍ଥିର କରିପାରୁ ନାହିଁ ।’’

 

‘‘କାହିଁକି ? ଏହାର ଅର୍ଥ ଯେ ବଡ଼ କଠିନ ।”

 

‘‘ମୋ ବିବେଚନାରେ ସେ କଥାର ଅର୍ଥ ବୁଝିବାରେ ତମର କୌଣସି ଆବଶ୍ୟକତା ନାହିଁ-। ତମର ତ ସେଥିରେ କିଛି ଲାଭ ନାହିଁ; ବରଂ ।’’ ଆଉ କହି ପାରିଲେ ନାହିଁ । ରୁମାଲରେ ମୁହଁ ପୋଛିଲେ । ତା ପରେ ଟିକିଏ ଚିନ୍ତା କରି କହିଲେ–“ମୁଁ ପରା ସେ ଦିନ ତମକୁ ଶେଷ କଥା କହି ଦେଇଛି । ତମେ ଆଉ......।’’

 

ସୌଦାମିନୀ ବାଧା ଦେଇ କହିଲେ, ‘‘ସେଥିପାଇଁ ବୋଧହୁଏ ତମର ମୁହଁ ଶୁଖି ଯାଇଛି-। ହଉ, ଆଉ କିଛି କହିବା ଦରକାର ନାହିଁ ! ମୁଁ ସମସ୍ତ ବୁଝିସାରିଲଣି । ମୋର ଅବଶ୍ୟ ତହିଁରେ କିଛି ସ୍ୱାର୍ଥ ନାହିଁ; ତଥାପି ମୋର ଜାଣିବା ନିତାନ୍ତ ଦରକାର । ତେଣେ ଦେବୀଙ୍କର ଅବସ୍ଥା ଦିନକୁ ଦିନ ଗୁରୁତର ହେଉଛି । କିପରି ସେ ଉଭୟଙ୍କର ମିଳନ ହେବ... ।’’

 

‘‘ତମେ କଣ ସେ ମିଳନ ଦୃଶ୍ୟ ଦେଖି ପାରିବ ?”

 

ସୌଦାମିନୀଙ୍କର ଅଧରରେ କ୍ଷୀଣ ହାସ୍ୟ–ରେଖା ଫୁଟିଉଠିଲା । ସେ କହିଲେ,“ଦେଖିବି କଣ, ମୁଁ ଯେ ମିଳନ କରାଇବି । ଦେବୀଙ୍କ ନିକଟରେ ପ୍ରତିଜ୍ଞାବଦ୍ଧ ହୋଇଛି । ଏ ମିଳନରେ ପୁରୋଧାର ଭାରଟା ଯେ ମୋ ଉପରେ ।”

 

‘‘କିନ୍ତୁ ପାରିବ ତ ? କାର୍ଯ୍ୟ କରିବା ଅପେକ୍ଷା କହିବା ଯେ ବଡ଼ ସହଜ । ସଂସାର ଚକ୍ଷୁରେ ଏ ଗୋଟାଏ ମିଳନ ଦୃଶ୍ୟ ହୋଇପାରେ; କିନ୍ତୁ ତମ ପକ୍ଷରେ ଏ ଯେ ଆତ୍ମବଳିର ମହାଯଜ୍ଞ । ପୁରୋଧାର ଭାର ଯଦି ନିଅ, ନିଜ ହସ୍ତରେ ନିଜର ଶିରଚ୍ଛେଦନ କରି ଆହୁତି ଦେଇ ପାରିବ ତ ?’’

 

‘‘ସେକଥା ମୁଁ ବହୁତ ଆଗରୁ ଜାଣିଛି । ସେଥିପାଇଁ ତମର ମସ୍ତିଷ୍କ ଚାଳନା କରିବା ଅନାବଶ୍ୟକ । ଯେଉଁ ଦେଶର ନାରୀ ରଣରଙ୍ଗିନୀ ବେଶରେ ଶତ୍ରୁ ସମ୍ମୁଖରେ ଅବତୀର୍ଣ୍ଣ ହୋଇ ଶାଣିତ କୃପାଣକୁ ନିଜର ବକ୍ଷକୁ ଟାଣିନେଇ ପାରେ, ସ୍ଵହସ୍ତରେ ଅଗ୍ନିକୁଣ୍ଡ ପ୍ରଜ୍ୱଳିତ କରି ହସି ହସି ତହିଁରେ ଲମ୍ଫପ୍ରଦାନ କରିପାରେ, ରାଜସୁଖ ଭୋଗ ଛାଡ଼ି ଚିରକୁମାରୀ ହୋଇ ଦୀନ ଦରିଦ୍ରମାନଙ୍କ ପରି ଆଶ୍ରୟଶୂନ୍ୟ ଭାବରେ ଜୀବନ ଯାପନ କରିପାରେ, ସେ ଦେଶର ରମଣୀ ପୁଣି ଏହି ସାମାନ୍ୟ କର୍ମ ସାଧନରେ ପାଶ୍ଚାତ୍‌ ପଦ ହେବ ? ତମେ କଣ ସୌଦାମିନୀକୁ ଏଡ଼େ ହୀନ ମନେକର ?’’

 

ଅତୁଲ ବାବୁଙ୍କ ତୁଣ୍ଡରେ ଆଉ କିଛି ପ୍ରତ୍ୟୁତ୍ତର ଯୋଗାଇଲା ନାହିଁ । ସେ ବିସ୍ମୟାବିଷ୍ଟ ଭାବରେ ଠିଆହୋଇ ଭାବିଲେ,“ସତେ ସୌଦାମିନୀ ତମେ ଏଡ଼େ ମହାନ୍, ଏଡ଼େ ଉଦାର ?’’

 

କିଛିକ୍ଷଣ ନୀରବରେ ଅତିବାହିତ ହେବା ପରେ ସୌଦାମିନୀ ପଚାରିଲେ, ‘ସେ କେବେ ଆସିବେ ? ତାଙ୍କର ଖବର କିଛି କହିଲ ନାହିଁ ଯେ ।’

 

ଅତୁଲ ବାବୁ କହିଲେ, “କେନ୍ଦୁଝରରେ ତାଙ୍କର ଦେଖା ପାଇଲି–ସେ ଭଲ ଅଛନ୍ତି । ମୋ ସଙ୍ଗରେ ଆସିଥାନ୍ତେ, କେବଳ ଲଳିତା ମିଳିଥିବାର ସମ୍ବାଦ ତାର ପିତାଙ୍କୁ ଜଣାଇବା ଲାଗି ଗ୍ରାମକୁ ଗଲେ । ଆଉତିନି ଦିନ ପରେ ଏଠାରେ ପହଞ୍ଚିବେ ।”

 

ପ୍ରମଥ ବାବୁ ପୂର୍ବରୁ ଜାଣନ୍ତି, ଲଳିତାକୁ ପାଇଲେ ନବକିଶୋର ସୌଦାମିନୀର ପାଣିଗ୍ରହଣ କରିବେ ନାହିଁ । ବର୍ତ୍ତମାନ ଅତୁଲ ବାବୁଙ୍କଠାରୁ ଶୁଣିଲେ, ଲଳିତା–ବିରହରେ ନବକିଶୋର ବଡ଼ ବ୍ୟଥିତ, ଉନ୍ମତ୍ତ ପ୍ରାୟ । ଲଳିତା ଡାକ୍ତରଖାନାରେ ଥିବା ଶୁଣି ସେ ଯେପରି ନୂତନ ପ୍ରାଣ ପାଇଲେ । ସୌଦାମିନୀର କୁଶଳ ପ୍ରଶ୍ନ ସୁଦ୍ଧା ପଚାରିବାକୁ ଅବସର ପାଇଲେ ନାହିଁ । ତାର ଅସ୍ତିତ୍ୱ ବୋଧହୁଏ ଭୁଲି ଯାଇଛନ୍ତି ।

 

ପ୍ରମଥ ବାବୁଙ୍କର ହୃଦୟ କନ୍ୟାର ଭବିଷ୍ୟତ ଚିନ୍ତାରେ ଆଲୋଡ଼ିତ ହେବାକୁ ଲାଗିଲା । ପତିପତ୍ନୀ ଉଭୟେ ବସି ନୀରବରେ ଅଶ୍ରୁମୋଚନ କରିବାକୁ ଲାଗିଲେ ।

 

ସୌଦାମିନୀ ଘରେ ପହଞ୍ଚି ଦେଖିଲେ, ପିତାମାତାଙ୍କ ଆଖିରେ ଅଶ୍ରୁଭରା । ପିତାଙ୍କ ନିକଟରେ ବସିଯାଇ କହିଲେ, “ବାବା ! ମୋରି ଚିନ୍ତାରେ ତମେ ଚିନ୍ତିତ ବୋଧହୁଏ ?” ପ୍ରମଥ ବାବୁ ଉତ୍ତର କଲେ ନାହିଁ । ମାନଦାସୁନ୍ଦରୀ ପଣନ୍ତରେ ଆଖି ପୋଛିଲେ । ସୌଦାମିନୀ କହିଲେ, “ବାବା ! ମୋର ସୁଖ ଲାଗି ତମେ ସର୍ବଦା ଚିନ୍ତିତ । ଯହିଁରେ ମୁଁ ସୁଖୀ ହେବି, ତାହା ସମ୍ପନ୍ନ କରିବାକୁ ତମେ ସର୍ବଦା ପ୍ରସ୍ତୁତ । ବର୍ତ୍ତମାନ ମୋର ଗୋଟିଏ ଅନୁରୋଧ ରକ୍ଷା କରିବ କି ? ତଦ୍ଦ୍ୱାରା ମୁଁ ସୁଖୀ ହୋଇ ପାରିବି ନିଶ୍ଚୟ ।’’ ପ୍ରମଥ ବାବୁ ଶୋକାବେଗ ସମ୍ଭାଳି ପାରିଲେ ନାହିଁ । ପିଲାଙ୍କ ପରି କାନ୍ଦି କାନ୍ଦି କହିଲେ, ‘‘ମା ! ତୋର ଆନନ୍ଦ ହେବ, ସେପରି କୌଣସି କାର୍ଯ୍ୟରେ ପିତା ତୋର କୌଣସି ଦିନ ବାଧା ଦେଇଛି କି ?” ମାନଦାସୁନ୍ଦରୀ ସୌଦାମିନୀର ମସ୍ତକରେ ହାତ ବୁଲାଇ କହିଲେ, “ପାଗଳି ! ତୋର ସୁଖ ଲାଗି ଯଦି ଏ ସମୁଦାୟ ସମ୍ପତ୍ତି ବ୍ୟୟ କରିବାକୁ ହୁଏ, ତଥାପି ପିତାମାତା ତୋର ଦୁଃଖିତ ନୁହନ୍ତି । ଅମ୍ଳାନ ବଦନରେ....I’’

 

ସୌଦାମିନୀ–‘‘କିନ୍ତୁ କାର୍ଯ୍ୟରେ ପରିଣତ କରି ପାରିବ ତ ?’’

 

ପ୍ରମଥ ବାବୁ–‘‘ମା ମୋର ! ତୋର କଣ ଆବଶ୍ୟକ କହ । ତୋର ପିତାଙ୍କର ପ୍ରାଣ ବିନିମୟରେ ଯଦି ସୁଖୀ ହେଉ ତହିଁରେ ‘ପିତାମାତା ତୋର କୁଣ୍ଠିତ ନୁହନ୍ତି । ମା ! ତୋର କଣ ଆବଶ୍ୟକ, ଦ୍ୱିଧା ନ କରି କହ–ଏହି ମୁହୂର୍ତ୍ତରେ ପୂରଣ କରିବି ।’’

 

ସୌଦାମିନୀ–‘‘କିନ୍ତୁ ବାବା ! ମୋର ବିଶ୍ୱାସ ହେଉ ନାହିଁ । ଯଦି ପରେ...’’

 

ପ୍ରମଥ ବାବୁ ଉଚ୍ଚୈଃସ୍ୱରରେ କାନ୍ଦିବାକୁ ଲାଗିଲେ । ମାନଦାସୁନ୍ଦରୀ ମଧ୍ୟ ପଣନ୍ତ କାନିରେ ମୁହଁ ଢ଼ାଙ୍କି ଅଶ୍ରୁ ବର୍ଷଣ କଲେ । ସୌଦାମିନୀ ଅବାକ୍ ବିସ୍ମୟରେ କ୍ଷଣକାଳ ନୀରବ ରହି କାତର କଣ୍ଠରେ କହିଲେ, “ବାବା !’’ ପ୍ରମଥ ବାବୁ ତାକୁ ବକ୍ଷକୁ ଆଉଜାଇ ଧରି କହିଲେ,“ମା ! ତୋର ବିଶ୍ୱାସ ହେଉ ନାହିଁ ? ବାବାର କଥାରେ ବିଶ୍ୱାସ ହେଉ ନାହିଁ ? ବୃଦ୍ଧ ବୟସରେ ପୁଣି ପିତା ତୋର ବିଶ୍ୱାସଘାତକ ?’’ ସୌଦାମିନୀ କାନ୍ଦି କାନ୍ଦି କହିଲେ, ‘‘ବାବା ! ବାବା ! କ୍ଷମା କର । ମୁଁ ତମକୁ ଅବିଶ୍ୱାସ କରୁ ନାହିଁ । ମୋର କହିବାର ଉଦ୍ଦେଶ୍ୟ–ମୁଁ ଯେଉଁ ବିଷୟରେ ତମକୁ ଅନୁରୋଧ କରୁଛି, ସେ କାର୍ଯ୍ୟଟି ତମ ଆଖିରେ ଯଦି ଭଲ ନ ଦିଶେ, ତାହା ସମ୍ପାଦନରେ ପଶ୍ଚାତ୍ପଦ ହୁଅ, ସେଥିପାଇଁ... ।’’

 

ପ୍ରମଥ ବାବୁ–‘ମା ମୋର ! ତୋର ସନ୍ଦେହ ଦୂର କରିବା ପାଇଁ ମୁଁ ଶପଥ କରି କହୁଛି । ଉପରେ ଆକାଶ, ତଳେ ଅବନୀ ସାକ୍ଷୀ ରଖି କହୁଛି, ତୁ ଯାହା କହିବୁ, ତାହା ମୁଁ ଏହି ମୁହୂର୍ତ୍ତରେ ସମ୍ପାଦନ କରିବି ।’’

 

ମାନଦାସୁନ୍ଦରୀ–‘‘ମା, ତୋର ବାବାଙ୍କୁ ଆଉ କଷ୍ଟ ଦେ ନା । ଯାହା ତୋର ଦରକାର ଶୀଘ୍ର କହ ।’’

 

ସୌଦାମିନୀ–‘‘ଏ ସମୁଦାୟ ସମ୍ପତ୍ତି ନବ ବାବୁଙ୍କୁ ଦେବା ମୋର ଏକାନ୍ତ ଇଚ୍ଛା । ତାହା ହିଁ ମୋର ଦରକାର ।’’

 

ପ୍ରମଥ ବାବୁ–‘‘କେଉଁ ନବ ବାବୁ ? ଡାକ୍ତର ନବକିଶୋର ପଟ୍ଟନାୟକ ?’’

ସୌଦାମିନୀ–‘‘ହଁ ।’’

 

ପ୍ରମଥ ବାବୁ ଆଶ୍ଚର୍ଯ୍ୟାନ୍ୱିତ ଭାବରେ କିଛିକ୍ଷଣ ସୌଦାମିନୀର ମୁହଁକୁ ଚାହିଁ ରହିଲେ । ହଠାତ୍ ତାଙ୍କର ବାକ୍‌ସ୍ଫୁର୍ତ୍ତି ହେଲା ନାହିଁ । ମନେ ମନେ ଭାବିଲେ, ‘‘ସୌଦାମିନୀ କଣ ଜାଣି ନାହିଁ, ସେ ଲଳିତାର ପ୍ରଣୟାକାଙ୍କ୍ଷୀ ବୋଲି ?’’

 

ମାନଦାସୁନ୍ଦରୀ କହିଲେ, ‘‘ମା ! ତୁ କଣ ଜାଣି ନାହୁଁ ସେ ...।’’

 

ସୌଦାମିନୀ–‘‘ହଁ, ମୁଁ ସମସ୍ତ ଜାଣେ । ସେ ବିଷୟରେ ଆଉ କିଛି ଜାଣିବା ମୋର ଆବଶ୍ୟକ ନାହିଁ ।’’

 

ପ୍ରମଥ ବାବୁ–‘‘ଜାଣି ଶୁଣି ଅସମ୍ଭବ ଆଶା ପୋଷଣ କରିବା...।’’

 

ସୌଦାମିନୀ–‘‘ମୁଁ ତ ତାଙ୍କଠାରୁ କିଛି ଆଶା କରୁ ନାହିଁ ।’’

 

ପ୍ରମଥ ବାବୁ–‘‘ତେବେ–’’

 

‘‘ଆଗରୁ କହିଛି ପରା ମୁଁ ସୁଖୀ ହେବି ତାଦ୍ଦ୍ୱାରା’’ କହି ସୌଦାମିନୀ ଦ୍ରୁତପଦରେ ସେ ସ୍ଥାନ ତ୍ୟାଗ କଲେ ।

 

ଅପରାହ୍ନ ପାଞ୍ଚଟା । ଲଳିତା ତାର ବିଜନ ପ୍ରକୋଷ୍ଠରେ ବସି ଭାବୁଛି, ‘‘ସୌଦାମିନୀ କହିଲେ, ‘ଖୁବ୍ ସମ୍ଭବ ଆଜି ତମର ପ୍ରାଣେଶ୍ୱରଙ୍କ ସହିତ ମିଳନ ହେବ ।’ ସେ କଣ ଯାଦୁ ବିଦ୍ୟା ଜାଣନ୍ତି ? ତାଙ୍କଠାରେ ଦୈବୀଶକ୍ତି ଥିଲା ପରି ଜଣା ଯାଉଛି । ତାଙ୍କ କଥାକୁ ମୁଁ ସମ୍ପୂର୍ଣ୍ଣ ରୂପେ ଅବିଶ୍ୱାସ କରିପାରୁ ନାହିଁ । ଆଜି କାହିଁକି ମୋର ବାମ ଚକ୍ଷୁ ଏବଂ ବାମ ବାହୁ ଘନ ଘନ ସ୍ଫୁରିତ ହେଉଛି । କାରଣ କଣ ? ଦିନେ ତ ଏପରି ଲକ୍ଷଣ ଦେଖି ନାହିଁ । ସତେ କଣ ମା କାଳୀ ପ୍ରସନ୍ନ ହେଲେ ! ସୌଦାମିନୀଙ୍କର ଭବିଷ୍ୟତ ବାଣୀ ଆଜି ସଫଳ ହେବ ।’’

 

ସେହି ସମୟରେ ସୌଦାମିନୀ ଆସି ଦ୍ୱାରଦେଶରେ ଉଭା ହୋଇଗଲେ । ଲଳିତା ଉଠି ଆସି ସୌଦାମିନୀକୁ କୋଳ କରି ନେଇ ଚୌକିରେ ବସାଇ ଦେଲା । କହିଲା, ‘‘ଆଜି.....।’’

 

ସୌଦାମିନୀ ବାଧା ଦେଇ କହିଲେ, ‘‘ସେ ସବୁ କଥା ରଖ, ଆଗ ମୋ କଥା ଶୁଣ । ମୁଁ ଗୋଟାଏ ଅନୁରୋଧ କରିବାକୁ ଆସିଛି–ରକ୍ଷା କରିବ ?’’

 

‘‘ଭୂମିକାର ଆବଶ୍ୟକ ନାହିଁ–ଯାହା କହିବାର କହ । ଏ ମୁହୂର୍ତ୍ତରେ ସମ୍ପନ୍ନ କରିବି । ଲଳିତା ତାର ସଙ୍ଗିନୀ ଲାଗି ଯେ ପ୍ରାଣ ଦେଇ ପାରେ, ସେ କଥା ତମେ ଜାଣ ନାହିଁ ବୋଧହୁଏ !’’

 

‘‘ନା, ସେପରି କିଛି କରିବାକୁ ହେବ ନାହିଁ । ତେବେ ବିଷୟଟା ଶୁଣିବା ପୂର୍ବରୁ ତମକୁ ପ୍ରତିଜ୍ଞା କରିବାକୁ ହେବ ।’’

 

‘‘ହଉ, ପ୍ରତିଜ୍ଞା କରି କହୁଛି, ତମେ ଯାହା କହିବ, ମୁଁ ନିଶ୍ଚୟ ତାହା ପାଳନ କରିବି–ଦେବତା ପ୍ରସାଦ ପରି ସାଦରେ ଗ୍ରହଣ କରିବି ।’’

 

‘‘ମୋର ଉପହାର କେତୋଟି ତମକୁ ଗ୍ରହଣ କରିବାକୁ ହେବ ।’’ କଥା ସଙ୍ଗେ ସଙ୍ଗେ ତାଙ୍କର ଗଳାରୁ ବହୁମୂଲ୍ୟ ରତ୍ନହାରଟି ବାହାର କରି ଲଳିତା କଣ୍ଠରେ ଲମ୍ବାଇ ଦେଲେ । ହସି ହସି କହିଲେ, ‘‘ଆଶ୍ଚର୍ଯ୍ୟ ହୁଅ ନାହିଁ ଦିଦି ! ଆଜି ପୂର୍ଣ୍ଣିମା ପରା–ସମସ୍ତ ପୂର୍ଣ୍ଣ । କାହାରି କିଛି ଅପୂର୍ଣ୍ଣ ରହିବ ନାହିଁ । ଏ ବେଶ ତମକୁ ଯେତେ ଦିନ ସାଜୁଥିଲା, ସାଜୁଥିଲା–ଆଜିଠାରୁ ଏ ବେଶ ଆଉ ସାଜିବ ନାହିଁ । ସାଜିଲେ ସାଜିବ ସୌଦାମିନୀକୁ । ତମକୁ ଏତେ ଦିନ ସନ୍ନ୍ୟାସିନୀ ବେଶରେ ଦେଖି ଆସିଛି; ଆଜି କିନ୍ତୁ ନିଜେ ସେ ବେଶ ନେଇ ଦେଖିବି କିପରି ସାଜୁଛି ।’’ ସୌଦାମିନୀଙ୍କ ମୁହଁକୁ ଚାହିଁ ଲଳିତାର ଚକ୍ଷୁ ସ୍ଥିର ହୋଇଗଲା । ସେ ଦେଖିଲେ, ସୌଦାମିନୀଙ୍କର ଚକ୍ଷୁରୁ ଏକ ଅପୂର୍ବ ଜ୍ୟୋତି ବିକୀର୍ଣ୍ଣ ହୋଇ କକ୍ଷଟିକୁ ଅଭିନବ ସ୍ୱର୍ଗୀୟ ସମ୍ପଦରେ ଉଦ୍ଭାସିତ କରୁଅଛି, ଯାହାକି ସେ ଜୀବନରେ କେବେ ଦେଖି ନାହିଁ । ସେ ସୌଦାମିନୀକୁ କିଛି କହିବାକୁ ଇଚ୍ଛା କଲା; ମାତ୍ର କହି ପାରିଲା ନାହିଁ । ତାର ଏ ନୂତନ ଭୋଜବିଦ୍ୟାରେ ଲଳିତା ମୂକ ହୋଇଗଲା ।

 

ସୌଦାମିନୀ ତାଙ୍କ ହାତରୁ କାଚ ବାହାର କରି ଲଳିତା ହସ୍ତରେ ପିନ୍ଧାଇ ଦେଲେ ଏବଂ ତାର ଗେରୁ ସୂତା ଦୁଇଖିଅ ନେଇ ନିଜ ହାତରେ ବାନ୍ଧିଲେ । ତା’ ପରେ ବସ୍ତ୍ରାଭ୍ୟନ୍ତରରୁ ବହୁମୂଲ୍ୟ ଶାଢ଼ୀ ଖଣ୍ଡେ ବାହାର କରି ଲଳିତାକୁ ପିନ୍ଧିବାକୁ ଦେଲେ । ସେ ବିନା ଆପତ୍ତିରେ ମନ୍ତ୍ରଚାଳିତବତ୍ ପରିଧାନ କଲା । ସୌଦାମିନୀ ତାର ଗେରୁ ଲୁଗା ନେଇ ନିଜେ ପିନ୍ଧିଲେ । ପରିବର୍ତ୍ତନ, ଅପୂର୍ବ ପରିବର୍ତ୍ତନ । ସୌଦାମିନୀ ଲଳିତା ବେଶରେ ଓ ଲଳିତା ସୌଦାମିନୀ ବେଶରେ ।

 

ସୌଦାମିନୀ କହିଲେ–‘‘ଦିଦି ! ବାସ୍ତବିକ ଏ ବେଶ ତମକୁ ବଡ଼ ସାଜୁଛି ! ସନ୍ନ୍ୟାସିନୀ ବେଶ କଣ ମୋତେ ସାଜୁ ନାହିଁ ?’’ ଲଳିତା ଉତ୍ତର ଦେଲା ନାହିଁ । ସେତେବେଳେ ସେ ବୋଧଶକ୍ତିଶୂନ୍ୟ ହୋଇ ଯାଇଥିଲା ବୋଧହୁଏ ।

 

ଛଅଟା ବାଜିଲା । ସୌଦାମିନୀ ଲଳିତାର ହାତ ଧରି ଡାକ୍ତରଖାନା ସମ୍ମୁଖ ପଡ଼ିଆକୁ ଘେନିଗଲେ । କହିଲେ–‘‘ଦିଦି ! ଆଉ ଅଳ୍ପକ୍ଷଣ ପରେ ତମର ପ୍ରାଣେଶ୍ୱରଙ୍କ ସହିତ ସାକ୍ଷାତ୍ ହେବ-। ଆଜି ସନ୍ନ୍ୟାସିନୀବ୍ରତ ତମର ପୂର୍ଣ୍ଣ ହେଲା । ମା କାଳୀଙ୍କର କରୁଣା ହେଲା, ଏଣିକି ରାଜରାଣୀ ହୋଇ ଚିର–ସୁଖ ଭୋଗ କର । ସମୟ ହୋଇଗଲା, ମୁଁ ବିଦାୟ ନେଉଛି । ଆଉ ଗୋଟିଏ ଅନୁରୋଧ ଦିଦି, ଏ ଅଭାଗିନୀକୁ ଭୁଲିଯିବ ନାହିଁ । ତମର........।’’

 

ଶୋକାବେଗରେ ସୌଦାମିନୀର କଣ୍ଠ ରୁଦ୍ଧ ହୋଇ ଆସିଲା । ଲଳିତା ଦେଖିଲା, ତାଙ୍କର ଚକ୍ଷୁଦ୍ୱୟ ଅଶ୍ରୁପୂର୍ଣ୍ଣ । ଲଳିତାର ଚେତନା ଆସିଲା । ସେ କାନ୍ଦି କାନ୍ଦି କହିଲା, ‘‘ଏ କଣ ? ତମେ ଯେ କାନ୍ଦୁଛ ?’’

 

ସୌଦାମିନୀ ଅଶ୍ରୁମୋଚନ କରି କହିଲେ, ‘‘ନା, ମୁଁ କାନ୍ଦିବି ନାହିଁ । ଶୁଭ ସମୟରେ ଅଶୁଭ ଲକ୍ଷଣ ପ୍ରକାଶ କରୁଛି । ମୁଁ ବଡ଼ ଅଲକ୍ଷଣୀ ।’’ କିନ୍ତୁ ଦ୍ୱିଗୁଣ ବେଗରେ ଅଶ୍ରୁ ବର୍ଷଣ କରିବାକୁ ଲାଗିଲେ । ଲଳିତା ତାକୁ କୁଣ୍ଢାଇ ଧରି ଫୁଲି ଫୁଲି କାନ୍ଦିଉଠିଲା । ଜାହ୍ନବୀ ଯମୁନାର ମିଳନ ହେଲା ଗଙ୍ଗାପାର୍ବତୀଙ୍କର ମିଳନ ହେଲା ।

 

ସୌଦାମିନୀ ବସ୍ତ୍ରାଭ୍ୟନ୍ତରରୁ ଗୋଟିଏ ବଡ଼ କାଗଜ ପୁଲିନ୍ଦା ବାହାର କରି ଲଳିତା ହାତକୁ ବଢ଼ାଇ ଦେଇ କହିଲେ, ‘‘ଅଭାଗିନୀର ଏହି ଉପହାରଟି ଗ୍ରହଣ କର; କିନ୍ତୁ ଅନୁରୋଧ ଦିଦି, ରଜନୀ ପ୍ରଭାତ ନ ହେବ। ଯାଏ ଏହା ଖୋଲିବ ନାହିଁ ।’’ ହଠାତ୍ ସେହି ସମୟରେ ଗୋଟାଏ ଶଙ୍ଖର ଭେଁ ଭେଁ ଶବ୍ଦ ଶୁଭିଲା । ଲଳିତା ଓ ସୌଦାମିନୀ ଉଭୟେ ଅଶ୍ରୁମୋଚନ କରି ପୂର୍ବ ଦିଗକୁ ଦୃଷ୍ଟି ଫେରାଇଲେ । ଯାହା ଦେଖିଲେ, ତହିଁରେ ଉଭୟଙ୍କର ଚକ୍ଷୁ ସ୍ଥିର । ପର୍ବତ–ନନ୍ଦିନୀ ଯେପରି ସହସା ଯୋଗୀଙ୍କ ସ୍ଥାନରେ ଶିବଙ୍କୁ ଦେଖି ଅଗ୍ରସର ହେବାକୁ ଏକ ପଦ ପ୍ରସାରଣ କରି ସ୍ଥିର ହୋଇଗଲେ, ଲଳିତା ସେହିପରି ଯେଉଁ ଅବସ୍ଥାରେ ଠିଆ ହୋଇ ଗ୍ରୀବା ବକ୍ର କରି ଚାହୁଁଥିଲା, ସେହିପରି ରହିଗଲା ।

 

ନବକିଶୋର ଅତୁଲ ବାବୁଙ୍କ ସହ ଅଦୂରରେ ଠିଆ ହୋଇଥିଲେ । ତାଙ୍କର ତତ୍‌କାଳୀନ ଅବସ୍ଥା ଦେଖି ଲଳିତା ଓ ସୌଦାମିନୀ ଉଭୟେ ଚମକି ଉଠିଲେ । ବଦନରେ ଯୌବନ–ସୁଲଭ ଲାବଣ୍ୟ ନାହିଁ । ପୂର୍ବର ପ୍ରଫୁଲ୍ଲତା, ପ୍ରସନ୍ନତା କିଛି ନାହିଁ । ବାର୍ଦ୍ଧକ୍ୟନିପୀଡ଼ିତ ହେଲା ପରି ଶୁଷ୍କ ମଳିନ ହୋଇ ଯାଇଛି । ତଦୁପରି ରୁକ୍ଷ ଶ୍ମଶ୍ରୁଗୁଚ୍ଛ ବଦନର ରୁକ୍ଷତାକୁ ଆହୁରି ବଢ଼ାଇ ଦେଉଛି । ମସ୍ତକର କେଶସବୁ ଅଯତ୍ନରେ ଜଟା ହୋଇ ଯାଇଛି । ପରିଧେୟ ବସ୍ତ୍ରଖଣ୍ଡ ନିତାନ୍ତ ଅପରିଷ୍କୃତ । ନବକିଶୋରଙ୍କୁ ଏପରି ଦୀନହୀନ ବେଶରେ ଦେଖି ଲଳିତାର ହୃଦୟ ବିକଳ ହୋଇ ଉଠିଲା । ମୁହଁ ଫିଟାଇ ଯଦି ଚ କିଛି କହି ପାରିଲା ନାହିଁ, ତାର ଅନ୍ତରରୁ ଅତି କ୍ଷୀଣ ସ୍ୱରରେ ଉତ୍ଥିତ ହେଲା, ‘‘ହାୟ-! ତମକୁ ଏହିପରି ବେଶରେ ଦେଖିବାକୁ ଅଭାଗିନୀ ଭାଗ୍ୟରେ ଲେଖା ଥିଲା ? ଦେଖିବା ପୂର୍ବରୁ ପାପ ଚକ୍ଷୁ ଦିଟା ଫୁଟିଗଲା ନାହିଁ !’’ ନବକିଶୋର ଚାହିଁଲେ, ଚାରି ଚକ୍ଷୁର ମିଳନ ହେଲା, ଲଳିତା ଚକ୍ଷୁରେ ଅଶ୍ରୁ ବିନ୍ଦୁ ଦେଖି ତାଙ୍କ ଚକ୍ଷୁ ଛଳ ଛଳ ହୋଇ ଆସିଲା । ସେ ଆବେଗରେ କହି ଉଠିଲେ, ‘ଲଳିତା ! ଲଳିତା ! ତମେ...’ ଆଉ କହି ପାରିଲେ ନାହିଁ । ହର୍ଷ, ବିଷାଦ ଉଭୟେ ଏକ ସମୟରେ ତାଙ୍କର କଣ୍ଠ ରୁଦ୍ଧ କରି ପକାଇଲେ । ସେହି ସମୟରେ ରଙ୍ଗାଧର, ରାଧିକା ଦେଈ ଓ ଚମ୍ପୀ ତିନି ଜଣ ଆସି ସେଠାରେ ଉପସ୍ଥିତ ହୋଇଗଲେ । ପିତାମାତାଙ୍କୁ ଅତି ନିକଟରେ ଦେଖି ଲଳିତା ଚାହିଁ ପାରିଲା ନାହିଁ–ତାର ମସ୍ତକ ନତ ହୋଇଗଲା ।

 

କୈଳାସଚନ୍ଦ୍ର ଉନ୍ମତ୍ତ ଭାବରେ ଛୁଟି ଆସି ରଙ୍ଗାଧରଙ୍କର ପଦପ୍ରାନ୍ତରେ ପଡ଼ିଗଲେ । କହିଲେ, ‘‘ଭାଇ ରଙ୍ଗାଧର, ତୁ ମନୁଷ୍ୟ ନୋହୁ ଦେବତା ! ମୁଁ ବଡ଼ ଅପରାଧୀ, ନରାଧମ । ନ ବୁଝି ତୋତେ ବହୁତ ଅପମାନ ଦେଇଛି, ଅନିଷ୍ଟ କରିଛି । କ୍ଷମା କର ଭାଇ ! ମୋର ଆତ୍ମକୃତ ପାପର ବିଷାକ୍ତ ଦଂଶନରେ ଏ ଶରୀର ପୋଡ଼ି ଯାଉଛି, ହୃଦୟ ଜଳି ଯାଉଛି । ଥରେ ଭାଇ ବୋଲି ଡ଼ାକି ଆଲିଙ୍ଗନ କର, ଏ ପ୍ରାଣ ଶୀତଳ ହେଉ । ଆଜି ମୋର ଚକ୍ଷୁ ଫିଟିଛି, ମୋହାନ୍ଧକାର ଦୂର ହୋଇଛି-। ଆଜି ମୁଁ ଜାଣିପାରୁଛି, ତୋର ଆସନ କେଡ଼େ ଉଚ୍ଚରେ । ତଥାପି ଭାଇ ବୋଲି ସାହସରେ ଧାଇଁଛି, ମୋର ସମସ୍ତ ଦୋଷ, ପାପ ଭୁଲିଯାଇ ବକ୍ଷକୁ ଟାଣି ନେବାକୁ ।’’ ରଙ୍ଗାଧର ତାଙ୍କୁ ତଳୁ ଉଠାଇ କୁଣ୍ଢାଇ ଧରିଲେ । ଉଭୟେ ଭାଇ ଭାଇ ଡ଼ାକି କୋଳାକୋଳି ହେବାକୁ ଲାଗିଲେ-

 

କୈଳାସଚନ୍ଦ୍ର ଦେଖିଲେ, ନିକଟରେ ଲଳିତା ଓ ରାଧିକା ଦେଈ ଆଲିଙ୍ଗନପାଶରେ ଆବଦ୍ଧ ହୋଇ ଅଶ୍ରୁବର୍ଷଣ କରୁଛନ୍ତି । ସେ ଦୌଡ଼ି ଯାଇ ଲଳିତାର ହସ୍ତ ଧାରଣ କରି କହିଲେ, ‘‘ମା-! ସ୍ୱର୍ଗର ଦେବୀ, ତୋର ଏ ମୂର୍ଖ ପିତାର ଦୋଷ କ୍ଷମା କର । ଆଜିଯାଏ ମୁଁ ଚିହ୍ନି ନ ପାରି ତୋର ଯଥେଷ୍ଟ ଅବମାନନା କରିଛି । ତୋତେ ଯେ ଚିହ୍ନିଥିଲେ ସେ ଆଜି ଏ ପାପତାପମୟ ସଂସାରରେ ନାହାନ୍ତି । ସେ ଦେବୀ ଥିଲେ, ତାଙ୍କୁ ଏ ମାନବୀ–ଭୂମି ରୁଚିକର ହେଲା ନାହିଁ । ମୋ ପରି ରାକ୍ଷସର ସହବାସ ଉଚିତ ମନେ କଲେ ନାହିଁ । ମୁଁ କିନ୍ତୁ ସେତେବେଳେ,ଆଉ କହି ପାରିଲେ ନାହିଁ । ତାଙ୍କର ଚକ୍ଷୁରୁ ଅଜସ୍ର ଲୋତକଧାରା ଝରିବାକୁ ଲାଗିଲା ।

 

ସହସା ଆନନ୍ଦରେ ସମସ୍ତେ ଅଧୀର, ଅସ୍ଥିର । ସମସ୍ତଙ୍କର ଗଣ୍ଡ ଭିତରୁ ଆନନ୍ଦାଶ୍ରୁ–ପ୍ରବାହ ବହି ଯାଉଛି । ସେହି ସମୟରେ ଜୋଛନା ହାସରେ ଦିଗ ଉଜ୍ଜ୍ୱଳ କରି ରାକାଶଶଧର ଦିଗବଳୟ କୋଣରେ ଭାତି ଉଠିଲେ । ପୂର୍ବ ଆକାଶ ଉଜ୍ଜ୍ୱଳ, ଆନନ୍ଦମୟ, ପଶ୍ଚିମ ଆକାଶ ଘନ ଘୋର ଅନ୍ଧକାରରେ ଆଚ୍ଛନ୍ନ । ସୌଦାମିନୀ ସେହି ଅନ୍ଧକାର ଆକାଶ ତଳେ ଲୋତକରେ ଅନ୍ଧପ୍ରାୟ ହୋଇ ବସି ପଡ଼ିଲେ ।

 

ଆନନ୍ଦର ରାତିଟା ବଡ଼ ଶୀଘ୍ର ଚାଲିଗଲା । ପ୍ରଭାତ ହେଲାକ୍ଷଣି ନିକଟରେ ଥୁଆ ହୋଇଥିବା ସୌଦାମିନୀଙ୍କ ପ୍ରଦତ୍ତ ପୁଲିନ୍ଦା ଉପରେ ଲଳିତାର ନଜର ପଡ଼ିବାରୁ ସେ ଅତ୍ୟନ୍ତ ଆଗ୍ରହସହକାରେ ତାହା ଖୋଲି ପକାଇଲା । ଗୋଟାଏ ରେଜିଷ୍ଟରୀ ଦାନ–ପତ୍ର ଭିନ୍ନ ଆଉ କିଛି ନାହିଁ । ପ୍ରମଥ ବାବୁଙ୍କର ସମୁଦାୟ ସମ୍ପତ୍ତି ନବକିଶୋରଙ୍କୁ ଦାନ ହୋଇଛି । ଲଳିତା କିଛି ବୁଝି ନ ପାରି ନବକିଶୋରଙ୍କୁ ଦେଖାଇଲା । ନବକିଶୋର ଦେଖିଲାକ୍ଷଣି ଚମକି ଉଠିଲେ, ସଙ୍ଗେ ସଙ୍ଗେ ସୌଦାମିନୀଙ୍କର ଅନୁସନ୍ଧାନରେ ଲାଗି ପଡ଼ିଲେ । କିନ୍ତୁ ବୃଥା ଚେଷ୍ଟା । ସୌଦାମିନୀଙ୍କର କୌଣସି ସନ୍ଧାନ ମିଳିଲା ନାହିଁ ।

Image